Latest Odisha News

BREAKING NEWS

ନୂଆ ଡିଜିଟାଲ୍ ମିଡିଆ ଗାଇଡଲାଇନରେ ହସ୍ତକ୍ଷେପ କରିପାରିବେନି ରାଜ୍ୟ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ-୨୦୨୧ର ଭାଗ ୩ ଅଧୀନରେ ସମସ୍ତ କ୍ଷମତା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଲାଗୁ କରିବ । ଭାଗ-୩ରେ ରାଜ୍ୟ ସରକାର, ଜିଲ୍ଲାପାଳ କିମ୍ବା ପୋଲିସ ଆୟୁକ୍ତମାନଙ୍କୁ କୌଣସି କ୍ଷମତା ପ୍ରଦାନ କରାଯାଇନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । ଏ ସଂକ୍ରାନ୍ତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସକମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

ପତ୍ରରେ ଏହି ଅନୁରୋଧ ମଧ୍ୟ କରାଯାଇଛି ଯେ ଏହି ସୂଚନାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅବଗତି ନିମନ୍ତେ ସୂଚୀତ କରାଯିବା ଆବଶ୍ୟକ ।

ଏହି ପତ୍ର ମାଧ୍ୟମରେ ଭାଗ-୩ ଅନ୍ତର୍ଗତ ନିୟମଗୁଡ଼ିର ବ୍ୟବସ୍ଥା ସମ୍ପର୍କରେ ପୁଣିଥରେ ସ୍ପଷ୍ଟ କରିଦିଆଯାଇଛି । ଏହା ଡିଜିଟାଲ ସମାଚାର ଏବଂ ସମ-ସାମୟିକ ପ୍ରସଙ୍ଗ ପ୍ରକାଶିତ କରୁଥିବା ପ୍ରକାଶକ ଏବଂ ଅନଲାଇନ ପ୍ରଦର୍ଶିତ ବିଷୟବସ୍ତୁ (ଓଟିଟି ପ୍ଲାଟଫର୍ମ)ର ପ୍ରକାଶକମାନଙ୍କ ସହ ଜଡ଼ିତ । ଏହି ପତ୍ରରେ କୁହାଯାଇଛି, ଏହି ନିୟମରେ ଏପରି ଆଚାର ସଂହିତା ଉପଲବ୍ଧ କରାଯାଇଛି ଯାହାକୁ ଡିଜିଟାଲ ସମାଚାର ପ୍ରକାଶକ ଏବଂ ଓଟିଟି ବିଷୟବସ୍ତୁ ପ୍ରକାଶକମାନେ ପାଳନ କରିବେ । ଏଥିରେ ବୟସ ଆଧାରିତ ପାଞ୍ଚ ପ୍ରକାରର ବର୍ଗୀକରଣ ମଧ୍ୟ ସାମିଲ ରହିଛି ।

ଏହାବ୍ୟତୀତ, ଏସବୁ ନିୟମ ଅନୁଯାୟୀ, ଏକ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥାର ମଧ୍ୟ ଆବଶ୍ୟକତା ରହିବ ଯେଉଁଥିରେ ପ୍ରକାଶକ (ସ୍ତର-୧), ପ୍ରକାଶକମାନଙ୍କ ଦ୍ୱାରା ଗଠିତ ସ୍ୱ-ନିୟମନ ସଂସ୍ଥା(ସ୍ତର-୨) ଏବଂ ସରକାରଙ୍କ ଅନୁଧ୍ୟାନ ବ୍ୟବସ୍ଥା (ସ୍ତର-୩) ସାମିଲ ରହିବ । ଏହାପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯୋଗ ସମାଧାନ ପାଇଁ ଏକ ବ୍ୟବସ୍ଥା ବିକଶିତ ହୋଇପାରିବ । ଶେଷରେ ଏହି ନିୟମଗୁଡ଼ିକ ଅନୁଯାୟୀ, ପ୍ରକାଶକମାନଙ୍କ ସରକାରଙ୍କ ସମ୍ମୁଖରେ ସୂଚନା ଉପସ୍ଥାପନ କରିବାକୁ ହେବ ଏବଂ ସାର୍ବଜନୀନ ପରିଧିରେ ଅଭିଯୋଗ ସମାଧାନ ସମ୍ପର୍କରେ ସୂଚନା ନିର୍ଦ୍ଧାରିତ ସମୟରେ ପ୍ରଦାନ କରିବାକୁ ହେବ ।

ସୂଚନା ପ୍ରଯୁକ୍ତି ଆଇନ୍, ୨୦୦୦ ଅନ୍ତର୍ଗତ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନଗୁଡ଼ିକ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ-୨୦୨୧, ଫେବ୍ରୁଆରୀ ୨୫ ତାରିଖରେ ଅଧିସୂଚୀତ କରାଯାଇଥିଲା ।

Leave A Reply

Your email address will not be published.