Latest Odisha News

BREAKING NEWS

ଶିଶୁଙ୍କ ପାଇଁ ଦିନଟିଏ, ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ

ନଭେମ୍ବର ୧୪ ତାରିଖ ଆଜିର ଦିନକୁ ସାରା ଦେଶରେ ‘ଶିଶୁ ଦିବସ’ ଭାବେ ପାଳନ କରାଯାଉଛି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ଦେଶବ୍ୟାପୀ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ ।  ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ସେ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୁରା ନାମ ଥିଲା ପଣ୍ଡିତ ଜବାହାରଲାଲ ନେହେରୁ। ତାଙ୍କ ବାପାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପାରାଣୀ ଥିଲା ।

ସେ ଅକ୍ଟୋବର ୧୯୦୭ ମସିହାରେ ସ୍ନାତକ କରିବା ପାଇଁ ତ୍ରିନିଟି ମହାବିଦ୍ୟାଳୟ, କେମ୍ବ୍ରିଜ ଯାଇଥିଲେ । ସେ ୧୯୧୦ ମସିହାରେ ପ୍ରାକୃତିକ ବିଜ୍ଞାନରେ ସ୍ନାତକ ସାରିଥିଲେ । ୧୯୧୦ ମସିହାରେ ସେ ଓକିଲାତି କରିବା ପାଇଁ ଲଣ୍ଡନ ଯାଇଥିଲେ ଏବଂ ଦୁଇ ବର୍ଷ ଓକିଲାତି କରିଥିଲେ । ୧୯୧୨ ମସିହାରେ ସେ ଭାରତ ଫେରିଥିଲେ ଓ ସେ ଆଲ୍ହାବାଦ ଉଚ୍ଚ ଅଦାଲତରେ ଓକିଲାତି କରିଥିଲେ। କିନ୍ତୁ ସେଥିରେ ତାଙ୍କର ମନ ଲାଗିଲା ନାହିଁ । ସେତେବେଳେ ଇଂରେଜମାନେ ଆମ ଦେଶକୁ ଶାସନ କରୁଥିଲେ । ସେମାନଙ୍କ ଅତ୍ୟାଚାରରେ ନେହେରୁଙ୍କ ପ୍ରାଣ କାନ୍ଦି ଉଠିଲା ।

ଭାରତର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ସେ ଅନେକ ବାର କାରାବରଣ ମଧ୍ୟ କରିଥିଲେ । ସେ ୧୯୨୦ରେ ପ୍ରଥମେ ଅସହଯୋଗ ଆନ୍ଦୋଳନରେ ଜଡ଼ିତ ହୋଇଥିଲେ। ବିରୋଧୀ ଶାସନିକ କାର୍ଯ୍ୟକଳାପ ପାଇଁ ସେ ୧୯୨୧ରେ ଗିରଫ ହୋଇଥିଲେ ଏବଂ କିଛି ମାସ ପରେ ଖଲାସ ହୋଇଥିଲେ ।

ଇଂରେଜ କବଳରୁ ଭାରତ ସ୍ୱାଧୀନ ହେଲା ପରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ଛୋଟ ପିଲାଙ୍କୁ ସେ ବହୁତ ଭଲ ପାଉଥିଲେ। ସେଥିପାଇଁ ସମସ୍ତେ ଶ୍ରଦ୍ଧାରେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ । ତାଙ୍କ ଜନ୍ମ ଦିବସକୁ ସମଗ୍ର ଦେଶରେ “ଶିଶୁ ଦିବସ” ଭାବରେ ପାଳନ କରାଯାଏ । ଗୋଲାପ ଫୁଲ ତାଙ୍କର ସବୁଠାରୁ ପ୍ରିୟ ଫୁଲ ଥିଲା। ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.