Latest Odisha News

BREAKING NEWS

ଭାରତୀୟ ମୁକ୍ତି ସଂଗ୍ରାମର ସେନାପତି ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମୀ ଜୀବନର କିଛି ଅକୁହା କାହାଣୀ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ଥିଲେ ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ ସେ ।

ତାଙ୍କ ୭୫ ବର୍ଷ ଜୀବନ କାଳ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ ।
ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ଅନ୍ୟମାନଙ୍କ ତୁଳନାରେ ସର୍ବାଧିକ ଥିଲା ।

ସେ ୧୮୨୭-୧୮୬୪ ମସିହା ଜାନୁଆରୀ ୨୩ ତାରଖି ପର୍ଯ୍ୟନ୍ତ ବିଦ୍ରୋହର ବହ୍ନିକୁ ପ୍ରଜ୍ଜ୍ୱଳତି କରି ରଖିଥିଲେ ।

ସୁରେନ୍ଦ୍ର ସାଏ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଓ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟରେ ୨୦ ବର୍ଷ ଇଂରେଜ ସରକାରଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବରେ ଲଢ଼େଇ କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ, ସୁସଂହତ ତଥା ବୀରତ୍ୱପୂର୍ଣ୍ଣ ଥିଲା

ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ।

ସମ୍ବଲପୁର ଚୌହାଣ ରାଜବଂଶର ଦାୟାଦ ବୀର ସୁରେନ୍ଦ୍ର ସାଏ ଇଂରେଜ ଶାସନରୁ ନିଜ ରାଜ୍ୟ ତଥା ଦେଶକୁ ସ୍ୱାଧୀନ କରିବାକୁ ମାତ୍ର ୧୮ବର୍ଷ ବୟସରେ ୧୮୨୭ରେ ଜମିଦାର, ଗଣ୍ଡ, ବିଂଝାଲ, ଭୂୟାଁ, କୋହ୍ଲ ଏବଂ ଅନ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ଏକତ୍ରିତ କରି ଏକ ସୈନ୍ୟବାହିନୀ ଗଢି ଦୁର୍ଗମ ବଣପାହାଡ ଓ ଜଙ୍ଗଲରେ ରହି ଗରିଲା ଯୁଦ୍ଧରେ ଇଂରେଜ ସୈନିକଙ୍କୁ ନାକେଦମ୍‍ କରିଦେଇଥିଲେ। ସମ୍ବଲପୁର ଜିଲାର ଗଡପାଟି, ଝରଘାଟି, ଡେବ୍ରିଗଡ, ଆଖଡାଦାଣ୍ଡ, କୁଦୋପାଲି ଆଦି ଦୁର୍ଗମ ଜଙ୍ଗଲରେ ଦୁର୍ଗ ସ୍ଥାପନ କରି ସେ ସାଥୀମାନଙ୍କ ସହ ଅବସ୍ଥାନ କରୁଥିଲେ। ଏହି ମୁକ୍ତି ସଂଗ୍ରାମରେ ତାଙ୍କର ଭାଇ, ପୁଅ ସମସ୍ତ ପରିବାର ଝାସ ଦେଇଥିଲେ।

ସମ୍ବଲପୁର ଜିଲାର ଜମେନକିରା ଏବଂ ରେଙ୍ଗାଲି ମଝିରେ ଥିବା ଅତି ଦୁର୍ଗମ ଆଖଡାଦାଣ୍ଡ ଜଙ୍ଗଲରେ ସୁରକ୍ଷା ଗଡ ତିଆରି କରି ସୁରେନ୍ଦ୍ର ସାଏ ଏବଂ ତାଙ୍କ ଭାଇ ଛବିଳ ସାଏ ଶହଶହ ସୈନ୍ୟଙ୍କୁ ଯୁଦ୍ଧବିଦ୍ୟା ତାଲିମ ଦେଉଥିବା କୁହାଯାଏ।

ପୁରୁଣା ରାଞ୍ଚିରୋଡ ପାର୍ଶ୍ବରେ ଥିବା ଗୁମଲୋଇରୁ ସମ୍ବଲପୁର-ଝାରସୁଗୁଡା ରାସ୍ତା ପାର୍ଶ୍ବରେ ଥିବା କିଲାସମା ପର୍ଯ୍ୟନ୍ତ ଲମ୍ବିଥିବା ଗଡପାଟି-ଝରଘାଟି ଜଙ୍ଗଲ ସୁରେନ୍ଦ୍ର ସାଏଙ୍କ ଅଭେଦ୍ୟ ଦୁର୍ଗ ଥିଲା। ଏଠାରେ ରହି ସେ ଗରିଲା ଯୁଦ୍ଧ ଜରିଆରେ ଇଂରେଜ ସେନାକୁ ବହୁବାର ପରାସ୍ତ କରିଥିଲେ।

ଇଂରେଜ ସୈନ୍ୟଙ୍କ ସହ ଲଢେଇରେ କ୍ଷତବିକ୍ଷତ ହୋଇ ଛବିଳ ସାଏ ଏକ ଘୋଡା ଧରିବା ଆଶାରେ ସମ୍ବଲପୁର ସହରରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା କୁଦୋପାଲି ଗାଁ ରାସ୍ତାରେ ଦୌଡି ପଳାଉଥିବା ବେଳେ ତାଙ୍କ ପିଠିରେ ଗୁଳି ବାଜିଥିଲା। ଛବିଳ ସାଏ ସେଇଠି ମଝିରାସ୍ତାରେ ମୃତ୍ୟୁବରଣ କରିଥିଲେ।

ସରକାର କୁଦୋପାଲି ପାହାଡ ଉପରେ ସହିଦ ଛବିଳ ସାଏଙ୍କ ସ୍ମୃତି ସ୍ମାରକୀ ଏବଂ ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଓ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ଖିଣ୍ଡା ଛକରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି।

ଭାରତ ଇତିହାସରେ ୧୮୫୭ର ସିପାହି ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କୁହାଯାଉଛି, କିନ୍ତୁ ସୁରେନ୍ଦ୍ର ସାଏ ଏହାର ୩୦ବର୍ଷ ପୂର୍ବରୁ ବିପ୍ଳବର ବହ୍ନି ପ୍ରଜ୍ଜ୍ୱଳିତ କରି ଶକ୍ତିଶାଳୀ ଇଂରେଜ ସରକାରଙ୍କୁ ନାକେଦମ୍‍ କରିଦେଇଥିଲେ। ଏଥିପାଇଁ ତାଙ୍କୁ ଦୀର୍ଘ ୩୭ବର୍ଷ କାଳ କାରାଗାରରେ ବନ୍ଦୀ ଜୀବନ ବିତାଇବାକୁ ପଡିଥିଲା। କାରାଗାର ଭିତରେ ହିଁ ଏହି ମହାନ୍‍ ଦେଶଭକ୍ତଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.