Latest Odisha News

BREAKING NEWS

୫ ଶହ ଟଙ୍କା ବଢିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କ ବୈଠକ ଦେୟ, ୨୦୨୩ ଅକ୍ଟୋବରରୁ ପିଛିଲା ଭାବେ ହେବ ଲାଗୁ

ଭୁବନେଶ୍ବର: ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ଦେୟ ପରିମାଣରେ ବୃଦ୍ଧି । ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନ କର୍ମକର୍ତ୍ତାଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କାକୁ ବୃଦ୍ଧି କରାଯିବ । ଏଥିରେ ଉପକୃତ ହେବେ ୧ ଲକ୍ଷ ୨୬ ହଜାର ୧୦ ଜଣ କର୍ମକର୍ତ୍ତା । ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଏହା ଲାଗୁ ହେବ ।

ଏନେଇ ଆଜି ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରସନର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ ମିଶନ ଶକ୍ତି ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏଥିରେ ବିଭିନ୍ନ ଗ୍ରାମପଞ୍ଚାୟତସ୍ତରୀୟ ଓ ବ୍ଲକସ୍ତରୀୟ ଫେଡେରେସନ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର କାର୍ଯ୍ୟକ୍ରମକୁ କ୍ରୀୟାଶୀଳ କରିବା ଦିଗରେ ଏହି ଫେଡେରେସନମାନଙ୍କର ସ୍ୱତନ୍ତ୍ର ଭୂମିକା ରହିଛି ।

5-T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ମିଶନ ଶକ୍ତି ଫେଡେରସନର କର୍ମକର୍ତ୍ତାମାନେ ସେମାନଙ୍କ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବୈଠକ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ, ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନର ସଭାପତି ଏ ସଂପାଦକ ତଥା ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ଦେୟ ପରିମାଣ ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ ।

ବ୍ଲକସ୍ତରୀୟ ଫେଡେରସନର ସଭାପତି ଓ ସଂପାଦକମାନେ ବୈଠକ ପାଇଁ ପୂର୍ବରୁ ୪ ହଜାର ଟଙ୍କା ପାଉଥିବା ବେଳେ ଏବେ ୪ ହଜାର ୫୦୦ ଟଙ୍କା ପାଇବେ । ସେହିପରି ଏହାର ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ପୂର୍ବରୁ ୨ ହଜାର ଟଙ୍କା ପାଉଥିବା ବେଳେ ଏବେ ୨ ହଜାର ୫୦୦ ଟଙ୍କା ପାଇବେ ।

ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନର ସଭାପତି ଓ ସମ୍ପାଦକମାନେ ବୈଠକ ପାଇଁ ପୂର୍ବରୁ ୨ ହଜାର ଟଙ୍କା ପାଉଥିବାବେଳେ ଏବେ ୨ ହଜାର ୫୦୦ ଟଙ୍କା ପାଇବେ ଏବଂ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟାମାନେ ପୂର୍ବରୁ ୧ ହଜାର ଟଙ୍କା ପାଉଥିବା ବେଳେ ଏବେ ୧ ହଜାର ୫୦୦ ଟଙ୍କା ପାଇବେ ।

ଏହା ଦ୍ୱାରା ବର୍ଷକୁ ୨୪୯.୨୧ କୋଟି ଟଙ୍କା ଖର୍ଚ୍ଚ ହେବ-
ସୂଚନାଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ୬୭୬ ଜଣ ବ୍ଲକସ୍ତରୀୟ ଫେଡେରସନ ସଭାପତି ଓ ସଂପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୩୦୪୨ । ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନରେ ୧୩ ହଜାର ୫୮୮ ଜଣ ସଭାପତି ଓ ସମ୍ପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୧,୦୮,୭୦୪ । ଏହା ପରି ସମୁଦାୟ ୧,୨୬,୦୧୦ କର୍ମକର୍ତ୍ତା ଉପକୃତ ହେବେ ।

Leave A Reply

Your email address will not be published.