Latest Odisha News

BREAKING NEWS

ବୁଲା ପଶୁପକ୍ଷୀଙ୍କ ଜୀବନଦାତ୍ରୀ ‘ଅଭିପ୍ସା’…

କଟକ: କଟକ ସହରର ରାସ୍ତା କଡରେ ପରିତ୍ୟକ୍ତ ଅବସ୍ଥାରେ ତଥା ଏଣେତେଣେ ବୁଲୁଥିବା ଅସହାୟ କୁକୁରଙ୍କୁ ନୂଆ ଜୀବନ ଦେଇ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧୟନରତ ଜଣେ ଛାତ୍ରୀ ଅଭିପ୍ସା ମିଶ୍ର ।

ବୁଲା କୁକୁରଙ୍କ ସେବା ଲାଗି ସମର୍ପିତ ଅଭିପ୍ସା ଜଣେ ମେଧାବୀ ଛାତ୍ରୀ ମଧ୍ୟ । ସେ ୨୦୧୮ ମସିହାରେ ଯୁକ୍ତ ଦୁଇ କଳାରେ ଓଡିଶାରେ ଟପ୍ପର ହୋଇଥିବା ବେଳେ ବର୍ତ୍ତମାନ ସମୟରେ ସେ ରେଭେନ୍ସା ୟୁନିଭର୍ସିଟିରେ +୩ର ବିଦ୍ୟାର୍ଥୀ ଅଟନ୍ତି ।

ବାଦାମବାଡିର ଲେବର୍ କଲୋନୀର ବାସିନ୍ଦା ଅଭିପ୍ସା କୁହନ୍ତି ଯେ, ସେ ମାତ୍ର ୫ମ ଶ୍ରେଣୀ ସମୟରୁ ନିଜ ମା’ଙ୍କ ସହ ମିଶି ଅସହାୟ ଅବସ୍ଥାରେ ଥିବା ପକ୍ଷୀ, ବିଲେଇ ତଥା କୁକୁରମାନଙ୍କୁ ଉଦ୍ଧାର କରି ସେବା ଶୁଶୃଷା କରୁଛନ୍ତି ।

ଅନେକ ସମୟରେ ନଜରରେ ଆସିଥାଏ ଏହି ବୁଲା ପଶୁପକ୍ଷୀମାନେ ଚିକିତ୍ସା ଅଭାବରୁ ଅକାଳରେ ମୃତ୍ୟୁ ମୁଖରେ ପଡିଥାନ୍ତି । ଯାହା ମୋ ହୃଦୟକୁ ଆନ୍ଦୋଳିତ କରିଥାଏ । ସେଥିପାଇଁ ସହରର ଗଳିକନ୍ଦିରେ ଅସହାୟ ଭାବେ ବୁଲୁଥିବା ପଶୁପକ୍ଷୀଙ୍କୁ ସାହାର୍ଯ୍ୟ କରିବା ଲାଗି ଏକ ଛୋଟିଆ ସଙ୍ଗଠନ ଗଢିଛୁ ।

ଆମ ସଙ୍ଗଠନର ନାମ ‘ଚେଷ୍ଟା’ ରଖାଯାଇଥିବା ବେଳେ ମାତ୍ର ୫ଜଣ ପିଲା ଏକ୍ଷେତ୍ରରେ ଆମକୁ ସାହାର୍ଯ୍ୟ କରୁଛନ୍ତି । ଆମକୁ ଆଉ ଅଧିକ ଜନ ସମର୍ଥନ ମିଳିଲେ, ଆଗାମୀ ଭବିଷ୍ୟତରେ ଆମେ ଏହି ସଙ୍ଗଠନକୁ ପଞ୍ଜିକୃତ କରାଇବୁ ବୋଲି ଅଭିପ୍ସା କହିଛନ୍ତି ।

ସେ ଆହୁରି ମଧ୍ୟ କୁହନ୍ତି ଯେ ମୁଁ ଏକୁଟିଆ କେବେବି ଏଭଳି କାର୍ଯ୍ୟ କରିପାରିନଥାନ୍ତି । ସେଥିପାଇଁ ଏକ ନେଟୱର୍କ ସାହାର୍ଯ୍ୟରେ ନିଜ ଭଳି କିଛି ଲୋକଙ୍କୁ ଖୋଜିବାରେ ଲାଗିପଡିଥିଲି । ଯେଉଁମାନେ କି ଏଭଳି କାମରେ ମୋତେ ସାହାର୍ଯ୍ୟ କରିପାରିବେ ।

ମୋ ମା’ ଜଣେ ପଶୁପ୍ରେମୀ ହୋଇଥିବା ବେଳେ ଏଦିଗରେ ମୁଁ ତା’ଙ୍କ ଠାରୁ ପ୍ରେରଣା ପାଇଥିଲି । ପରେ ମା’ଙ୍କ ସହାୟତାରେ ପ୍ରଥମେ ଏକ ପଞ୍ଜୁରୀ କିଣିଥିଲି ଏବଂ ଅସୁସ୍ଥ ପଶୁପକ୍ଷୀଙ୍କୁ ଆଣି ସେଠାରେ ରଖିବା ସହ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରିଥିଲି । ଏହିସବୁ ଦେଖି ଧିରେଧିରେ ଲୋକମାନେ ଏଥିପ୍ରତି ଆଗଭର ହୋଇଥିବା ନେଇ ଅଭିପ୍ସା ପ୍ରକାଶ କରିଛନ୍ତି ।

ନିଜ ଅତୀତକୁ ମନେ ପକାଇ ଅଭିପ୍ସା କହିଛନ୍ତି, ଗୋଟେ ସମୟରେ ଏକ କୁକୁର ନାଭାଲ୍ କ୍ୟାନସରରେ ପିଡିତ ଥିଲା ଏବଂ ତାହା ପୁଣି ଲାଷ୍ଟ ଷ୍ଟେଜରେ । ଏହି ସମୟରେ ମୁଁ ଏଡବ୍ଲ୍ୟୁଟିଇର ସଂସ୍ଥାପକ ପୂର୍ବୀ ପାତ୍ରଙ୍କ ସହ ଯୋଗାଯୋଗ କରିଥିଲି । ପରେ ତାଙ୍କ ସହାୟତାରେ ମୁଁ ଓୟୁଏଟିର ଇଶ୍ୱର ଆନନ୍ଦ ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ କରିଥିଲି । ସେ ମଧ୍ୟ ଆମ ସହିତ ମିଶି କୁକୁରକୁ ବଞ୍ଚାଇବାକୁ ବହୁ ଚେଷ୍ଟା କରୁଥିଲି, କିନ୍ତୁ ସେ ବଞ୍ଚିପାରିନଥିଲା ।

ମୋ’ ପରିବାର ବର୍ଗ ତଥା କିଛି ସମ୍ପର୍କୀୟମାନେ ଏକ୍ଷେତ୍ରରେ ଆଗକୁ ବଢିବା ପାଇଁ ଆମକୁ ଆର୍ଥୀକ ସହାୟତା ପ୍ରଦାନ କରିଥାନ୍ତି । ଏପରିକି ମୋ’ ବାପା ଶିବ ସୁନ୍ଦର ମିଶ୍ର ମଧ୍ୟ ସହାୟତା କରିଥାନ୍ତି ।

ମୋ ଜେଜେ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ମୋ ମା’ ଘର ପାଖାପାଖି ସ୍ଥାନରେ ବୁଲା ପଶୁପକ୍ଷୀଙ୍କ ଦେଖାଶୁଣା କରିଥାନ୍ତି । ଏପରିକି ସୁମିତ କୁମାର ଧୀର, ଗାୟତ୍ରୀ ସାହୁ, ଆକାଶ ମହାରଣାଙ୍କ ଭଳି ସାଙ୍ଗମାନେ ମୋତେ ଏଦିଗରେ ସାହାର୍ଯ୍ୟ କରିବା ସହ ସଙ୍ଗଠନର ସଦସ୍ୟ ଭାବେ ଜଡିତ ।

ଆଜିକାର ସମୟରେ ମଣିଷମାନେ ହୁଏତ କାହାପ୍ରତି ବିଶ୍ୱାସଘାତକତା କରିଥା’ନ୍ତି କିନ୍ତୁ ପଶୁପକ୍ଷୀମାନେ ସବୁବେଳେ ବିଶ୍ୱସ୍ଥ ହୋଇ ରହିଥା’ନ୍ତି । ଆଗରୁ ଲୋକମାନେ ବୁଲା କୁକୁରମାନଙ୍କୁ ଦେଖିଲେ ପିଟିଥାନ୍ତି କିନ୍ତୁ ଏବେ ଆମ କାର୍ଯ୍ୟକଳାପକୁ ଦେଖିବା ପରେ ଆମ ନିକଟବର୍ତ୍ତର ଅଞ୍ଚଳରେ ଲୋକମାନେ ଏବେ ବୁଲା ପଶୁପକ୍ଷୀଙ୍କୁ ନପିଟି ଖାଇବାକୁ ଦେଉଛନ୍ତି । ଯାହା ଆମକୁ ଖୁବ୍ ଆନନ୍ଦ ଦେଇଥାଏ ।

ଗତକିଛି ଦିନ ତଳର କଥା, ଆପଣଙ୍କୁ ହୁଏତ ଅବିଶ୍ୱାସ ଲାଗିପାରେ । କୌଣସି ଜରୁରୀ କାମ ଲାଗି ମୋତେ ରାତି ୨ଟାରେ ଘରୁ ବାହାରକୁ ଯିବାକୁ ପଡିଲା । ଏହି ସମୟରେ କିଛି ପିଲା ଏକ ବାଇକରେ ମୋ’ ନିକଟକୁ ଆସିଥିଲେ । ଏହି ସମୟରେ ହଠାତ୍ ୪ରୁ ୫ ଟି କୁକୁର ସେମାନଙ୍କବାଇକ ଉପରକୁ ଡେଇ:ପଡି ଘଉଡାଇ ଦେଇଥିଲେ ଆଉ ମୁଁ ଏକ ନିଶ୍ଚିତ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲି ବୋଲି ଅଭିପ୍ସା କହିଛନ୍ତି ।

ଏକ୍ଷେତ୍ରରେ ଆଗାମୀ ଯୋଜନା ନେଇ ଅଭିପ୍ସା କହିଛନ୍ତି, ବୁଲା ପଶୁପକ୍ଷୀଙ୍କ ଲାଗି ଏକ କ୍ଲିନିକ୍ ତଥା ପାର୍କ ଖୋଲିବା ଆମର ସ୍ୱପ୍ନ ରହିଛି ।

ତେବେ ଆମ ନିକଟରେ ଲୋକବଳ, ଅର୍ଥ, ସ୍ଥାନ ଓ ଡାକ୍ତର ମଧ୍ୟ ନାହାଁନ୍ତି । ଏହାବ୍ୟତିତ ବେଳେବେଳେ ପଶୁ ଚିକିତ୍ସକମାନେ ବୁଲା କୁକୁରଙ୍କୁ ଛୁଇଁବାକୁ ଅରାଜି ହେଉଥିବାରୁ ଆମକୁ ଅନେକ ସମୟରେ ଏକ୍ଷେତ୍ରରେ ସଂର୍ଘଷ କରିବାକୁ ପଡୁଛି ।

Leave A Reply

Your email address will not be published.