Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୪

ରୂପରେଖ  ନାହିଁ ଯା’ର ଶୂନ୍ୟ ମନ୍ଦିରେ ବିହାର । “ସ୍ବର ଲମ୍ବେଇ  ଖଞ୍ଜଣି ସହ ଅଗଣି ଜେନା,କୃପା  ବିନ୍ଧାଣୀ,  ମାଗୁଣି ପାତ୍ର, ତୀର ଘଡେଇ,  ଶଶି ମହାକୁଡ, ହରିଶ ମୁଖୀ  ଇତ୍ୟାଦି ସମସ୍ତେ ପାଳିଆ ଧରି  ଗାଆନ୍ତି। ବାପାବି ସେମାନଙ୍କ ମଧ୍ୟରୁ ଜଣେ ହୁଅନ୍ତି।  ଭଜନ ସହ ଏକାତ୍ମ ହୋଇ ଯାଆନ୍ତି ସେମାନେ । ଶୂନ୍ୟ ସତ୍ତା ସହ ମିଳିତ ହୋଇଯାଆନ୍ତି କି ଆଉ ! ଗାଁ ଶେଷମୁଣ୍ଡରେ କମ୍  ଆଲୋକ ସହ ଏ  ଖଞ୍ଜଣି ଭଜନର ସମାରୋହ ଅନ୍ୟ ଅନେକଙ୍କୁ  ବିଶେଷ କିଛି  ପ୍ରଭାବିତ କରେ କି  ନାହିଁ କେଜାଣି କେହି ଅସନ୍ତୋଷ ପ୍ରକାଶ କରନ୍ତିନି। ଆମ ପିଲା ପଢି ପାରୁନି ,ଶବ୍ଦ କରନା  ବୋଲି କାହିଁ କେହି କହିନି କେବେ।

ଅନେକ ଅନେକ  ଅଲେଖ ଧର୍ମାବଲମ୍ବୀଙ୍କୁ ଦେଖିଚି ଚନ୍ଦ୍ରା ପିଲାବେଳୁ   ଗେରୁଆଲୁଗାରେ କୌପୀନ,କାନ୍ଧରେ ଖଣ୍ଡେ ଗେରୁଆ ଲୁଗା, ବଡବଡ ବିଞ୍ଚଣା ଯାହା ଖରା କି ବର୍ଷାରୁ  ବି ରକ୍ଷା କରିବ, ମୁଣ୍ଡରେ ଲମ୍ବା ବିରାଟ ଜଟାଗୁଡେଇ ହୋଇ ଏଇମାନେ ଆସନ୍ତି …। କାହାଘରେ ସେମାନେ ବେଶି ସମୟ ରହନ୍ତି ନାହିଁ।  ଉଦୟ ଓ ଅସ୍ତ  ସୂର୍ଯ୍ୟଙ୍କୁ  ନମସ୍କାର ସହ ସୂର୍ଯ୍ୟାସ୍ତ ପୂର୍ବରୁ ଖିଆପିଆ ଶେଷକରି ଖଞ୍ଜଣି ଭଜନ କରନ୍ତି।  କିଛି ଗୃହୀ ସେମାନଙ୍କୁ  ସଙ୍ଗ ଦିଅନ୍ତି। ଆଉ କିଛି  ଅନୁସରଣ କରନ୍ତି ସେସବୁ ନୀତି ନିୟମକୁ। ମଜାକଥାହେଉଚି,  ବିରାଟ ତେନ୍ତୁଳି ଗଛ ପାଖରେ କିଏ ଯେ କବାଟ ଝରକା ନ ଲଗେଇ ଘରଟେ  କରିଥିଲା ସେଇଠି ଏମାନେ ମଝିରେ ମଝିରେ ଆସି ରହନ୍ତି । ବାଡ ଭର୍ତ୍ତି କାନକୋଳି ଲୋଭରେ ଉଙ୍କିମାରି ଦେଖିହୁଏ ଏମାନଙ୍କୁ। ଡର ଲାଗେ ବେଶଭୂଷାରୁ । ବେଶ ଆତ୍ମୀୟ ଲାଗେ ଚାଲିଚଳଣରୁ।

ବଡ ତାଳପତ୍ର ବିଞ୍ଚଣା ସହ ସାତଭାୟା ତାଳ ଗଛ ବାରମ୍ବାର ମନେ ପଡୁଥିଲା ଆଜି। ଘରଠୁ ଢେର  ଦୂରରେ ହେଲେବି  ଦିଶେ ଯେମିତି  ସେସବୁ ଛିଡାହୋଇ ହାତ ହଲାନ୍ତି ପଥିକକୁ, ନା..ନା ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କୁ  ନା ମ ପୁଣି ଲାଗେ ଆକାଶକୁ ,ମେଘକୁ କି ପକ୍ଷୀକୁ। ମୁଁ  ଦୁଇ ହାତ ହଲାଏ। ଡାକ ପକାଏ ଆତ୍ମୀୟ ଢଙ୍ଗରେ। ବଡ ଦାମ୍ଭିକ …ସାତଜଣ, ସାତଭାଇ, କିଏ ପାରିବ ରେ ବାବା। ଏମିତି କ’ଣ ଶ୍ରୀରାମଙ୍କ ସହ ବାଳୀର  ଯୁଦ୍ଧ ହୋଇଥିବ ତାଳଗଛ ଉହାଡରେ , ବାଣ  ଭେଦିଥିବ ..,କେଜାଣି। ତାଳଗଛ କହିଲେ ବାଇଆବସା, ଘରର ଓରା, ତେଣ୍ଡାର ନଳା, ଭୁତ,ପିଶାଚ  …ମକର ବାଉଣ୍ଡି  , ପାଛିଆ, ବିଞ୍ଚଣା, ଆସନ,ଝାମ୍ପି, ପଖିଆ ….କାହିଁରେ କେତେ କଥା। ‘ତଳ ବରଡା ଖସୁଚି, ଉପର ବରଡା ହସୁଚି, ମଝିବରଡା ଥାଇ କହୁଚି, ତୋ’ ଦିନକାଳ ଯାଉଚିରେ ବନ୍ଧୁ , ମୋ’ ଦିନକାଳ ଆସୁଚି।’

ଘେନିଲେ ଭଲ ନହଲେ ବି  ଜଣେ ଜୀବନକୁ ଦେଖିବ ଏଇ ପଦକରେ ।କେତେ କଥା ଏ ଗଛକୁ ନେଇ। ବୁଢାବୁଢୀ ଖୋଜିବେ ଅଣ୍ଡିରା ତାଳ ଚେର ଟିକିଏ, ନଜର ନଲାଗିବା ପାଇଁ। ଆଉ ତାଳସଜ, ଖରାଦିନିଆ ମଜା….ଆଇସକ୍ରୀମ ଆମର।

ତାଳପିଠା ଆଈ ଓ ଜେଜିର ଅଲଗା କିନ୍ତୁ ସୁଆଦିଆ। ଜଣେ  ରୂପନାରାୟଣର କୂଳରୁ ତ ଜଣେ ବୁଢାବଳଙ୍ଗ ତୀରରୁ। ନଦୀ ତ ଏକାଭଳି ଲାଗେ, ସର୍ପିଳ,  ଝରଝର, ବହିଯିବା ଧର୍ମ ଯା’ର ସବୁକୁ ଗୋଟେଇ । ପିଲାବେଳୁ ତା’ସହ ସମ୍ପର୍କ କେମିତି ଗୋଟାଏ  ଘନିଷ୍ଠ ହୋଇ ଯାଇଚି। ମଲେ ତୁଟିବ। ରୂପନାରାୟଣ, ଶୋଣ, ଗଙ୍ଗାହାର, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ….ସବୁ ଗୋଟିଏ ପ୍ରକାର କଥା କୁହନ୍ତି। ।

Leave A Reply

Your email address will not be published.