Latest Odisha News

BREAKING NEWS

‘ଆଧୁନିକ ଯୁଗରେ ଆଧ୍ୟାତ୍ମିକ ପ୍ରୋୟଗର ଆବଶ୍ୟକତା ରହିଛି’

ବ୍ରହ୍ମପୁର: ଆତ୍ମନିର୍ଭର ଭାରତରେ ଚାଷର ଆବଶ୍ୟକତା ଅଧିକ ରହିଛି । କିଭଳି ଆମେ ବିନା ସାର ଏବଂ କୀଟନାଶକରେ ଚାଷ କରିବା ସେ ଦିଗରେ ଗୁରୁତ୍ୱ ଦେବା ଦରକାର । ସୋମବାର ବ୍ରହ୍ମପୁର ରାମଚନ୍ଦ୍ରପୁର ସ୍ଥିତ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ଆୟୋଜିତ ଆତ୍ମନିର୍ଭରଶୀଳ ଭାରତର କୃଷକ ସମାବେଶରେ ଏକଥା କହିଛନ୍ତି ମାଉଣ୍ଟ ଆବୁ (ରାଜସ୍ଥାନ) ବ୍ରହ୍ମକୁମାରୀଙ୍କ ମୁଖ୍ୟ କାର୍ଯାଳୟର କୃଷି ଓ ଗ୍ରାମ ବିକାଶ ବିଭାଗର ଉପାଧ୍ୟକ୍ଷ ରାଜଯୋଗୀ ରାଜୁ ଭାଇ । ବିଷାକ୍ତ କୀଟନାଶକ ଓ ରସାୟନିକ ସାରର ବହୁଳ ପ୍ରୟୋଗ କରି ଆଜି ଚାଷୀକୂଳ ହନ୍ତସନ୍ତ, ସେଥିପାଇଁ ଏକ ଆଧ୍ୟାତ୍ମିକ ପ୍ରୋୟଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ସେ କହିଛନ୍ତି, ସ୍ୱାଧୀନତା ବେଳକୁ ଦେଶର ଜନସଂଖ୍ୟା ଥିଲା ୩୫ କୋଟି। ତନ୍ମଧ୍ୟରୁ ଅଶୀ ପ୍ରତିଶତ ଚାଷ ଉପରେ ନିର୍ଭରଶୀଳ। ତଥାପି ଦାରିଦ୍ର୍ୟ ଓ ଖାଦ୍ୟାଭାବ ହେତୁ ଏଦେଶ ବିଦେଶୀ ସହାୟତା ପାଇଁ ହାତ ପତାଉଥିଲା। ପ୍ରଧାନମନ୍ତ୍ରୀ ଲାଲ ବାହାଦୂରଙ୍କ ଆହ୍ୱାନକ୍ରମେ ଦେଶ ସବୁଜବିପ୍ଳବରେ ଅଂଶ ଗ୍ରହଣ କଲା ସତ କିନ୍ତୁ ଚାଷୀର ଭାଗ୍ୟ ବଦଳିଲା ନାହିଁ। ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟ ବୋଧର ଅଭାବରୁ ସେ ରସାୟନିକ ସାର ବ୍ୟବହାର କରି ଜମିର କ୍ଷମତାକୁ ହ୍ରାସ କରିବାରେ ଲାଗିଲା। ଏପରି ଥିଲା ଭାରତର ଚିତ୍ର”।

ପ୍ରଭୁ ଉପହାର ରିଟ୍ରିଟ କେନ୍ଦ୍ରର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ର.କୁ ମାଳା ଅତିଥି ମାନଙ୍କ ପରିଚୟ ପ୍ରଦାନ କରି କୃଷକ ଅଭିଯାନରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଆହ୍ୱାନ ଦେଇଥିଲେ। ଉପସ୍ଥିତ ଶ୍ରୋତାଙ୍କୁ କମେଣ୍ଟାରୀ ମାଧ୍ୟମରେ ସେ ଯୋଗ କରାଇଥିଲେ। ସେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପ୍ରଦତ୍ତ ଏକ ବାର୍ତ୍ତାମଧ୍ୟ ପଢିଥିଲେ।

ଗ୍ରାସିମ (GRASIM) ଗଞ୍ଜାମ ଶାଖା ମୁଖ୍ୟ ଦିଗବିଜୟ ପାଣ୍ଡେ ଏହି ସମାବେଶରେ ଯୋଗଦେଇ ବ୍ରହ୍ମକୁମାରୀ ସଂସ୍ଥାର ପରିଚାଳନା ଗତ କୁଶଳତାର ଭୂୟସୀ ପ୍ରଶଂସା କରିଥିଲେ।

ଗଞ୍ଜାମ ଜିଲ୍ଲା ଆତ୍ମା ଯୋଜନାର ଉପ ନିର୍ଦ୍ଦେଶକ ଶ୍ରୀ ଅଜୟ ମହାପାତ୍ର ସମେତ ଅନ୍ୟାନ୍ୟ ଅତିଥି ଯୋଗିକ ଉପାୟରେ ବିହନ ରୋପଣ କରିଥିଲେ।ଜୈବିକ ଚାଷ କରି ଉତ୍ପାଦକତା ବୃଦ୍ଧି କରି ସାୟନିକ ସାର ହ୍ରାସ କରିପାରିଲେ କୃଷିର ମାନ ଉନ୍ନତ କରାଯାଇ ପାରିବ, କହିଥିଲେ ଶ୍ରୀ ମହାପାତ୍ର।

ମାଉଣ୍ଟ ଆବୁରୁ ଆସିଥିବା ରାଜଯୋଗୀ ସୁମନ୍ତ କହିଲେ ଯେ ଉତ୍ତମ ଓ ବିଶୁଦ୍ଧ ଶସ୍ୟ ଉତ୍ପାଦନ କରିବା ପାଇଁ ପ୍ରକୃତି ଦତ୍ତ ତତ୍ବର ଉପଯୋଗ କରି ସକାରାତ୍ମକ ଚିନ୍ତନ କଲେ ସେ ଖାଦ୍ୟ ଶସ୍ୟ ସମାଜର ହିତ ସାଧନ କରିବ ।

ମାଉଣ୍ଟ ଆବୁରୁ ଆସିଥିବା ବରିଷ୍ଠ ରାଜଯୋଗୀ ଶଶିକାନ୍ତ କୃଷକ ମାନଙ୍କୁ ପାରମ୍ପରିକ ପଦ୍ଧତିରେ ଚାଷକରି ଅକୃତ୍ରିମ ଓ ଅବିମିଶ୍ର ଶସ୍ୟ ଉତ୍ପାଦନ କରିବାକୁ ଆହ୍ବାନ ଦେଇଥିଲେ। ବ୍ରହ୍ମପୁର ସବଯୋନ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ର.କୁ. ମଞ୍ଜୁ ଭଉଣୀ ଆଶୀର୍ବଚନ ଅର୍ପଣ କରିଥିଲେ। ଏହି ସମାବେଶ ପରେ ମଂଗଳବାର ଠାରୁ ଏକ ତ୍ରିଦିବସୀୟ କୃଷକ ପ୍ରଶିକ୍ଷଣ କର୍ମଶାଳାର ଆୟୋଜନ କରାଯାଇଛି।

Leave A Reply

Your email address will not be published.