Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ରାଜକନ୍ୟାର ପ୍ରେମ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୮

ପ୍ରେମ ଅଦ୍ଭୁତ ।
ରାଜକନ୍ୟାର ପ୍ରେମ ସବୁବେଳେ ହିଁ କେବଳ ଅଦ୍ଭୁତ ।

ପ୍ରେମ ଅଦ୍ଭୁତ ଏଇଥିପାଇଁ ଯେ ପ୍ରେମରେ ପଡିଯିବାର ବୟସ୍କ କାଳରେ ପୃଥିବୀର ସମସ୍ତ ଅସମ୍ଭବକୁ ସମ୍ଭବ କରିବା ଆଉ ସମସ୍ତ ଅଘଟଣକୁ ଘଟଣ କରିବା ଭଳି ପ୍ରେମପାତ୍ର ମାନଙ୍କର ବିଶ୍ୱାସ ଏବଂ ଏକ ସୁବିଶାଳ ଜିଦ୍ । ପ୍ରେମରେ ସେହି ଜିଦ୍ ଟି ହିଁ ସବୁବେଳେ ଅଦ୍ଭୁତ ରାଜକନ୍ୟାର ।

ରାଜକନ୍ୟାର ପ୍ରେମରେ ପଡିବା ବେଳେ ପ୍ରଥମରେ ଆମ ଆଗରେ ତାହାର ଯେଉଁ ଚାରିଆଡକୁ ହାଲୋଳ କରିଦେବା ଭଳି ରୂପର ଆବେଶଟି ଥାଏ ତାହା ବେଶି ସମୟ ରହେନାହିଁ ଆଉ ତାହାରି ଯାଗାରେ ଆମେ ରାଜକନ୍ୟାର ନଭଶ୍ଚୁମ୍ବୀ ଜିଦ୍ ର ବିଶାଳତାକୁ ଦେଖୁ ଆଉ ପ୍ରେମରେ ଶେଷ ଯାଏଁ ତାହାର ଜିଦ୍ ର ପ୍ରେମରେ ହିଁ ପଡିଯାଉ ।

ରାଜା ସେଦିନ କହିଥିଲେ,ବଡ ଭୁଲ୍ ହୋଇଗଲା ।
ରାଣୀ ସେଦିନ କହିଥିଲେ,ମୋ କପାଳ ଫଟା।
ପାତ୍ର, ମନ୍ତ୍ରୀଗଣ ତଥା ରାଜ୍ୟବାସୀ ମାନେ ନିଜନିଜ ଭିତରେ ସେଦିନ କୁହାକୁହି ହେଉଥିଲେ,ଆମର ଏଇ ରାଜାଙ୍କ ପରେ ରାଜଗାଦୀରେ ବସିବାକୁ ଯୋଗ୍ୟ ଜଣେ ଆଉ ଆମକୁ ମିଳିବତ ?

ରାଜକନ୍ୟାର ଜିଦ୍ ସେ ପାନହୁ କୁ ହିଁ ବିବାହ କରିବ । ରାଜା ଆଉ ରାଣୀଙ୍କ ଆଗରେ ସେ ସ୍ପଷ୍ଟ କହିଦିଏ ,ତାହାର ଏଇଭଳି ଗୋଟିଏ ସ୍ୱପ୍ନ ପିଲାଦିନରୁ ରହି ଆସିଛି । ଶରୀରର ଅସୁଖ ସମୟରେ ଅଥବା ଅସୁଖରୁ ଭଲ ହୋଇଯିବା ପରେ ସେ ସବୁବେଳେ ଗୋଟିଏ ମଧୁର ଆଲିଙ୍ଗନ ର କାମନା କରି ଆସିଛି । ତାହାର ଜୀବନରେ ଆଉ କିଛି କରୁ ବା ନକରୁ ଆଲିଙ୍ଗନ କରିବା କାମଟିକୁ ପାନହୁ ଅତ୍ୟନ୍ତ ନିଷ୍ଠାପର ଭାବରେ ସଂପାଦନ କରିଥାଏ । ଏହା ବ୍ୟତୀତ ଶରୀର କହିଲେ ଆଉ ଯାହା ଭିନ୍ନ ଶରୀରୀ କର୍ମର କଥା ଉଠୁଛି ସେଥିପାଇଁ ରାଜକନ୍ୟା ତାହା ଆଡୁ ସ୍ପଷ୍ଟ କରିଦେଲା, ତାହାର କୌଣସି ଅସୁବିଧା ନାହିଁ ।

ତାହାପରେ ରାଜା ରାଜି ହୋଇଥିଲେ ସେଦିନ।
ତାହାପରେ ରାଣୀ ରାଜି ହୋଇଥିଲେ ସେଦିନ।
ପାତ୍ର,ମନ୍ତ୍ରୀ ଆଉ ରାଜ୍ୟବାସୀଙ୍କର ତାହାପରେ ଅରାଜି ହେବା ଭଳି ଆଉ କିଛି ବିକଳ୍ପ ନଥିଲା ସେଦିନ।

ଆଗରେ ଯାହା ହେବ ଆଗକୁ ଥାଉ । ନଈପାଣି ନଈରେ କୁଳୁକୁଳୁ କରି ବହିଯାଉ ବା ଭଉଁରୀ କାଟୁ । ବେଳ ଆସିଲେ ଆଗକୁ ରାଜାଙ୍କର ଯୋଗ୍ୟ ଉତ୍ତରାଧିକାରୀ କିଏ ହେବ ସେକଥା ସମସ୍ତେ ଜାଣିବେ ।

ପାନହୁର ଜନ୍ମ ପୁରାଣରୁ ତେଣୁ ଏହା ଅଲୌକିକ। ତାହାର କାହାଣୀ ସହିତ ସେମିତି ଏକ ସତ୍ୟରକ୍ଷା ଏବଂ ଅଧାଗଢା ନିର୍ମାଣର କାହାଣୀ ଜଡିତ ହୋଇ ରହିଛି । କେତେକ ପୁରାଣରେ ସେମିତି ଦେଖିବାକୁ ଦେଖିବାକୁ ମିଳେ ।

ବହୁକାଳ ଆଗର କଥା । ଚାଇନାଦେଶର ଦକ୍ଷିଣପ୍ରାନ୍ତର ରାଜା ଥାଆନ୍ତି କୁ । ରାଜା କୁ ଙ୍କ ଉଆସରେ ଦିନେ ଜଣେ ରାଜମହିଷୀଙ୍କ କାନରେ କେବଳ ମଧୁର ଗୁଞ୍ଜନ ଶୁଭିବାକୁ ଆରମ୍ଭ କଲା । ସେଇ ମଧୁର ଗୁଞ୍ଜନ ଆଉ ଥମିବାର ନାହିଁ । ଅଧିକ ଅନୁପାନ ହେଲେ ଅମୃତ ଯେମିତି ବିଷ ପାଲଟିଯାଏ ଠିକ୍ ସେହିଭଳି ଅନବରତ ମଧୁରଗୁଞ୍ଜନ ଶୁଣିବା କାରଣରୁ ରାଜା କୁ ଙ୍କର ସବୁଠାରୁ ତରୁଣୀ ପତ୍ନୀ ଆଗରେ ସମସ୍ତ ପୃଥିବୀ କର୍କଶତମ ହୋଇ ଉଠିଥିଲା । ରାଣୀର ଏହି ମଧୁର ଗୁଞ୍ଜନର ବାହୁଲ୍ୟର ଅସହଜପଣକୁ ଦୂରକରିବା ପାଇଁ ରାଜବୈଦ୍ୟ ଆସିଥିଲେ ଏବଂ କୌଣସି ବିଚିତ୍ର ମନ୍ତ୍ରପଢି ରାଣୀର କାନରୁ ବାହାର କରି ଆଣିଥିଲେ ଗୋଟିଏ ପୋକ । ପିଲାଦିନର ଗୁଞ୍ଜରାପୋକ ଭଳି ଦେଖିବାକୁ ଥିଲା ସେଇ ପୋକଟି ଆଉ ତାହା ସହିତ ରାଜା କୁ ଙ୍କର ସେହି ତରୁଣୀ ପାଟମହିଷୀର କାନରୁ ସମସ୍ତ ମଧୁରଗୁଞ୍ଜନ ଯେମିତି ଚିରକାଳ ପାଇଁ କେଉଁ ଆଡକୁ ଅନ୍ତର୍ହିତ ହୋଇଯାଇଥିଲା ।

ଉଆସରେ ରାଣୀମାନେ କେଉଁ ଅପୂର୍ବ ପଦାର୍ଥ ଯେ । ରାଜା କୁ ଙ୍କର ସେମିତି ଦୃଷ୍ଟିକୁ ଆଉ ଏକଥା ଆସିଲା ନାହିଁ ଯେ,ତାଙ୍କର ଏଇ ରାଣୀଟି ଏହାପରେ ଅତ୍ୟନ୍ତ ରୁକ୍ଷ ଆଉ କର୍କଶ ପାଲଟି ଯାଇଛି । ଗୋଟିଏ ଲାଉତୁମ୍ବାରେ ସେ ତାହାର କାନର ସମସ୍ତ ମଧୁରଗୁଞ୍ଜନ ସହ ବାହାରକୁ ବାହାରି ଆସିଥିବା ସେହି ଗୁଞ୍ଜରା ପୋକକୁ ରଖି ଯତ୍ନର ସହ ପାଳିବାକୁ ଆରମ୍ଭ କରିଛି । ମାତ୍ର ରାଜା କୁ ସେଦିନ କିନ୍ତୁ ତାଙ୍କର ସେହି ତରୁଣୀ ପାଟମହିଷୀର ପ୍ରକୋଷ୍ଟ କୁ ଯାଇଥିଲେ । ଶୁଣିଥିବା ଖବରର ସତ୍ୟାସତ୍ୟ ପରୀକ୍ଷା କରିବା ପାଇଁ । ସତରେ କ’ଣ ରାଣୀର ଲାଉତୁମ୍ବାରୁ ଜନ୍ମନେଇଛି ଗୋଟିଏ କୁମର ? କୁମର ଟି ପଞ୍ଚୁବର୍ଣ୍ଣି । ଇନ୍ଦ୍ରିଯୋନି ସବୁ ରହିଛି । ସେ କେବଳ ଦୁଇଟି ଶବ୍ଦରେ କଥାବାର୍ତ୍ତା କରିପାରେ । ହଁ ଆଉ ନା । ରାଜା କୁ ତତକ୍ଷଣାତ୍ କୁମର ର ନାମକରଣ କରିଦେଲେ ପାନହୁ,ଚାଇନା ଭାଷାରେ ପାନହୁ ର ଅର୍ଥ ହେଉଛି ଲାଉତୁମ୍ବା ।

ତାହାପରେ ସେହି ରାଜମହିଷୀ ଜଣକ ଭାରି ଚୁପଚାପ୍ ପାଲଟି ଯାଇଥିଲା। ଉଆସର ଛାତ ଉପରକୁ ଯାଇ ଅନେକ ସମୟରେ ସେ ଆକାଶକୁ ଡାକୁଥିଲା ,ଆ ,ଆରେ ଆକାଶ ତଳକୁ ଆ ।

ସେଇ ଅଲୌକିକ ପଞ୍ଚୁବର୍ଣ୍ଣି କୁମର ପିନହୁ କିନ୍ତୁ ରୂପରେ ମଣିଷ ନଥିଲା। ସେ ଥିଲା ଗୋଟିଏ କୁକୁର । ଅନେକ ସମୟରେ ତାହାଠାରୁ ମଧୁରଗୁଞ୍ଜନ ଶୁଣିବାର ପ୍ରୟାସ କରି ଉଆସରେ ଅନେକେ ରାଜମହିଷୀ କ୍ଷତବିକ୍ଷତ ହୋଇଥିଲେ। ତଥାପି ପାନହୁର ଅଧିକାଂଶ ସମୟ ସେହି ରାଣୀ ମାନଙ୍କର ଅଶ୍ଳିଳ ସାନ୍ନିଧ୍ୟରେ ବିତୁଥିଲା ।

ରାଜା ଅଛନ୍ତି ମାନେ ଶତ୍ରୁ ରହିଛନ୍ତି । ସୁରକ୍ଷାର ଆଶଙ୍କା ସବୁବେଳେ ରହିଛି । ରାଜା କୁ ଙ୍କର ସେମିତି ଚରମ ପ୍ରତିଦ୍ୱନ୍ଦୀ ଥିଲେ ତାଙ୍କର ଜଣେ ସେନାପତି । ସେହି ସେନାପତିଙ୍କ ନାଆଁ ଖୁ । ଖୁ ଙ୍କର ଦୌରାତ୍ମ୍ୟରେ ବ୍ୟତିବ୍ୟସ୍ତ ହୋଇ ରାଜା କୁ ନିଜ ରାଜ୍ୟରେ ଗୋଟିଏ ଘୋଷଣାନାମା ଦେଇଥିଲେ , ପ୍ରତିଦ୍ୱନ୍ଦୀ ସାଜିଥିବା ସେନାପତି ଖୁ ର କଟାମୁଣ୍ଡ ଆଣି ତାଙ୍କ ସାମ୍ନାରେ ଯିଏ ହାଜିର କରିବ ସେ ତାହା ସହିତ ତାଙ୍କର ଏକମାତ୍ର କନ୍ୟାର ବିବାହ ଦେବେ ଏବଂ ସେ ତାଙ୍କପରେ ତାଙ୍କ ସ୍ଥାନରେ ଅଭିଷିକ୍ତ ହେବ।

ରାଜା କୁ ଙ୍କର ଏଇ ଭଳି ଘୋଷଣାନାମାର ପରବର୍ତ୍ତି ପର୍ଯ୍ୟାୟର କାହାଣୀ କୁ ଆମେ ହୁଏତ ଅନୁମାନ କରିପାରିବା । ଆମର ଅନୁମାନମାଫିକ ସେହି ଶ୍ୱାନରୂପକ ଅଲୌକିକ କୁମର ପାନହୁ ଦିନେ ରାଜା କୁ ଙ୍କ ସାମ୍ନାରେ ଉପସ୍ଥିତ ହୋଇଥିଲା ଆଉ ତାହାର ପାଟିରେ ରହିଥିଲା ଗୋଛାଏ ମୁକୁଳା କେଶ ଆଉ ସେହି ମୁକୁଳା କେଶରୁ ତଳକୁ ଝୁଲୁଥିଲା ଅବିଶ୍ୱସ୍ତ ସେନାପତି ଖୁ ର କଟାମୁଣ୍ଡ । ଏଇଠି କିନ୍ତୁ ଯାହା ଆମର ଅନୁମାନର ପରିସରକୁ ଆସିବନାହିଁ ତାହା ହେଉଛି ରାଜା କୁ ଙ୍କର ସେହି ତରୁଣୀ ପାଟମହିଷୀ ଯିଏ ଏଇ କେତେଦିନ ହେଲା ସମୟ ପାଇଲେ ଖାଲି ଆକାଶକୁ ଡାକୁଥାଏ ,ଆ,ଆରେ ଆକାଶ,ଆ,ତଳକୁ ଆ। ସେ କିନ୍ତୁ ସେତେବେଳକୁ ଉଆସର ଛାତରେ ନୀଳ ଆକାଶ ତଳେ ବିଷଯୁକ୍ତ ଛୁରୀକା ଭୂଷି ଆତ୍ମଘାତିନୀ ହୋଇଯାଇଥାଏ ।

ଉଆସ ଭିତରେ ଏମିତିକା ଅଘଟଣ ସେତେ ବଡ କଥା ନୁହଁ ।

ସମସ୍ତ ପ୍ରତିବନ୍ଧକ ହାର୍ ମାନିଥିଲା ରାଜକନ୍ୟାର ଜିଦ୍ ର ସାମ୍ନାରେ ଆଉ ପାନହୁ ଏବଂ ରାଜକନ୍ୟାର ବିବାହ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଥିଲା ।

ସମୟକ୍ରମେ ରାଜା କୁ ଏବଂ ତାଙ୍କର କ୍ଷମତା ବଳୟର ପ୍ରଚେଷ୍ଟା ଆରମ୍ଭ ହେଲା କେଉଁଭଳି ପାନହୁ କୁ ତାହାର ଉପସ୍ଥିତ ଶ୍ୱାନରୂପରୁ ମୁକୁଳାଇ ଆଣି ତାହାକୁ ଗୋଟିଏ ମଣିଷ ରୂପ ପ୍ରଦାନ କରାଯାଇ ଯାଇପାରିବ। ମଣିଷ ରୂପ ମିଳିଲେ ଯାଇ ସେମାନେ ସେମାନଙ୍କର ରାଜା ହିସାବରେ ଗୋଟିଏ ମଣିଷର ଉତ୍ତରାଧୀକାର ହିଁ ଲାଭ କରିପାରିବେ । ଏହାପରେ ତେଣୁ କାହାଣୀର ପରିସରକୁ ଆସିଥିଲା ଗୋଟିଏ ଐନ୍ଦ୍ରିଜାଲିକ । ସେ କହିଥିଲା, ଗୋଟିଏ ଯାଦୁ ବଳରେ ହିଁ ଏହା ସମ୍ଭବ । ତେଣୁ ତାହାର କଥା ଅନୁସାରେ ସେ ମନ୍ତ୍ର ପଢିବ ଆଉ ତାହାପରେ ପାନହୁ କୁ ଗୋଟିଏ ବିଶାଳ ସ୍ୱର୍ଣ୍ଣ ଘଣ୍ଟାର ଢାଙ୍କୁଣୀ ଦେଇ ଏକାଧିକ୍ରମେ ଦୀର୍ଘ ଦଶଦିନ କାଳ ସମସ୍ତଙ୍କର ଆଢୁଆଳରେ ରଖାଯିବା ଆବଶ୍ୟକ।

ପୃଥିବୀର ଅଧାଗଢା କାହାଣୀ ସହ ଆମେ ବେଶ୍ ପରିଚିତ ।

ପାନହୁ ମଣିଷ ଆକାରରେ ଅଧାଗଢା ହୋଇ ରହିଗଲା । ରାଜକନ୍ୟା ଧୈର୍ଯ୍ୟ ଧରି ରହିପାରିଲା ନାହିଁ । ସେତେବେଳକୁ ପାନହୁ ର ସ୍ୱର୍ଣ୍ଣଘଣ୍ଟା ଭିତରେ ରହିବା ର ମାତ୍ର ତିନୋଟି ଦିନ ବିତିଯାଇଥାଏ । ରାଜକନ୍ୟା ସ୍ୱର୍ଣ୍ଣଘଣ୍ଟାକୁ ଉଠାଇ ଦେଖିଲା ବେଳକୁ ପାନହୁ ଯେମିତି ଆଗରୁ ଦେଖାଯାଉଥିଲା ପ୍ରାୟ ସେମିତି ଦେଖାଯାଉଥାଏ । ତାହାର ମୁହଁଟି ଆଗଭଳି କୌଣସି ସାଧାରଣ ଶ୍ୱାନର ମୁହଁ ଭଳି ଠିକ୍ । ପରିବର୍ତ୍ତନ ଭିତରେ ତାହାର ପ୍ରଜଜନଇନ୍ଦ୍ରୀୟଟି ଟିକିଏ ଅଧିକ ବଡ।

ଆଗରୁ କେବଳ ହଁ ଆଉ ନା ଭଳି ଶବ୍ଦରେ କଥା କହୁଥିବା ପାନହୁ ହଠାତ୍ ମଣିଷ ହୋଇ ନପାରିବାର ବିବର୍ତ୍ତନକୁ ସହ୍ୟ କରିନେଇ ତାହା ଉପରେ ସମସ୍ତ ଅନୁପ୍ରବେଶକୁ ପ୍ରତିହତ କରିବାକୁ ଯାଇ ଏବେ ଗୋଟିଏ ନୂତନ ଶବ୍ଦ କହିଥିଲା,ଭୋ ।

ଭୋ,ଭୋ,ଭୋ ।

ରାଜକନ୍ୟାର ଜିଦ୍ ଭଳି ତାହାର ସଂସାର ବି ଭଲରେ ଚାଲିଛି । ବେଳେବେଳେ ସେମାନେ ଦିଜଣ ଉଆସର ଛାତ ଉପରକୁ ଯାଆନ୍ତି । ରାଜକନ୍ୟା ଆକାଶକୁ ତଳକୁ ଓହ୍ଲାଇ ଆସିବାକୁ ଡାକେ । ଆଉ ପାନହୁ ତାହାର ନିଜସ୍ୱ ଗଳାରେ ପ୍ରତିରୋଧ କରୁଥାଏ,ଭୋ ।

ଆମକୁ ଏବେ ଚାଇନା ବୋଲି ଦେଶ ଆଉ ଆଦ୍ୟକାଳର ସେହି ରାଜା କୁ ଏବଂ ତାହାର ସମସ୍ତ ପାରିପାର୍ଶ୍ୱିକ କୁ ଭୁଲିଯିବାର ଅଛି ।

ଆମକୁ ଆମର ଆଗାମୀ ଶାସକକୁ ଅପେକ୍ଷା କରିବାର ଅଛି ।

ତାହାହେଲେ ଏଇ କାହାଣୀରେ ରହିଥିବା ରାଜକନ୍ୟାର ନାଆଁ କ’ଣ ?

ଛନ୍ଦ ।
ଏହା ଛଡା ଆଉ କ’ଣ ହୋଇପାରିବ ଯେ ?

Leave A Reply

Your email address will not be published.