Latest Odisha News

BREAKING NEWS

ନବଦୁର୍ଗା : ବ୍ରହ୍ମଚାରିଣୀ ରୂପରେ ଦର୍ଶନ ଦେଉଛନ୍ତି ମା’

ଓଡିଶା ସମ୍ବାଦ ପକ୍ଷରୁ ସ୍ଵତନ୍ତ୍ର ଉପସ୍ଥାପନା "ନବଦୁର୍ଗା"

ଭୁବନେଶ୍ଵର: ଆରମ୍ଭ ହୋଇଯାଇଛି ଶାରଦୀୟ ନବରାତ୍ରୀ । ଆଜି ନବରାତ୍ରୀର ଦ୍ୱିତୀୟ ଦିନ । ନବରାତ୍ରୀର ନଅ ଦିନ ଯାକ ଦେବୀ ଦୁର୍ଗାଙ୍କ ନଅ ସ୍ୱରୂପଙ୍କୁ ପୂଜା କରିବାର ବିଧି ରହିଥିବା ବେଳେ ଆଜି ମାଙ୍କର ଦ୍ୱିତୀୟ ସ୍ୱରୂପ ବ୍ରହ୍ମଚାରିଣୀଙ୍କ ପୂଜା କରାଯାଉଛି । ଏଠାରେ ବ୍ରହ୍ମ ଶଦ୍ଦ ର ଅର୍ଥ ତପସ୍ୟା । ବ୍ରହ୍ମଚାରିଣୀ ଅର୍ଥାତ୍ ତପର ଚାରିଣୀ । ମାଙ୍କର ବ୍ରହ୍ମଚାରିଣୀ ସ୍ୱରୂପ ପୂଣ୍ୟ ଜ୍ୟୋତିର୍ମୟ ଏବଂ ଅତ୍ୟନ୍ତ ଭବ୍ୟ ।

ବ୍ରହ୍ମଚାରିଣୀ

ନବରାତ୍ରର ଦ୍ବିତୀୟ ଦିନରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ବ୍ରହ୍ମଚାରିଣୀ ରୂପରେ ଉପାସନା କରିଥାନ୍ତି । ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ମା’ ଭଗବାନ ଶିବଙ୍କୁ ପତି ରୂପେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା ପାଇଁ ଦେବୀଙ୍କ ନାମ ତପଶ୍ଚାରିଣୀ ଅର୍ଥାତ୍‌ ବ୍ରହ୍ମଚାରିଣୀ ହୋଇଛି । ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି । ମା’ଙ୍କ ଏହି ସ୍ବରୂପକୁ ପୂଜା କଲେ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ମା’ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା ।

ଏହା ମଧ୍ୟ ପଢନ୍ତୁ

https://odishasambad.in/navratri-day-1-is-dedicated-to-mata-shailputri/

ଆନନ୍ଦମୟୀ ଦେବି ଶୁକ୍ଳ ବସ୍ତ୍ର ପରିହିତା । ସହାସ୍ୟ ବଦନୀ, ମସ୍ତକରେ ମୁକୁଟ । ଡାହାଣ ହାତରେ ଜପାମାଳା ଏବଂ ବାମ ହସ୍ତରେ କମଣ୍ଡଳୁ । ବ୍ରହ୍ମଜ୍ଞାନ ପ୍ରଦାନ ଏବଂ ବ୍ରହ୍ମଙ୍କୁ ପ୍ରାପ୍ତି ଦେବୀଙ୍କ ସ୍ଵଭାବ । ଇନ୍ଦ୍ରଙ୍କୁ ବ୍ରହ୍ମଚାରିଣୀ ରୂପରେ ସେ ବ୍ରହ୍ମ ଜ୍ଞାନ ପ୍ରଦାନ କରିଥିଲେ । ଏକଦା ଦେବ ଏବଂ ଅସୁର ସଂଗ୍ରାମରେ ଦେବତାମାନେ ବିଜୟୀ ହେଲେ । ଏ ବିଜୟର ଉତ୍ସ ସେହି ମହାଦେବୀଙ୍କୁ ଦେବତା ମାନେ ଭୁଲି ଅହଙ୍କାରୀ ହୋଇ ଗଲେ । ଦେବତା ଗଣ ଏକତ୍ରିତ ହୋଇଥାନ୍ତି । ସେମାନେ ଦେଖିଲେ ଦିଗବଳୟରେ ଗୋଟିଏ ଉଜ୍ୱଳଜ୍ୟୋତି ବିନ୍ଦୁ । ଇନ୍ଦ୍ର ଅଗ୍ନିଙ୍କୁ ଏ ଜ୍ୟୋତି ବିନ୍ଦୁ କଣ ବୋଲି ପଚାରିଲେ । ଅଗ୍ନିଦେବ ଯାଇ ସେହି ଜ୍ୟୋତିଙ୍କୁ ପଚାରିଲେ ଆପଣ କିଏ ? ତାଙ୍କୁ ଜ୍ୟୋତି କହିଲେ ଆପଣ କିଏ କୁହନ୍ତୁ ତ ? ଅଗ୍ନି କହିଲେ ମୁଁ ଅଗ୍ନି ଏ ସାରା ବ୍ରହ୍ମାଣ୍ଡକୁ ଭସ୍ମ କରିବା ଶକ୍ତି ମୋର ପାଖରେ ଅଛି ।

ଜ୍ୟୋତିର୍ମୟୀ ଦେବୀ ଏକ ତୃଣ ଗୁଚ୍ଛ ଦେଇ ଦଗ୍ଧ କରିବା ପାଇଁ କହିଲେ ହେଲେ ଅଗ୍ନି ଦେବତା ତାହା କରିପାରି ନଥିଲେ । ଏଣେ ଅଗ୍ନି ନ ଫେରିବାରୁ ଇନ୍ଦ୍ର ବାୟୁଙ୍କ ପ୍ରେରଣା କଲେ । ମାଆ ଅହଂକାର ଭଗ୍ନ ପାଇଁ ବାୟୁଙ୍କ ସମ୍ମୁଖରେ ତୃଣରୁ ଖଣ୍ଡିଏ ପକାଇ ଉଡ଼ାଇବାକୁ କହିଲେ । ବାୟୁ ତାହା କରି ନପାରି ଲଜ୍ଜିତ ହେଲେ । ତାପରେ ସ୍ୱୟଂ ଦେବରାଜ ଆସି ଉପସ୍ଥିତ ହେଲେ । ମାତ୍ର ଜ୍ୟୋତି କେଉଁ ଆଡେ ଅର୍ନ୍ତଧାନ ହୋଇଗଲେ ଏବଂ କିଛି ସମୟ ପରେ ତାଙ୍କ ସମ୍ମୁଖରେ ବ୍ରହ୍ମଚାରିଣୀ ରୂପରେ ଆବିର୍ଭୁତା ହେଲେ । ଦେବୀ ଇନ୍ଦ୍ରଙ୍କୁ ତାଙ୍କ ବିନା ଜଗତରେ କୌଣସି ଶକ୍ତି ନାହିଁ ବୋଲି ବୁଝାଇ ଥିଲେ ଏବଂ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ । ଦେବୀଙ୍କର ଗ୍ରହ ମଙ୍ଗଳ । ମନ୍ତ୍ର-ଓଁ ଦେବୀ ବ୍ରହ୍ମଚାରିଣ୍ୟେ ନମଃ ।

Leave A Reply

Your email address will not be published.