Latest Odisha News

BREAKING NEWS

ମଣିଷ ଏକାଠି ରହିଲା, ଏହି ମଉକା ଖୋଜୁଥିଲା ମହାମାରୀ…

ଆଦିମ ମଣିଷ ଯେତେବେଳେ ପଶୁ ଶିକାର ଏବଂ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରି ବଞ୍ଚୁଥିଲା ସେତେବେଳେ ମଧ୍ୟ ସଂକ୍ରାମକ ରୋଗ ଥିଲା । ହେଲେ ଏହା ମହାମାରୀ ରୂପ ନେଉନଥିଲା । ଆଜିକୁ ୧୦ହଜାର ବର୍ଷ ତଳେ ଯେତେବେଳେ ମଣିଷ କୃଷି ଆରମ୍ଭ କଲା, ଗୋଟିଏ ସ୍ଥାନରେ ଅନେକ ଲୋକ ଏକାଠି ରହିଲେ , ସେତେବେଳେ ସଂକ୍ରାମକ ରୋଗ ମହାମାରୀର ରୂପ ନେବା ଆଶଙ୍କା ବଢିଲା । ଏହି ସମୟରେ ମାଲେରିଆ, ଯକ୍ଷ୍ମା, କୁଷ୍ଠ, ଏନଫ୍ଲୁଏନଜା, ବସନ୍ତ ଏବଂ ଅନ୍ୟ କିଛି ସଂକ୍ରାମକ ରୋଗ ଦେଖା ଦେଲା ।

ଧୀରେ ଧୀରେ ସଭ୍ୟତା ଅଧିକ ଉନ୍ନତ ହେଲା, ନୂଆ ନୂଆ ସହର ଗଢି ଉଠିଲା, ସହର ଭିତରେ ବାଣିଜ୍ୟ ରାସ୍ତା ଖୋଲିଲା, ଫଳରେ ମହାମାରୀ ବ୍ୟାପିବା ଆଶଙ୍କା ବଢିଲା । ସଂକ୍ରାମକ ରୋଗ ଯେତେବେଳେ ଦେଶ ପରେ ଦେଶ ସୀମା ଡେଇଁ ମାଡିଚାଲେ ସେତେବେଳେ ତାହା ପାଲଟିଯାଏ ବିଶ୍ବ ମହାମାରୀ । ଏପରି ସଂଗୀନ ସ୍ଥିତି ବିଶ୍ବରେ ପ୍ରଥମଥର ପାଇଁ ଉପୁଜି ନାହିଁ । ଇତିହାସରେ ଏମିତି ଅନେକ ଥର ମହାମାରୀ ବ୍ୟାପିଛି । ଅନେକ ଥର ମହାମାରୀ ନେଇଛି ଲକ୍ଷ ଲକ୍ଷ ଜୀବନ, ଆଉ ବଦଳିଯାଇଛି ଇତିହାସ ।

୫ହଜାର ବର୍ଷ ତଳେ ବି ବ୍ୟାପିଥିଲା ମହାମାରୀ

୫ହଜାର ବର୍ଷ ତଳେ ଚୀନରେ ମହାମାରୀ ବ୍ୟାପିଥିବାର ପ୍ରମାଣ ମିଳିଛି । ଉତର-ପୂର୍ବ ଚୀନରେ ହାମିନ ମାଂଘାଠାରେ ପୂରାତନ ଖନନରେ ଗୋଟିଏ ଘରୁ ଅନେକ ହାଡର ଚିହ୍ନ ମିଳିଛି । ବିଭିନ୍ନ ବୟସର ଲୋକ ଥିବା ଜଣା ପଡିଛି । ଏହା ଆଗରୁ ମିଆଜିଗୋଉ ଇଲାକାରେ ମଧ୍ୟ ସମାନ ଢଙ୍ଗରେ ଗୋଟିଏ ସ୍ଥାନରେ ଅନେକ ଲୋକ ମରିଥିବାର ପ୍ରମାଣ ମିଳିଛି । ଏଥିରୁ ଅନୁମାନ କରାଯାଉଛି, ଏହି ଅଂଚଳରେ ମହାମାରୀ ବ୍ୟାପିଥିଲା ।

ବିଶାଳ ଏଥେନସକୁ ହରାଇଦେଲା ମହାମାରୀ
ଖ୍ରୀଷ୍ଟପୂର୍ବ ୪୩୦, ଏଥେନସ୍ ପ୍ଲେଗ

ଇତିହାସରେ ଲିପିବଦ୍ଧ ହୋଇଥିବା ପ୍ରଥମ ମହାମାରୀ ବ୍ୟାପିଥିଲା ଏଥେନସ ଏବଂ ସ୍ପାଟା ଭିତରେ ଚାଲିଥିବା ପେଲୋପୋନେସିଆନ ଯୁଦ୍ଧ ସମୟରେ । ଏହି ରୋଗ ଲିବ୍ୟା, ଇଥିଓପିଆ ଏବଂ ଇଜିପଟ୍ ଟପିବା ପରେ ଏଥେନସ୍ ସହର ଛୁଇଁଥିଲା । ଏହି ରୋଗରେ ପୀଡିତଙ୍କ ଦେହରେ ଜ୍ୱର ଦେଖାଯିବା ସହ ଜିଭ ଏବଂ ଚର୍ମ ରକ୍ତବର୍ଣ ହୋଇଯାଉଥିଲା । ଏହା ଟାଏଫଏଡ୍ ଜ୍ୱର ବୋଲି ଅନୁମାନ କରାଯାଉଛି । ଏଥିରେ ଏଥେନସ୍‌୍‌ର ୧ଲକ୍ଷରୁ ଅଧିକ ବା ଦୁଇ ତୃତୀୟାଂଶ ଲୋକ ପ୍ରାଣ ହରାଇଥିଲେ । ଏହି ମହାମାରୀ ସୈନିକଙ୍କଠାରୁ ନାଗରିକ ସମସ୍ତଙ୍କୁ ଦୁର୍ବଳ କରି ଦେଇଥିଲା, ଆଉ ସ୍ପାଟା ସହ ଯୁଦ୍ଧରେ ହାରି ଯାଇଥିଲା ଏଥେନସ୍ ।

ଖ୍ରୀଷ୍ଟାବ୍ଦ ୧୬୫, ଆଂଟୋନାଇନ୍ ପ୍ଲେଗ୍‌

ରୋମ୍ ଏବଂ ୟୁରୋପରେ ଆତଙ୍କ ଖେଳାଇଥିବା ହୁନ ଯୋଦ୍ଧାମାନେ ପ୍ରଥମେ ମାରାତ୍ମକ ବସନ୍ତ ରୋଗରେ ପୀଡିତ ହୋଇଥିବା ଅନୁମାନ କରାଯାଉଛି । ଏହା ପ୍ରଥମେ ଜର୍ମାନ ଏବଂ ପରେ ରୋମକୁ ଡେଇଁଥିଲା । ଯୁଦ୍ଧ ଫେରନ୍ତା ସୈନିକଙ୍କ ମାଧ୍ୟମରେ ଏହା ସାରା ରୋମ ସାମ୍ରାଜ୍ୟରେ ବ୍ୟାପ ଯାଇଥିଲା । ଏହାର ଲକ୍ଷଣ ଥିଲା ଜ୍ୱର, ଗଳା ଦରଜ, ଝାଡାବାନ୍ତି । ଏଥିରୁ ଯିଏ ବଂଚି ଯାଉଥିଲା ତାପରେ ଦେହ ସାରା ଭରି ଯାଉଥିଲା ବଡ ବଡ ଫୋଟକା । ଏହି ମହାମାରୀ ପ୍ରାୟ ୧୫ବର୍ଷ ଧରି ଅର୍ଥାତ ଖ୍ରୀଷ୍ଟାବ୍ଦ ୧୮୦ ଯାଏ ଆତଙ୍କ ଖେଳାଇଥିଲା । ଏହି ମହାମାରୀର ଶିକାର ହୋଇଥିଲେ ରୋମ ସମ୍ରାଟ ମାର୍କସ ଅରେଲିଅସ୍‌୍ । ରୋମର ପ୍ରାୟ ୫୦ଲକ୍ଷ ଲୋକ ପ୍ରାଣ ହରାଇଥିବା ରେକର୍ଡ ରହିଛି ।

ଖ୍ରୀଷ୍ଟାବ୍ଦ ୨୫୦, ସାଇପ୍ରିଆନ୍ ପ୍ଲେଗ୍‌

ଝାଡାବାନ୍ତି, ଗଳା ଫୁଲା, ଜ୍ୱର ଏବଂ ଶେଷରେ ହାତ ଗୋଡରେ ଘା, ସାଇପ୍ରିଆନ୍‌୍ ପ୍ଲେଗରେ ପୀଡିତ ହୋଇ ଯେତେବେଳେ ସହର ଲୋକେ ପ୍ରାଣ ବଂଚାଇବାକୁ ଗାଁ ମୁହାଁ ହେଲେ ସେତେବେଳେ ଏହା କମିବା ବଦଳରେ ଗାଁ ଗାଁରେ ବ୍ୟାପିଗଲା । ଇଥିଓପିଆରେ ଆରମ୍ଭ ହୋଇଥିବା ଏହି ମହାମାରୀ ଆଫ୍ରିକା ଦେଇ ରୋମ୍ ଏବଂ ପରେ ଇଜିପଟ ଯାଏ ବ୍ୟାପି ଯାଇଥିଲା । ଏହାପରେ ୩ ଶତାବ୍ଦୀ ଧରି ଏହି ପ୍ଲେଗ୍ ବାରମ୍ବାର ମହାମାରୀର ରୂପ ନେଇଥିଲା । ଯେଉଁଥିରେ ବ୍ରିଟେନ ସବୁଠୁ ବେଶୀ ପ୍ରଭାବିତ ହୋଇଥିଲା । ମହାମାରୀ ମାଡରେ ସ୍କଟ୍‌୍ ଏବଂ ପିକ୍ଟ ମାନଙ୍କଠାରୁ ନିଜକୁ ବଂଚାଇବା ଲାଗି ସାକ୍ସନଙ୍କ ସହାୟତା ନେଇଥିଲା ବ୍ରିଟେନ୍ । ଏହାପରେ ବ୍ରିଟେନକୁ ଦଖଲ କରିନେଇଥିଲେ ସାକ୍ସନ ।

ଖ୍ରୀଷ୍ଟାବ୍ଦ ୫୪୧, ଜଷ୍ଟିନିଆନ୍ ପ୍ଲେଗ୍‌

ଇଜିପଟରେ ଆରମ୍ଭ ହୋଇଥିବା ବୁବନିକ୍ ପ୍ଲେଗ୍ ପାଲେଷ୍ଟାଇନ୍ ଏବଂ ବାଇଜାଂଟାଇନ୍ ସାମ୍ରାଜ୍ୟରେ ପହଂଚିବା ପରେ ସଂପୂର୍ଣ ଭୂମଧ୍ୟସାଗର ଅଂଚଳରେ ବ୍ୟାପି ଯାଇଥିଲା । ଏହି ପ୍ଲେଗ୍ ଇତିହାସ ବଦଳାଇ ଦେଇଥିଲା । ସମ୍ରାଟ ଜଷ୍ଟିନିଆନଙ୍କ ରୋମ ସାମ୍ରାଜ୍ୟକୁ ପୁଣି ବିଶାଳ କରି ଗଢିବା ଲକ୍ଷ୍ୟ ପୂରା ହୋଇ ପାରିଲାନି । ଅର୍ଥନୀତି ଭୂଷୁଡି ପଡିଲା । ଖ୍ରୀଷ୍ଟ ଧର୍ମ ବ୍ୟାପିବା ପାଇଁ ଏହା ସୃଷ୍ଟି କଲା ବଡ ସୁଯୋଗ । ପରବର୍ତୀ ୨ ଶତାବ୍ଦୀରେ ଏହି ପ୍ଲେଗ୍ ସାରା ବିଶ୍ୱର ୫କୋଟି ଲୋକଙ୍କ ଜୀବନ ନେଇଥିଲା । ଯାହା ସେବେକାର ବିଶ୍ୱର ସମୁଦାୟ ଲୋକସଂଖ୍ୟାର୨୬ପ୍ରତିଶତ ଥିଲା । ଏହି ବୁବନିକ୍ ପ୍ଲେଗ୍ ମୂଷାଙ୍କ ଦେହରୁ ଆସି ମାଛିଙ୍କ ଦ୍ୱାରା ବ୍ୟାପିଥଲା ।

ଏକାଦଶ ଶତାବ୍ଦୀ, କୁଷ୍ଠ

ଯଦିଓ କୁଷ୍ଠ ରୋଗ ସବୁ ସମୟରେ ଥିଲା, ତେବେ ମଧ୍ୟ ଯୁଗରେ ୟୁରୋପରେ ଏହା ମହାମାରୀର ରୂପ ନେଇଥିଲା । ଫଳରେ ସାରା ୟୁରୋପରେ ଶହ ଶହ କୁଷ୍ଠ ଚିିକିତ୍ସା କେନ୍ଦ୍ର ଖୋଲିଲା । ବ୍ୟାକ୍ଟେରିଆଜନିତ ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ସାମାଜିକ ବାସନ୍ଦ କରିଦିଆ ଯାଉଥିଲା । ଏହା ଏଅନେକାଂଶରେ ଲୋପ ପାଇଛି, ହେଲେ ଏବେବି ବିଶ୍ୱରେ ପ୍ରତିବର୍ଷ୧୦ହଜାରରୁ ଅଧିକ ଲୋକ ପୀଡିତ ହେଉଛନ୍ତି । ଠିକ ସମୟରେ ଚିକିତ୍ସା ନକଲେ ଏହା ଘାତକ ହୋଇଯିବା ଆଶଙ୍କା ମଧ୍ୟ ରହିଛି ।

ଯୁଦ୍ଧ ଛାଡି ସନ୍ଧି କରିବାକୁ ବାଧ୍ୟ କଲା ମହାମାରୀ
ଖ୍ରୀଷ୍ଟାବ୍ଦ ୧୩୫୦, ବ୍ଲାକ ଡେଥ୍‌

ଏସିଆରୁ ଆରମ୍ଭ ହୋଇ ୟୁରୋପକୁ ବ୍ୟାପି ଯାଇଥିବା ମହାମାରୀ ପ୍ଲେଗ ବିଶ୍ୱର ଏକ ତୃତୀୟାଂଶ ଜନସଂଖ୍ୟାକୁ ଶିକାର କରିଥିଲା । ୧୩୪୭ବଳକୁ ଏହା ସିସିଲି ଦେଇ ମେସିନା ବନ୍ଦରରେ ପହଂଚିବା ପରେ ସାରା ୟୁରୋପରେ ଆତଙ୍କ ରଚିଥିଲା । ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଥିଲା ଯେ ଚାରିଆଡେ ରାସ୍ତାରେ ମୃତଦେହ ପଡି ସଢୁଥିଲା । ଇଂଲଣ୍ଡ ଏବଂ ଫ୍ରାନସ ମହାମାରୀର ଭୟଙ୍କର ରୂପ ଦେଖି ପରସ୍ପର ଭିତରେ ଯୁଦ୍ଧ ଛାଡି ସନ୍ଧି କରିବାକୁ ବାଧ୍ୟ ହୋଇଥିଲେ ।

୧୪୯୨- ମହାମାରୀର ସାକ୍ଷୀ କଲମ୍ବସ

ଆମେରିକା ସନ୍ଧାନରେ ଯେତେବେଳେ ସ୍ପାନିସ ମାନେ ପହଂଚିଲେ ସେତେବେଳେ ସେମାନଙ୍କ ସହ ବସନ୍ତ, ହାଡଫୁଟି ଏବଂ ପ୍ଲେଗ ଭଳି ସଂକ୍ରାମକ ରୋଗ ସବୁ ସେଠାରେ ପହଂଚିଗଲା । ଆମେରିକାର ଆଦିମ ଅଧିବାସୀଙ୍କ ପାଇଁ ଏସବୁ ରୋଗ ନୂଆ ଥିଲା । ତେଣୁ ଏଥିରେ ହଜାର ହଜାର ଆମେରିକୀୟ ମୂଳ ଅଧିବାସୀ ପ୍ରାଣ ହରାଇଲେ । ଉଭୟ ଉତର ଏବଂ ଦକ୍ଷିଣ ଆମେରିକାର ୯୦ପ୍ରତିଶତ ମୂଳ ଅଧିବାସୀଙ୍କ ମୃତ୍ୟୁ ହୋଇଥିଲା । ୧୫ଶହ ମସିହାରେ କଲମ୍ବସ ଆମେରିକା ଆବିଷ୍କାର କରିବା ବେଳକୁ ସେଠାରେ ୬୦ହଜାର ଆଦିମ ଅଧିବାସୀ ଥିବା ବେଳେ ୧୫୪୮ବେଳକୁ ବଂଚିଥିଲେ ମାତ୍ର ୫ଶହ । ଆଫ୍ରିକୀୟ କ୍ରୀତଦାସଙ୍କ ଦେହରେ ଆସିଥିବା ବସନ୍ତ ଭୂତାଣୁ ଏମିତି ବ୍ୟାପି ଯାଇଥିଲା ଯେ ୧୫୨୯ବେଳକୁ ବିଶାଳ ଆଜଟେକ୍ ସାମ୍ରାଜ୍ୟର ଅନ୍ତ ହୋଇ ଯାଇଥିଲା । ୧୬ଶହ ଏବଂ ୧୭ଶହ ଶତାବ୍ଦୀ ଭିତରେ ସାଢେ ୫କୋଟିରୁ ଅଧିକ ଆମେରିକୀୟ ମୂଳ ଅଧିବାସୀ ସଂକ୍ରାମକ ରୋଗରେ ହିଁ ପ୍ରାଣ ହରାଇଥିବା ଗବେଷଣାରୁ ଜଣାପଡିଛି ।

ଲଣ୍ଡନର ୨୦ପ୍ରତିଶତ ଲୋକଙ୍କୁ ମାରିଲା
୧୬୬୫ ଲଣ୍ଡନ ପ୍ଲେଗ୍‌

ପ୍ଲେଗ ମହାମାରୀର ଶିକାର ହୋଇଥଲେ ଲଣ୍ଡନର ୨୦ପ୍ରତିଶତରୁ ଅଧିକ ଲୋକ । ଚାରିଆଡେ ହଜାର ହଜାର ଶବ ପଡିଥିଲା । ମହାମାରୀ ବ୍ୟାପିବାର କାରଣ ଭାବରେ ହଜାର ହଜାର କୁକୁର, ବିଲେଇଙ୍କୁ ହତ୍ୟା କରାଗଲା । ଆଉ ସେପଟେ ଟେମସ୍ ନଦୀ ପାଣି ଜରିଆରେ ରୋଗ ଆହୁରି ବ୍ୟାପି ଯାଇଥିଲା । ୧୬୯୯ବେଳକୁ ଏହା ମହାମାରୀର ରୂପ ନେଇ ସାରିଥିଲା ।

୧୮୧୭, ହଇଜାର ହାହାକାର

୧୮ଶହ ମସିହା ପରେ ୧୫୦ବର୍ଷ ଭିତରେ ୭ଥର ମହାମାରୀ ରୂପ ନେଇଥିଲା ହଇଜା । ଏଭିତରୁ ୧୮୧୭ମସିହାରେ ପ୍ରଥମେ ରୁଷିଆରେ ଦେଖା ଦେଇଥିଲା, ଏଥିରେ ପ୍ରାୟ ୧୦ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ବ୍ରିଟିଶ ସୈନ୍ୟଙ୍କ ମାଧ୍ୟମରେ ଏହି ହଇଜା ବ୍ୟାକ୍ଟେରିଆ ଭାରତ ପହଂଚିବା ପରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଶିକାର କରିଥିଲା । ବ୍ରିଟିଶ ନୌସେନା ଏହି ଘାତକ ବ୍ୟାକ୍ଟେରିଆକୁ ସ୍ପେନ୍‌, ଆଫ୍ରିକା, ଇଣ୍ଡୋନେସିଆ, ଚୀନ, ଜାପାନ ଇଟାଲୀ, ଜର୍ମାନ ଏବଂ ଆମେରିକା ଯାଏ ନେଇ ଯାଇଥିଲେ, ଯାହା ପ୍ରାୟ୨ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲା । ୧୮୮୫ମସିହାରେ ହଇଜାର ଟୀକା ବାହାରିଲା, ତେବେ ଏହାପରେ ବି ଅନେକ ସମୟରେ ହଇଜା ମହାମାରୀ ରୂପ ନେଇଛି ।

୧୮୫୫, ତୃତୀୟ ପ୍ଲେଗ ମହାମାରୀ

ଚୀନରେ ଆରମ୍ଭ ହୋଇଥିବା ପ୍ଲେଗ ଭାରତ ଏବଂ ହଙ୍ଗକଙ୍ଗରେ ପହଂଚିବା ପରେ ପ୍ରାୟ ଦେଢ କୋଟି ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲା । ଚୀନର ୟୁନାନରେ ବ୍ୟାପକ ସ୍ତରରେ ଖଣିଜ ଖନନ ହେଉଥିଲା । ଠିକ ସେତେବେଳେ ପ୍ଲେଗ ବ୍ୟାପିଥିଲା । ଏହି ମହାମାରୀ ଚୀନରେ ଅନେକ ବିପ୍ଳବକୁ ଜନ୍ମ ଦେଇଥିଲା । ଭାରତରେ ଏହା ସଂଗୀନ ରୂପ ଦେଖାଇଥିବା ବେଳେ ଏହି ସମୟରେ ବ୍ରିଟିଶ ସରକାର ବିରୋଧରେ ଅନେକ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଥିଲା ।

୧୮୭୫, ଫିଜି ହାଡଫୁଟି

ବ୍ର୍ରିିଟିଶ ସରକାର ଅଧୀନକୁ ଫିଜି ଯିବାପରେ ଏଠାରୁ ଏକ ପ୍ରତିନିଧି ଦଳ ଅଷ୍ଟ୍ରେଲିଆ ଯାଇଥିଲେ । ଠିକ ସେତେବେଳେ ସେଠାରେ ହାଡଫୁଟି ବ୍ୟାପିଥିଲା । ରୟାଲ ପ୍ରତିନିଧି ଦଳ ସେଠାରୁ ରୋଗ ଭୂତାଣୁ ଧରି ଫେରିଥିଲେ । ସେମାନଙ୍କୁ ଭେଟିଥିବା ଆଦିବାସୀ ମୁଖିଆ ଏବଂ ପୋଲିସ ଅଧିକାରୀଙ୍କୁ ଏହା ବ୍ୟାପିଲା । ଏହାପରେ ଦ୍ରୁତ ଗତିରେ ଏହା ମହାମାରୀ ରୂପ ନେଇଥିଲା । ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଗାଁ ପରେ ଗାଁ ଜନଶୂନ୍ୟ ହୋଇ ଯାଇଥିଲା । ମହାମାରୀ ଆଉ ନବ୍ୟାପିବା ପାଇଁ ଲୋକେ ଅନେକ ସମୟରେ ମହାମାରୀ ଆକ୍ରାନ୍ତ ଗାଁ ଜଳାଇ ଦେଉଥିଲେ । ଏଥିରେ ଅନେକ ଲୋକ ପ୍ରାଣ ହରାଉଥିଲେ । ଫିଜିର ଏକ ତୃତୀୟାଂଶ ପ୍ରାୟ ୪୦ ହଜାର ଲୋକ ଏହି ମହାମାରୀରେ ପ୍ରାଣ ହରାଇଥିଲେ ।

୧୮୯୯, ରଷିଆ ଫ୍ଲୁ

ସାଇବେରିଆ ଏବଂ କାଜାକସ୍ତାନରେ ଆରମ୍ଭ ହୋଇଥିବା ଏହି ଫ୍ଲୁ ମସ୍କୋ ପହଂଚିବା ପରେ ଫିନଲାଣ୍ଡ ଏବଂ ପୋଲାଣ୍ଡକୁ ମାଡି ଯାଇଥିଲା । ଏଠାରୁ ସାରା ୟୁରୋପରେ ବ୍ୟାପି ଯାଇଥିଲା । ଗୋଟିଏ ବର୍ଷ ପରେ ୧୮୯୦ବେଳକୁ ଏହା ସମୁଦ୍ର ଡେଇଁ ଉତର ଆମେରିକା ଏବଂ ଆଫ୍ରିକାରେ ପଂହଚି ସାରିିଥିଲା । ଏତେ ବେଳକୁ ଏହା ୩,୬୦,୦୦୦ଜୀବନ ନେଇ ସାରିଥିଲା ।

ଶହେ ବର୍ଷ ତଳ ବି ଏମିତି ଆତଙ୍କ ରଚିଥିଲା ଫ୍ଲୁ

୧୯୧୮, ସ୍ପାନିସ୍ ଫ୍ଲୁ

 

ଚୀନରେ ଆରମ୍ଭ ହୋଇଥିବା ଏହି ଫ୍ଲୁ ଚୀନ ଶ୍ରମିକଙ୍କ ଦ୍ୱାରା କାନାଡା ଏବଂ ୟୁରୋପରେ ବ୍ୟାପିଥିଲା । ୧୯୧୮ ବେଳକୁ ଆମେରିକାର କାନସାସରେ ପ୍ରଥମେ ଏହା ଦେଖାଗଲା । ପରେ ଏହା ୟୁରୋପକୁ ବ୍ୟାପି ଯାଇଥିଲା । ସ୍ପେନର ମାଦ୍ରିଦଠାରେ ଏହା ମହାମାରୀର ରୂପ ନେଇଥିଲା । ତେଣୁ ଏହାର ନାଁ ରହିଲା ସ୍ପାନିସ୍ ଫ୍ଲୁ । ଏହି ମହାମାରୀରେ ଆମେରିକାର ଲକ୍ଷ ଲକ୍ଷ ଲୋକ ଜୀବନ ହାରିଲେ । ୧୯୧୯ଗ୍ରୀଷ୍ଣ ଋତି ବେଳକୁ ଏହାର ପ୍ରଭାବ ଆପେ ଆପେ ଶେଷ ହୋଇ ଯାଇଥିଲା । ଏଥିରେ ଆକ୍ରାନ୍ତ ସମସ୍ତ ବ୍ୟକ୍ତି ପ୍ରାଣ ହରାଇଥିଲେ ନୋହିଲେ ଶରୀରରେ ଏହାର ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ସାରିଥିଲା ।

୧୯୫୭, ଏସିଆନ୍ ଫ୍ଲୁ

ହଙ୍ଗକଙ୍ଗରେ ଆରମ୍ଭ ହୋଇ ଚୀନ ଏବଂ ଆମେରିକା ଯାଏ ମାଡି ଯାଇଥିଲା ଏହି ଫ୍ଲୁ । ଇଂଲଣ୍ଡରେ ଏହି ଫ୍ଲୁ ୬ମାସ କାଳ ଆତଙ୍କ ଖେଳାଇଥିଲା, ୧୪ହଜାର ମୁଣ୍ଡ ନେଇଥିଲା । ୧୯୫୮ ବେଳକୁ ଏହା ପୁଣି ଥରେ ଆହୁରି ବ୍ୟାପକ ହେଲା । ଯେଉଁଥିରେ ବିଶ୍ୱର ପ୍‌ରାୟ ୧୧ଲକ୍ଷ ଲୋକ ପ୍ରାଣ ହରାଇଥିଲେ, କେବଳ ଆମେରିକାରେ ୧,୧୬,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।

୧୯୮୧, ଏଚଆଇଭି ଏଡସ୍‌

ଏଡସ୍‌୍ ସଂପର୍କରେ ୧୯୮୧ରେ ଜଣା ପଡିଥିଲା । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସଂପୂର୍ଣ ନଷ୍ଟ କରି ଦେଇଥ।।ଏ । ରକ୍ତ ସଂକ୍ରମିତ ହୋଇଯାଏ । ଏହି ରୋଗ ଆମ ଶରୀରରେ ଥିବା ଟି-ସେଲ୍‌୍‌କୁ ନଷ୍ଟ କରିଦିଏ । ଫଳରେ ଯେକୌଣସି ରୋଗରେ ପଡିଲେ ମୃତ୍ୟୁ ପ୍ରାୟ ନିଶ୍ଚିତ । ଆମେରିକାର ସମଲିଙ୍ଗୀ ସଂପ୍ରଦାୟ ଭିତରେ ପ୍ରଥମେ ଏହା ଦେଖିବାକୁ ମିଳିଥିଲା । ତେବେ ୧୯୨୦ ବେଳକୁ ପଶ୍ଚିମ ଆଫ୍ରିକାରେ ସିମ୍ପାଞ୍ଜି ଶରୀରରେ ଏହି ଭାଇରସ୍ ଆସିଥିବା ଅନୁମାନ କରାଯାଉଛି । ୧୯୬୦ରେ ଏହା ମଣିଷ ଦେହକୁ କୌଣସି ପ୍ରକାରରେ ପଂହଚିଲା । ପ୍ରଥମେ ହାଇଟି ଦ୍ୱୀପରେ ପରେ ନ୍ୟୁୟର୍କ ଏବଂ ସାନଫ୍ରାନସିସକୋରେ ଏହା ବ୍ୟାପି ଯାଇଥିଲା । ଗତ ୪୦ ବର୍ଷ ଭିତରେ ଏଚଆଇଭି ଏଡସ୍ ବିଶ୍ୱର ସାଢେ ୩କୋଟି ଲୋକଙ୍କ ଜୀବନ ନେଲାଣି ।

୨୦୦୩, ସାରସ୍‌

ବାଦୁଡିରୁ ବିଲେଇ ଆଉ ସେଠାରୁ ମଣିଷ ଦେହକୁ ଆସିଥିବା ଭାଇରସ୍ ପ୍ରଥମେ ଚୀନରେ ଜଣା ପଡିଥିଲା । ଧୀରେ ଧୀରେ ଏହା ୨୬ଟି ଦେଶକୁ ବ୍ୟାପି ଯାଇଥିଲା । ୮ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିଲେ, ୭୭୪ଜଣ ପ୍ରାଣ ହରାଇଥିଲେ । ସାରସ୍ ଆକ୍ରାନ୍ତ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡିତ ହୋଇଥାନ୍ତି । ଆକ୍ରାନ୍ତଙ୍କ କାଶ ଏବଂ ଛିଙ୍କ ଦ୍ୱାରା ଅନ୍ୟମାନେ ଆକ୍ରାନ୍ତ ହୁଅନ୍ତି । ସଙ୍ଗରୋଧ ଏବଂ ସାମାଜିକ ଦୂରତା ଭଳି ପଦକ୍ଷେପ ମାଧ୍ୟମରେ ହିଁ ଏହାର ମୁକାବିଲା କରା ଯାଇ ପାରିଥିଲା । ଏହି ପଦ୍ଧତି ପ୍ରୟୋଗ କରି ଏଚ୧ଏନ୧ ସ୍ୱାଇନ ଫ୍ଲୁ, ଇବୋଲା ଏବଂ ଜିକା ଭଇରସକୁ ସଫଳତାର ସହ ନିୟନ୍ତ୍ରଣ କରାଯାଇ ପାରିଥିଲା ।

କରୋନା ଭାଇରସ୍ (କୋଭିଡ-୧୯)

୨୦୧୯ ନଭେମ୍ବର ୧୭ତାରିଖରେ ଚୀନର ହୁବେଇ ରାଜ୍ୟରେ ଏହା ପ୍ରଥମେ ଦେଖା ଯାଇଥିଲା । ହେଲେ ଏହାର ପରିଚୟ ମିଳିନଥିଲା । ଡିସେମ୍ବରରେ ୮ଜଣ ଆକ୍ରାନ୍ତ ହେବା ପରେ ବୈଜ୍ଞାନିକମାନେ ଏଥିପାଇଁ ଏକ ଅଜଣା ଭାଇରସ୍ କୁ ଦାୟୀ କଲେ । ଚୀନ ସରକାର ଏହି ଖବରକୁ ଲୁଚାଇବାକୁ ଚେଷ୍ଟା କଲା, ଯାହା ଫଳରେ ପ୍ରତିଶେଧକ ବ୍ୟବସ୍ଥା କରିବାରେ ବିଳମ୍ବ ହୋଇଗଲା । ୨୦୦୩ରେ ଆତଙ୍କ ଖେଳାଇଥିବା ସାରସ୍ ଭାଇରସ ଫ୍ୟାମିଲିର ଆଉ ଏକ ସଦସ୍ୟ ହେଉଛି କରୋନା । କୋଭିଡ-୧୯ ସଂପର୍କରେ ସେତେବେଳେ ବିଶ୍ୱ ଜାଣିଲା ଯେତେବେଳେ ଡାକ୍ତର ଲି ବେନଲିଆଙ୍ଗ ଚୀନ ସରକାରଙ୍କ ନିର୍ଦ୍ଦେଶ ନମାନି ଅନ୍ୟ ଡାକ୍ତରମାନଙ୍କୁ ଏହି ଭାଇରସ୍ ନେଇ ସତର୍କ କଲେ । ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଚୀନ ଜଣାଇଲା । ଏଣେ ଡାକ୍ତର ଲି ଙ୍କ ବିରୋଧରେ ଅପରାଧିକ ମାମଲା ବି ଚଳାଇଲା । ଗୋଟିଏ ମାସ ଭିତରେ ଡାକ୍ତର ଲି ଏହି କରୋନା ଭାଇରସ୍‌୍ ର ଶିକାର ହୋଇ ଆଖି ବୁଜିଲେ । ଏହା ପରଠୁ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି । ପ୍ରଥମ ୧ଲକ୍ଷ ଲୋକ ଏଥିରେ ଆକାନ୍ତ ହେବାକୁ ୬୦ଦିନରୁ ଅଧିକ ସମୟ ଲାଗିଥିଲା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ପହଂଚିବାକୁ ଲାଗିଥିଲା ମାତ୍ର ୧୧ଦିନ । ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ପହଂଚିଯାଇଥିଲା ମାତ୍ର ୪ଦିନ । ଏତେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭାଇରସକୁ ନେଇ ୨୦୨୦ ମ।।ର୍ଚ୍ଚ ୧୧ତାରିଖରେ ବିଶ୍ୱ ସ୍ୱାସ୍‌୍ୟ୍ଥ ସଂଗଠନ ବିଶ୍ୱ ମହାମାରୀ ଭାବରେ ଘୋଷଣା କରିଥିଲା । ଏଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ଟପି ଯାଇଛି ମାତ୍ର ୩ଦିନରେ ।

Leave A Reply

Your email address will not be published.