ସେ କୂଳର ନାଆ
ଫଣୀନ୍ଦ୍ର ଭୂଷଣ ନନ୍ଦ
ଗଛ ଡାଳରେ କାହାର ବସା
ମୁଁ ଜାଣେନା
ସମୟ ସୁଅରେ କିଏ ଭାସିଯାଉଛି
ମୋ ସହିତ ପରିଚୟ ଅଳ୍ପ ସମୟର
ସେ କାଲିର
ମୁଁ ଆଜିର
ମଝିରେ ବର୍ଷା ପାଣିରେ ଉନ୍ମତ୍ତ ନଈଟିଏ ।
ଗଛକୁ ସବୁକଥା କହିହୁଏ
ଝରାପତ୍ର ପରି ଭଣିତା କରିହୁଏ ଦୁଃଖର
ସୁଅ ମୁହଁରେ ପତର ପରି
କିଏ କୁଆଡେ, ପରିଚୟ ହଜିଯାଇଛି
ମନକଥା କହି ହେଉନି
ହୃଦୟକୁ ମନ୍ଥି ବାହାରି ଆସୁଥିବା ଶବ୍ଦ
ପାଣି ଭଉଁରୀରେ ଲୀନ ହୋଇଯାଉଛି ।
ଯୋଉଠି ପ୍ରେମିକା କହି ଜଣକୁ ଛାଡିଥିଲି
ସେଇଠି ଆଉ କିଏ ବସିଛି
ମୋ ନାଁ ବଦଳରେ ଆଉ କା’ର ନାଁ ଡାକୁଛି;
ପ୍ରାଚୀନ କୀର୍ତ୍ତି ପରି ପ୍ରେମର ଶିଳାଲିପି
ଖୋଦେଇ ହୋଇଛି ମନ୍ଦିର ସାରା
ଅଜଣା ଗଛକୁ ଆଉଜି ରଖା ହୋଇଛି
ସିନ୍ଦୂରବୋଳା ପଥରଟେ
ଗଞ୍ଜୋଡି ପୂଜାରୀଟିଏ ବଡ ପାଟିରେ
ପ୍ରତ୍ୟକ୍ଷ ଦେବୀଙ୍କର ମାଜଣା କରୁଛି
ମୁଁ ସେଇ ବାଟରେ ଗଲାବେଳେ
ବାଟ ଦିଶୁନି, ମୁଁ ଆଉ ମୁଁ ନୁହଁ
ପଥର ପାଲଟିଛି ।
ନଈ ସେ କୂଳରେ ନାଆଟିଏ ବନ୍ଧା ହୋଇଛି
ଏ କୂଳରେ ନାଉରୀ ସହ ମୁଁ ମାତିଛି
ଖଞ୍ଜଣି ମାଡରେ
କିଛି ଘାଟଫେରା ଯାତ୍ରୀ
କାଲିର ଆଜିର ଓ ଆସନ୍ତାକାଲିର
ଜମା ହେଲେଣି
ଭଜୁକିନା ରାମ ନାମର ଚିତ୍କାର
ପାଣିର ଢେଉପରି ଉଠୁଛି ପଡୁଛି
ନା’
ଆଉ ନାଆ ଆସିବନି
ପାରି ହେଇ ପାରିବିନି ନଦୀ ।
………………….
୬୭, ସରସ୍ୱତୀ କୁଞ୍ଜ, ଜାଗମରା, ଖଣ୍ଡଗିରି,
ଭୁବନେଶ୍ୱର-୩୦