Latest Odisha News

ବସଙ୍କ ଡ୍ୟାଡି

ବସଙ୍କ ଡ୍ୟାଡି  

ଅରବିନ୍ଦ ଦାସ

କମ୍ପାନୀର ନୂଆ ବସ୍, ଅଫିସରେ ଜଏନ କଲାଦିନ ଡେପୁଟି ମ୍ୟାନେଜର ମହେଶ ଜାଣିଲା ଯେ ବସ୍ ନିଜ ବାପାଙ୍କୁ ବି ସାଙ୍ଗରେ ଆଣି ଗେଷ୍ଟ ହାଉସରେ ରଖିଛନ୍ତି।
– ଜିନିଷ ପତ୍ର ସହ ମିସେସ୍ ପଛରେ ଆସିବ। ଶୀଘ୍ର ଜଏନ  କରିବା ପାଇଁ ମ୍ୟାନେଜମେଣ୍ଟ ବାଧ୍ୟ କରିବାରୁ ମୁଁ ଚାଲିଆସିଲି।”
ଆଗକୁ ମହେଶର ପ୍ରମୋସନ ପାଇବାର ଥିବାରୁ, ପ୍ରଥମ ଦିନ ହିଁ, ବସଙ୍କୁ ନିଜ ଘରକୁ  ନିମନ୍ତ୍ରଣ ଜଣାଇବାକୁ ଠିକ୍ କରି କହିଲା, “ସାର୍, ଆଜି ରାତିରେ ଆମ ଘରକୁ ଡିନର ପାଇଁ ପ୍ଲିଜ ଆସନ୍ତୁ। ସାଙ୍ଗରେ ଆପଣଙ୍କ ଡ୍ୟାଡିଙ୍କୁ ଆଣିଲେ ଆମକୁ ଭଲ ଲାଗିବ।”
ଟିକିଏ ଚିନ୍ତାକରି ବସ୍ ରାଜି ହୋଇ ସମ୍ମତି ଜଣାଇବା ପରେ ଖୁସି ହୋଇ ମହେଶ ଖୁସି ହୋଇ ସ୍ତ୍ରୀଙ୍କୁ ଫୋନ୍ କରି କହିଲା,”ଡିନରରେ ଭଲ ଭଲ ଭେଜ୍, ନନ ଭେଜ୍ ଆଇଟମ ବନାଅ। ଯଦି ନପାରିବ, ହୋଟେଲରୁ କିଛି ମଗାଇଦିଅ।ମୋ ପ୍ରମୋସନ ତାଙ୍କ ହାତରେ।”
– ତମେ ବ୍ୟସ୍ତ ହୁଅନା।ସବୁ ରେଡି ହୋଇଯିବ। ତାଙ୍କ ସ୍ତ୍ରୀ, ପିଲାମାନେ କେତେକଣ ଆସିବେ ?
-କେବଳ ବସଙ୍କ ଡ୍ୟାଡି  ସାଙ୍ଗରେ ଆସିବେ। ମ୍ୟାଡମ ଆସିନାହାନ୍ତି। ତମେ ବାପାଙ୍କୁ କହିବ, ସେଇ ଲୁଙ୍ଗି, ଗାମୁଛା ସହ ସେଇ ଗୁଡାଖୁ ଛେପ ଦାଗ ଲଗା ଗେଞ୍ଜି ପିନ୍ଧି ବୁଲିବେନି। ଗୁଡାଖୁ ଘଷିବାକୁ ମନା କରିବ ଆଜି। ରାତିରେ ହୋ ହା ହୋଇ ହସି ବସଙ୍କ ଡ୍ୟାଡିଙ୍କ ସହ ସେଇ ଗାଁ,ରାଜନୀତି ଗପ ଯେମିତି ସେ ନ ଗପନ୍ତି। ଖାଇଲାବେଳେ ସେ ତ ଟେବୁଲ ଉପରେ ନବସି ତଳେ ବସି ଖାଆନ୍ତି। ତାଙ୍କୁ ଆଜି କହିବ ଟେବୁଲ ଉପରେ ବସିବା ପାଇଁ।”
ବିରକ୍ତ ହୋଇ ଗୀତା କହିଲା,”କାହିଁକି ?ତମ ବସ’ଙ୍କ ଡ୍ୟାଡି କଣ ଦେବତା ? ବାପାଙ୍କୁ ଏସବୁ ଜିନିଷ ମୁଁ କହିପାରିବିନି। ଆମେ ତ ତାଙ୍କ ଘରକୁ ଯାଉନେ। ବାପାଙ୍କ ଖୁସି, ସେ ଯେମିତି କଥା କହିବେ କୁହନ୍ତୁ। ତମ ବସଙ୍କୁ କହୁନ ତଳେ ଚଟରେ ବସି ଖାଇବା ପାଇଁ ? ହଁ, କେଵଳ ମୁଁ ବାପାଙ୍କୁ କହିବି ଟ୍ରାଉଜର ପଞ୍ଜାବୀ ଆଜି ରାତିରେ ପିନ୍ଧିବା ପାଇଁ।”
– ଠିକ୍ ଅଛି, ମୁଁ କରିବି ଯାହା କରିବା କଥା।
ଘରକୁ ଫେରି ବାପାଙ୍କୁ ମହେଶ କହିଲା, “ଆପଣ ଆଜି ଜଲଦି ଖାଇ ଶୋଇ ପଡିବେ। ଘରେ ଗୋଟେ ପାର୍ଟି ଅଛି। ଆମେ ଡେରିରେ ଖାଇବୁ।”
କିଛି ଜରୁରୀ କାମ ଯୋଗୁଁ ବସ୍ ରାତିରେ ଟିକେ ଡେରିରେ ପହଁଚିଲେ ଡିନର ପାଇଁ।  ବସ୍ ଓ ତାଙ୍କ ଡ୍ୟାଡିଙ୍କୁ ସ୍ବାଗତ କରି ଡ୍ରଇଂ ରୁମରେ ବସାଇ, ଗୀତାକୁ ଆସି କହିଲା, “ଜଲଦି ବଢ଼ା ବଢ଼ି କରିଦିଅ।”
ମହେଶ ଡରୁଥିଲା କାଳେ ବସ୍ ପଚାରିବେ ବାପାଙ୍କ କଥା, କେଉଁଠି ଅଛନ୍ତି; ହେଲେ ଭାଗ୍ୟ ଭଲ କିଛି ପଚାରିଲେ ନାହିଁ।
ବସଙ୍କ ଡ୍ୟାଡି କିନ୍ତୁ ଟିକେ ଅଧିକ ଗପୁଡ଼ା ଥିଲେ। ଭାରତୀୟ ରାଜନୀତି ଅର୍ଥନୀତିରୁ ବିଶ୍ୱ ରାଜନୀତି ଅର୍ଥନୀତି, ମୋଦି ଓ ଟ୍ରମ୍ପ, ଅମ୍ବାନୀ, ରାଫେଲ, ଆଗାଥା କ୍ରିଷ୍ଟିଙ୍କଠାରୁ ଚେତନ ଭଗତ ପର୍ଯ୍ୟନ୍ତ।
– ଚେତନ ଭଗତଙ୍କ ନୂଆ ବହିଟା ଦୁଇଦିନ ତଳେ ରିଲିଜ ହୋଇଛି। ସେଇଟା ଆଜି ଏଇ ମାର୍କେଟରୁ ଖୋଜୁଥିଲି, ପାଇଲିନି।” ବସଙ୍କ ଡ୍ୟାଡି କହିଲେ।
ସେମାନେ ବିଦାୟ ନେଲା ପରେ ମହେଶ ଗୀତାକୁ କହିଲା “ସୁଟ ବୁଟ ପିନ୍ଧି ବସ୍ ଙ୍କ ଡ୍ୟାଡି କେତେ ସୁନ୍ଦର ଦେଖାଯାଉଛନ୍ତି ଦେଖିଲ ?ଆମ ବାପାଙ୍କ ବୟସର ଲୋକ, ଅଥଚ କେମିତି ସ୍ମାର୍ଟ  ହୋଇ ବାହାରୁଛନ୍ତି। ଆଉ ବାପା ଆମର ନୂଆ ଜାମା ପ୍ୟାଣ୍ଟ, ସଫାରୀ ସୁଟକୁ ଟ୍ରଙ୍କରେ ପୁରାଇ ଲୋଚାକୋଚା ଡ୍ରେସ ପିନ୍ଧି ବାହାରିବେଯେ ତାଙ୍କୁ କୁଆଡେ ସାଙ୍ଗରେ ନେବା ପାଇଁ ଲାଜ ମାଡ଼ିବ। ବସ୍ କେତେ ଗର୍ବ ର ସହିତ ନିଜ ଡ୍ୟାଡିଙ୍କ ସହ ବୁଲୁଛନ୍ତି।”
ଗୀତା କହିଲା,”ନିଜେ ଏତେ ସରଳ ସାଧାରଣ ମଣିଷ ହୋଇ ସୁଦ୍ଧା, ବାପା ତୁମକୁ ତ ସ୍ମାର୍ଟ କରିଛନ୍ତି ତମ ବସ୍ ଓ ତାଙ୍କ ଡ୍ୟାଡିଙ୍କ ଭଳି।ତେଣୁ ବାପାଙ୍କୁ ଧନ୍ୟବାଦ ଦିଅ। ଖାଲି ବେଶଭୂଷାରେ ସ୍ମାର୍ଟ ନୁହେଁ, ବରଂ ଆମ ଚିନ୍ତା  ଓ ବିଚାରଧାରା ବି ସ୍ମାର୍ଟ ହେବାକୁ ପଡିବ।”
ପରଦିନ ରବିବାର ଛୁଟିଥିବାରୁ ମହେଶ ମାର୍କେଟରୁ ଚେତନ ଭଗତଙ୍କ ନୂଆ ବହିଟି ପାଇ ଗେଷ୍ଟ ହାଉସ ଗଲା ବସଙ୍କ ଡ୍ୟାଡିଙ୍କୁ ଗିଫ୍ଟ ଦେବାପାଇଁ। ଡ୍ୟାଡି ଖୁସ୍ ତ ବସ୍ ବି ଖୁସ୍। ପ୍ରମୋସନ ସହଜ।
ଗେଷ୍ଟ ହାଉସରେ ପହଞ୍ଚି କେୟାରଟେକରଠାରୁ ଜାଣିଲା, ବସ୍ ମାର୍କେଟ ଯାଇଛନ୍ତି।
– ସାରଙ୍କ ବାପାଙ୍କ ପାଇଁ ଏଇ ବହିଟି ଆଣିଥିଲି, ଦେଇଦେବୁ।
– ଆପଣ ନିଜେ ଦିଅନ୍ତୁ। ବୁଢ଼ାବାବୁ ତ ଖାଉଛନ୍ତି।
ଭିତରକୁ ଯାଇ ଆଶ୍ଚର୍ଯ୍ୟ ହୋଇଗଲା ମହେଶ। ଜଣେ ବୁଢ଼ା ମଣିଷ ତଳେ ବସି ପଖାଳ, ଆଳୁଭର୍ତ୍ତା, ବଡ଼ି ଚୁରା, ଭଜା ଖାଉଥିଲେ। ତାଙ୍କ ପାଦ ଶବ୍ଦ ଶୁଣି ବୁଲିପଡି ସେ ମହେଶଙ୍କୁ ପଚାରିଲେ,”ବାବୁନି କିରେ ? ମୋ ସହ ଗୁଣ୍ଡେ ପଖାଳ ଖାଇବୁ କି ?”
– ବୁଢ଼ା ବାବୁଙ୍କୁ ତ ଭଲକରି କିଛି ଦିଶୁନି, ବହି କଣ ସେ ପଢିବେ ?” କେୟାର ଟେକର କହୁଥିଲା।
– ସୁଟ ପିନ୍ଧି  ସହ କାଲି ରାତିରେ ସାରଙ୍କ ସହ ତାଙ୍କ ବାପା  ଆମ ଘରକୁ ଆସିଥିଲେ, ଇୟେ ତ ସିଏ ନୁହଁନ୍ତି।
– ଓହୋ, ସିଏ ତ ସାରଙ୍କ ଡ୍ୟାଡି, ମାନେ ଶଶୁର; ଆଜି ସକାଳୁ ଫ୍ଲାଇଟରେ ଦିଲ୍ଲୀ ଯାଇସାରିଲେଣି। ଇୟେ ହେଉଛନ୍ତି ସାରଙ୍କ ନିଜ ବାପା।
ବୁଢ଼ାଙ୍କ ହସ ହସ ମୁଁହ ଦେଖି ମହେଶକୁ ଲାଗୁଥିଲା, ଯେମିତି ବାପା ତାକୁ ପାଟିରେ ଗୁଣ୍ଡାଏ ଦେବାକୁ ଡ଼ାକୁଛନ୍ତି।
Leave A Reply

Your email address will not be published.