Latest Odisha News

ଚିଟଫଣ୍ଡ ଭଳି ମହାଜନୀ କାରବାର ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଲେଖାଶ୍ରୀ

ଭୁବନେଶ୍ୱର: ବେସରକାରୀ ଫାଇନାନ୍ସ କମ୍ପାନୀ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର । ଭୁବନେଶ୍ୱରରେ ଡେଙ୍ଗୁ ଯେମିତି ବ୍ୟାପିଛି ବେସରକାରୀ ଅନିୟନ୍ତ୍ରିତ ଫାଇନାନ୍ସ କମ୍ପାନୀମାନେ ଠିକ୍ ସେମିତି ଓଡ଼ିଶାସାରା ମାତିଛନ୍ତି । ଆଜିବି ଓଡ଼ିଶାରେ ମହାଜନୀ କାରବାର ଚାଲିଛି  । ଘରୋଇ ଫାଇନାନ୍ସ କମ୍ପାନୀମାନଙ୍କ ପାଇଁ ଓଡ଼ିଶାରେ ଚଳିତ ସପ୍ତାହରେ ୫ଜଣଙ୍କ ମୃତ୍ୟୁ ଘଟିଲାଣି । ଏହି ବେସରକାରୀ ଫାଇନାନ୍ସ କମ୍ପାନୀକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀ କହିଛନ୍ତି, ଓଡ଼ିଶାରେ ଚିଟଫଣ୍ଡ ସଂସ୍ଥା ନୂଆ ରୂପରେଖରେ ଲୋକଙ୍କ ପାଖକୁ ଫେରିଛି । ଲୋକେ ଝାଳବୁହା ଧନ ଓ ଜୀବନର ପୁଞ୍ଜିକୁ ଘରୋଇ କମ୍ପାନୀମାନଙ୍କଠାରେ ରଖିଥିଲେ । ସେହି ଟଙ୍କାକୁ ଚିଟଫଣ୍ଡ କମ୍ପାନୀମାନେ ଲୁଟ୍ କଲାବେଳେ ରାଜ୍ୟ ସରକାର ଓ ଶାସକ ଦଳର ବିଚିତ୍ର ଭୂମିକା ଥିଲା । ରାଜ୍ୟ ସରକାର ଚିଟଫଣ୍ଡ କମ୍ପାନୀର ବ୍ରାଣ୍ଡ ଆମ୍ବାସିଡର ହୋଇ ଲୋକଙ୍କୁ ଭୂଆଁ ବୁଲାଇଲେ । ପରବର୍ତୀ କାଳରେ ଚିଟଫଣ୍ଡ କମ୍ପାନୀ ନାଁରେ ଆନ୍ଦୋଳନ, କେସ ହେଲା ଓ କମିସନ ବସିଲା । ସରକାର ୩ଶହ କୋଟି ଟଙ୍କାର କରପୋସ ଫଣ୍ଡ କଲେ ଜମାକାରୀମାନଙ୍କୁ ତାଙ୍କ ଅର୍ଥ ଫେରାଇବା ପାଇଁ । ସବୁନାଟକ ପରେ ବି ଜମାକାରୀ ଟଙ୍କାଟିଏ ପାଇଲେ ନାହିଁ କି ରାଜ୍ୟ ସରକାର ଶିକ୍ଷାଲାଭ କଲେ ନାହିଁ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ସେ କହିଛନ୍ତି,  ଘରୋଇ ଫାଇନାନ୍ସ କମ୍ପାନୀମାନେ ଗାଁରେ ମହିଳାଙ୍କୁ ଏକାଠ କରି ବୈଠକ କରିବା ସହ ଜବରଦସ୍ତ ଋଣ ଦେଉଛନ୍ତି । ଏହି ମହିଳାମାନେ ଋଣ ପରିଶୋଧ  କରି ନ ପାରିଲେ  ପରେ ସେମାନେ ତାଙ୍କୁ ମାନସିକ ନିର୍ଯ୍ୟାତନା, ଅପମାନ ଦେବା ସହ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି । ଏହି ଘରୋଇ ଫାଇନାନ୍ସ କମ୍ପାନୀଙ୍କ ପାଇଁ ଜୁଲାଇ ୧ରେ ବଲାଙ୍ଗିର ଜିଲ୍ଲାର ଓଡ଼ିଆପଲ୍ଲୀ ଗାଁରେ ଡ୍ରାଇଭର ତାରାକାନ୍ତ ସାହୁ ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିଥିଲେ । ସେହିପରି ପୁରୀ ଜିଲ୍ଲା କଣାସ ବ୍ଳକ ଅଁଳାଯୋଡି ଗାଁର ବାନାମ୍ବର ବେହେରା ଓ ବନିତା ବେହେରା ଋଣ କରିଥିଲେ  । ଋଣ ସୁଝିବାରେ ଖିଲାପ କରିବାରୁ ଏସକେଏସ କମ୍ପାନୀର କର୍ମଚାରୀ ବର୍ଷାରାଣୀ ସାହୁ ତାଙ୍କୁ ଗାଳି ଗୁଲଜ କରି ଅପମାନିତ କରିଥିଲେ । ଏହାକୁ ସହି ନ ପାରି ସେମାନେ ଜୁଲାଇ ୨ରେ  ଆତ୍ମହତ୍ୟା କଲେ ।

ଜୁଲାଇ ୪ତାରିଖ ଦିନ ଭଦ୍ରକ ଜିଲ୍ଲାର ତିହିଡି ଥାନା କାମପଡା ପଂଚାୟତ ବରଣାକୂଳ ଗାଁର ଉପେନ୍ଦ୍ର ମଲ୍ଲିକ(୫୦) ଓ ପତ୍ନୀ ମିନତି ଦେବୀ(୪୫) ଋଣଭାର ସହି ନପାରି ଆତ୍ମହତ୍ୟା କରିଛନ୍ତି । ଜୁଲାଇ ୪ରେ ଦଶପଲ୍ଲା ବ୍ଲକ ଚଢ଼େଇଆପଲ୍ଲୀ ଗ୍ରାମ ପଂଚାୟତରେ ଦମ୍ପତି ଆତ୍ମହତ୍ୟା କରିଛନ୍ତି । ଚାନ୍ଦବାଲିଠାରେ ବନ୍ଧନ ବ୍ୟାଙ୍କ ଏସ୍‌ଏଚଜି ମାଧ୍ୟମରେ ମହିଳାଙ୍କୁ ଋଣ ଦେଇଥିଲା । ଋଣ ସୁଝି ନ ପାରିବାରୁ ତାଙ୍କ ସ୍ୱାମୀଙ୍କୁ ବନ୍ଧା ଯାଇଥିଲା ।

ଗତ ସୋମବାର ଭାରତୀୟ ଜନତା ପାର୍ଟିର ତଦନ୍ତକାରୀ ଟିମ୍ କଣାସ ବ୍ଲକ ଅଁଳାଯୋଡି ଗାଁକୁ ଯାଇ ବନିତା ବେହେରା ଓ ବାନାମ୍ବର ବେହେରାଙ୍କ ପରିବାରକୁ ଭେଟିବା ସହ ଗାଁଲୋକଙ୍କ ସହ କଥା ହୋଇଥିଲେ । ଫାଇନାନ୍ସ କମ୍ପାନୀମାନେ ଗାଁରେ ଏସଏଚଜି ମହିଳାଙ୍କୁ ଏକାଠି କରି ସରକାରୀ କାର୍ଯ୍ୟକ୍ରମର ରୂପ ଦେଇ ଋଣ ଦେଇଥିଲେ । ଋଣ ଆଦାୟ ପାଇଁ ଘରୋଇ ସଂସ୍ଥାର ପ୍ରତିନିଧି ବର୍ଷାରାଣୀ ସାହୁ ବନିତା ବେହେରା ଓ ବାନାମ୍ବର ବେହେରାଙ୍କ ଘରେ ଦିନ୧୨ରୁ ରାତି୩ ପର୍ଯ୍ୟନ୍ତ ବସିଲେ ।

ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ଋଣକାରୀଙ୍କ ଉପରେ କୌଣସି କମ୍ପାନୀ ଚାପ ପକାଇ ପାରିବେ ନାହିଁ କିନ୍ତୁ ବର୍ଷାରାଣୀ ସେ ନିୟମ ଉଲଘଂନ କରିବା ସହ ରାତି ୧.୩୦ରେ ମଧ୍ୟ ଇନଷ୍ଟଲମେଂଟ ପେମେଂଟ ନେଇଛନ୍ତି  ।  ବନିତାଙ୍କୁ ବିଭିନ୍ନ ଧମକ ଦେବା ସହିତ ‘ଭିକ ମାଗି ଋଣ ଟଙ୍କା ସୁଝ ନଚେତ ମଲେ ସୁଝିବାକୁ ପଡିବନି” ବୋଲି କହିଥିଲେ । ଅର୍ଥଲଗାଣକାରୀ ସଂସ୍ଥାର ପ୍ରତିନିଧି ବର୍ଷାର ବାରମ୍ବାର ଏଭଳି କଟୁ ମନ୍ତବ୍ୟ ସହି ନପାରି ଶେଷରେ ବନିତା ବେହେରା ଭୋର ୫ଟାରେ ଆତ୍ମହତ୍ୟା କରିଥିବା ଡ.ଲେଖାଶ୍ରୀ କହିଛନ୍ତି ।

ଘରୋଇ ଫାଇନାନ୍ସ ସଂସ୍ଥାମାନେ ମହିଳା ଏସଏଚଜିଙ୍କୁ ଋଣ ଦେବାରେ କାହାର ଭୂମିକା ରହିଛି । ବିଜୁ ଜନତା ଦଳର ନେତା, ମନ୍ତ୍ରୀମାନେ ଘରୋଇ କମ୍ପାନୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ । ଏସଏଚଜି ମହିଳାଙ୍କ ବୈଠକ କରି ଟଙ୍କା ଋଣ ନେବାକୁ ବାଧ୍ୟ କରୁଛନ୍ତି । ଟଙ୍କା ନସୁଝି ପାରିବା ପରେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି । ଏଭଳି ମାରାତ୍ମକ ଫାଇନାନ୍ସ କମ୍ପାନୀମାନଙ୍କୁ ଓଡ଼ିଶାରେ ପ୍ରଶ୍ରୟ କିଏ ଦେଲା? ଓଡ଼ିଶାରେ କେତେ ଘରୋଇ ଫାଇନାନ୍ସ କମ୍ପାନୀ ଅଛି ତାହାର ହିସାବ ଅଛି କି? ଘରୋଇ ଫାଇନାନ୍ସ କମ୍ପାନୀକୁ କିଏ ନିୟନ୍ତ୍ରଣ କରୁଛି । ଘରୋଇ ଫାଇନାନ୍ସ କମ୍ପାନୀ ୩୦ପ୍ରତିଶତରୁ ଅଧିକ ସୁଧ ନେଉଛନ୍ତି ତାହା ରାଜ୍ୟ ସରକାରଙ୍କ ଗାଇଡରେ ଅଛି ତ? ରାଜ୍ୟ ସରକାର ଲାଇସେନ୍ସ ଦେବାର ମେକାନିଜିମ୍ ଅଛି କି? ଏମାନେ କାହାକୁ ଋଣ ଦେବେ ସେମାନେ ଋଣ ସୁଝି ପାରିବେ କି ନାହିଁ । ଏସଏଚଜି, ଘରୋଇ ଫାଇନାନ୍ସ କମ୍ପାନୀ ଓ ରାଜ୍ୟ ସରକାରଙ୍କ ଭିତରେ କଣ ମଧୁ ଚନ୍ଦ୍ରିକା ଅଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

Leave A Reply

Your email address will not be published.