Latest Odisha News

BREAKING NEWS

ବୋଉ ପାଇଁ

ବୋଉ ପାଇଁ
ହୃଷୀକେଶ ମଲ୍ଲିକ

ଗୁଡ଼ିଆଣୀଠୁଁ ମୁଢ଼ି ଡବେ
ପିଆଜି ଆଠ’ଣାର କିଣି
ଆଖି ଠାରି ସେ ଦେଢ଼ିକି ଡାକେ
କହେ: ନେ’, ଖାଇଦେ, ଡାଆଣା ଛୁଆ
ଗଳିଯିବେ ।

ଆଉ କା’ର ସୁଖ, ଦୁଃଖରେ ତା’ର କି’ଯାଏ?
ମୋ’ ଗୁହ, ମୂତ; ତା’ର ଗଂଗା-ପାଣି
ମୋ’ ଘା’ ଘାଉଡ଼ ନିକେଇବା; ତା’ର କୋଥଳି ସେବା
ଧୂଳି ସରସର ହେଇ ପାଖକୁ ଗଲେ
ସେ ବେକ ମୁଂଡ଼ ଅଂଡ଼ାଳି ପକାଏ
ପରସ୍ତେ ଶୁଂଘିଯାଏ, ଯେମିତି କୋଉ ଆଂବଗଛରେ
ପେଂଥାଏ ନୂଆ ବଉଳ ମୁଁ!

ଗଢ଼ି ପାରିବ, ଗଢ଼ି ପାରିବ ମୋ’ ବୋଉ ପରି
ବୋଉଟିଏ!
ଦେ’ ଦେ’ ବୋଲି କହିବନି, ଖାସ୍‍ ଦଉଥିବ
ଯା’ ଯା’ ବୋଲି କହିବନି, ଖାସ୍‍ ଡାକୁଥିବ
ଫଟା ଭୂଇଁ, ଶୁଖିଲା ଡାଳ, ମଲା ନଈ
ଯୁଆଡ଼କୁ ଚାହିଁଲେ : ସେ ହସୁଥିବ ।
ପାରିବ, ଗଢ଼ି ପାରିବ ମୋ’ ବୋଉ ପରି
ବୋଉଟିଏ!

ତମେ କୁଆଡୁ ବୁଝଂତ : ସକାଳୁ ସଂଜ
ଧଇଁ ପେଲି, ମୁହଁ ଶୁଖେଇ କାହିଁକି ମୁଁ
ଦାଂଡ଼ ଘାଟରେ ବୁଲେ!
ତୁମେ କୁଆଡୁ ବୁଝଂତ ଯେ;
ନୁଣ ଶାମୁକେ ଉଧାର ପାଇଁ ଲୋଡ଼ାହୁଏ ପଡେ଼ାଶୀଟିଏ
ଚିଠିଟିଏ ଲେଖିବା ପାଇଁ ଲୋଡ଼ାହୁଏ
ଦୂର ଗାଁର ଟାଉକୀ ଝିଅଟିଏ!

ତମେ ଆଖି ଯୋଡ଼ିଏ ଗଢ଼ି ପାରିବ!
ଯିଏ ଏଇ ବାସ୍ତୁରା ଆକାଶକୁ ଚାହିଁଦେଲେ
ମାଳ ମାଳ ମେଘ ଚଅଁରି ଯିବ
ଘଇତାମାରି ପାଟରେ ବି
ହେଁସୁଆତି, ଦେ’ ବାଳୁଂଗା କଂଚେଇବ ।

ଜନମ ଜନମର ଧୂଳି ଜମିଚି
ଦିହରେ ମୋ’ର । ମୋଟ ବୋହି ବୋହି
ବେକ, ମୁଂଡ଼ ବଧିଆ । ଛାତି ଭିତରେ
ଅନାଦି କାଳର ଘୁଡୁଘୁଡ଼ି, ହାଡେ଼ ହାଡେ଼ ମୋ’ର
ଗୁମୁସିଆ ଜର ପୂରିଚି ।

ତମେ ଗଢ଼ି ପାରିବ; କଅଁଳ
ମାଈ କୁସୁମ ପରି ହାତଟିଏ!
ଧାଡ଼ି ଧାଡ଼ିକା ପାହାଡ଼, ନହ ନହକା ନଈ,
ଚବ ଚବକା କିଆରି ଡେଇଁ
ଲଂବି ଆସିବ, ତଳିପାରୁ କପାଳ ଯାଏଁ
ଆଉଁଶି ଦବ ।

ତମେ କୁଆଡ଼ୁ ବୁଝଂତ ଯେ, କାହିଁକି ମୁଁ
ରାତି ରାତି ଗାଁ ମୁଂଡ଼ର ଖାଂକାରିଆ ପୋଲ ଉପରେ
ଗୁମ୍‍ ମାରି ବସେ! କାହିଁକି ମୁଁ ରୁଢ଼ ବଢେ଼ଇ
ନୁଖୁରା ମୁଂଡ଼ରେ ବୁଲୁଥାଏ!

Leave A Reply

Your email address will not be published.