Latest Odisha News

BREAKING NEWS

ପୁସ୍ତକ ପରିଚୟ : ସମ୍ପର୍କର ବାଲିରାଜା ଏବଂ ମର୍ତ୍ତ୍ୟପୁର

ସମ୍ପର୍କର ବାଲିରାଜା ଏବଂ ମର୍ତ୍ତ୍ୟପୁର
କବି : ଡକ୍ଟର ଶମ୍ବୁନାଥ ରାଉତ
ପ୍ରକାଶକ : ବୁକମେଟ ପବ୍ଲିଶର
କଟକ ଓଡ଼ିଶା
ପୃଷ୍ଠା : ୧୪୨
ମୂଲ୍ୟ : ୧୫୦

କବି ଶମ୍ବୁନାଥ ରାଉତଙ୍କ କବିତା ସଙ୍କଳନ ” ସମ୍ପର୍କର ବାଲିରାଜା ଏବଂ ମର୍ତ୍ତ୍ୟପୁର ” ଏକ ସ୍ୱତନ୍ତ୍ର ସୃଷ୍ଟି । ବାଉନଟି କବିତା ସମ୍ବଳିତ ଶହେ ବୟାଳିଶ ପୃଷ୍ଠାର ଏହି ସଙ୍କଳନର ସ୍ଥାନେ ସ୍ଥାନେ ସନ୍ନିବିଷ୍ଟ ହୋଇଛି ମାନମୟୀ ରଥଙ୍କ ଦ୍ୱାରା ଅଙ୍କିତ ତିରିଶଟି ରେଖାଚିତ୍ର । ତାଙ୍କ କବିତାର ଅନେକ ଉପାଦାନ ପ୍ରକୃତିରୁ ସଂଗୃହୀତ । ତାଙ୍କ ପ୍ରକାଶଭଙ୍ଗୀ ଛନ୍ଦମୟ ଓ ସାଙ୍ଗୀତିକ । ତାଙ୍କ କାବ୍ୟନାୟକର ମହାଭିଯାନ ସ୍ୱର୍ଗପୁରରୁ ମର୍ତ୍ତ୍ୟପୁରକୁ ।ସେହି ମର୍ତ୍ତ୍ୟ ଯେଉଁଠି ମାନବୀୟ ଉଷ୍ମତା ହିଁ ଗୁରୁତ୍ୱପୂର୍ଣ୍ଣ । ନୈସର୍ଗିକ ପ୍ରକୃତି ସହିତ ସାଧାରଣ ଜୀବନର ସମନ୍ୱୟ ତାଙ୍କର ଅନେକ କବିତାର ଚାଳିକା ଶକ୍ତି ।

କବିଙ୍କ ଭାଷାରେ:
ନିଦାଘ ଆସିଛି ବୋଲି ଯଦି ମାନେ ଭୟ ଥାଏ
ଭୟ ଛାଡି ଫୁଟେଇବ ଆଶାର କଳିକା

ମଣିଷ ଜୀବନ ସହ ପ୍ରକୃତିର ପ୍ରତିଟି କଣିକା ଓତପ୍ରୋତଃ ଭାବେ ଜଡ଼ିତ ଭାବସହ ଲୟ ମିଶେଇ ଟିକେ ନିରେଖି ଦେଖିଲେ ଆମ ଚାରିପଟୁ ହିଁ କବିତାର ନିକ୍ୱଣ ଧ୍ୱନି ଗୁଞ୍ଜରିତ ହେବ । ଜୀବନର ପ୍ରତିଟି ମୁହୂର୍ତ୍ତ ପୃଥିବୀ ସହ ଜଡ଼ିତ ଏବଂ ଏଇ ପୃଥିବୀରୁ ହିଁ ସର୍ଜନାର ଅୟମାରମ୍ଭ । ଜୀବନ ଯେତେ ପାକଳ ହୁଏ ଅନୁଭବ ଓ ଅନୁଭୂତି ସେତେ ସାନ୍ଦ୍ର ହୁଏ । ତାହା କବିତାର ରୂପ ନିଏ ଯେଉଁଠି ମର୍ତ୍ତ୍ୟ ସେଇଟି ସ୍ୱର୍ଗ ।

ନିଦାଘ ନିଆଁରେ ଜଳି
ଆଷାଢ଼ର ଘନ ବର୍ଷା ଧାରା
ଶ୍ରାବଣ ପୂନେଇଁ ଜହ୍ନ
ଭୋଦୁଅର କଅଁଳ ଇଶାରା

ମାତ୍ରା ଛନ୍ଦକୁ ନେଇ ଏହି ସଙ୍କଳନରେ ଅନେକ ପରୀକ୍ଷା ନିରକ୍ଷା କରିଛନ୍ତି କବି ।ଏହି ପରୀକ୍ଷଣ ଭିତରୁ ପାଠକ ପାଇଁ ଏକ ଭିନ୍ନ ଆବେଦନ ସୃଷ୍ଟି ହୋଇଛି ।ତାଙ୍କର ଅନ୍ୟାନ୍ୟ କବିତା ସଙ୍କଳନ ଭଳି ଏହି ସଙ୍କଳନଟି ମଧ୍ୟ ପାଠକମାନଙ୍କର ହୃଦୟଗ୍ରାହୀ ହେବ ” ସମ୍ପର୍କର ବାଲିରାଜା ଏବଂ ମର୍ତ୍ତ୍ୟପୁର।”

Leave A Reply

Your email address will not be published.