ମରୀଚିକା ପଛେ ଆଉ କେତେ ଧାଇଁବ ଧାଉଁ ଭୁବନେଶ୍ୱର

ଭୁବନେଶ୍ୱରରେ ଜିଜିପି କଲୋନୀରେ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଜଣେ ଛାତ୍ର କିଛି ବର୍ଷ ତଳେ  ପ୍ରଥମେ ଭାସିଯାଇଥିଲା । ତାହା ପରେ ଆଉ ଜଣେ ଛାତ୍ର ରାତ୍ରରେ ଭାସିଗଲେ । ଏହା ମଧ୍ୟରେ ଜଣେ ଗାଈ ଚରଉଥିବା ପିଲା ମଧ୍ୟ ଗଙ୍ଗୁଆରେ ଭାସିଗଲା । ଆଉ ଶୁଣିବାକୁ ପାଇଲି ଆଉ ଜଣେ ପିଲା ଆଜି ଭାସିଗଲା !

କହିଲେ କୁଳ କୁଟୁମ୍ବକୁ ଲଜ୍ୟା ଆଉ ନକହିଲେ କୁଳ ଭାସି ଯାଉଛି। ଅବଶ୍ୟ ଯୋଉ ସହରରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପ୍ରସ୍ତୁତ ସ୍ମାର୍ଟ ଜନପଥରେ ୨୪/୭ ଆଧାରରେ ପାଣି ଜମୁଛି, ଏବଂ ବର୍ଷା ହେଲେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରୁଛି। ସେହି ସହରରେ ଅନ୍ୟ ଅଞ୍ଚଳ ଜଲମଗ୍ନ ହେବା ଆଉ ମୁଁ ସହରାଞ୍ଚଳ ଯୋଜନରେ ଶିକ୍ଷା ଲାଭ କରି ସମସ୍ୟାର ସମାଧାନ ମାଧ୍ୟମ ଜାଣି ମଧ୍ୟ ମୋ ଅଞ୍ଚଳରେ ମୋତେ କଂକ୍ରିଟ ରାସ୍ତାରେ ଆଣ୍ଠୁଏ ପାଣିରେ ଯିବା ଆସିବା କରିବାକୁ ପଡୁଛି। ସେହି ଭୁବନେଶ୍ୱର ଉପରେ ଆଉ କ’ଣ କୁହା ଯାଇପାରିବ ?

ପାଶ୍ଚାତ୍ୟ ରଙ୍ଗୀନ ଦୁନିଆ ସ୍ୱପ୍ନର ମରୀଚିକା ପଛେ ଆଉ କେତେ ଧାଇଁବ ଧାଉଁ। ଭୁବନେଶ୍ୱର ନିଜସ୍ୱ ହରେଇ ଭବିଷ୍ୟତ ପଛରେ ଅନ୍ଧାର ଆଲୋକରେ ଦୀପ ଖୋଜିବା ସଦୃଶ୍ୟ ପାଳଟି ସାରିଲାଣି । ହେଲେ ସବୁ ଦେଖି ମଧ୍ୟ ଏଠି ସମସ୍ତେ ଚୁପ। ନିଜର ରାଜନେତା, ପ୍ରସାଶକ , ଗଣମାଧ୍ୟମ, ଲୋକ ପ୍ରତିନିଧିମାନଙ୍କ ପ୍ରତି ଭକ୍ତିର ଭାବ ଏତେ ଉର୍ଦ୍ଧ୍ବ ହୋଇଗଲାଣି ଯେ, ଏଠି ହଳଦିଆ ରଙ୍ଗକୁ ଯଦି ସେମାନେ ମାଟିଆ ରଙ୍ଗ କହୁଛନ୍ତି, ତେବେ ଭକ୍ତମାନେ ମଧ୍ୟ ହଳଦିଆକୁ ମାଟିଆ କହିବାକୁ ପଛଉ ନାହାନ୍ତି।

ଫଳସ୍ୱରୂପ ଭୁବନେଶ୍ୱର ବର୍ତ୍ତମାନ ଧାଇଁଛି ପୁରସ୍କାର ଦୌଡ଼ରେ। ପୁରସ୍କାର ପଛରେ ଧାଇଁବା କିଛି ଭୁଲ ନାହିଁ, ହେଲେ ଉତ୍ତମ ପୁରସ୍କାର ପଛରେ ଦୌଡ଼ିବାର କୌଶଳ ଶିଖିବାର ଅଛି। ଭୁବନେଶ୍ୱରରେ ବହୁତ କିଛି ହଉଛି, ହେଲେ ସବୁକିଛି ଯେପରି ପ୍ରାୟୋଜିତ କାର୍ଯ୍ୟକ୍ରମ ଭଳି। କାର୍ଯ୍ୟକ୍ରମ ସରିଲା ଦର୍ଶକ ଫୋଟୋ ଉଠେଇଲେ, ସାମାଜିକ ଗଣ ମାଧ୍ୟମରେ ନିଜକୁ ସହରର ବାଇମୁଣ୍ଡି ବୋଲାଇଲେ। ହେଲେ କେଉଁଥିରେ ଭୁବନେଶ୍ୱର ଏମିତି ସହରାଞ୍ଚଳ ପରିଚାଳନାର ଉଦାହରଣ ସୃଷ୍ଟି କରିଛି ଯାହାକୁ ଭାରତର ସହର ମାନେ ନିଜ ସହର କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ କରିପାରିବେ। ସମ୍ଭବତଃ ଏହି ପ୍ରଶ୍ନର ଉତ୍ତର ଥିଲେ ମଧ୍ୟ କେହି ଉତ୍ତର ଖୋଜୁନାହାନ୍ତି।

ଭୁବନେଶ୍ୱର ଏକ ଯୋଜନା ବଦ୍ଧ ସହର ଥିଲା, ହେଲେ ବର୍ତ୍ତମାନ ଏହାକୁ ଯୋଜନା ବଦ୍ଧ ସହର କହିବା ସମ୍ଭବତଃ ହାସ୍ୟାସ୍ପଦ ସଦୃଶ। ଗୋଟେ ସହର ଯେତେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରୁ, ହେଲେ ଯଦି ସହରର ଭୂଗୋଳକୁ ଅବମାନନା କରାଯିବ ତେବେ ଯେତେ ଖଜଣା ଲଗେଇଲେ ମଧ୍ୟ ଏକ ବିଶ୍ୱସ୍ତରୀୟ ସହର ହବା ସମ୍ଭବପର ନୁହେଁ ।

ଦ୍ୱିତୀୟ କାରଣ ଜଳବନ୍ଦୀରେ ଭୁବନେଶ୍ୱର ସହର ହେଉଛି ପ୍ରାୟତଃ ସମସ୍ତ ଘର ବର୍ତ୍ତମାନ କଂକ୍ରିଟ ପାଚେରୀରେ ଆବଧ ଏବଂ କଂକ୍ରିଟ ବ୍ଳକରେ, ଯାହା ଆଗରୁ ଗଛର ବାଡ଼ ଥିଲା ଏବଂ ମାଟି ଓ ପିଚୁ ରାସ୍ତା ଥିଲା। ଫଳସ୍ୱରୂପ ବର୍ଷା ହେଲେ ପାଣିର ଜାତାୟତରେ କିଛି ଅବରୋଧ ରହୁନଥିଲା। କିନ୍ତୁ କଂକ୍ରିଟ ପାଚେରୀ ଏବଂ ରାସ୍ତା ବର୍ଷା ହବା ମାତ୍ରେ କୃତିମ ହ୍ରଦ ସୃଷ୍ଟି କରୁଛି ଓଃ ଏହାର ବେଗକୁ ଅନୁମାନ କରିବା, ସାଧାରଣ ଲୋକଙ୍କ ପାଇଁ ସମ୍ଭବପର ନୁହେଁ।

ତୃତୀୟ କାରଣ ହେଉଛି ଭୁବନେଶ୍ୱର ମଧ୍ୟରେ ପ୍ରବାହିତ ସମସ୍ତ ପ୍ରାକୃତିକ ନାଳ ମାନଙ୍କୁ କୃତିମ ଜଳ ନିଷ୍କାସନ ମାଧ୍ୟମ କରି ଏହାର ଚଉଡା ଏବଂ ଗତିପଥରେ ବହୁମାତ୍ରାରେ ବଦଳାଯାଇଛି, କଂକ୍ରିଟ ଅଭୟାରଣ୍ୟ ପାଇଁ। ଫଳସ୍ୱରୂପ ଏହି ନାଳ ମାନେ ବର୍ତ୍ତମାନ ବର୍ଷା ଜଳ ନେବାରେ ଅକ୍ଷମ ଏବଂ ଅସହାୟ।

ଚତୁର୍ଥ କାରଣ ତେସ୍ତରୀ ବର୍ଷ ତଳେ ଯୋଉ ଭୁବନେଶ୍ୱର ସ୍ୱପ୍ନ ଦେଖି ଯୋଜନା ପ୍ରସ୍ତୁତ ହୋଇଥିଲା, ସମ୍ଭବତଃ ସେହି ସ୍ୱପ୍ନ ବର୍ତ୍ତମାନର ଯୋଜନରେ ଆଉ ଦିଶୁ ନାହିଁ । ଫଳସ୍ୱରୂପ ଯୋଉ ଜାଗା ଦିନେ ତଳିଆ ଅଞ୍ଚଳ ଅବା ଘର ଅଟ୍ଟାଳିକା ହବା ପାଇଁ ଯୋଜନାରେ ବାରଣ ଥିଲା, ବର୍ତ୍ତମାନ ଯୋଜନା ସେଠାରେ ଘର ଅଟ୍ଟାଳିକା କରିବା ପାଇଁ ଅନୁପତି ପ୍ରଦାନ କରୁଛି। ଯାହା ଫଳରେ ସହର ମଧ୍ୟରେ ଥିବା ଖାଲି ସ୍ଥାନ ବର୍ତ୍ତମାନ କଂକ୍ରିଟ ଅଭୟାରଣ୍ୟnଏବଂ ଭୁବନେଶ୍ୱର ମଧ୍ୟରେ ସନ୍ତସନ୍ତିଆ ଆଦ୍ର ଭୂମିର ଘୋର ଅଭାବ ପାଣିକୁ ଶୋଷିବା ପାଇଁ।

ପଞ୍ଚମ କାରଣ ହେଉଛି ସମୟ ସହିତ ଭୁବନେଶ୍ୱର ସହର ଜଳବାୟୁ ପରିବର୍ତ୍ତନକୁ ନଜରରେ ରଖି ଗଢା ଯାଇପାରିଲା ନାହିଁ। ଫଳସ୍ୱରୂପ ବର୍ଷ ତମାମ ଯେତିକି ବର୍ଷା ହବା କଥା ତାହା ବର୍ତ୍ତମାନ କିଛି ଘଣ୍ଟା ଅବା ଦିନରେ ହୋଇଯାଉଛି। ଯାହାଫଳରେ ବର୍ଷା ଜଳ ସଂରକ୍ଷଣ କରାଯିବାର ସୁବିଧା ସୁଯୋଗ ନାହିଁ। ସବୁଠାରୁ ବଡ଼ ବିଷୟ ହେଉଛି ବିଗତ ଦୁଇ ଦଶନ୍ଧିରେ ବିକଶିତ ସହରମାନେ ଜଳବାୟୁ ପରିବର୍ତ୍ତନକୁ ନଜରରେ ରଖି ନିଜ ସହରକୁ ରଖି ଗଢୁଥିବା ବେଳେ ଭୁବନେଶ୍ୱରରେ ଯାହାକିଛି ଥିଲା ଜଳବାୟୁ ପରିବର୍ତ୍ତନକୁ ନସୁହାଇବା ଭଳି ଭୌଗଳିକ ଚିତ୍ରକୁ ଯୋଜନା ବଦ୍ଧ ଭାବେ ବଦଳିଗଲା । ଜଳବାୟୁ ପରିବର୍ତ୍ତନକୁ ସୁହାଇଲା ଭଳି ଏକ ବସନ୍ତ ବିହୀନ ଉତ୍ତପ୍ତ ସହରରେ ପରିଗଣିତ ହେବା ପାଇଁ।

ବର୍ତ୍ତମାନ ମଧ୍ୟ ସମୟ ଅଛି ଘଟିଥିବା ଭୁଲକୁ କୃତିମ ଉପାୟରେ ସୁଧାରିବା ପାଇଁ। ଯେପରି ପୁରାତନ କାଳରେ ରାଜା ମହାରାଜା ମାନେ ନିଜ ରାଜ୍ୟ ସୁରକ୍ଷା ପାଇଁ ଦୁର୍ଗ ନିର୍ମାଣ କରୁଥିଲେ। ଠିକ ସେହିଭଳି ଭୁବନେଶ୍ୱର ନିଜ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରି ତାକୁ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ କର୍ଯ୍ୟକାରୀ କରିବା ଦରକାର। ଯଥା ଯେପରି ବୃତ୍ତାକାର ରାସ୍ତା ନିର୍ମାଣ ହଉଛି ସହର ମଧ୍ୟରେ ଏବଂ ବାହାରେ। ଠିକ ସେହିପରି ନିର୍ଦ୍ଦିଷ୍ଟ ଦୂରତ୍ୱରେ ବୃତ୍ତାକାର କେନାଲ ନିର୍ମାଣ ହବା ଦରକାର। ଏହି କେନାଲ କମସେ କମ ତିନୋଟି ହବା ଦରକାର, ଯାହା ବର୍ତ୍ତମାନର ପ୍ରାକୃତିକ ନାଳକୁ ନିଜ ମଧ୍ୟରେ ସଂଯୋଗ କରିପାରିବ ଏବଂ ଏହି କେନାଲର ଉଭୟ ପାର୍ଶ୍ଵରେ ଦୁଇ ଶହ ପାଞ୍ଚଶହ ମିଟରର ସବୁଜ ବଳୟ ସୃଷ୍ଟି କରିବା ଦରକାର। ଫଳସ୍ୱରୂପ ଆଗାମୀ ଦିନରେ ଭୁବନେଶ୍ୱରକୁ କେବଳ ଜଳବନ୍ଦୀ ନୁହେଁ ବରଂ ଉତ୍ତପ୍ତ ସହର ଆଖ୍ୟାରୁ ବଞ୍ଚାଯାଇ ପାରିବ ଏବଂ ବସନ୍ତ ଋତୁର ଆଗମନ ପାଇଁ ପରିବେଶ ସୃଷ୍ଟି ହୋଇପାରିବ। ନହେଲେ ମହାଭାରତରେ ଦ୍ରୌପଦୀ ଯେପରି ସବୁକିଛି ଭୁଲି କେବଳ ଏକ ମନ ଏକ ଧ୍ୟାନରେ ନିଜର ବନ୍ଧୁ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିଥିଲେ ସୁରକ୍ଷା ପାଇଁ, ଠିକ ସେହିଭଳି ବର୍ତ୍ତମାନ କେବଳ ସମୟକୁ ଅପେକ୍ଷା ଛଡା ଆଉ କିଛି ମାଧ୍ୟମ ଦିଶୁନାହିଁ ।