ଜାଣନ୍ତି କି, ଲେଖକ ଭଗବତୀ ଚରଣ ପାଣିଗ୍ରାହୀ ଗୋଟିଏ ସଂତ୍ରାସବାଦୀ ଗୋଷ୍ଠୀ ଗଢ଼ିଥିଲେ?

ଭଗବତୀ ଚରଣ ପାଣିଗ୍ରାହୀ

(୧୯୦୮-୧୯୪୩)
କ୍ଷେତ୍ର: ଭାଷା-ସାହିତ୍ୟ (ସାମ୍ୟବାଦୀ ଆନ୍ଦୋଳନ ଓ ଲେଖନ)

ଗାନ୍ଧିଜୀଙ୍କ ଅହିଂସା ମାର୍ଗର ବିପରୀତ ଦିଗରେ ଯାଇ ଲେନିନ୍‍ଙ୍କ ସମାଜବାଦୀ ସ୍ୱରରେ ସ୍ୱର ମିଳେଇଥିବା ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଓଡ଼ିଶାରେ ସାମ୍ୟବାଦୀ ଦଳ ଓ ଚେତନାର ପ୍ରାଣପ୍ରତିଷ୍ଠାତା । ଖୋର୍ଦ୍ଧା ଜିଲ୍ଲାର ବିଶ୍ୱନାଥପୁର ଗ୍ରାମରେ ୧୯୦୮ ମସିହା ଫେବୃଆରୀ ୧ରେ ଜନ୍ମଗ୍ରହଣ କରିଥିଲେ ଭଗବତୀ । ଖ୍ୟାତନାମା ଲେଖକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଥିଲେ ତାଙ୍କ ବଡ଼ ଭାଇ । ପୁରୀ ଜିଲ୍ଲା ସ୍କୁଲରେ ଭଗବତୀ ଚରଣ ପାଠ ପଢ଼ିଲେ ।

ବଡ଼ ଭାଇ କାଳିନ୍ଦୀ ଚରଣ କିଛି କାଳ ପାଠପଢ଼ା ଛାଡ଼ି ଜାତୀୟତା ଆନ୍ଦୋଳନରେ ଯୋଗଦେବାର ପ୍ରଭାବ ଭଗବତୀଙ୍କ ଉପରେ ପଡ଼ିଲା । ଏହି ସମୟରେ ଜିଲ୍ଲା ସ୍କୁଲ୍‍ରେ ଧର୍ମଘଟ ହେବାରୁ ଭଗବତୀ ସ୍କୁଲ୍‍ ଛାଡ଼ି ଉକ୍ରଳମଣିଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ଜାତୀୟ ବିଦ୍ୟାଳୟରେ ନାମ ଲେଖାଇଲେ । ଏଠାରେ ପାଠପଢ଼ା ସହିତ ଦେଶଭକ୍ତି, ତ୍ୟାଗ, ଦେଶସେବାର ଶିକ୍ଷା ଦିଆଯାଉଥିଲା । ତେବେ ଏହି ବିଦ୍ୟାଳୟକୁ ସରକାରୀ ମଞ୍ଜୁରି ନମିଳିବାରୁ ଅନ୍ୟ ଛାତ୍ରଙ୍କ ସମେତ ଭଗବତୀ ପୁଣି ପୁରୀ ଜିଲ୍ଲା ସ୍କୁଲ୍‍କୁ ଫେରିଗଲେ ।

ମାଟ୍ରିକ୍‍ ପାସ୍‍ କରି କଟକରେ ଏଫ୍‍.ଏ.ରେ ନାମ ଲେଖାଇଲେ ସେ । ଇତିହାସ ଓ ସମାଜ ବିଜ୍ଞାନର ଛାତ୍ର ଥିବାରୁ ସେ ଦେଶ ବିଦେଶର ନାନା ବିପ୍ଳବ ଓ ଆନ୍ଦୋଳନ ବିଷୟରେ ଜାଣିଲେ । ବି.ଏ. ପାସ୍‍ ପରେ ସେ ଏମ.ଏ. ପଢ଼ିବାକୁ ପାଟଣା ଗଲେ ଓ ସେଠାରେ ଜ୍ଞାନଚାନ୍ଦଙ୍କ ଭଳି ସମାଜବାଦୀ ଚିନ୍ତାଧାରାର ଅଧ୍ୟାପକଙ୍କ ସହ ମିଶି ଦେଶସେବା ଓ ଜନସେବାର ମହତ୍ୱ ବୁଝିଲେ ।

ଉଚ୍ଚ ଚାକିରିର ସୁବିଧା ଓ ଓକିଲାତି ଶିକ୍ଷା ଥିଲେ ମଧ୍ୟ ଭଗବତୀ ସେସବୁ ନକରି କେତେକ ସମଧର୍ମାଙ୍କୁ ନେଇ ଏକ ସନ୍ତ୍ରାସବାଦୀ ଗୋଷ୍ଠୀ ଗଢ଼ିଲେ । ଗାନ୍ଧିଜୀଙ୍କ ଅହିଂସା ମାର୍ଗରେ ସ୍ୱାଧୀନତା ଆସିବା ସମ୍ଭବ ନୁହେଁ ବୋଲି ସେ ମନେ କରୁଥିଲେ ।

୧୯୩୪ରେ ସେ ନବକୃଷ୍ଣ ଚୌଧୁରୀ, ପ୍ରାଣନାଥ ପଟ୍ଟନାୟକଙ୍କ ସହଯୋଗରେ ଗଠନ କଲେ ଓଡ଼ିଶା କଂଗ୍ରେସ୍‍ ସୋସିଆଲିଷ୍ଟ ଦଳ । ଜମିଦାରମାନଙ୍କ ଶୋଷଣ ବିରୁଦ୍ଧରେ ଏମାନେ ସ୍ୱର ଉତ୍ତୋଳନ କରୁଥିଲେ । ୧୯୩୬ରେ ସେ ବିଧିବଦ୍ଧ ଭାବେ କମ୍ୟୁନିଷ୍ଟ ପାର୍ଟି ଗଠନ କଲେ । କୃଷକ ଆନ୍ଦୋଳନ, ଢେଙ୍କାନାଳ ଆନ୍ଦୋଳନ, ଶ୍ରମିକ ଓ ଛାତ୍ର ସଂଗଠନ, ନବଯୁଗ ସାହିତ୍ୟ ସଂସଦ ଆଦିରେ ସକ୍ରିୟ ଭାବେ ସାମିଲ୍‍ ହୋଇ ସେ ଲୋକଙ୍କ ପାଇଁ କାର୍ଯ୍ୟ କରିଥିଲେ ।

ସଂଖ୍ୟାରେ ଅଳ୍ପ ହେଲେ ମଧ୍ୟ ‘ଶିକାର’ ଭଳି ଅନେକ ଉଚ୍ଚକୋଟୀର ଗଳ୍ପ ଲେଖି ସେ ଓଡ଼ିଆ ସାହିତ୍ୟରେ ସାମ୍ୟବାଦୀ ଚିନ୍ତାଧାରା ରୋପଣ କରିଥିଲେ । ୧୯୪୩ ମସିହା ଅକ୍ଟୋବର ୨୨ ତାରିଖରେ ତାଙ୍କର ପରଲୋକ ହୋଇଥିଲା ।

ଆଲେଖ୍ୟ © ସରୋଜ ବଳ