Latest Odisha News

BREAKING NEWS

ଅରାଏ ମାଟି

ଅରାଏ ମାଟି
ସୁଷମା ଦାଶ

ଓଃ… ଗୋଟିଏ ଶୂନ୍ୟତାରେ ପହଂଚିଗଲା ସେଇ କ୍ଷଣିକ ପାଇଁ। ତ୍ରିଶଙ୍କୁ ପରି ଅଧା ସ୍ଵର୍ଗରେ ଝୁଲୁଥିଲା ପରି ଲାଗିଲା। ଗୋଟିଏ ଉଦଗ୍ରୀବ ଅବସ୍ଥାରେ ଅସିତ୍ । ଆଉ ବେଶୀ କିଛି ଭାବିପାରିଲା ନାହିଁ ସେ।

ଅସିତ୍ ମିର୍ଧା ଏଇ କିଛି ଦିନ ତଳେ ଜଏନ୍ କରିଥିଲା ସ୍କୁଲରେ। ଖୁବ ପରିଶ୍ରମୀ। ନିଜ କାମରେ ଟିକେ ବି ଅବହେଳା କରେନି। ଏଇ ଚାକିରି ଦିନରେ ତାର କୋଣସି କାମକୁ କେହି ବି ସମାଲୋଚନା କରିଥିବାର ଦେଖାଯାଇନି। ପିଲାମାନେ ବି ଖୁବ ସମ୍ମାନ କରନ୍ତି ଅସିତ୍ ସାରଙ୍କୁ। ନିଜର ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ସତ୍ତ୍ଵେ କାହିଁକି ଅସମୟରେ ନିଲମ୍ବନ !

କିଛି ଆଉ ଭାବି ପାରିଲା ନାହିଁ ଅଧିକ ଅସିତ୍ । ସ୍ଥାଣୁ ପ୍ରାୟ ବସି ରହିଲା ଘଡ଼ିଏ। କଲେକ୍ଟର ଅଫିସରୁ ଆଦେଶ ଆସିଛି। ସ୍କୁଲ ଅଫିସରେ ଗୋଟିଏ ରକମର ଚାପା ପରିବେଶ। ସମସ୍ତଙ୍କ ମୁହଁ ଥମ୍ ଥମ୍। ହେଡ୍ ମାଷ୍ଟରଙ୍କ ମୁହଁରେ ବି ଅସମ୍ଭବ ନୀରବତା ଛାଇ ରହିଥିଲା। ଅନ୍ୟ ସାର୍ ମାନେ ଯେଝା କ୍ଲାସରୁ କିଛି ମିନିଟ ପାଇଁ ଚାଲି ଆସି, ପୁଣି ନୀରବରେ ଉଦାସ ମନ ନେଇ ଫେରିଯାଇଥିଲେ।

ତିରିଶି ବର୍ଷ ଯୁବା କାନ୍ଧ ଉପରେ ସଂସାର ଜୁଆଳି। ସେ ଚଷିବାକୁ ପ୍ରସ୍ତୁତ ଥିବାବେଳେ ନିଜ ପାଦ ତଳେ ଅରାଏ ମାଟି ଯେ ଆଉ ନାହିଁ ! କେଉଁଠି ଥୋଇବ ନିଜ ପାଦ ହଳକୁ? କେମିତି ଚଷୀବ ମାଟି ? ଅକ୍ଷମ ଭୋକିଲା ପେଟକୁ ଜୁଟାଇବ ମୁଠିଏ ଅନ୍ନ? ମୁଣ୍ଡତଳେ ଖଣ୍ଡେ ଛାତ?

ଏମିତି ଅନେକ କଥା ଭାବି ହେଉଥିଲା ବସି ବସି। ଦାଦାର ଶୁଖିଲା ମୁହଁଟା ନାଚିଗଲା । ନବମ ଶ୍ରେଣୀରେ ପଢ଼ୁଥିବା ଭଉଣୀ। ସବୁବେଳେ ବାତ ଜର ଭୋଗୁଥିବା ମାଆ। ଚାରି ଚାରିଟା ମୁହଁ ନାଚି ଗଲା ତା ଆଖି ଆଗରେ।

ଗୋଟିଏ ଗୋଡ଼ କେବେଠୁ ହରାଇଥିଲା ଦାଦା। ତଥାପି ଜୀବନ ଯୁଦ୍ଧରେ ସେ ହାରି ଯାଇନ ଥିଲେ। ସମୁଦ୍ରକୁ ସିନା ମାଛ ଧରିବାକୁ ଯାଇପାରନ୍ତି ନାହିଁ। ସେଇ ଛୋଟା ଗୋଡ଼ରେ ବି ଛୋଟେଇ ଛୋଟେଇ ମାଛ ସୁଖାସୁଖି କରି ହାଟ ପାଳିରେ ବିକନ୍ତି ବସି। ଅଳ୍ପ କିଛି ରୋଜଗାର କରିପାରୁଛନ୍ତି, ସେଥିରେ କଣ ଚଳିହେବ? ତା’ ତ ସଂସାର ସମୁଦ୍ର କୁ ମୁନ୍ଦେ ମାତ୍ର ପାଣି ପରି !

ଲଜ୍ଜା ଓ ଅପମାନରେ ସେଦିନ ଫେରି ଆସିଲା ସ୍କୁଲରୁ ଘରକୁ। ଆଉ କାହାରିକି ସାମ୍ନା କରିବା ପାଇଁ ଇଚ୍ଛା ହେଇନଥିଲା।

କର୍ମଠ ଆଦର୍ଶ ଶିକ୍ଷକର ଭାବମୂର୍ତ୍ତିରେ ସତେ ଯେପରି କିଏ କାଳି ଲୋପି ଦେଲା ! ପାଣି ଗ୍ଲାସଟିଏ ପିଇ ବାହାରି ଆସିଥିଲା ଘରୁ କେବେଠୁ। କୋଣସି ଚିନ୍ତା ତାକୁ ବିଚଳିତ କଲେ ସେ ଚୁପ ଚାପ ଘରୁ ବାହାରି ଲକ୍ଷ୍ୟହୀନ ଭାବେ ବୁଲିବା ଏକ ପୁରୁଣା ଅଭ୍ୟାସ । ଦୁଃଖ ଟିକେ କମିଲେ ମନକୁ ବୁଝାଇ ପୁଣି ଫେରେ ଘରକୁ।

ଦିପହରରୁ ସନ୍ଧ୍ୟା ହେଲା। ଝାଉଁବଣ ସମୁଦ୍ର ତଟରେ ବସି ଅସିତ୍ ଚାହିଁ ରହିଥିଲା ଦୂରରୁ କେତୋଟି ଷ୍ଟିମର ଯା’ଆସ କରୁଥିବାର। ଦୂରରୁ ଗଛ ପତ୍ର ଉହାଡରେ ଲୁଚି ଯାଇଥିବା ଛଣ-ଛପର କରା ଘର କେତେ ଗୁଡିଏ। କଣା ଛପର ଉପରେ ମଳେ ମଳେ ଜାଗାରେ ଘୋଡ଼ା ହେଇଥିବା ପଲିଥିନ୍। ଦଶ, ବାର ଘରକୁ ନେଇ ଗୋଟିଏ ବସ୍ତି। କିଛି କୁକୁଡ଼ା, ବୁଲା କୁକୁର, ବିଲେଇ, ଜମିହୀନ କିଛି ଲୋକଙ୍କୁ ନେଇ ବସ୍ତିଟି ଗହଳ ଚହଳ। ଦୂର ଦିଗ୍ ବଳୟରେ ଅସ୍ତଗାମୀ ସୂର୍ଯ୍ୟ ର ଲୋହିତ କିରଣ ବୁଣି ହୋଇ ପଡ଼ିଥିଲା ଚାରିଆଡେ। ସେ ଚାହିଁ ରହିଲା ଘଡ଼ିଏ ସେଇ ବସ୍ତି ଆଡେ।

ଝାଉଁଗଛ ସବୁ ଉପରକୁ ମୁଣ୍ଡ ଟେକି ଠିଆ ହେଇଛନ୍ତି। ନିଜ ଅସ୍ତିତ୍ବ ପାଇଁ ମାଡି ବସିଛନ୍ତି ଅରାଏ ଲେଖା ମାଟି। ବନ୍ଧ୍ୟା ଭୂମିରେ ନିଜ ସ୍ଥିତିକୁ ଦୃଢ଼ କରିବା ପାଇଁ ଚେରକୁ ବହୁ ତଳକୁ ବିସ୍ତାରିତ କରିବାକୁ ପଡିଛି। ସମୁଦ୍ରର ଉଗ୍ର କରାଳ ରୂପକୁ ସାମ୍ନା କରିବାର ଶକ୍ତି ନିଜ ଭିତରେ ସମାହିତ କରିଛି। ତାର ସାମୁଦ୍ରିକ ଉଦ୍ଭ୍ରାନ୍ତ ଉଦ୍ଦାମତାକୁ ସୁ ସୁ କରି ଶୋଷି ନେଇଛି। ତେବେ ଯାଇ ବାଲି ଉପରେ ଠିଆ ହେଇପାରିଛି ସଗର୍ବେ, କଲ୍ୟାଣମୟ ମୁଦ୍ରାରେ ! ଘଞ୍ଚ ଝାଉଁର ସବୁଜିମା ,ତାର ସୁ ସୁ ପବନ, ଶୀତଳ ଛାଇ ଆଉ ଆଖି ପାଉ ନଥିବା ସୁନୀଲ ଜଳରାଶି…

କାଲି ପରି ତା ଆଖିରେ ବି ଅୟୁତ ସ୍ବପ୍ନ ଥିଲା। ସବୁ କିଛି ଭାଙ୍ଗି ଆଜି ଚୁର୍ମାର ହେଇଗଲା। ବାବନା ଭୂତ ପରି ଠିଆ ହେଇଥିଲା ଝାଉଁ ଗଛ ସବୁ ତା ଆଗରେ ଏବେ। ଯେଉଁ ଝାଉଁବଣ, ସମୁଦ୍ର କୂଳ ତା ପ୍ରେମର ମୁକ ସାକ୍ଷୀ ଥିଲେ,ସେମାନେ ଆଜି ତାକୁ ବିଦ୍ରୁପ କରୁଥିଲେ। ଧିକାରୀ ଥିଲେ। ପରିସୀମାକୁ ନେଇ ଦେଖିଥିବା ସ୍ୱପ୍ନସବୁ ଏବେ ଭୂତ ହୋଇ ଡରାଇ ବାକୁ ଲାଗିଲେ।

ଆଉ ମାସ ଦୁଇଟା ପରେ ବାହାଘର ହେଇଥାନ୍ତା, କେତେ କଷ୍ଟରେ ପରିସୀମାର ବାପା ବାହାଘର ପାଇଁ ରାଜି ହେଇଥିଲେ। କିଛି ନଥାଉ ପଛେ ଚାକିରି ଖଣ୍ଡେ ଅଛି ତ । ନିଜକୁ ବୁଝାଇବାରେ ଡେରି ହେଉ ପଛେ ରାଜି ହେଇଥିଲେ ଶେଷରେ। ଏବେ ସେତକ ବି ନାହିଁ, ମୁଠାଏ ମାଟି ବି ନାହିଁ। ଏବେ କଣ ରାଜି ହେବେ ଆଉ ପରିସୀମାର ବାପା?

ଢୋ…ଢୋ….ଗୁଳି ଶବ୍ଦରେ ଚମକି ପଡି ଚିନ୍ତା ରାଜ୍ୟରୁ ଓହରି ଆସିଲା ଅସିତ୍। ଆଖି ପିଛୁଳାକେ କିଏ ଜଣେ ଦୌଡ଼ି ଲୁଚିଗଲା କେଉଁଠି ! ଟିକେ ଦୂରରେ ଦୌଡୁଥିଲେ ଦୁଇଜଣ ପୋଲିସ। ଅସିତର ଦେହସୁହା କଥା ଏସବୁ। ଅନୁପ୍ରବେଶକାରୀ କିଏ ସମୁଦ୍ର ବାଟେ ପଶି ଆସିଥିବ!

ବାହା ହେବାର ଆଶା ନେଇ ନିଜ ଦେଶ ଛାଡି ବହୁ ଦୂରରୁ ଆସିଥିବା ସୀମା ଗୋଲ ଗୋଲ ହୋଇ ଘୂରି ବୁଲୁଥିଲା ନିଜ ପରିଧି ଚାରିପଟେ। ମନେ ପଡିଗଲା ଅସିତର ବାପାଙ୍କର ଗୋଟିଏ କଥା ।ସେ ଏଠିକୁ ନୂଆ କରି ଆସିଥିବା ବେଳେ ତାଙ୍କ ଦାଦାଙ୍କର ଲେଖିଥିବା ଚିଠିଟିଏ ସୁଦୂର ବଙ୍ଗଳା ଦେଶରୁ। ସତୁରି ମସିହାର ସେଇ ଚିଠି ଟିଏ ହିଁ ତାର ଏକମାତ୍ର ପ୍ରମାଣ ଓ ସାହା ଭରସା। ଅରାଏ ମାଟି ହିଁ ଦେଇପାରିବ ସେଇ ଖଣ୍ଡିଏ ମାତ୍ର ଚିଠି। ପାଗଳ ପରି ଏକମୁହାଁ ହୋଇ ଧାଇଁଲା ଘରକୁ। ତା ହଜିଲା ସ୍ଵପ୍ନ ସବୁ ସଜାଡି ଯିବ । ଜହ୍ନ ଆଲୁଅରେ ଝାଉଁବଣ ପାଖରେ ସୀମାକୁ ନେଇ ପୁଣି ଦେଖିବ ଅସରନ୍ତି ସ୍ଵପ୍ନ…

ଆଜକୁ ତିରିଶ ବର୍ଷ ତଳେ ଜେଜେବାପାଙ୍କର ଲେଖିଥିବା ଚିଠିଟିକୁ ଅସିତ୍ ଖୋଜି ହେଉଥିଲା। ସେତେବେଳେ ତା ଦାଦା ନୂଆ କରି ଫେରି କରୁଥାନ୍ତି ଦାଣ୍ଡରେ ବୁଲି,ବୁଲି। ଅଡୁଆ ଚୁଟି, ପ୍ଲାଷ୍ଟିକ ଖେଳଣା, ଶସ୍ତା ଷ୍ଟିଲର ବାସନ କୁସନ ଗାଁ ଗାଁ ଧରି ବିକ୍ରି କରୁଥାନ୍ତି। ଅସିତ୍ ଆଖିରେ ଜକେଇ ଆସିଲା ବୁନ୍ଦାଏ ଲୁହ। ମାଟିଘର କୋଣରେ ପଡିଥିବ ଅବ୍ୟବହୃତ, ବହୁଦିନର ଟିଣଟ୍ରଙ୍କଟିକୁ ଅଣ୍ଡାଳି ପକାଇଲା। ଏକସ୍ତରୀ ମସିହାରେ ଜେଜେବାପାଙ୍କ ହସ୍ତାକ୍ଷରକୁ ନେଇ ଏଇ ପୋଷ୍ଟଲ ଆଡ୍ରେସରେ ମୋହର ମାରି ଆସିଥିବା ସେଇ ଚିଠିଟିକୁ ସେ କଣ ଆଉ ପାଇବ ?

ଅସିତ୍ ବିଡ଼ବିଡଉ ଥିଲା ହତାଶାରେ…! ଗୋଟିଏ ସମସ୍ୟା ନେଇ ସବୁ ହୋ ହାଲ୍ଲା । ସରକାରଙ୍କ ତଣ୍ଟିରେ ମାଛ କଣ୍ଟା ପରି, ନା ବାହାରକୁ ,ନା ଭିତରକୁ! ବିରୋଧୀ ଗର୍ଜ୍ଜେ! ସବୁ ଭୋଟର ନାଟ!ପୋଲିସ ଡରେ ଦେଶ ସୁରକ୍ଷା ଓ ଅପରାଧ ବଢିଯିବାର ଭୟକୁ ନେଇ। ବୁଦ୍ଧିଜିବୀ ଡରନ୍ତି ରାଜ୍ୟ ଉପରେ ଚାପ। ପ୍ରତିବେଶୀ ଡରନ୍ତି ବଢୁଥିବା ସେମାନଙ୍କ ସଂଖ୍ୟାକୁ ନେଇ।

କିନ୍ତୁ ସତ କଣ କେହି କଣ ଜାଣନ୍ତି ନାହିଁ? ସତ କହିବାକୁ ଗଲେ ଜୀବନକୁ ଭଲ ପାଉଥିଲା ବୋଲି ତ ଧାଇଁ ଆସିଥିଲା ନିଜ ଦେଶ ମାଟି ଛାଡି ପେଟ ଚାଖଣ୍ଡକ ପାଇଁ !

……………
K-block 403, Trident galaxy, Kalinga Nagar
Mobile: 7008210960

Leave A Reply

Your email address will not be published.