Latest Odisha News

BREAKING NEWS

ଗାଁ ପିଲାର ଜିଦ୍

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା

ନିଜର କିଛି ପୁରୁଣା ସାଙ୍ଗ ଏବଂ କିଛି ସହକର୍ମୀଙ୍କ ସହିତ ଦିଲ୍ଲୀ ହାଟରେ ବସି ଖଟି କରୁଥିଲା ସନତ୍। ସେଇ ଖଟିରେ ଅଧିକାଂଶଙ୍କ ହାତରେ କପେ ଚାହା। ମାନେ ଚାହାପିଆ ସାଙ୍ଗକୁ ପାଇଖାନାରୁ ପାର୍ଲାମେଣ୍ଟ ଯାଏଁ ସବୁ ପ୍ରସଙ୍ଗରେ ସେଇଠି ଚାଲିଥାଏ ଆଲୋଚନା। କିଏ ନିଜ ସହରର ସମସ୍ୟା କଥା କହୁଥିଲା ତ ଆଉ କିଏ କେଉଁଠି କି ପ୍ରକାର ଖାଦ୍ୟ ମିଳୁଛି ସେ ସମ୍ପର୍କରେ ଦୀକ୍ଷାନ୍ତ ଭାଷଣ ଦେଉଥାଏ। କିଏ ଦେଶର ଆର୍ଥିକ ସାମାଜିକ ସ୍ଥିତିକୁ ନେଇ ନିଜ ପାଣ୍ଡିତ୍ୟର ପରିଚୟ ଦେବାକୁ ଚେଷ୍ଟା କରୁଥାଏ, ପୁଣି କିଏ କହୁଥାଏ ନିଜର ସଂଘର୍ଷପୂର୍ଣ୍ଣ ଜୀବନର କଥା। ଏ ସବୁ ଭିତରେ ସନତ୍ ଏମିତି କଣ ଗୋଟାଏ କହିଦେଲା ଯେ, ପ୍ରଥମେ କିଛି ସମୟ ପାଇଁ ସମସ୍ତେ ନୀରବ। ତା ପରେ ହଠାତ୍ ଠୋ ଠୋ ହୋଇ ହସିଉଠିଲେ ସମସ୍ତେ। କିଏ କିଛି କହିବା ପୂର୍ବରୁ ସମସ୍ତଙ୍କ ଏ ହସଟା କେଜାଣି କାହିଁକି ସନତକୁ ବଡ଼ ବିବ୍ରତ କରିଦେଉଥିଲା। ତାକୁ ଲାଗୁଥିଲା ସତେ ଯେମିତି ତାକୁ ସମସ୍ତେ ହସରେ ଉଡ଼ାଇ ଦେଉଛନ୍ତି। ଅତି ବିଦ୍ରୁପ କରୁଛନ୍ତି ତା କଥାକୁ ନେଇ। ବଡ଼ ଅସହଜ ମନେ କରୁଥିଲା ସନତ୍। ହଁ, ସେ ଏମିତି କଣ କହିଦେଲା ଯେ, ସମସ୍ତଙ୍କୁ ଏତେ ହସ ମାଡ଼ିଲା? ବଡ଼ ବିଚଳିତ ଭାବରେ ସେ ସେଠାରୁ ବାହାରି ଆସିବାକୁ ଚାହୁଁଥିଲେ ବି, ସେଇଠି ଥିବା ବନ୍ଧୁମାନେ କାଳେ ଖରାପ ଭାବିବେ, ସେହି ଡରରେ ସେ ସେଠାରେ ହିଁ ବସି ରହିଥିଲା। 

ସନତର ମନ ଦୁଃଖ ଏଇଥି ପାଇଁ ଯେ, ଦିଲ୍ଲୀର ଅଣଓଡ଼ିଆ ସାଙ୍ଗମାନେ ତାକୁ ଜାଣି ପାରିଲେନି ତା କଥାକୁ ନେଇ ହସିଦେଲେ କିଛି ଅସୁବିଧା ନାହିଁ, କିନ୍ତୁ ତାକୁ ପିଲାଦିନରୁ ଜାଣିଥିବା ତା ସହପାଠୀ ସାଙ୍ଗମାନେ ତ ଅନ୍ତତଃ ତାକୁ ଭଲ ଭାବେ ଜାଣିଛନ୍ତି। ସେ କେତେ ଜିଦଖୋର। ସେ କେମିତି ନିଜ ଚାହିଁବା ମୁତାବକ ଜିନିଷକୁ ହାସଲ ନକଲା ଯାଏଁ ଜିଦରୁ ହଟେନି। କିନ୍ତୁ ସେମିତି କିଛି ହେଲାନି। ସନତ୍ କହିଲା,  ମୁଁ ଏମିତି କଣ ଗୋଟାଏ ଅବାନ୍ତର କଥାଟେ କହିଦେଲି ଯେ, ତମେ ସମସ୍ତେ ଏତେ ଜୋରରେ ହସୁଛ? ମୁଁ କଣ ସଂସାରରେ ନହେଲା ଭଳି କଥାଟେ କହିଦେଇଛି ତମକୁ? ପ୍ରକୃତ କଥା ହେଲା, ସନତ୍ ଚାହୁଁଥିଲା ଯଦି ସୁଯୋଗ ମିଳେ ତାହେଲେ କେମ୍ୱ୍ରିଜ୍  ବିଶ୍ୱବିଦ୍ୟାଳୟରୁ ସେ ଗୋଟାଏ ଡିଗ୍ରୀ କରିବ। ଉଚ୍ଚଶିକ୍ଷା ହାସଲ ନକରି ପାରିବା ନେଇ ତା ମନରେ ଯେଉଁ ଦୁଃଖ ଅଛି, ତାକୁ ସମ୍ପୂର୍ଣ୍ଣ ରୂପେ ନିଜ ଭିତରୁ ବାହାର କରିବାକୁ ହେଲେ ତାକୁ ଏମିତି ହିଁ କିଛି କରିବାକୁ ହେବ। ସନତର ଏଇତକ କଥା ଶୁଣି ସମସ୍ତେ ଠୋ ଠୋ ହୋଇ ହସୁଥିଲେ। କିଏ ତାତ୍ସଲ୍ୟଭରା ଦୃଷ୍ଟିରେ ତାକୁ ଦେଖୁଥିଲା ତ ଆଉ କିଏ ଏକ ସନ୍ଦେହ ଭରା ଦୃଷ୍ଟିରେ ଚାହୁଁଥିଲା ତା ଆଡ଼କୁ। ସମସ୍ତେ ମନେ ମନେ ଭାବୁଥିଲେ, ଇଏ ବୋଧେ କିଛି ନିଶା ପାଣି କରିଦେଇ ଆସିଛି। ସେଥିପାଇଁ ମୁଙ୍ଗେରିଲାଲ ଭଳି ମନେ ମନେ ଏମିତି ଦିବାସ୍ୱପ୍ନ ଦେଖୁଛି। ସାଙ୍ଗମାନଙ୍କ ତାତ୍ସଲ୍ୟରେ ସେଦିନ ଭାଙ୍ଗି ପଡ଼ିଥିବା ସନତ୍ ଆଜି ବେଶ୍ ଖୁସି ଅଛି। ନିଜ ହିତାକାଂକ୍ଷୀ ଏବଂ ଶୁଭେଚ୍ଛୁମାନଙ୍କୁ ଫୋନ୍ କରି ନିଜ ସଫଳତାର କାହାଣୀ ଶୁଣାଉଛି ସନତ୍। 

ହଁ .. ସନତ୍ .. ସନତ୍ କୁମାର ଦାଶ। ଘର ଜଗତସିଂହପୁର ଜିଲ୍ଲାର ଗୋଟିଏ ନିପଟ ମଫସଲ ଗାଁରେ। ବାପା ଜଣେ ପ୍ରାଥମିକ ଶିକ୍ଷକ। ମାଆ ଗୃହିଣୀ। ଯେଉଁଦିନ ସେ ମାଟ୍ରିକ୍ ପାସ୍ କଲା, ସେଦିନ ସମସ୍ତେ କହିଲେ, ଭବିଷ୍ୟତରେ ଇଏ କଣ କରିବ? ମାଷ୍ଟ୍ର ପୁଅ ହେଇ ହେଇ ନହେଲେ ମାଷ୍ଟ୍ର ଖଣ୍ଡେ ହବ। ତା ନହେଲେ ଆଉ କଣ? ତା ପରେ ଗାଁ ପାଖ କଲେଜରେ ଯେତେବେଳେ ସନତ୍ ନାଁ ଲେଖେଇଲା, ସେତେବେଳେ କଲେଜ ହଷ୍ଟେଲରେ ରହିବା ପାଇଁ ସମ୍ବଳ ନଥିଲା। ତେଣୁ ବାଧ୍ୟ ହୋଇ ଗାଁରୁ ସାଇକଲ୍ ଖଣ୍ଡେ ଧରି କଲେଜ ଯିବା ଆସିବା କରୁଥିଲା ସନତ୍। ଏମିତିରେ ପାଠପଢ଼ାରେ ବ୍ୟାଘାତ ଘଟିବାରୁ, ବାଧ୍ୟ ହୋଇ କଲେଜ ପାଖରେ ଗୋଟିଏ ଘର ନେଇ ସେଇଠି ମେସ୍ କରି ରହିଲା ସେ। ଦେଖୁ ଦେଖୁ କେତେବେଳେ ବି.ଏସସି ସରିଗଲା ଜଣା ପଡ଼ିଲାନି। ସନତ୍ ପ୍ରାଣୀ ବିଜ୍ଞାନ ଅନର୍ସରେ ପ୍ରଥମ ଶ୍ରେଣୀରେ ପାସ୍ କରିବା ପରେ ଆଉ ଉଚ୍ଚଶିକ୍ଷା ପାଇଁ ଚାହୁଁଥିଲେ ବି ବାପାଙ୍କ ସମ୍ବଳ ନଥିଲା। ଏଣେ ଘରେ ଥିବା ଅନ୍ୟ ସାନ ଭାଇ ଭଉଣୀଙ୍କ ପାଠପଢ଼ା ବି ଗୋଟିଏ ବଡ଼ ଚିନ୍ତା ଥିଲା ସନତ୍ ପାଇଁ। ତେଣୁ ସେ ବାଧ୍ୟ ହୋଇ ପାଠପଢ଼ାରେ ଡୋର ବାନ୍ଧିଲା। ତା ପରେ ଗାଁ ଛାଡ଼ି ଦିଲ୍ଲୀ ପଳେଇଥିଲା ସନତ୍। ସେଇଠି ଏକ ଔଷଧ କମ୍ପାନୀରେ ପ୍ରାରମ୍ଭିକ ଭାବେ ମାର୍କେଟିଂ କାମ ମିଳିଯାଇଥିଲା ତାକୁ। ନୂଆକରି କାମ ଆରମ୍ଭ କରୁଥିବାରୁ ହୁଏତ ଅଧିକ ଦରମା ମିଳିବାର କୌଣସି ସମ୍ଭାବନା ନଥିଲା। କିନ୍ତୁ ସନତର ଆଗ୍ରହ ଦେଖି କମ୍ପାନୀ ତା ଅନ୍ୟ ସମସାମୟିକମାନଙ୍କଠାରୁ କିଛି ଅଧିକ ଦରମା ଦେବାକୁ ରାଜି ହୋଇଯାଇଥିଲା। 

    ବର୍ତ୍ତମାନ ସ୍ୱାବଲମ୍ବୀ ହୋଇସାରିଥିଲା ସନତ୍। କିନ୍ତୁ ତା ମନରେ କେଉଁଠି ନା କେଉଁଠି ଗୋଟିଏ ଅବସୋସ ରହିଯାଇଥିଲା। ଯାହାକି ବାରମ୍ବାର ତା ଅବଚେତନ ମନକୁ ଦଂଶନ କରୁଥିଲା। ସନତର ଦୁଃଖ ଯେ, ସେ ଉଚ୍ଚ ଶିକ୍ଷା ହାସଲ କରିପାରିଲା ନାହିଁ। ଯଦି ତାକୁ ସୁଯୋଗ ମିଳିଥାନ୍ତା, ତା ହେଲେ ସେ ନିଶ୍ଚିତ ରୂପେ ଉଚ୍ଚଶିକ୍ଷା ହାସଲ ସହିତ ଉଚ୍ଚତର ଗବେଷଣା ଦିଗରେ କାମ କରିପାରିଥାନ୍ତା। ସେଥିପାଇଁ ଚାକିରି କରିବା ପରଠାରୁ ସନତର ଏକମାତ୍ରା ଚେଷ୍ଟା, କେଉଁଠି କେମିତି ସେ ପାଇବ ଉଚ୍ଚଶିକ୍ଷାର ସୁଯୋଗ। ଯଦି ସୁଯୋଗ ମିଳିଯାଏ, ତାହେଲେ ସେ ନିଶ୍ଚିତ ରୂପେ ତା ମନର ଓରିମାନା ମେଣ୍ଟାଇ ଦେଇପାରନ୍ତା। ଉଚ୍ଚଶିକ୍ଷା ହାସଲ ସହିତ ଉପାଧ୍ୟୁତ୍ତର ଶିକ୍ଷା ପାଇଁ ଚେଷ୍ଟା କରିଥାନ୍ତା। କିନ୍ତୁ ସେମିତି କୌଣସି ସୁଯୋଗ ଆସିପାରିଲା ନାହିଁ ତା ପାଇଁ।  

    ଦିଲ୍ଲୀରେ ଚାକିରି କରିବା ପରେ ଧୀରେ ଧୀରେ ସନତର ଆର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଘଟିବାରେ ଲାଗିଥିଲା। ସନତ୍ ନିଜ ରୋଜଗାରରୁ କିଛି ଅଂଶ ନିୟମିତ ଭାବେ ତା ବାପାମାଆଙ୍କ ପାଖକୁ ଗାଁକୁ ପଠାଏ। ତା ସାଙ୍ଗକୁ ଭାଇ ଭଉଣୀଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ସେ ନିଜେ ହିଁ ବହନ କରେ। ସେଥିପାଇଁ କେତେବେଳେ ବିବାହ ବୟସ ଅତିକ୍ରମ କରିବାକୁ ବସିଥିଲା ସେ ନିଜେ ବି ଜାଣି ପାରିଲା ନାହିଁ। ତେବେ ବାପା ମାଆ ତ କେବେ ଚାହିଁବେ ନାହିଁ, ଘରର ବଡ଼ ପୁଅଟା ବାଡୁଅ ରହୁ। ତେଣୁ ବାପାମାଆଙ୍କ ବାଧ୍ୟବାଧକତାରେ ବାହା ହୋଇ ଘର ସଂସାର କରିଲା ସନତ୍। ପରିବାର ଆରମ୍ଭ ହେବା ପରେ ତା ଭିତରେ ଥିବା ଉଚ୍ଚଶିକ୍ଷାର ନିଶାଟା ଟିକିଏ ଛାଡ଼ି ଆସୁଥିଲା। କିନ୍ତୁ ଯେଉଁଦିନ ଦେଖିଲା ତା ଝିଅ ଭିତରେ ପାଠ ପଢ଼ିବାର ଗୋଟିଏ ଅଦ୍ଭୂତ ଆଗ୍ରହ ରହିଛି, ସେଇଟା ତା ଭିତରେ ଜଗାଇ ଦେଲା ଅନେକ ଦିନରୁ ଶୋଇ ରହିଥିବା ଇଚ୍ଛାକୁ। ବହୁ  ବର୍ଷ ତଳୁ ପୃଥିବୀର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନ ଏବଂ ବିଦେଶୀ ବିଶ୍ୱବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆବେଦନ କରିବା ଆରମ୍ଭ କରିଦେଇଥିଲା ସେ। ତେବେ ସବୁଠିକୁ ସେ ଆବେଦନ କରୁଥିଲା ସ୍ୱତନ୍ତ୍ର ବୃତ୍ତି ପାଇଁ। ଯଦି ଗବେଷଣା ଭିତ୍ତିକ କାର୍ଯ୍ୟ ପାଇଁ ତାକୁ କିଛି ସ୍କଲାରସିପ୍ ମିଳିଯାଏ, ତାହେଲେ ତା ସ୍ୱପ୍ନ ସାକାର କରିବା ଅଧିକ ସହଜ ହୋଇପାରିଥିନ୍ତା।

    ଦୁଇବର୍ଷ ଲଗାତର ଭାବେ ସନତର ଆବେଦନପତ୍ର ଖାରଜ ହେବା ପରେ ତୃତୀୟ ବର୍ଷ ତାହା ଅନୁମୋଦିତ ହେଲା। ଫଳରେ କେମ୍ୱ୍ରିଜ୍ ବିଶ୍ୱବିଦ୍ୟାଳୟରୁ ସ୍ୱତନ୍ତ୍ର ବୃତ୍ତି ପାଇ ଅନ୍ତର୍ଜାତୀୟ ବାଣିଜ୍ୟିକ ସମ୍ପର୍କ ଉପରେ ଏକ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାରେ ସମର୍ଥ ହୋଇଛି ସନତ୍। ଏଥିପାଇଁ ସେ ମନେ ମନେ ଈଶ୍ୱରଙ୍କୁ ଯେତିକି ଧନ୍ୟବାଦ ଦେଇଛି, ତାଠୁ ଅଧିକ କୃତଜ୍ଞତା ଜଣାଇଛି ସେଦିନର ସେହି ଘଟଣାକୁ। ଯେଉଁଠି ତା ସାଙ୍ଗମାନେ ତା ଭିତରର କ୍ଷମତାକୁ ନେଇ ଏକ ପ୍ରଶ୍ନଶୀଳ ଦୃଷ୍ଟିରେ ଦେଖୁଥିଲେ ତାକୁ। ତାକୁ ଲାଗୁଥିଲା ଯଦି ସେଦିନ ସାଙ୍ଗମାନେ ତାକୁ ତାତ୍ସଲ୍ୟ କରିନଥାନ୍ତେ, ହୁଏତ ତା ଭିତରେ ଥିବା ଉଚ୍ଚଶିକ୍ଷାର ନିଶାଟା କେଉଁକାଳୁ ଦୈନନ୍ଦିନ ଜୀବନ ଜଞ୍ଜାଳର ଚକି ଭିତରେ ପେଷି ହୋଇସାରନ୍ତାଣି। ତାକୁ ଲାଗୁଥିଲା, ଖବରକାଗଜ ବିକୁଥିବା ପିଲାଟେ ଯଦି ଦେଶର ରାଷ୍ଟ୍ରପତି ହୋଇପାରେ, ତାହେଲେ ତା ଭଳି ଗାଁ ପିଲାଟେ କଣ ବିଦେଶୀ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ସ୍ୱପ୍ନ ଦେଖିବା ଗୋଟେ ମସ୍ତବଡ଼ ଭୁଲ୍ ? ନା .. ଗାଁ ପିଲାର ଜିଦ୍ ଆଗରେ ଲକ୍ଷ୍ୟକୁ ହାର ମାନିବାକୁ ହିଁ ହେବ। ସନତ୍ ନିଜ ଅଟଳ ଜିଦ୍ ରେ ସଫଳ ହୋଇଛି। ଆଜି ସେ ବିଜୟୀ ହୋଇଛି। ଆଉ ସେହି ବିଜୟର କଥାକୁ ନିଜ ଶୁଭେଚ୍ଛୁମାନଙ୍କୁ ଜଣ ଜଣ କରି ଫୋନ୍ କରି ଜଣାଉଛି ସନତ୍। ତା ଆନନ୍ଦ ତା ମୁହଁରୁ ବାହାରୁଥିବା ପ୍ରତିଟି ଶବ୍ଦରେ ସ୍ପଷ୍ଟ ବାରି ହୋଇପଡୁଛି। 

 

ମିଡିଆ ଷ୍ଟଡିଜ୍

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

Leave A Reply

Your email address will not be published.