Latest Odisha News

BREAKING NEWS

ବିଶେଷ ପିଲାମାନଙ୍କ ଉପରେ କରୋନାର ପ୍ରଭାବ ଓ ପ୍ରତିକାର…

କରୋନା ଭୂତାଣୁ ସଂକ୍ରମଣ ପ୍ରଭାବ ଓ ପ୍ରତିକାର ନେଇ ଡା. ଦୁର୍ଗା ପ୍ରସାଦ ମିଶ୍ରଙ୍କ ଆଲେଖ

କରୋନା ଭୂତାଣୁ ଜନିତ ବିଶ୍ୱବ୍ୟାପୀ ମହାମାରୀ ବୌଦ୍ଧିକ ତଥା ବିକାଶାତ୍ମକ ଅସୁବିଧା ଥିବା ପିଲାମାନଙ୍କ ଅଭିଭାବକଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର କାରଣ ସୃଷ୍ଟି କରିଛି । ଏହା ପରୀକ୍ଷିତ ଯେ, ଅକ୍ଷମତା ଥିବା ବ୍ୟକ୍ତିଙ୍କର ଇମ୍ୟୁନିଟି ବା ରୋଗ ପ୍ରତିରୋଧାତ୍ମକ ଶକ୍ତି କମ୍ ରହିଥାଏ । ଯାହାଦ୍ୱାରାକି ସେମାନେ ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ଅଧିକ ସଂକ୍ରମଣର ଶିକାର ହୋଇଥାଆନ୍ତି । ଏତଦଭିନ୍ନ ବୌଦ୍ଧିକ ତଥା ବିକାଶଜନିତ ସମସ୍ୟା ଥିବା ପିଲାମାନେ ଯେପରିକି ଅର୍ଟିଜିମ, ସେରିବ୍ରାଲ୍ ପାଲସି ଆଦି କୋଭିଡ୍‌-୧୯ ପ୍ରତି ଅତି ସମ୍ବେଦନଶୀଳ ବୋଲି ସିଡ଼ିସି (Centers For Disease Control & Prevention)ର ମତ ।

ବର୍ତ୍ତମାନ କରୋନାଜନିତ ସଂକ୍ରମଣ ତଥା ମୃତ୍ୟୁ ଆକଳନ; ଉଦବେଗ ଜନକ ହାର ତଥା ପରିସ୍ଥିତିରେ ପହଞ୍ଚିଛି ଓ ଦିନକୁ ଦିନ ଏହା ସାଂଘାତିକ ରୂପ ଧାରଣ କରୁଛି । ଏହି ପରିପ୍ରେକ୍ଷୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କରୋନା ଭୂତାଣୁର ମୁକାବିଲା ପାଇଁ କେତେକ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛି । ଏହାଛଡ଼ା ସ୍ଥାନୀୟ ସରକାରଙ୍କ ମାର୍ଗଦର୍ଶିକା ମଧ୍ୟ ବିଭିନ୍ନ ସମ୍ବାଦପତ୍ର ଓ ଗଣମାଧ୍ୟମ ମାନଙ୍କରେ ପ୍ରକାଶ ପାଉଛି ।

ଜନସମାବେଶ (ବାହାଘର, ସାଂସ୍କୃତିକ, ସାମାଜିକ ଓ ଧାର୍ମିକ)କାର୍ଯ୍ୟକ୍ରମଠାରୁ ଦୂରେଇ ରହିବା ବ୍ୟତୀତ, ସାମାଜିକ ଦୂରତା ବଜାୟ ରଖିବା, ଘରେ ସୁରକ୍ଷିତ ରହିବା, ନିୟମିତ ବ୍ୟବଧାନରେ ସାନିଟାଇଜରରେ ହାତଧୋଇବା, ହାତ ନ’ମିଳାଇ ନମସ୍କାର କରିବା, ଆଦି ଅଭ୍ୟାସ ଦ୍ୱାରା ସଂକ୍ରମଣକୁ ରୋକାଯାଇ ପାରିବ । ଯେଉଁ ପରିସ୍ଥିତିରେ ପଜିଟିଭ୍ କରୋନା ଭାଇରସର ସମ୍ଭାବନା ଅନୁମିତ ହୁଏ ବା ଜ୍ୱର, କାଶ, ଫ୍ଲୁ ଭଳି ଲକ୍ଷଣ ଥିଲେ, ଘରେ ଅଲଗା ରହିବା (Isolation) ତଥା ଅଣସର (Quarantine) ରେ ରହିବା ଉଚିତ୍ ମନେହୁଏ ।

ବୌଦ୍ଧିକ, ଶାରିରୀକ ତଥା ବିକାଶାତ୍ମକ ଅକ୍ଷମତା ଥିବା ପିଲାମାନେ ବିବିଧ ଧରଣର ତଥା ସେମାନଙ୍କର ଆବଶ୍ୟକତା ମଧ୍ୟ ଭିନ୍ନ ଥାଏ ଏବଂ ସେମାନଙ୍କ ସ୍ୱାସ୍ଥ୍ୟରକ୍ଷା କୌଣସି ଏକ ନିର୍ଦ୍ଧିଷ୍ଟ କୌଶଳ ଉପରେ ପର୍ଯ୍ୟବେସିତ ନ’ହୋଇପାରେ । ମୂଳ ସଚେତନତା ତଥା ପରାମର୍ଶ ସମସ୍ତଙ୍କ ପାଇଁ ସମାନ ହେଲେ ମଧ୍ୟ, ଅକ୍ଷମତା ଥିବା ପିଲାମାନଙ୍କ କ୍ଷେତ୍ରରେ ଏହା ଜଟିଳ ପରିଲକ୍ଷିତ ହୋଇଥାଏ ।

ଅନେକ ସମୟରେ ସେମାନେ ଦୈନନ୍ଦିନ କାର୍ଯ୍ୟପାଇଁ ଅନ୍ୟ ଉପରେ ନିର୍ଭର କରିଥାନ୍ତି । ଏଥିସହିତ ସେମାନଙ୍କର ବ୍ୟବହାରିକ ସମସ୍ୟା ପରିସ୍ଥିତିକୁ ଆହୁରି ଜଟିଳ କରିଥାଏ । କରୋନା ସଂକ୍ରମିତ ରୋଗୀ ଚିଡ଼ିଚିଡ଼ି ହେବା, ରାଗିବା, ଅଥବା ତାଙ୍କଠାରେ ଅବସାଦ ଦେଖାଦେଇଥାଏ । ଏମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା ହେବା ଓ ଏକାକୀ ଭାବିବାକୁ ନଦେବା ଉଚିତ୍ । ପରିବାର ମଧ୍ୟରେ ଥିଲେ ସମସ୍ତ ସଦସ୍ୟ ଉତ୍ତମ ଖାଦ୍ୟ ଖାଇବା ଓ ପରସ୍ପରକୁ ସହଯୋଗ କରିବା ଆବଶ୍ୟକ । ଏପରି ବିପଦ ସମୟରେ ନିଜର ଏକାଗ୍ରତା ବଜାୟ ରଖିବା ଜରୁରୀ । ଶିଶୁମାନଙ୍କ ଅବସାଦ ଭିନ୍ନ ପ୍ରକାର ହୋଇପାରେ । ସେମାନେ ଶଯ୍ୟାରେ ପଡ଼ି ରହିବାକୁ ଭଲ ପାଇପାରନ୍ତି । ଏପରି ପିଲାମାନଙ୍କୁ ଧମକ ଚମକ ନଦେଇ ପୂର୍ବଠାରୁ ଅଧିକ ଶ୍ରଦ୍ଧା କରିବା ତଥା ସେମାନଙ୍କ ମୁହଁରେ ହସ ଖେଳାଇବା ପାଇଁ ଯେ କୌଣସି ଉଦ୍ୟମ କରିବା ଆବଶ୍ୟକ । ସେମାନେ କ’ଣ କରିବାକୁ ଚାହୁଁଛନ୍ତି ଭଲଭାବେ ଶୁଣିବା ଜରୁରୀ । ଭୂତାଣୁ ଆକ୍ରାନ୍ତ ପିଲାମାନଙ୍କୁ ପିତାମାତାଙ୍କ ଠାରୁ ଅଲଗା କରିବା ଉଚିତ ନୁହେଁ । ଯଦି ପିଲାଟି ଡାକ୍ତରଖାନାରେ ଅଛି, ତେବେ ନିୟମିତ ବ୍ୟବଧାନରେ ସେମାନଙ୍କ ପିତାମାତା ପିଲାଟିକୁ ଦେଖା କରିବା ଉଚିତ ।

ଏହାଛଡ଼ା ସ୍କୁଲ ବନ୍ଦହୋଇଯିବା, ଜନ ସମାବେଶ ଯଥା ସାମୂହିକ କାର୍ଯ୍ୟକ୍ରମ, ମ୍ୟୁଜିୟମ, ପାର୍କ, ଆଦି ବନ୍ଦ ରହିବା କାରଣରୁ ସଂକ୍ରମଣର ଶିକାର ନ’ହୋଇଥିବା ପିଲାମାନଙ୍କର ଦୈନନ୍ଦିନ କାର୍ଯ୍ୟ ତଥା ଜୀବନଶୈଳୀ ପ୍ରଭାବିତ ହେଉଛି । ମାତ୍ର ବୌଦ୍ଧିକ ତଥା ବିକାଶାତ୍ମକ ଅକ୍ଷମତାଥିବା ପିଲାଟିର ସାମାଜିକ ଦକ୍ଷତା, ପରିସ୍ଥିତି ବୁଝିବାରେ ଅକ୍ଷମତା, ଭାବ ଆଦାନପ୍ରଦାନ କରିବା ବା କଥାବାର୍ତ୍ତାରେ ଅସୁବିଧା ଆଦି କାରଣରୁ ସେ ତାହା ହୃଦୟଙ୍ଗମ କରିବାରେ ଅସମର୍ଥ ହୋଇଥାଏ ।

ତେଣୁ ନିମ୍ନଲିଖିତ ପରାମର୍ଶ ଏ କ୍ଷେତ୍ରରେ ଅଭିଭାବକଙ୍କୁ କିଛି ସାହାଯ୍ୟ କରିପାରେ ।

  • ନିଜର ଯତ୍ନ ଭଲଭାବରେ ନିଅନ୍ତୁ ଓ ସଂକ୍ରମଣଠାରୁ ଦୂରେଇ ରୁହନ୍ତୁ ।
  •  ପିଲାମାନଙ୍କ ପାଇଁ ନୂଆ ଦିନ ଚର୍ଯ୍ୟା ସୃଷ୍ଟି କରନ୍ତୁ ଯାହାଦ୍ୱାରାକି ସ୍କୁଲ ବନ୍ଦ ଥିଲେ ମଧ୍ୟ ସେମାନେ ବିଭିନ୍ନ କାର୍ଯ୍ୟରେ ଜଡ଼ିତ ରହିପାରିବେ ।
  • ପିଲାମାନଙ୍କ ପାଇଁ କାର୍ଯ୍ୟ ଅନୁସୂଚୀ (Activity Schedule) ତିଆରି କରନ୍ତୁ ।
  • ପିଲାଟିଏ ବୁଝିବା ଭଳି ଭାଷାରେ ସାମ୍ପ୍ରତିକ ଘଟଣା ବିଷୟରେ ତା’ସାଙ୍ଗରେ ଆଲୋଚନା କରନ୍ତୁ ।
  • ସାମାଜିକ ଗଳ୍ପ (Social Story) ମାଧ୍ୟମରେ କରୋନା ସଂପର୍କିତ ତଥ୍ୟ ତଥା ଉତ୍ତମ ସ୍ୱଚ୍ଛତା ପାଇଁ ସର୍ବୋତ୍ତମ ଅଭ୍ୟାସ ଯେପରି ହାତ ଧୋଇବା, ମୁହଁ, ଆଖି, ନାକ ଆଦିରେ ହାତ ନ ମାରିବା, ଆଡ଼େ ସ୍ୟାଡ଼େ ନ ଚାଟିବା ଆଦି ବୁଝାନ୍ତୁ ।
  • ଏହାଛଡ଼ା ସ୍କୁଲ ବନ୍ଦହେବା, ଜନ ସମାବେଶ କାର୍ଯ୍ୟକ୍ରମଠାରୁ ଦୂରେଇ ରହିବା, ଘରେ ରହିବା ଆଦିର କାରଣ ବିଭିନ୍ନ ଭିଜୁଆଲ ଏବଂ ପିକଚର୍ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରନ୍ତୁ ।
  • ଭୟ ଭ୍ରାନ୍ତିରେ ଆତଙ୍କିତ ନହୋଇ, ଧୈର୍ଯ୍ୟର ସହିତ ଏହି ବିଶ୍ୱବ୍ୟାପି ମହାମାରୀକୁ ସାମନା କରନ୍ତୁ ଯାହାଦ୍ୱାରାକି ଏହାକୁ ନିୟନ୍ତ୍ରଣ ତଥା ପ୍ରତିହତ କରାଯାଇପାରିବ ।
କନସଲଟାଣ୍ଟ, ଏସଭି ନିରତାର, କଟକ

 

Leave A Reply

Your email address will not be published.