Latest Odisha News

ହୀରାକୁଦ କେଜ୍ ଫିସ୍ କଲ୍ଚର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ସିଏଫସି ଏବଂ ଜେଟ୍ଟି ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ (କେଜ୍ ଫିସ୍ କଲ୍ଚର) ଏକ ସଫଳ ମଡେଲ୍। ଏହା ଖୁବ୍ ଶୀଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁ ପରିମାଣରେ ବୃଦ୍ଧି କରିବ। ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚ ସ୍ତରୀୟ ବୈଠକ କରି ଏହି ସନ୍ତୋଷ ପ୍ରକାଶ କରିଛନ୍ତି । ମୁଖ୍ୟ ଶାସନ ସଚିବ ହୀରାକୁଦ ଜଳ ଭଣ୍ଡାରରେ ସ୍ଥାପିତ କେଜ୍ ଗୁଡିକରେ ମାଛ ଚାଷ ସ୍ଥିତି ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ମାଛଚାଷୀ, ଉଦ୍ୟୋଗୀ ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

କ୍ଷେତ୍ର ସ୍ତରୀୟ ମାଛ ଚାଷ କାର୍ଯ୍ୟର ଅଗ୍ରଗତି ବିଷୟରେ ସନ୍ତୋଷ ପ୍ରକାଶ କରି ଶ୍ରୀ ମହାପାତ୍ର କମନ୍ ଫେସିଲିଟି ସେଣ୍ଟର, ପରୀକ୍ଷାଗାର ଏବଂ ମାଛ ପହୁଞ୍ଚାଣ ପାଇଁ ଭାସମାନ ଜେଟ୍ଟି ଆଦି ଭିତ୍ତିଭୂମିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେଜ୍-ଫିସ୍-କଲ୍ଚର ବିକାଶ ପାଇଁ ସରକାର ଆବଶ୍ୟକୀୟ ଭିତ୍ତିଭୂମି ଓ ସହଯୋଗ ଯୋଗାଇଦେବେ ବୋଲି ଶ୍ରୀ ମହାପାତ୍ର ଉଦ୍ୟୋଗୀମାନଙ୍କୁ ପ୍ରତିଶୃତି ଦେଇଛନ୍ତି।

କମନ୍ ଫେସିଲିଟି ସେଣ୍ଟରରେ ଚାଷୀମାନେ କେଜରୁ ମାଛ ଧରି ବିପଣୀ ପାଇଁ ବର୍ଗୀକରଣ, ଓଜନ, ଓ ପ୍ରସ୍ତୁତ କରିପାରିବେ । ଏଠାରେ ଚାଷୀମାନଙ୍କ ପାଇଁ ପାଣି, ବିଦ୍ୟୁତ, ପରିଚ୍ଛନ୍ନତା ଓ ଶୌଚାଳୟ ଆଦିର ବ୍ୟବସ୍ଥା ରହିବ । ସେହିପରି ମତ୍ସ୍ୟଚାଷ ଗବେଷଣା ପରୀକ୍ଷାଗାର ଜଳ-ଜୀବ ସ୍ୱାସ୍ଥ୍ୟ ନିରୀକ୍ଷଣ ଏବଂ ପରିବେଶ ସନ୍ତୁଳନ ଅନୁଧ୍ୟାନ ଆଦିରେ ସହାୟକ ହେବ । ମାଛ ଚାଷୀମାନେ କେଜ୍ ରେ ବଢ଼ୁଥିବା ମାଛଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଗୁଣାତ୍ମକ ମାନର ଉତ୍ପାଦନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେଇପାରିବେ ।

ଜଳ ଭଣ୍ଡାର ଉପରି ଭାଗର ୧ ପ୍ରତିଶତ ଅଂଚଳରେ ଏହି କେଜ୍-କଲ୍ଚର ସୀମିତ ରଖିବା ଲାଗି ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହୀରାକୁଦର ମତ୍ସ୍ୟ ଓ ପଶୁସଂପଦ ବିକାଶ ଉପ-ନିର୍ଦ୍ଦେଶକ ଜଣାଇଥିଲେ ଯେ, ଜାତୀୟ ନିୟମାବଳୀ ଦ୍ୱାରା ନିର୍ଦ୍ଧାରିତ ସୀମାଠାରୁ ବହୁ କମ୍ ଅଂଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ ଟି କେଜ୍ ମାଛଚାଷ ଜୋନ୍ ଏବଂ ୬୨୫ ଟି ସବ୍- ଜୋନ ଚିହ୍ନଟ କରାଯାଇଛି।

ଏହା ମଧ୍ୟରୁ ୧୦୧ ଟି ସବ୍- ଜୋନ କୁ ପୁଞ୍ଜିନିବେଶ ଆଗ୍ରହ ଭିତ୍ତିରେ ଚୟନ ହୋଇଥିବା ଉଦ୍ୟୋଗୀମାନଙ୍କୁ ଲିଜ୍ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୭୧ ଜଣ ଉଦ୍ୟୋଗୀ ବିଭାଗସହ ବୁଝାମଣାପତ୍ର ସ୍ୱାକ୍ଷର କରି କ୍ଷେତ୍ରସ୍ତରୀୟ କାମ ଆରମ୍ଭ କରିଛନ୍ତି । ୩୦ ଟି ସବ୍- ଜୋନ ରେ କେଜ୍ ସ୍ଥାପନ କାର୍ଯ୍ୟ ସରିଛି ।

ଉଦ୍ୟୋଗୀମାନଙ୍କୁ ନିୟମିତ ଯୋଗାଯୋଗ ଓ ବୈଷୟିକ ଜ୍ଞାନ କୌଶଳ ସଂପ୍ରସାରଣ ମାଧ୍ୟମରେ ଉତ୍ସାହିତ କରି ଆଗାମୀ ୬ ମାସରେ ଅବଶିଷ୍ଟ ସବ୍- ଜୋନ ମାନଙ୍କରେ କେଜ୍ ସ୍ଥାପନ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ, ଗୋଟିଏ ସବ୍- ଜୋନ ରେ ୧୬ ମି. ବ୍ୟାସ ଏବଂ ୫ ମି. ଗଭୀରତାର ୩ ଟି ଗୋଲାକାର କେଜ୍ କିମ୍ବା ୪ ଙ୍ଘ ୬ ଙ୍ଘ ୪ ମିଟରର ୨୪ ଟି ଆୟତଘନାକାର କେଜ୍ ସ୍ଥାପନ କରାଯାଇ ପାରିବ । ପ୍ରତି ଗୋଲାକାର କେଜ୍ ରୁ ଥରକେ ୨୫ ରୁ ୩୦ ଟନ୍ ମାଛ ଅମଳ କରାଯାଇ ପାରିବ । ଆବଣ୍ଟିତ ସବ୍- ଜୋନ ଗୁଡିକରେ ଉତ୍ପାଦନ ଆରମ୍ଭ ହେଲେ ଥରକେ ପ୍ରାୟ ୧୪୫୦୦ ଟନ୍ ରୁ ଅଧିକ ମାଛ ଅମଳ ହେବ ।

ହୀରାକୁଦ ଜଳଭଣ୍ଡାର ଉପରିଭାଗରେ ୧୮୭୫ ଟି ଗୋଲାକାର କେଜ୍ କିମ୍ବା ୧୫୦୦୦ ଆୟତ-ଘନାକାର କେଜ୍ ପ୍ରତିଷ୍ଠା କରାଯାଇପାରିବ । ଏସବୁରୁ ଥରକେ ପ୍ରାୟ ୪୫୦୦୦ ଟନ୍ ରୁ ଅଧିକ ମଧୁର ପାଣି ମାଛ ଅମଳ କରାଯାଇପାରିବ । ଉଦ୍ୟୋଗୀମାନଙ୍କୁ ଅମଳ ମାଛର ବିପଣୀ ନିମନ୍ତେ ବଜାର- ସଂଯୋଗ ପରାମର୍ଶ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ।

ବୈଷୟିକ କୌଶଳର ପ୍ରୟୋଗ, ଜନସାଧାରଣଙ୍କ ସହଭାଗିତା ଏବଂ ଘରୋଇ ପୁଞ୍ଜିନିବେଶ ମାଧ୍ୟମରେ ମଧୁର ପାଣି ମାଛ ଚାଷ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ବିଶେଷଜ୍ଞ ଓ ବୁଦ୍ଧିଜିବୀମାନେ ଆଶା ପ୍ରକାଶ କରିଛନ୍ତି । ସମ୍ବଲପୁରର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ମତ୍ସ୍ୟ ଓ ପଶୁ ସଂପଦ ବିକାଶ ଉପ ନିର୍ଦ୍ଦେଶକ ବିରଜା ପ୍ରକାଶ ଦ୍ୱିବେଦୀଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ସମୀକ୍ଷା ସକାଶେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.