Latest Odisha News

ଖୋର୍ଦ୍ଧା ଗଣଦୁଷ୍କର୍ମ ଘଟଣା: ମୁହଁ ଖୋଲିଲେ ଅଭିଯୁକ୍ତଙ୍କ ପରିବାର ସଦସ୍ୟ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଚଳନ୍ତା ଗାଡି ମଧ୍ୟରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ଶୁକ୍ରବାର ଦିନ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ପରିବାର ବର୍ଗ ।

ଏନେଇ ତାଙ୍କ ପରିବାର ସଦସ୍ୟ କହିଛନ୍ତି, ସମ୍ପୃକ୍ତ ମହିଳା ଜଣକ ଦୁଷ୍କର୍ମ ନେଇ ସମ୍ପୂର୍ଣ୍ଣ ମିଛ କହୁଛନ୍ତି ଏବଂ ସେମାନଙ୍କ ଠାରୁ ଧାର ନେଇଥିବା ଟଙ୍କା ପଇସାକୁ ଶୁଝିବା ବଦଳରେ ମହିଳା ଏଭଳି କାମ କରିଛନ୍ତି ।

ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ଜଟଣୀର ବାସିନ୍ଦା ବୋଲି ଜଣାପଡିଛି ।

ଅଭିଯୁକ୍ତ ସୌମ୍ୟାଙ୍କ ପତ୍ନୀ କହିଛନ୍ତି, ତାଙ୍କ ସ୍ୱାମୀ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଏବଂ ଜଣେ ବ୍ୟକ୍ତି କାର୍ ଚଳାଇବା ବେଳେ କିପରି ଦୁଷ୍କର୍ମ କରିବେ ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି । “ମୋ ସ୍ୱାମୀ ପାଖାପାଖି ୬ ମାସ ହେବ, ସେ ମହିଳାଙ୍କୁ ଜାଣିଥିଲେ ଏବଂ ସେ ୨୦୦୦ ଟଙ୍କା ଧାର ନେଇଥିଲେ । ତାଙ୍କ ଠାରୁ ପଇସା ଫେରସ୍ତ ପାଇବା ଲାଗି ଜଟଣୀ ପାଖ ରାସ୍ତାରେ ମୋ ସ୍ୱାମୀ ଭେଟ କରିଥିଲେ । ପରେ ସମ୍ପୃକ୍ତ ମହିଳା ଜଣକ ଘଟଣାସ୍ଥଳରେ ପହଞ୍ଚିବା ପରେ ପାଖରେ ନଗଦ ପଇସା ନଥିବା କହିଥିଲେ ଏବଂ ନିକଟରେ ଥିବା ଏକ ଏଟିଏମ୍ ଯିବାକୁ କହିଥିଲେ” ।

ପରେ ସେ କାରରେ ବସିବା ପରେ ଅଚାନକ ନିଜ ଡ୍ରେସ୍ ଫାଡି ଦେଇଥିଲେ । ଏହାକୁ ଦେଖି ମୋ ସ୍ୱାମୀ ତାଙ୍କୁ ପ୍ରଶ୍ନ କରିବା ସହିତ ଗାଡିର ଗତି ଧିର କରିଦେଇଥିଲେ । ପରେ ମହିଳା ଜଣକ ଅଚାନକ ଗାଡିରୁ ଡେଇଁ ପଡିଥିଲେ ।

ଆହୁରି ମଧ୍ୟ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ସୌମ୍ୟଙ୍କ ବାପା କହିଛନ୍ତି, “ଏଭଳି ଘଟଣା ପରେ ମୋ ପୁଅ ଡରିଯାଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା ଏବଂ ଘରେ ପହଞ୍ଚି ସବୁ କଥା କହିଥିଲା । ପରବର୍ତ୍ତୀ ସମୟରେ ଘଟଣା ସମ୍ପର୍କରେ ଅବଗତ କରାଇବା ପାଇଁ ସେ ପୋଲିସ ନିକଟକୁ ଯାଇଥିବା ବେଳେ ପୋଲିସ ତାକୁ ହେପାଜତକୁ ନେଇ ଯାଇଥିଲା” ।

ଉଲ୍ଲେଖଯୋଗ୍ୟ, ପିଏନ୍ କଲେଜ ନିକଟ ୧୬ନଂ ଜାତୀୟ ରାଜପଥ ନିକଟରେ ସମ୍ପୃକ୍ତ ପିଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବାର ଗୋଟିଏ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ତେବେ ଘଟଣାଟି ଖଣ୍ଡଗିରି ଅଞ୍ଚଳରେ ଘଟିଥିବାରୁ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ଏହି ମାମଲାକୁ ଖଣ୍ଡଗିରି ଷ୍ଟେସନକୁ ସ୍ଥାନାନ୍ତରିତ କରିଛନ୍ତି ।

ପିଡିତାଙ୍କ ଡାକ୍ତରୀ ମାଇନା ଖୋର୍ଦ୍ଧାରେ ହୋଇଥିବା ବେଳେ ମେଡିକାଲ୍ ରିପୋର୍ଟ ଆସିବା ପରେ ଯାଇ ଘଟଣାର ସତ୍ୟତା ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି ।

ଏହି ଘଟଣାରେ ଓଡିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ମିନତି ବେହେରା ଖଣ୍ଡଗିରି ଥାନା ଗସ୍ତ କରିବା ସହିତ ପିଡିତାଙ୍କୁ ଭେଟିଥିଲେ ।

Leave A Reply

Your email address will not be published.