ଭୁବନେଶ୍ବର: ରସୁଲଗଡ଼ ହେଉ କି ଡମଣା, ନୟାନ୍ତ କରୁଛି ଭୁବନେଶ୍ବର ଟ୍ରାଫିକ୍ । ବିଶେଷ କରି ରବିବାର ଓ ଛୁଟିଦିନରେ ଟ୍ରାଫିକ୍ ଜାମ ବଢି ଯାଉଛି । ଫଳରେ ରାସ୍ତା ଉପରେ ଅଟକୁଛି ଗାଡି । ୧୦ମିନିଟର ରାସ୍ତା ପାର ହେବାକୁ ଲାଗୁଛି ଘଣ୍ଟାଏ ସମୟ । କେବଳ ସହର ଭିତର ରାସ୍ତା ନୁହେଁ ଜାତୀୟ ରାଜପଥ ଓ ଫ୍ଲାଏଓଭର ବି ଏଥିରୁ ବାଦ୍ ପଡୁନି । ଟ୍ରାଫିକ ଜାମରେ ଲୋକେ ଅଣନିଶ୍ବାସୀ ହୋଇପଡୁଛନ୍ତି । ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ବି ଅନେକ ସମୟରେ ଫସିରହୁଛି । ତେବେ ଭିଡ଼ ତୁଳନାରେ କମ୍ ଟ୍ରାଫିକ ପୋଲିସ ରହୁଥିବାରୁ ଏଭଳି ସ୍ଥିତି ହେଉଥିବା କୁହାଯାଉଛି ।
ଚିନ୍ତା ବଢାଇଛି ଟ୍ରାଫିକ ଜାମ୍
ଭୁବନେଶ୍ବରରେ ସଂଧ୍ୟା ହେଲେ ବଢୁଛି ଟ୍ରାଫିକ ସମସ୍ୟା । ସହରର ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ଦୁଇ ତିନି ଥରକେ ଯାଉଛି ଗାଡି। ଚାରିଚକିଆ ଗାଡି ହେଲେ ଆହୁରି ସମୟ ଲାଗୁଛି । ବିଶେଷ କରି ପ୍ରଦର୍ଶନୀ ଓ ମେଳା ଲାଗିଲେ ସମସ୍ୟା ଆହୁରି ବଢିଯାଉଛି । ପୂର୍ବରୁ କେତେକ ହାତଗଣତି ଛକରେ ଟ୍ରାଫିକ ସମସ୍ୟା ଦେଖା ଦେଉଥିବା ବେଳେ ଏବେ ପ୍ରାୟ ସବୁ ଛକରେ ଟ୍ରାଫିକ ଜାମ ମୁଖ୍ୟ ସମସ୍ୟା ହୋଇଛି । ତେବେ ଏହା ପଛର କାରଣ ହେଉଛି କମ୍ ସଂଖ୍ୟକ ଟ୍ରାଫିକ ଅଧିକାରୀ । ଆବଶ୍ୟକତାର ମାତ୍ର୩୮ପ୍ରତିଶତ ଅଧିକାରୀଙ୍କୁ ନେଇ ପରିଚାଳନା ହେଉଛି ଭୁବନେଶ୍ବର ଟ୍ରାଫିକ ।
କମିଶନରେଟ୍ ପୋଲିସର ତାଳିପକା !
ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲା ଅଧୀନରେ ୨୪ଟି ଥାନାକୁ ୨ଟି ଟ୍ରାଫିକ ଥାନାରେ ଭାଗ କରାଯାଇଛି । ଟ୍ରାଫିକ ଥାନା-୧ରେ ୧୩ଟି ସବଇନସପେକ୍ଚର ଓ ୩ଟି ଆସିଷ୍ଟାଣ୍ଟ ସବଇନସପେକ୍ଟର ପଦକୁ ମଞ୍ଜୁରୀ ମିଳିଛି । ହେଲେ ମାତ୍ର ୭ଜଣ ସବ ଇନସପେକ୍ଟର ରହିଥିବା ବେଳେ ଜଣେ ବି ଆସିଷ୍ଟାଣ୍ଟ ସବଇନସପେକ୍ଟର ନାହାନ୍ତି । ସେହିପରି ଟ୍ରାଫିକ ଥାନା-୨ରେ ୬ଟି ସବ ଇନସପେକ୍ଟର ଓ ୧୦ଟି ଆସିଷ୍ଟାଣ୍ଟ ସବଇନସପେକ୍ଟର ପଦ ରହିଛି । ତେବେ ମାତ୍ର ୪ଜଣ ସବ ଇନସପେକ୍ଟର ଓ ଜଣେ ଏଏସଆଇ ରହିଛନ୍ତି । ଦୁଇଟି ଥାନାରେ ୩୨ଜଣ ଅଧିକାରୀଙ୍କ ଜାଗାରେ ରହିଛନ୍ତି ମାତ୍ର ୧୨ଜଣ ଅଧିକାରୀ । ଟ୍ରାଫିକ ପରିଚାଳନାରେ ସମସ୍ୟାକୁ ନେଇ ସମାଲୋଚନା ହେବା ପରେ ନୂଆ ପନ୍ଥା ଆପଣାଇଛି କମିଶନରେଟ୍ ପୋଲିସ । ପ୍ରତିଦିନ ବିଭିନ୍ନ ଥାନାରୁ ୪ଜଣ ଏସଆଇ ଓ ଏଏସଆଇ ଟ୍ରାଫିକରେ ମୁତୟନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମନ୍ତ୍ରୀ ଦୋହରାଉଛନ୍ତି ପୁରୁଣା କଥା
କିଛି ଦିନ ତଳେ ଭୁବନେଶ୍ବରରେ ପ୍ରବଳ ଟ୍ରାଫିକ ଜାମ ହୋଇଥିବା ବେଳେ ନିୟନ୍ତ୍ରଣ ସଂପର୍କରେ କହିବା ପରିବର୍ତ୍ତେ ପୁରୁଣା କଥା ଦୋହରାଇଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜଧାନୀରେ ଫ୍ଲାଏଓଭର ଓ ରିଙ୍ଗ ରୋଡ୍ ନିର୍ମାଣ କରାଯିବ, ଏହାଦ୍ବାରା ଟ୍ରାଫିକ ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ କହିଥିଲେ । ତେବେ ଫ୍ଲାଏ ଓଭର ନିର୍ମାଣ ପାଇଁ ତ ସମୟ ଲାଗିବ । ଟ୍ରାଫିକ୍ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନିଆଯିବା ଜରୁରୀ ।
ବିଭିନ୍ନ ଥାନାରୁ ଏସଆଇ ଓ ଏଏସଆଇଙ୍କୁ ଟ୍ରାଫିକରେ ମୁତୟନ କଲେ ବି ଆହୁରି ୫୦ପ୍ରତିଶତ ପଦ ଖାଲି ରହିବ । ଫଳରେ ଟ୍ରାଫିକ ପରିଚାଳନା କେମିତି ହେବ, ସେନେଇ ପ୍ରଶ୍ନ ଉଠୁଛି । ସେପଟେ ରାଜଧାନୀର ବିଭିନ୍ନ ଥାନାରେ ବି ସଂଖ୍ୟା ସେଭଳି ଅଧିକ ନାହିଁ । ତେଣୁ ଥାନା ଅଧିକାରୀ ଟ୍ରାଫିକକୁ ଗଲେ, ଏହାର ପ୍ରଭାବ ଥାନାର କାମ ଉପରେ ବି ପଡିପାରେ । ତେଣୁ ରାଜ୍ୟ ସରକାର ଯଥାଶୀଘ୍ର ଟ୍ରାଫିକ ପଦ ପୂରଣ କରିବା ଦିଗରେ ଉଦ୍ୟମ କରିବା ଜରୁରୀ। ସେପଟେ ପୂର୍ବରୁ ବିଜେଡି ସରକାର ସମୟରେ ମଧ୍ୟ ଟ୍ରାଫିକ ଅଧିକାରୀ କମ୍ ଥିବା ବେଳେ ଏଭଳି ଟ୍ରାଫିକ ଜାମ ଦେଖିବାକୁ ମିଳୁନଥିଲା । ଅର୍ଥାତ କେଉଁଠି ନା କେଉଁଠି ଟ୍ରାଫିକ୍ ନିୟନ୍ତ୍ରଣ ହୁଗୁଳା ରହିଛି । କେବଳ ରାସ୍ତା କଡରେ ଷ୍ଟିଲ୍ ଗ୍ରିଲ ଲଗାଇଦେଲେ ଟ୍ରାଫିକ ନିୟନ୍ତ୍ରଣ କି ସୁରକ୍ଷା କଡାକଡି କରିହେବ କି? ଏଥିପାଇଁ ସରକାରଙ୍କୁ ଆନ୍ତରିକତାର ସହ ଦୃଢ ପଦକ୍ଷେପ ନେବାକୁ ପଡିବ ।
Comments are closed.