ଖରା, ଖାଲି ଖରା ନୁହଁ
ରଂଜିତା ପଣ୍ଡା
ଆଜି ଖରା ଖୁବ୍ ଖତରନାକ୍ କାଇଦାରେ
ଅଟକେଇଲା ମୋ ରାସ୍ତା
ପନିକିର ଧାରପରି ଚକଚକ ତା’ ମୁହଁରୁ
ନିରୀହ କଥାପଦେ ଆଶା କରିବା ଥିଲା ବୃଥା ।
ହେଲେ ମୁଁ ବି କେଉଁ ଛାଡ଼ିଲି ତାକୁ
ଟେବୁଲ୍ ପାଲଟାଇ ଦେଲି ତା’ର କପଟୀ ପାପୁଲିକୁ
କହୁଣୀରେ ଭାରାଦେଇ ବସିଗଲି ଆରାମରେ
ଗୋଟେ ମିନିଟ୍ ।
ଟେବୁଲରେ ଅଙ୍ଗୁଳି ଘୂରେଇ ଘୂରେଇ ନିଜ ସଙ୍ଗୀତର
ନିର୍ବୋଧ ଧୂନଟେ ତିଆରିଲି ଗୋଟେ ମିନିଟ୍,
ଖରାକୁ ଦର୍ପଣ ଭାବି ନିଜ ହୃଦୟକୁ ଅଣ୍ଡାଳିଲି
ଆଉ ପୁଞ୍ଜାଏ ଅଡ଼ୁଆସୂତା ପରି ଶବ୍ଦ ସାଉଁଟିଲି
ସେମାନଙ୍କୁ ନେଇ ଗୋଟେ କବିତାର ଆୟତନ ମାପିଲି
ଗୋଟେ ମିନିଟ୍ ।
ଟୋଟାଲ୍ ତିନି ମିନିଟ୍ ରେ
ତିନିଥର ଦୀର୍ଘଶ୍ୱାସ ଢେ଼ାକିସାରିଥିଲା ଖରା,
ମୋ ନଖରାମିକୁ ନଖରେ ବିଦାରିବାକୁ
ଚାହିଁ ବି ସେ ପାରିଲାନି,
କେଜାଣି ତା’ର ତୀକ୍ଷ୍ମଣ ଆଉ ମୋର ସରଳତା
ମଧ୍ୟରେ ଗଢ଼ିଉଠୁଥିଲା ଗୋଟେ ଅଜବ୍ ଅସ୍ଥିରତା ।
ଆଶ୍ଚର୍ଯ୍ୟଜନକ ଭାବେ ସେ ଯାଚିଲା
ଚାଲ୍ ଟିକେ ଆମ୍ବତୋଟାରେ ବସିବା
ମିଠା ବାଇଗଣପଲେଇର କଞ୍ଚାପଣରେ
ଲଙ୍କାଲୁଣ ମିଶେଇ ଖାଇବା,
ନହେଲେ ଚାଲ୍ ସେଇ ଛକର ଚାଳିଆଠେଲାରୁ
ଗିଲାସେ ଗିଲାସେ ଲସି ପିଇନେବା ।
ମୁଁ ଭାବିଲି ଖରାଟା ପାଗଳ ହେଇଗଲା
ନା କ’ଣ?
ମୋ ପରି ଗୋଟେ ସାଧାରଣ ପଥିକକୁ
ଦେଖାଉଛି ଦିବାଲୋକେ ତାରାଦର୍ଶନର ଭ୍ରମ ।
ସେ କହିଲା “ହଟ୍ ପାଗେଳୀ
ଏ ତୋର ଭ୍ରମ
ଆଉ ମୋର ପ୍ରେମ ।”
ଆଜି ଗୋଟେ ଖତରନାକ୍ ଖରାବେଳ ସହିତ
ମୋର ପ୍ରେମ ହେଇଗଲା,
ପ୍ରାଣକୁ ଡ଼ହଳବିକଳ କରିଜାଣିଥିବା ଖରାଦିନର ବି
ଗୋଟେ ହୃଦୟ ଅଛି
ଶେଷରେ ପ୍ରମାଣିତ ହେଇଗଲା ।
……………..
ଆନନ୍ଦନଗର, ସୋନପୁର
ମୋ.- ୯୯୩୭୯୩୨୯୭୮