ମଙ୍ଗୁଳୁର ଶଗଡ଼

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ 

ବୁଲକ୍ କାର୍ଟ .. ଏହାର ମାନେ କଣ ବାବା ? ପ୍ରଥମ ଶ୍ରେଣୀରେ ପଢୁଥିବା ମୋ ଝିଅ ମୋତେ ପଚାରିଲା ଏ ପ୍ରଶ୍ନ । ତା ବହିରେ ଯେଉଁ ଚିତ୍ରଟି ଥିଲା, ସେଥିରୁ ସେ କିଛି ବୁଝିପାରୁନଥିଲା । କାରଣ ସେ ତ କେବେ ଶଗଡ଼ ଦେଖିନି । ତା ଛଡ଼ା ଏବେ ଆମ ଗାଁରେ ବି ତ ଆଉ ଶଗଡ଼ ନାହିଁ ଯେ, ତାକୁ ଗାଁକୁ ଗଲେ ଶଗଡ଼ଟିଏ ଦେଖାଇ ବୁଝାଇଦେବି । ଆଉ ଏଇଠି ଏ ମହାନଗରୀରେ ମୁଁ ଶଗଡ଼ ଗୋଟେ କୋଉଠୁ ପାଇବି ଯେ, ତାକୁ ସେଇଟା ଦେଖେଇବି । ମୁଁ ମୋ ବୁଦ୍ଧିରେ ଯାହା ଜୁଟିଲା, ତାକୁ ନେଇ ବୁଲକ୍ କାର୍ଟର ମାନେ ବୁଝାଇବାକୁ ଚେଷ୍ଟା କରୁଥିଲି, ଆଉ ଶଗଡ଼ କଥା ଭାବି ଭାବି ହଠାତ୍ ଅନ୍ୟମନସ୍କ ହୋଇଯାଇଥିଲି ମୁଁ । ..

କାର୍ତ୍ତିକ ପୂର୍ଣ୍ଣିମା । ଗାଁ ଶିବ ମନ୍ଦିରରେ ଚାଲିଥାଏ ଅଷ୍ଟପ୍ରହରୀ ନାମଯଜ୍ଞ । ହରେ କୃଷ୍ଣ ହରେ ରାମ ଧ୍ୱନିରେ କମ୍ପୁଥାଏ ଚାରିଦିଗ । ବିଭିନ୍ନ ଗାଁରୁ ଆସିଥିବା କୀର୍ତ୍ତନିଆମାନେ ଦଳ ଦଳ ହୋଇ ନାମ ଗାଉଥାନ୍ତି । ଗାଁର କିଛି ବୁଢ଼ା ବୁଢ଼ୀ ତଥା ମଧ୍ୟ ବୟସ୍କ ଲୋକ ସେହି ନାମଯଜ୍ଞ ବେଢ଼ା ଚାରିପଟେ ବସି ମନଧ୍ୟାନ ଦେଇ ନାମ ଶୁଣୁଥାନ୍ତି । ସେପଟେ ଧର୍ମଶାଳାରେ ଚାଲିଛି ପ୍ରସାଦ ସେବନ । ଖନ୍ଦାଶାଳରେ ଗୋଟିଏ ପରେ ଗୋଟିଏ ହଣ୍ଡା ବସୁଛି । ଭାତ ଡାଲମା ରନ୍ଧା ଚାଲିଛି । ଲୋକେ ଆସୁଛନ୍ତି, ପଂକ୍ତିରେ ବସି ପ୍ରସାଦ ସେବନ କରୁଛନ୍ତି । ଏ ପ୍ରକ୍ରିୟା ଅନବରତ ଜାରି ରହିଛି । ସେପଟେ ମହାଦେବଙ୍କ ପାଖରେ ମନ୍ଦିର ଭିତରେ ଚାଲିଛି ରୁଦ୍ରାଭିଷେକ ଏବଂ ଯଜ୍ଞ । ନାମଯଜ୍ଞ, ଘୃତଯଜ୍ଞ ଏବଂ ଅନ୍ନଯଜ୍ଞ .. ତିନିଟି ଯାକ ଏକା ସାଙ୍ଗରେ ଚାଲିଛି । କାହାର କେଉଁଥିରେ ମନ । ଭେଣ୍ଡିଆ ପିଲେ ଗେରୁଆ ଖଣ୍ଡେ ଖଣ୍ଡେ ପିନ୍ଧି ନାମଯଜ୍ଞ ବେଢ଼ା ଭିତରେ ତାଳ ମୃଦଙ୍ଗ ଧରି କୀର୍ତ୍ତନରେ ଡେଇଁବାରେ ବ୍ୟସ୍ତ । ଆଉ କିଛି ଜଣ ଖନ୍ଦାଶାଳରେ ସ୍ୱେଚ୍ଛାସେବୀ । ଆଉ କିଏ ଭୋଜନାଳୟରେ ପ୍ରସାଦ ପରସିବାରେ ବ୍ୟସ୍ତ । ହେଲେ ମୋ ଭଳି ତିନି ଚାରି ଜଣ ପିଲାଙ୍କ ମନ ଥିଲା ଆଉ କେଉଁଠି । ସେତେବେଳେ ମତେ ଏଇ ଦଶ ବର୍ଷ ବୟସ । ପଞ୍ଚମ ଶ୍ରେଣୀରେ ପଢୁଥାଏ ମୁଁ । ମୋ ସାଙ୍ଗରେ ସନିଆ ଆଉ କାଶିଆ । ଆମେ ତିନି ହେଁ ପେଟେ ପେଟେ ପ୍ରସାଦ ଚଢ଼େଇ ଦେଇ ମନ୍ଦିର ବେଢ଼ା ଭିତରେ ଭୋଜିଘର ବିଲେଇ ଭଳି ଏପଟୁ ସେପଟ ହେଉଥାଉ । ଆମର କେବଳ ନଜର ଥାଏ, କେତେବେଳେ ମନ୍ଦିରର ଭଣ୍ଡାର ଘର ଖୋଲିବ, ଆଉ ତା ଭିତରୁ ଷ୍ଟେଜ୍ ବାହାର ହେବ । ସମୟ ସେତେବେଳକୁ ପାଖାପାଖି ଦିନ ଦିଟା । ମନ୍ଦିର ସିଂହଦ୍ୱାର ଆଗରେ ଆସି ଠିଆହେଲା ମଙ୍ଗୁଳୁ ଅଜାଙ୍କ ଶଗଡ଼ । ଅବଶ୍ୟ ଗାଁରେ ସେତେବେଳେ ଆଠ ଦଶ ଜଣ ଶଗଡ଼ିଆ ଥିଲେ । କିନ୍ତୁ ସେ ସମସ୍ତେ କେବଳ ଆବଶ୍ୟକ ଥିଲେ ନିଜ ଶଗଡ଼ ନେଇ ବାହାରନ୍ତି । ଆଉ ଅନ୍ୟ ସମୟରେ ସେମାନେ ଅନ୍ୟକାମ କରନ୍ତି । ହେଲେ ମଙ୍ଗୁଳୁ ଅଜା ଥିଲେ ଗାଁର ପୂର୍ଣ୍ଣ ଶଗଡ଼ିଆ । ମାନେ ଶଗଡ଼ ବାହିବା ବ୍ୟତୀତ ତାଙ୍କର ଅନ୍ୟ କୌଣସି କାମ ନଥିଲା । ତେଣୁ ଶଗଡ଼ ହିଁ ଥିଲା ତାଙ୍କ ଜୀବନ । ସେଥିରୁ ସେ ଯାହା ରୋଜଗାର କରୁଥିଲେ, ସେଥିରେ ତାଙ୍କ ପରିବାର ଚଳୁଥିଲା । ସେଥିପାଇଁ ଗାଁରେ ସମସ୍ତେ କହନ୍ତି, ମଙ୍ଗୁଳୁର ଶଗଡ଼ ଅଛି ଯଦି, ଦିନ ରାତି ଚବିଶ ଘଣ୍ଟା କୌଣସି ଚିନ୍ତା ନାହିଁ । ସେଦିନ ମନ୍ଦିର ଦୁଆରେ ମଙ୍ଗୁଳୁ ଅଜାଙ୍କ ଶଗଡ଼କୁ ଦେଖି ଆମ ତିନି ଜଣଙ୍କ ମନରେ ନାହିଁ ନଥିବା ଉତ୍କଣ୍ଠା ।

ମନ୍ଦିର ଭଣ୍ଡାର ଘରୁ ଷ୍ଟେଜ୍ ବାହାର କରାଗଲା । କାଠ ଆଉ କାଠପଟାରେ ତିଆରେ ଏହି ଷ୍ଟେଜ୍ କାହିଁ କେତେ ବର୍ଷ ତଳୁ ଆମ ଗାଁରେ ଅଛି । ଗାଁ ପିଲାମାନେ ଯେତେବେଳେ କୌଣସି ପୌରାଣିକ, କାଳ୍ପନିକ ବା ଐତିହାସିକ ନାଟକ ଶିଖି ତାକୁ ମଞ୍ଚସ୍ଥ କରୁଥିଲେ, ସେତେବେଳେ ଏହି ଷ୍ଟେଜ୍ ବାହାରକୁ ବାହାରୁଥିଲା । ସଙ୍ଗେ ସଙ୍ଗେ ଖଣ୍ଡ ଖଣ୍ଡ କାଠ ଓ ପଟା ଯୋଡ଼ି ମାତ୍ର କିଛି ସମୟ ଭିତରେ ପ୍ରସ୍ତୁତ ହୋଇ ଯାଉଥିଲା ମଞ୍ଚ । ଏହି ମଞ୍ଚର ଚାରିଦିଗ ଖୋଲା । କୌଣସି ପରଦାର ବ୍ୟବସ୍ଥା ନାହିଁ । କେବଳ ରାତିରେ ତାରି ଚାରିପଟ ଖୁଣ୍ଟିରେ ବିଭିନ୍ନ ରଙ୍ଗ ବେରଙ୍ଗ ଆଲୁଅ ଲଗାଇବାର ବ୍ୟବସ୍ଥା କରାଯାଉଥିଲା । ସେହି ମଞ୍ଚର ଗୋଟିଏ କଡ଼ରେ ନାଟ ମାଷ୍ଟ୍ରେ (ଯାହାକୁ ଆମେ ଗାଁରେ ବାୟକ କହୁ) ନିଜ ହାରମୋନିଅମ ସାଙ୍ଗକୁ ଅନ୍ୟ ବାଦ୍ୟଯନ୍ତ୍ରରେ ସହଯୋଗୀମାନଙ୍କୁ ନେଇ ବସିଯାଆନ୍ତି । ତାଙ୍କ ସାମ୍ନାରେ ଥାଏ ମାଇକ୍ରୋଫୋନ୍ । ଯଦି କୌଣସି ଚରିତ୍ର ମଞ୍ଚ ଉପରେ ନିଜର ସଂଳାପ ଭୁଲିଯାଏ, ତାହେଲେ ତା ଡାଏଲଗ୍ ବି ସେହି ମାଷ୍ଟ୍ରେ ମାଇକରେ କହିଦିଅନ୍ତି । ଗାଁରେ ମନୋରଞ୍ଜନର ଏକ ଫେଣ୍ଟାଫେଣ୍ଟି ଅନୁଭୂତି ଦେଉଥିଲା ସେହି କାଠ ଷ୍ଟେଜ୍ ଉପରେ ମଞ୍ଚସ୍ଥ ନାଟକ । ହେଲେ ଏଥର ଗାଁରେ ନାଟକ ପରିବେଷଣ ହେବାର କୌଣସି ବ୍ୟବସ୍ଥା ନଥିଲା । କିନ୍ତୁ ଗାଁ ପିଲାମାନଙ୍କୁ ନିମନ୍ତ୍ରଣ ମିଳିଥିଲା ଅଳେଶ୍ୱର ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବରେ ନାଟକ ପରିବେଷଣ ପାଇଁ । ଏଥିପାଇଁ ସ୍ଥାନୀୟ ମନ୍ଦିର ପରିଚାଳନା କମିଟି ଗାଁ ପିଲାଙ୍କୁ ଅର୍ଥ ବି ଦେଇଥିଲେ । ଆଉ କେବଳ ସେଥିପାଇଁ ମନ୍ଦିର ଭଣ୍ଡାର ଘରୁ ଏହି ଷ୍ଟେଜ୍ ବାହାରିଛି । ତା ପରେ ତିନି ଚାରି ଜଣ ଭେଣ୍ଡିଆ ପିଲା (ନାଟକ ଦଳର ଅଭିନେତା) ଗୋଟିଏ ପରେ ଗୋଟିଏ କାଠ ଉଠାଇ ମଙ୍ଗୁଳୁ ଅଜାଙ୍କ ଶଗଡ଼ରେ ଲଦିଦେଲେ । ଏତିକି ଭିତରେ ମଙ୍ଗୁଳୁ ଅଜା ମନ୍ଦିର ଭୋଜନାଳୟରେ ପ୍ରସାଦ ସେବନ କରିସାରିଥାନ୍ତି । ଧୀରେ ଧୀରେ ପୂରା ଷ୍ଟେଜଟା ଶଗଡ଼ରେ ଲଦା ହୋଇଗଲା । ତା ପରେ ଗୋଟିଏ ଦଉଡ଼ିରେ ସେ ସବୁକୁ ଅତି ଭଲ ଭାବେ ବାନ୍ଧି ପକାଇଲେ ମଙ୍ଗୁଳୁ ଅଜା । ଜୁଆଳି ପାଖରୁ ଟିପେଇ (ବଳଦ ନଥିଲା ବେଳେ ଶଗଡ଼କୁ ଠିଆ କରାଇ ରଖିବା ପାଇଁ ଠିଅ ଦିଆ ଯାଉଥିବା ଦୁଇ କେନିଆ କାଠ)ଟାକୁ କାଢ଼ିବା ପୂର୍ବରୁ ତାଙ୍କ ରତା ଆଉ କାଳିଆ ବଳଦକୁ ଶଗଡ଼ରେ ଯୋଚି ଦେଲେ ସେ ।

ଆମେ କେବଳ ଅଳେଶ୍ୱର ନାଁ ଶୁଣିଥିଲୁ । କିନ୍ତୁ କେବେ ସେଠାକୁ ଯାଇନଥିଲୁ । ତା ଛଡ଼ା ସେଠାକୁ ଯାଆନ୍ତୁ ବା ନଯାଆନ୍ତୁ, ହେଲେ ଗାଁ ନାଟ ଯେତେବେଳେ ସେଇଠି ମଞ୍ଚସ୍ଥ ହେବ, ସେ ସୁଯୋଗକୁ ଆମେ ହାତଛଡ଼ା ବା କେମିତି କରିବୁ? ସନିଆ ଆଉ କାଶିଆ ଆଗକୁ ଯାଇ ମଙ୍ଗୁଳୁ ଅଜାଙ୍କୁ ପଚାରିବାକୁ ସାହସ କରିପାରୁନଥିଲେ । କିନ୍ତୁ ଆମର ପଡ଼ୋଶୀ ହୋଇଥିବାରୁ ମଙ୍ଗୁଳୁ ଅଜା ମତେ ପିଲାଦିନରୁ ବଡ଼ ଆଦର କରନ୍ତି । ତେଣୁ ମୁଁ ସାହସ ଜୁଟାଇ ଯାଇ ପଚାରିଲି, ଅଜା .. ଏବେ ଯଦି ଗାଁରୁ ତମେ ବାହାରିବ, ତାହେଲେ ଅଳେଶ୍ୱର ଯାଇ ପହଞ୍ଚିବାକୁ କେତେ ସମୟ ଲାଗିବ? ସେ କହିଲେ, ମାଛି ଅନ୍ଧାରିଆ ବେଳକୁ ଆମେ ପହଞ୍ଚିଯିବୁ । ସେତେବେଳକୁ ଦିନ ତିନିଟା । ଆମେ ବି ପେଟେ ପେଟେ ଖାଇ ସାରିଥିଲୁ । ତେଣୁ ଆଉ କିଛି ଚିନ୍ତା ନଥିଲା । ଏପଟେ ମୋ ପାଖରେ ଥିଲା ମାତ୍ର ଆଠଣା । ସନିଆ ଆଉ କାଶିଆ ପାଖରେ ଥିଲା ବାରଣା । ସେତିକିକୁ ସମ୍ବଳ କରି ମଙ୍ଗୁଳୁ ଅଜାଙ୍କ ଶଗଡ଼ର ଦଣ୍ଡା ଧରି ଧରି ଆମେ ଚାଲିଲୁ ଅଳେଶ୍ୱର । ସେଇଟା ଥିଲା ଜୀବନର ସବୁଠୁ ପ୍ରଥମ ଦୁଃସାହସିକ ପଦକ୍ଷେପ । କାରଣ ଏ ଯାତ୍ରା ସମ୍ପର୍କରେ ଘରେ କେହି ଜାଣିନଥିଲେ । ବାପା ମାଆ ଜେଜେ ଜେଜେମା କାହାରିକୁ କହିନଥିଲି ମୁଁ । ସନିଆ ଆଉ କାଶିଆର ଘରେ ବି କାହାକୁ ଜଣା ନଥିଲା । ଘରେ ସମସ୍ତେ ଭାବିଥିଲେ ଆମେ ଗାଁ ମନ୍ଦିରରେ ନାମଯଜ୍ଞ ପାଖରେ ବ୍ୟସ୍ତ ଥିବୁ।

ଏପଟେ ଶଗଡ଼ ଗଡ଼ୁଥାଏ ଆଗକୁ ଆଗକୁ । ଆମ ତିନିହେଁ ଯାକ କେହି ବି ଶଗଡ଼ର ଦଣ୍ଡା ଉଚ୍ଚ ବି ନଥିଲୁ । ତେଣୁ ବେଳେ ବେଳେ ମାଙ୍କଡ଼ ଭଳି ଜଣେ ଜଣେ ଦଣ୍ଡାରେ ଝୁଲି ପଡୁଥିଲୁ । ହେଲେ ରାଜପଥରୁ ଓହ୍ଲାଇ ଶଗଡ଼ ଯେତେବେଳେ କଚ୍ଚା ମାଟି ରାସ୍ତାରେ ଚାଲିଲା, ସେତେବେଳେ ଦଣ୍ଡାରେ ଝୁଲିଥିବା ଅବସ୍ଥାଟା ଦେଖିଲା ଭଳି । କୌଣସି ଖାଲରେ ଯଦି ଶଗଡ଼ର ଚକ ପଡ଼ିଗଲା, ତା ହେଲେ ପଛରେ ଝୁଲିଥିବା ପିଲାଟି ତଳେ କଚାଡ଼ି ହେବାଟା ସ୍ୱାଭାବିକ । ସେଇଆ ହିଁ ହେଉଥିଲା । ବାରମ୍ବାର ପଡ଼ିବା ସତ୍ତ୍ୱେ ଅଳେଶ୍ୱର ଯିବା ବା ଯାତ୍ରା ଦେଖାର ନିଶା କମୁନଥିଲା । ଶୀତ ଦିନ ହୋଇଥିବାରୁ ସୂର୍ଯ୍ୟ ଟିକିଏ ଆଗୁଆ ଅସ୍ତ ହୋଇଗଲେ । ତଥାପି ଅନ୍ଧାର ହୋଇନଥାଏ । ମୁଁ ବାରମ୍ବାର ପଛରୁ ଦୌଡ଼ିଯାଇ ମଙ୍ଗୁଳୁ ଅଜାଙ୍କୁ ପଚାରୁଥିଲି, ଆଉ କେତେ ସମୟ ଲାଗିବ? ତମେ ତ କହୁଥିଲ, ମାଛି ଅନ୍ଧାରିଆକୁ ପହଞ୍ଚିଯିବ । ଆହୁରି କେତେ ବାଟ? ସେ କହୁଥିଲେ, ଆରେ ହେଇଟି ଆସିଗଲାଣି । ଆଉ ଟିକିଏ ବାଟ । ହେଲେ ସେ ବାଟ ସରୁନଥିଲା । ସେତେବେଳକୁ ଆମେ ପାଖାପାଖି ଦଶ କିଲୋମିଟର ବାଟ ଚାଲି ସାରିଥିଲୁ । ଧୀରେ ଧୀରେ ଶଗଡ଼ ଅଳେଶ୍ୱର ପରିସରକୁ ପଶିଲା। ଏତେ ସମୁଦ୍ର ବାଲିରେ ଆଉ ଚାଲି ହେଉନଥାଏ । ପାଦ ବୁଡ଼ି ଯାଉଥାଏ ବାଲିରେ । ତଥାପି ପହଞ୍ଚିଗଲୁ ଅଳେଶ୍ୱର ।

ଓଃ କି ଆନନ୍ଦ । ଏତେ ବାଟ ଚାଲି ଚାଲି ଆସିବାର କୌଣସି କ୍ଳାନ୍ତି ନଥିଲା। ମନେ ହେଉଥିଲା ସତେ ଯେମିତି ଶତସିଂହର ବଳ ଆସିଯାଇଛି ଆମ ଭିତରେ । ମନ୍ଦିର ପାଖରେ ମଞ୍ଚ ତିଆରି ହେବ । ମଙ୍ଗୁଳୁ ଅଜା ଶଗଡ଼ରୁ ବଳଦ ଦିଟାକୁ ଖୋଲି ଦେଇ ଗୋଟିଏ ଝାଉଁ ଗଛରେ ବାନ୍ଧି ଦେଲେ । ଶଗଡ଼ରେ ଟିପେଇଟାକୁ ଲଗେଇ ଦେଇ ଠିଆ କରାଇଦେଲେ । ତା ପରେ ଆରମ୍ଭ ହେଲା ଷ୍ଟେଜ୍ ଓହ୍ଲେଇବା କାମ । ସେ ନିଜେ ଚଢ଼ି ପଡ଼ିଲେ ଶଗଡ଼ ଉପରେ । ଗୋଟିଏ ପରେ ଗୋଟିଏ କାଠ ଓ ପଟା ସେ ତଳକୁ ପକାଉଥାନ୍ତି । ଗାଁର କିଛି ଭେଣ୍ଡିଆ ପିଲା ତାକୁ ବୋହିନେଲେ ମଞ୍ଚ ତିଆରି ହେବା ସ୍ଥାନକୁ । ଆମେ କି ପଛରେ ରହିବା ପିଲା । ଆମ ସାଧ୍ୟ ମତେ ଯେଉଁ ଖଣ୍ଡ କାଠ ବା ପଟା ଆମେ ଉଠାଇ ପାରିଲୁ, ତାକୁ ଧରି ବାନର ସେନା ଭଳି ଦୌଡ଼ିଲୁ ମଞ୍ଚ ସ୍ଥାନକୁ । ମାତ୍ର ଘଣ୍ଟାଏ ଭିତରେ ମଞ୍ଚ ତିଆରି ହୋଇଗଲା। ଚିତ୍ରାଳୟ ବାଲା ତାର ଶବ୍ଦ ଓ ଆଲୋକ ବ୍ୟବସ୍ଥା କରିବା ବ୍ୟତୀତ ମଞ୍ଚଠୁ ମାତ୍ର ଦଶ ମିଟର ଦୂରରେ ପ୍ରସ୍ତୁତ କରିଥିଲା ଗ୍ରୀନ୍ ରୁମ୍ । ଜଣେ ପରେ ଜଣେ ନାଟୁଆ ଟୋକା ମେକପ୍ ନେଲେ । ଆମେ ଟିକିଏ ମଞ୍ଚ ପାଖକୁ ତ ପୁଣି ଟିକିଏ ଗ୍ରୀନ୍ ରୁମ୍ ପାଖକୁ ଦୌଡ଼ୁଥାଉ । କେବଳ ଅପେକ୍ଷା, କେତେବେଳେ ନାଟକ ଆରମ୍ଭ ହେବ । ରାତି ଦଶଟା ବାଜିଲାଣି । ନାଟକ ଆରମ୍ଭ ହେବ ବୋଲି ମଝିରେ ମଝିରେ କେବଳ ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଉଛି । ହେଲେ ନାଟକ ଆରମ୍ଭ ହେଉନି । ଏଣେ କୋଉ ଖରାବେଳେ ମନ୍ଦିରରେ ଖାଇଥିଲୁ ଯେ, ଏବେ ଭୋକରେ ପେଟ ଆଉଟୁପାଉଟୁ ହେଉଥାଏ । କହିବୁ ତ କାହାକୁ କହିବୁ ? ଏତିକି ବେଳେ ଆମକୁ ଖୋଜି ଖୋଜି ଆମ ପାଖରେ ଆସି ପହଞ୍ଚିଲେ ମଙ୍ଗୁଳୁ ଅଜା ।

କହିଲେ, କେଡେ ବିଚିତ୍ର ପିଲାଗୁଡ଼ାକରେ ତମେ । ହଇରେ ନାତିଆ, ତତେ ଭୋକ ହେଉନି? ଚାଲ ଖାଇବ । ସତେ ଯେମିତି ସେ ଆମ ମନକଥା କହିଦେଲେ । ଆମ ତିନି ଜଣଙ୍କୁ ଧରି ସେ ଚାଲିଲେ ସେଠାକାର ଖନ୍ଦାଶାଳକୁ । ସେଠାକାର ଉଦ୍ୟୋକ୍ତାମାନଙ୍କୁ କହିଲେ, ଆମର ଏ ପିଲା ତିନି ଜଣଙ୍କୁ ପ୍ରସାଦ ଦିଅ । ଖଲି ପକେଇ ଦେଇ ଆମେ ତିନିହେଁ ଚଢ଼େଇ ଦେଲୁ ପୂର୍ଣ୍ଣଗ୍ରାସ ଭୋଜନ । ତା ପରେ ଯାଇ ମଞ୍ଚ ବାଡ଼କୁ ଲାଗି ବସି ପଡ଼ିଲୁ ବାଲି ଉପରେ । ଆରମ୍ଭ ହେଲା ନାଟକ । ମୂଳ ନାଟକ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ନୃତ୍ୟ ନାଟିକା । ଏଥର ଥିଲା ମହିଷା ମର୍ଦ୍ଦିନୀ । ମହିଷାସୁର ଓ ଦୁର୍ଗାଙ୍କର ଯୁଦ୍ଧ ଚାଲିଥାଏ । ନାଲି ନୀଳ ଆଲୁଅରେ ଚମକି ଉଠୁଥାଏ ମଞ୍ଚ । ସିଂହ ବେଶଧାରୀ ବାହନ ଏପଟୁ ସେପଟ ଡେଉଁଥାଏ । ଏତିକି ବେଳେ ତା ମୁଣ୍ଡରୁ ସିଂହର ମୁଖାଟି ଖସି ତଳେ ପଡ଼ିଗଲା  । ମଞ୍ଚ ଅନ୍ଧାର ହୋଇଛି କି ନାହିଁ, ଆମ ଭିତରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା, କିଏ ସେ ସିଂହର ମୁଖାଟିକୁ ଧରି ଗ୍ରୀନରୁମକୁ ଦୌଡ଼ିବ ? ମୁଁ ତାକୁ ଧରି ଗ୍ରୀନରୁମକୁ ଦୌଡ଼ିଲା ବେଳେ ସାମ୍ନାପଟୁ ପୁଣି ଥରେ ଦୌଡ଼ି ଆସୁଥିବା ମହିଷାସୁରର ଧକ୍କାରେ ତଳେ ପଡ଼ିଗଲି । ହେଲେ ତା ପଛରେ ଆସୁଥିବା ସିଂହ ବେଶଧାରୀ ମୋ ହାତରୁ ଝାମ୍ପିନେଲା ତା ମୁଖା । ମୁଁ ଝାଡ଼ିଝୁଡ଼ି ହୋଇ ଆସି ପୁଣି ବସିଗଲି ମଞ୍ଚ ପାଖରେ । ଏତେ ବାଟ ଚାଲି ଚାଲି ଆସିବା ପରେ ଏବଂ ନାକ ପର୍ଯ୍ୟନ୍ତ ପେଟେ ଟାଙ୍କିଦେଲା ପରେ, ଆଉ କି ବଳଥିଲା ଆଖିରେ ରାତି ଅନିଦ୍ରା ହୋଇ ନାଟକ ଦେଖିବାକୁ? କେତେ ବେଳେ ଆମ ଆଖିକୁ ନିଦ ଆସିଯାଇଥିଲା, ଆମେ କେହି ବି ଜାଣିନୁ । ନାଟକ ଚାଲିଥାଏ ଆଉ ଆମେ ତିନି ଜଣ ସମୁଦ୍ରର ଶୀତୁଆ ପବନରେ ସେହି ବାଲି ଉପରେ ହିଁ ଘୁଙ୍ଗୁଡ଼ି ମାରୁଥିଲୁ ।

ହଠାତ୍ ମଙ୍ଗୁଳୁ ଅଜା ବଡ଼ ପାଟିରେ ଚିଲ୍ଲେଇ ଡାକିଲେ ମୋ ନାଁ ଧରି । ମୁଁ ଚମକି ଯାଇ ଉଠି ପଡ଼ିଲି । ଆଖି ଖୋଲିଲା ବେଳକୁ, ନା ସେଠାରେ କୌଣସି ଯାତ୍ରା ଦେଖାଳି ଅଛନ୍ତି, ନା ମଞ୍ଚ । ମତେ ଲାଗୁଥିଲା, କେଉଁଠି ଅଛି ମୁଁ? ରାତି ସାରା ନାଟକ ମଞ୍ଚସ୍ଥ ହେବା ପରେ ସରିଲା ସକାଳ ସାତଟାରେ । ତା ପରେ ଯିଏ ଯାହା ବାଟରେ ଘରକୁ ପଳେଇଲେ । ମଞ୍ଚ ଖୋଲା ହୋଇ ଶଗଡ଼ରେ ଲଦା ହୋଇସାରିଥିଲା । ହେଲେ ଆମେ ତିନିହେଁ କିଛି ଜାଣିନଥିଲୁ । ମଙ୍ଗୁଳୁ ଅଜା କହିଲେ, ତମକୁ ନ ଉଠେଇ ଥିଲେ, ତମେ ଆଜି ଏଇଠି ହିଁ ରହିଥାନ୍ତ । ସେତେବେଳକୁ ଦିନ ନଅଟା । ପୁଣି ଶଗଡ଼ ପଛେ ପଛେ ବାହାରିଲୁ ଆମେ । ମୋର କିନ୍ତୁ ଆଉ ଚାଲିବାକୁ ବଳ ନଥିଲା । ଜୀବନରେ ଏତେ ବାଟ କେବେ ଚାଲି ନଥିଲି ମୁଁ । କିନ୍ତୁ ସନିଆ ଆଉ କାଶିଆ ମୋଠୁ ଟିକେ ସବଳ ଥିଲେ । ସେଥିପାଇଁ ସେମାନେ ମାଡ଼ି ଚାଲିଥିଲେ । ଏକଥାଟା ଲକ୍ଷ୍ୟ କରିପାରିଥିଲେ ବୋଧେ ମଙ୍ଗୁଳୁ ଅଜା । ଶଗଡ଼ଟାକୁ ଠିଆ କରାଇଦେଇ ମତେ ଉଠାଇନେଲେ ଆଗକୁ । ତାଙ୍କ ସାମ୍ନାରେ (ଶଗଡ଼ିଆ ସାମ୍ନାରେ) ବସେଇ ଦେଇ ମୋ ହାତରେ ପାଞ୍ଚଣଟାକୁ ଧରେଇ ଦେଲେ । କହିଲେ, ତୁ କୌଣସି ବଳଦକୁ ବାଡ଼େଇବୁନି । ସେମାନେ ଠିକ୍ ଚାଲିବେ । ଯଦି କୋଉଠି ଟିକିଏ କିଏ ଅଟକିଲା ଭଳି ଲାଗିବ, ଖାଲି ତା ଦେହରେ ବାଡ଼ିଟାକୁ ଛୁଆଁଇ ଦେବୁ । ବାସ୍ .. ତୋ ଗାଡ଼ି ଚାଲିବ । ଏତକ କହିଦେଇ, ସେ ଶୋଇପଡ଼ିଲେ ଶଗଡ଼ ଉପରେ । ଆଉ ମୁଁ ପାଲଟିଗଲି ଶଗଡ଼ିଆ ।

ମୋ ଝିଅ ପୁଣି କହିଲା, ବାବା .. କଣ ଭାବୁଛ? ମୁଁ ପଚାରୁଛି ପରା .. ବୁଲକ୍ କାର୍ଟ ମାନେ କଣ? … ମୋ ପାଖରେ କୌଣସି ଉତ୍ତର ନଥିଲା । ମୁଁ ତା ମୁହଁକୁ ବଲବଲ ହୋଇ ଅନାଇ ପଚାରିଲି .. ଆଁ .. କଣ କହିଲୁ?

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ ।
ଫୋନ୍- ୯୯୩୭୨୫୨୪୬୪