Latest Odisha News

BREAKING NEWS

ବାପା କାରଗିଲ ଯୁଦ୍ଧ ଲଢ଼ିଥିଲେ, ପୁଅ ଏବେ ଇଂଲଣ୍ଡକୁ ନାକେଦମ କରୁଛନ୍ତି

ରାଂଚୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ୭ମ ସ୍ଥାନରେ ବ୍ୟାଟିଂ କରିଥିବା ଭାରତର ଧ୍ରୁବ ଜୁରେଲ ୯୦ ରନର ଇନିଂସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ୨୩ ବର୍ଷୀୟ ଏହି କ୍ରିକେଟର ତାଙ୍କ ଇନିଂସରେ ୬ ଚୌକା ଓ ୪ ଛକା ମାରିଥିଲେ । ଉତର ପ୍ରଦେଶରେ ଜନ୍ମିତ ଧ୍ରୁବଙ୍କ ବାପା ସେ କ୍ରିକେଟ ଖେଳନ୍ତୁ ବୋଲି ଚାହୁଁ ନ ଥିଲେ । ୧୯୯୯ରେ ତାଙ୍କ ବାପା କାରଗିଲ ଯୁଦ୍ଧ ଲଢ଼ିଥିଲେ । ଆର୍ମି ସ୍କୁଲରେ ପଢ଼ୁଥିବା ବେଳେ ସେ ସନ୍ତରଣ କ୍ୟାମ୍ପରେ ଅଭ୍ୟାସ ଆରମ୍ଭ କରିଥିଲେ । ଭଲ ପ୍ରଦର୍ଶନ ସତ୍ୱେ ତାଙ୍କ ମନ ଲାଗୁ ନ ଥିଲା । ଯେତେବେଳେ ସମୟ ମିଳୁଥିଲା ସେ କ୍ରିକେଟ ଖେଳୁଥିଲେ । ତାଙ୍କ ବାପା ପ୍ରଥମେ ଏ ନେଇ ରାଗିଥିଲେ ପରେ ଅବଶ୍ୟ ପୁଅର ଜିଦ ଆଗରେ ହାରିଥିଲେ ।

୧୪ ବର୍ଷରୁ କମ ଓ ୧୬ ବର୍ଷରୁ କମରେ ସେ ଭଲ ପ୍ରଦର୍ଶନ କରିଥିଲେ । ୧୯ ବର୍ଷରୁ କମ ବିଶ୍ୱକପ ୨୦୨୦ରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା । ଏହା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ । ଫାଇନାଲରେ ଭାରତ ହାରି ଯାଇଥିଲେ ମଧ୍ୟ ଧ୍ରୁବଙ୍କ ନେତୃତ୍ୱରେ ଏସିଆ କପ ଜିତିଥିଲା । ପ୍ରଥମେ ସେ ସ୍ପିନ ବୋଲର ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ୱିକେଟ କିପିଂକୁ ଆପଣାଇ ନେଇଥିଲେ । ତାଙ୍କର ଭଲ ବ୍ୟାଟିଂ ଓ କିପିଂ ଅନ୍ୟମାନଙ୍କୁ ପ୍ରଭାବିତ କରିଥିଲା ।

୨୦୨୨ରେ ସେ ୟୁପି ପକ୍ଷରୁ ରଣଜୀ କ୍ୟାରିୟର ଆରମ୍ଭ କରିଥିଲେ । ଆଇପିଏଲରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ ଟିମରେ ସାମିଲ କରିଥିଲା । ତେବେ ୨୦୨୩ରେ ଖେଳିବା ସୁଯୋଗ ମିଳିଥିଲା । ସେ ପଞ୍ଜାବ କିଙ୍ଗସ ବିପକ୍ଷରେ ୧୫ ବଲରେ ୩୨ ରନର ଇନିଂସ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ କ୍ରମାଗତ ଭଲ ପ୍ରଦର୍ଶନ କରିବା ଯୋଗୁ ତାଙ୍କୁ ଏବେ ଭାରତୀୟ ସିନିୟର ଟେଷ୍ଟ ଟିମରେ ସୁଯୋଗ ମିଳିଛି । ସେ ଏହି ସୁଯୋଗ ହାତଛଡା କରି ନାହାନ୍ତି । ଏବି ଡିଭିଲର୍ସ ହେଉଛନ୍ତି ଧ୍ରୁବଙ୍କ ପ୍ରିୟ ଖେଳାଳି । ତେବେ ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜର ଆଦର୍ଶ ମନେ କରନ୍ତି ।

Leave A Reply

Your email address will not be published.