Latest Odisha News

BREAKING NEWS

ଏଫଆଇଏଚ ଫାଇନାଲ୍ସ: ଋୁଷିଆକୁ ୧୦ – ୦ ଗୋଲରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଗୁରୁବାର ଦିନ ଆରମ୍ଭ ହୋଇଥିବା ଏଫଆଇଏଚ ପୁରୁଷ ଫାଇନାଲ୍ସ ପ୍ରତିଯୋଗିତାରେ ଆୟୋଜକ ଭାରତ ଋଷିଆ ବିପକ୍ଷରେ ୧୦ଟି ଗୋଲ୍ ସ୍କୋର କରି ତା’ର ବିଜୟ ଅଭିଯାନ ଆରମ୍ଭ କରିଛି ।

ଆଜି ସନ୍ଧ୍ୟା ୭ଟା ସମୟରେ କଳିଙ୍ଗ ଷ୍ଟାଡ଼ିୟମରେ ଭରପୁର ଘରୋଇ ଦର୍ଶକଙ୍କ ସାମ୍ନାରେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲା । ଅଧିକାଂଶ ସମୟରେ ଭାରତୀୟ ଖେଳାଳିଙ୍କ ନିକଟରେ ବଲ୍ ରହୁଥିବା ବେଳେ ଦଳ ଗୋଲ ଦେବାର ସୁଯୋଗକୁ ଆଦୌ ହାତଛଡ଼ା କରିନଥିଲେ ।

ଖେଳ ଆରମ୍ଭ ହେବାର ମାତ୍ର ୧୩ ମିନିଟରେ ଭାରତ ପକ୍ଷରୁ ନୀଳକଣ୍ଠ ଶର୍ମା ଏକ ଗୋଲ୍ ସ୍କୋର୍ କରିଥିଲେ । ତେବେ ଏହା ପରଠାରୁ କ୍ରମାଗତ ଭାବେ ଅନ୍ୟ ଭାରତୀୟ ଖେଳାଳି ଋୁଷିଆ ବିପକ୍ଷରେ ଗୋଲ୍ ସ୍କୋର କରିଚାଲିଥିଲେ । ଖେଳର ୧୯ ମିନିଟରେ ସିମରନଜିତ ସିଂହ ଗୋଲ ଦେଇ ଭାରତକୁ ୨ – ୦ ସ୍କୋରରେ ଅଗ୍ରଣୀ କରାଇଥିଲେ । ଦଳର ଅଭିଜ୍ଞ ଖେଳାଳି ହରମନପ୍ରିତ ସିଂହ ୩୨ ମିନିଟ ଓ ୪୮ ମିନିଟ ସମୟରେ ଏକାକୀ ୨ଟି ଗୋଲ୍ ସ୍କୋର କରିପାରିଛନ୍ତି ।

ଏହାବ୍ୟତୀତ, ବରୁଣ କୁମାର, ଗୁରୁସାହିବଜୀତ ସିଂହ, ଆକାଶଦୀପ ସିଂହ ଏବଂ ବିବେକ ପ୍ରସାଦ ଗୋଟିଏ କରି ଗୋଲ ସ୍କୋର କରିଥିଲେ । ଭାରତ ୧୦ – ୦ ଗୋଲରେ ଋଷିଆ ଦଳକୁ ପରାସ୍ତ କରିପାରିଥିଲା ।

ମ୍ୟାଚରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳି ନୀଳକଣ୍ଠ ଶର୍ମା ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ପୁରସ୍କାର ହାସଲ କରିଛନ୍ତି ।

ସନ୍ଧ୍ୟା ୫ଟା ସମୟରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ପୋଲାଣ୍ଡ ଦଳ ଉଜବେକିସ୍ତାନକୁ ୪ – ୦ ଗୋଲରେ ପରାସ୍ତ କରିଛି ।

Leave A Reply

Your email address will not be published.