Latest Odisha News

BREAKING NEWS

ଭକ୍ତ ଓ ଭଗବାନଙ୍କ ମୂକସାକ୍ଷୀ ବଡଦାଣ୍ଡ

ଆଉ ହାତ ଗଣତି କେତେ ଦିନ ପରେ ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥା । କରୋନା ମହାମାରୀ ପରେ ଏଥର ଭକ୍ତମାନେ ରଥଯାତ୍ରାରେ ସିଧାସଳଖ ସାମିଲ ହୋଇପାରିବେ । ବିଗତ ୨ ବର୍ଷ ଧର ସେବକମାନେ ଦ୍ୱାରା ରଥଯାତ୍ରା କାର୍ଯ୍ୟ ସମ୍ପନ୍ନ ହେଉଥିଲା । ଆଉ ଭକ୍ତମାନେ ମନର ଦେବତା ସହ ଦୂରେ ରହି ଭକ୍ତି ଭାବରେ ଜଡିତ ହୋଇଥିଲେ । ତେବେ ଯେଉଁ ବଡଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡିବ ଆସନ୍ତୁ ଏହାର ମାହାତ୍ମ୍ୟ ବିଷୟରେ ଜାଣିବା । ଅରୁଣସ୍ତମ୍ଭ ନିକଟରୁ ଗୁଣ୍ଡିଚାମନ୍ଦିରର ଦୂରତା ପ୍ରାୟତଃ ୩ କିଲୋମିଟର ହେବ । ପୂର୍ବରୁ ମାଳିନୀ ନଦୀ ବଡ ଦାଣ୍ଡକୁ ଦୁଇ ଭାଗ କରି ଦେଉଥିଲା । ଫଳରେ ରଥଯାତ୍ରା ପାଇଁ ୬ଟି ରଥ ତିଆରି ହେଉଥିଲା । ଏପଟେ ୩ଟି ଓ ନଦୀ ଆରପଟେ ଆଉ ୩ଟି ରଥ ରହୁଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥରେ ବିରାଜମାନ ହେବା ପରେ ନଦୀ ପର୍ଯ୍ୟନ୍ତ ଟଣା ହୋଇ ଆସୁଥିଲେ । ଏହା ପରେ ସେମାନଙ୍କୁ ନୌକାରେ ବସାଇ ଆରପଟକୁ ନିଆ ଯାଇଥିଲା । ସେଠାରେ ୩ଟି ରଥରେ ବସି ସେମାନେ ଗୁଣ୍ଡିଚା ମନ୍ଦିର ଯାଉଥିଲେ । କାଳକ୍ରମେ ଗଜପତି ଭାନୁଦେବ ୧୨୩୦ରେ ଗୁରୁ ମାଧବଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ବାଙ୍କି ମୁହାଣ ଆଡୁ ମାଲିନୀ ନଦୀକୁ ପୋତି ଦେଇଥିଲେ ।

ଏହା ପରେ ଭକ୍ତମାନେ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ପ୍ରଶସ୍ତ ବଡଦାଣ୍ଡ ପାଇଥିଲେ । ଭାନୁଦେବଙ୍କ ପତ୍ନୀ ତଥା ରାଣୀ ଶ୍ରଦ୍ଧା ଦେବୀଙ୍କ ନାମ ଅନୁସାରେ ନଦୀ ବାଲିର ନାମ ଏହା ପରଠାରୁ ଶରଧାବାଲି ରହିଥିଲା । ବାହୁଡା ଯାତ୍ରା ସମୟରେ ମାଉସୀମା ମନ୍ଦିରରେ ପୋଡପିଠା, ସାଲବେଗ ସମାଧୀରେ ପଂନ୍ତି ଭୋଗ ଅର୍ପଣ କରାଯାଇଥାଏ । ଏହି ୨ଟି ସ୍ଥାନରେ ରଥ କିଛି ସମୟ ପାଇଁ ଅଟକିଥାଏ । ଶ୍ରୀନଅର ନିକଟରେ ଗଜପତି ଲକ୍ଷ୍ମୀନାରାୟଣ ଭେଟ କରାଇଥାନ୍ତି । ରାଜନଅର ସମ୍ମୁଖରେ ଅକ୍ଷୟ ତୃତୀୟାଠାରୁ ରଥ ଖଳାରେ ରଥ ତିଆରି ହୋଇଥାଏ । ଆଷାଢ଼ ଶୁକ୍ଲ ପ୍ରତିପଦା ଦିନ ରଥକୁ ଦକ୍ଷିଣମୋଡ କରାଯାଇ ସିଂହଦ୍ୱାର ସମ୍ମୁଖକୁ ନିଆ ଯାଇଥାଏ । ସେହିପରି ଏହି ବଡଦାଣ୍ଡରେ ବାହୁଡା ଏକାଦଶୀ ରାତ୍ରରେ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ପରେ ଠାକୁରମାନେ ନିଳାଦ୍ରୀବିଜେ କରିଥାନ୍ତି । 

ରଥଯାତ୍ରା ବ୍ୟତୀତ ଚନ୍ଦନ ଯାତ୍ରା ସମୟରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମବଳରାମ ଓ ପଂଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀକୁ ବଡଦାଣ୍ଡ ଦେଇ ୨୧ ଦିନ ଧରି ଚାପ କ୍ରୀଡା କରିଥାନ୍ତି । ଗୁପ୍ତଗୁଣ୍ଡିଚା ଯାତ୍ରା, ଦୋଳଉତ୍ସବ, ଇନ୍ଦ୍ରଧ୍ୱଜ ପୂଜା ସବୁ କିଛି ହୋଇଥାଏ ଏହି ପୂଣ୍ୟଦାଣ୍ଡରେ । ଅଷ୍ଟାଦଶ ଶତାବ୍ଦୀରେ ରାଜା ଦିବ୍ୟସିଂହ ଦେବ କୋଣାର୍କରୁ ଅରୁଣସ୍ତମ୍ଭକୁ ଆଣି ବଡଦାଣ୍ଡରେ ସ୍ଥାପନ କରିଥିଲେ । ଏହି ବଡଦାଣ୍ଡରେ ମହାପ୍ରଭୁ ଶ୍ରୀଚୈତନ୍ୟ ଭକ୍ତିରେ ବିଭୋର ହୋଇ ପାଗଳପ୍ରାୟ ନାଚି ଗୋଡ ଖଣ୍ଡିଆ ଖାବରା କରି ଦେଇଥିଲେ । ବଡଦାଣ୍ଡ ମହାପ୍ରଭୁଙ୍କ ସୁଖ ଓ ଦୁଃଖର ମୂକସାକ୍ଷୀ । ଭକ୍ତର ଆଶା ଓ ନିରାଶର ସ୍ଥାନ । ଏହି ବଡଦାଣ୍ଡରେ ଯେଉଁ ମହାପ୍ରଭୁ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ସମସ୍ତଙ୍କ ମନ କିଣିଥାନ୍ତି ସେହି ମହାପ୍ରଭୁ ଦିନେ ଯବନଙ୍କ ଦ୍ୱାରା ଅତି ନିର୍ମମ ଭାବରେ ଭିଡା ହୋଇ ଯାଇଥିଲା । ସବୁ କିଛି ପରିବର୍ତନ ହୋଇଯାଇଛି । ଶ୍ରୀମନ୍ଦିର, ଚତୁର୍ଦ୍ଧାମୂର୍ତି ଓ ବଡଦାଣ୍ଡ ରହିଛନ୍ତି….ରହିଥିବେ ।

Leave A Reply

Your email address will not be published.