Latest Odisha News

BREAKING NEWS

ଜୀବନର ସମୀକ୍ଷା ଓ ନାରୀ ହୃଦୟର ସଙ୍ଘର୍ଷ ଉପରେ ମୋ ଲେଖା ପର୍ଯ୍ୟବେଷିତ : ଈପ୍ସିତା ମଧୁମିତା ଦାସ (ଶ୍ରୀୟା)

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଭାଷା ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ସାହିତ୍ୟ ସର୍ଜନାରୁ ନିବୃତ ନହୋଇ ସମ୍ପ୍ରତି ଧାତୁ ବିଜ୍ଞାନରେ ପିଏଚ.ଡି ଲାଭ କରିବା ପାଇଁ ସେ ଅଧ୍ୟୟନ ରତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଈପ୍ସିତା ମଧୁମିତା ଦାସ ( ଶ୍ରୀୟା )ଙ୍କ ସହ ‘ସ୍ୱଳ୍ପ ଆଳାପ’

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?

ପିଲାଦିନରୁ ଅନେକ ସମୟରେ ପ୍ରକୃତିର ନୈସର୍ଗିକ ସୁନ୍ଦରତାରେ ବିମୁଗ୍ଧ ହୋଇ ରହିଯାଉଥିଲି। ଲେଖିବା ପାଇଁ ତା’ ଥିଲା ପ୍ରଥମ ପ୍ରେରଣା। ଯେବେ ମାନବିକତାକୁ ବୁଝିଲି, ଜୀବନଚର୍ଯ୍ୟାର କରୁଣ ରାଗକୁ କଲମରେ ବାନ୍ଧି ରଖିବା ପାଇଁ ବ୍ୟାକୁଳ ହୋଇଉଠିଲି । ଯେବେ ସମାଜରେ ବଞ୍ଚିବା ଶିଖିଲି, କିଛି କଳୁଷିତ ଚିନ୍ତାଧାରା ବିରୁଦ୍ଧରେ ଚିତ୍କାର କରିବା ପାଇଁ ଲେଖିଲି । ପ୍ରବାହମାନ ସମୟ ସହ ତାଳ ଦେଇ ଏବେ ନିଜକୁ ବୁଝୁଛି, ତେଣୁ ନିଜ ପାଇଁ ଲେଖୁଛି । ପ୍ରକୃତି ଉପରେ ହେଉ କି ସମାଜ, ନିଜ ଦୃଷ୍ଟିକୋଣରୁ ଆଡ଼େଇ ଯାଇ ଲେଖାରେ ଥିବା ପାତ୍ରମାନଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରୁଛି । କେମିତି ଆଗ୍ରହୀ ହେଲି, କାହିଁକି ଆଗେଇ ନେଲି ଜାଣିନି, ହେଲେ ଏଥିରୁ ଯେଉଁ ଆତ୍ମସନ୍ତୋଷ ମିଳେ, ତା’ର କିଛି ସଂଜ୍ଞା ନାହିଁ; ତେଣୁ ଏ ସର୍ଜନା ଜୀବନ୍ତ ରହିଛି।

ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?

ପ୍ରଥମ ପ୍ରକାଶିତ ଲେଖାଟି ଗୋଟିଏ କବିତା ଥିଲା, “ବାତ୍ୟା” । ୧୯୯୯ ମସିହାର ପ୍ରଳୟଙ୍କରୀ ମହାବାତ୍ୟାର ଦୀର୍ଘ ସାତ ବର୍ଷ ପରେ ମଧ୍ୟ ଇତିହାସର ସେ ଲୋମହର୍ଷଣକାରୀ ମୁହୂର୍ତ୍ତକୁ ସୁମରଣା କରୁଥିବା ଏକ ଅର୍ଦ୍ଧମୃତ ବରଗଛର ସ୍ମୃତି ଉପରେ ପର୍ଯ୍ୟବେସିତ ଥିଲା କବିତା “ବାତ୍ୟା” । ପ୍ରଥମ ପ୍ରକାଶନ ପରେ ପାଠକୀୟ ଆଦୃତି ବି ମିଳିଥିଲା। କବିତାରେ ମୌଳିକତା ଆଣିବା ଉଦ୍ଦେଶ୍ୟରେ କିଛି କଟାକ୍ଷ ବି ମିଳିଥିଲା । ତା’ପରଠୁ ଅନେକ କିଛି ପରୀକ୍ଷା ନିରୀକ୍ଷା କରିଛି ଲେଖା ଉପରେ, କେତେକାଂଶରେ ସଫଳ ହୋଇଛି । ବିଫଳତା ପରେ ନିଜକୁ ଆଉଥରେ ସଜାଡ଼ିଛି ।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

କିଛି ଲେଖା ସମ୍ପୂର୍ଣ୍ଣ ଉପରେ ଆତ୍ମୀଭୂତ ଅନୁଭୂତି, ଜୀବନ ସମୀକ୍ଷା, ଜାତିପ୍ରଥା, ଭାଷା ଜାଗରଣ, ମାନବିକତା, ନାରୀ ସଶକ୍ତିକରଣ, ଅନ୍ଧବିଶ୍ୱାସ ବିରୁଦ୍ଧରେ ସଚେତନତା ତଥା ସାମାଜିକ ସଂସ୍କାର ଉପରେ ପର୍ଯ୍ୟବେସିତ ଥାଏ । ଏହା ଛଡ଼ା ଜୀବନର ପ୍ରତିଟି ସୋପାନରେ ନାରୀ ହୃଦୟର ଉଲ୍ଲାସ ଏବଂ ସଙ୍ଘର୍ଷକୁ ଲେଖାରେ ପ୍ରତିଫଳିତ କରିବାକୁ ମୋତେ ଭଲ ଲାଗେ । ସେ ସଙ୍ଘର୍ଷ କେବେ ସମାଜ ସହ ହେଇପାରେ କେବେ ପ୍ରିୟଜନଙ୍କ ସହ… କେବେ ପୁଣି ନିଜ ସହ… । ସେ ଉଲ୍ଲାସ ବି କେବେ ନିଜ ପାଇଁ ହେଇପାରେ, କେବେ ଅଜଣା ବ୍ୟକ୍ତି ପାଇଁ… ପୁଣି କେବେ କିଛି ଅନାବନା ନିର୍ଜୀବ ଅନୁଭବ ପାଇଁ ।

ମୁଁ କାହିଁକି ଲେଖେ ?

ବ୍ୟସ୍ତ ବହୁଳ ସଙ୍ଘର୍ଷପୂର୍ଣ୍ଣ ଜୀବନ ଭିତରେ କିଛି ସମୟ ନିଜକୁ ଭୁଲିଯାଇ କଳ୍ପନାର ଇନ୍ଦ୍ରଜାଲ ଭିତରେ ନୂଆ ଏକ ଦୁନିଆ ଗଢ଼ିବା ପାଇଁ ଯେଉଁଠି ସ୍ବପ୍ନ ସତ ହେଉଥିବ, ହୃଦୟର ଶବ୍ଦ ସବୁ କାହାଣୀର ପାତ୍ର ପାଲଟି ଯାଉଥିବେ ; ଭାବ ଓ ଭାବନା ନବରସମାନଙ୍କ ସହ ମିଶି ସହ ରାସଲୀଳା କରୁଥିବେ । ମୋତେ ଲାଗେ, କାହାଣୀ ସହ ଏକାକାର ହେବା ଏକ ଅତିମାନବୀୟ ଅନୁଭବ । ସାହିତ୍ୟ ପ୍ରେମ ହେଲେ ମୁଁ ଜଣେ ସାହିତ୍ୟାୟିତ ପ୍ରେମିକା ।

ତାଙ୍କ ରଚନାରୁ ଗପ : ଆତ୍ମତତ୍ତ୍ୱ

“ସାଆନ୍ତେ, ଆତ୍ମତତ୍ତ୍ୱ କଣ?”

ବାରବୁଲା ଗଉରା କୋଉଠୁ ଗୋଟାଏ ଶୁଣିକି ଆସିଥିଲା, କୁଆଡେ “ଆତ୍ମତତ୍ତ୍ୱ” ନଜାଣିଲେ ମୁକ୍ତି ମିଳିବନି । ମରଣ ପରେ ବି ଭଗବାନ ବେକ ଧରି ପୁଣି ପୃଥିବୀ ପୃଷ୍ଠକୁ ପଠେଇଦେବେ । ପୁଣି ଜନ୍ମିବାକୁ ହେବ । ପୁଣି ସେଇ ହଇଚଇ, ପୁଣି ଦେଣ ନେଣ, ପୁଣି ବାର ଦୁଆରେ ବୁଲି ବୁଲି କାମ ଖୋଜିବାକୁ ହବ । ଏସବୁ ଭାବି ଭାବି ବଡ଼ ବିକଳିଆ ହୋଇପଡିଥିଲା ଗଉରା । ରାସ୍ତାରେ କେହି ଜଣେ ତାକୁ କହିଲା, ସାଆନ୍ତେ ବଡ଼ ଗୁଣୀ ଲୋକ, ତାଙ୍କୁ ଆତ୍ମତତ୍ତ୍ୱ ଜଣା । ଖାସ୍ ସେଇଥିପାଇଁ ଧାଇଁଆସିଛି ଏଇ ବରଗଛ ମୂଳକୁ ।

ପ୍ରଶ୍ନଟି ପଚାରିଦେଇ ବସି ରହିଲା ସାଆନ୍ତେଙ୍କ ପାଦ ତଳେ । ସାଆନ୍ତେ ବି ବଡ଼ ମିଜାଜି ଲୋକ । ଗଉରା ଆଡ଼େ ଚାହିଁ, କବିତା ଛଳରେ ଉତ୍ତର ଦେଲେ ।

ହାଡ଼ ମାଂସ ଯୁକ୍ତ ଶରୀରରେ
ଅହଂର ଅନୁଭୂତି,
“ଆତ୍ମା”
ସେ ଏକ ଅଶରୀରି ସତ୍ତା,
ଇନ୍ଦ୍ରିୟାତୀତ, ଭାବାତୀତ,
ପଞ୍ଚମହାଭୂତରୁ ଉର୍ଦ୍ଧ୍ବରେ ।
ସେଇ ଆତ୍ମାର ଅନାସକ୍ତ ଆକାଂକ୍ଷା,
ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ପର୍ଦ୍ଧା,
ନିଃସର୍ତ୍ତ ତିତିକ୍ଷା,
ନବରସର ଉପଢୌକନ ତଳେ,
ମୋକ୍ଷାର୍ଥେ ଏକ ପ୍ରଶାନ୍ତ, ନିଶ୍ଚଳ ପ୍ରତୀକ୍ଷା ।
ପୂର୍ବ ଜନ୍ମର ପ୍ରାରବ୍ଧ ଏ ଜୀବନ
ଚିନ୍ତା-ଚେତନା, କର୍ମାନୁସାରେ ପୁନଃ ଜନ୍ମ,
ଏହା ହିଁ ଆତ୍ମଜ୍ଞାନ ।

ଗଉରା କ’ଣ ବୁଝିଲା କେଜାଣି, ଟେରେଇ ଟେରେଇ ଥରେ ମାଟି ଆଡେ ଚାହିଁଲା, ଥରେ ଆକାଶ ଆଡ଼େ ଚାହିଁଲା ଆଉ ତା’ ପରେ ତିନି ଥର ମୁଣ୍ଡ ହଲେଇ ମନା କଲା । ସେ ଭିତରେ ହାତରେ ଧରିଥିବା କଳମ ବାଡ଼ିଟା ଅଧା ବଙ୍କା ହେଇଯାଇଥାଏ । ବାଡ଼ିଟାର ମୁଣ୍ଡ ଯେତେ ଜୋର ଖସି ଖସି ଯାଉଥାଏ, ଗଉରାର ମୁଣ୍ଡଟା ସେତିକି ଜୋରରେ ହଲୁଥାଏ ।

ଗୋଡ଼ଠୁଁ ମୁଣ୍ଡ ଯାଏଁ ତାକୁ ଚାହିଁଦେଇ ଗଲେ ସାଆନ୍ତେ । ତା’ ପରେ ଗୋଟେ ହାତରେ ଦାଢ଼ି ଆଡ଼େଇ ପଚାରିଲେ, “କିରେ…. ମନକୁ ପାଉନି ନା ବୁଝିହେଲାନି? ଆ, ପାଖରେ ବସ…. ଦକ୍ଷିଣା ଦିଟା ପକା, ବୁଝେଇଦେବି ।”

କିଛି କୂଳ ଥଳ ପାଉନଥିବା ଗଉରା ଦି ହାତରେ କି ମୁଣ୍ଡ କୁଣ୍ଡେଇଲା କେଜାଣି, ସୁତାଣିଟା ବଙ୍କା ହେଇଗଲା । ଅଲରା ବଲରା ଚୁଟି ଭିତରୁ ଦୁଇ ଚାରିଟି ଉକୁଣୀ ଭୂଇଁରେ ପଡ଼ିଯାଇ ତା’ ଫଟା ଚପଲ ତଳେ ଉର୍ଦ୍ଧ୍ବଗତି ପ୍ରାପ୍ତ ହେଲେ ।

ଏସବୁ ପ୍ରତି ବୀତସ୍ପୃହ ଗଉରା ଉତ୍ତର ଦେଲା, “ଆଛା, ସାଆନ୍ତେ, ଆପଣ ଯୋଉ ଲମ୍ବା ଚଉଡ଼ା କଥାଟି କହିଲେ, ତା’ମାନେ ଆପଣ ବି ଭବିଷ୍ୟତ ଜାଣିନାହାଁନ୍ତି! ଆସନ୍ତା ଜନମରେ ମୁଁ ବାରବୁଲା ହେବି କି ନାହିଁ ଆପଣ ବି ଭରସା ଦେଇ କହିପାରିବେନି । ଏ ଯଉ ଆତ୍ମତତ୍ତ୍ୱ ପାଇଁ ମୁଁ ଦଉଡ଼ି ଦଉଡ଼ି ଆଇଲି, ସେ ମୁଟୁରୁ କାମ ନୁହଁ । ତୁଚ୍ଛାକୁ ଏ ଆତ୍ମତତ୍ତ୍ୱ ପାଇଁ ଆଜି ଗୋଟେ ଦିନର ମଜୁରୀ ବନ୍ଦ କଲି, ଦୁଇ ଶ’ ଟଙ୍କା ମାରା ହେଲା ମୋର ! ଧେତ୍!!”

Leave A Reply

Your email address will not be published.