ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୧
ବହୁତ ଜଲଦି ବହିଯାଉଥିଲା ବୋଧହୁଏ ଜୀବନ ନଈ। ଚିତ୍ର କରିବାର ମୋହ ଆଜିକାଲି ବେଶ୍ ଘାରୁଥିଲା। ବୋଧହୁଏ ସେଇଥିପାଇଁ ରଘୁରାଜ ପୁରରୁ ଆସିଲେ ବିଶିଷ୍ଟ ଚିତ୍ର ଶିଳ୍ପୀ ପ୍ରଭାକର । ପ୍ରାକୃତିକ ରଙ୍ଗଠାରୁ ଆରମ୍ଭ କରି ପଟ୍ଟି ତିଆରି କୌଶଳ ପାରମ୍ପରିକ ଢଙ୍ଗରେ ଶିଖେଇଲେ। ପଟ୍ଟ ଚିତ୍ରର ବ୍ୟାକରଣ ଶିଖିଲି। ତାରି ଭିତରେ ଶୈଶବ ଆସୁଥିଲା। ଆସୁଥିଲା ରୁବି,ଜୁଲି ଇତ୍ୟାଦିଙ୍କ ସହ କୈଶୋର, ପ୍ରିୟ ଦାଦାଭାଇ ଆଉ ସର୍ବୋପରି ମାଆ।ଧସେଇ ପଶିଆସୁଥିଲେ, ଆବୋରିଯାଉଥିଲେ ମୋତେ ଗୋଟାପଣେ।
ଛାତ ଉପରେ ଶୁଖେଇବା ସହ ନରମ ସକାଳ ଓ ନିରୋଳା ସଞ୍ଜୁଆ ପହର ଖୁବ୍ ଭଲ ଲାଗୁଥିଲା। ଅଳ୍ପ କିଛି ସମୟ ନର୍ସିଂ ହୋମରେ ନବଜାତ ଶିଶୁଙ୍କ ସେବାରେ କଟୁଥିଲା। ସବୁ ଭିତରେ ଭୀଷଣ ଭାବରେ ଏକଲା ଲାଗୁଥିଲା । ଆଣ୍ଟି ମନେ ପଡୁଥିଲେ। ନୂଆ ପିଲା କେମିତି କରୁଥିବ ତାଙ୍କ କାମ କେଜାଣି …।
ଗୋଟିଏ ସ୍ବର ରହିରହି କାନରେ ଶୁଭୁଥିଲା। କାହିଁ କେହି ଆଉ ଡାକୁନି ତ ସେମିତି।ସେ ନିସ୍ତାର ପାଇଗଲା। ରହିଯାଇଥିବା ମଣିଷ ଖାଲି ନିଃସଙ୍ଗ ହେଉଥିଲା। କେତେ ମାତ୍ରାରେ ବେଢିଥିଲା ସେ। ପରସ୍ତ ପରସ୍ତ ଗୁଡେଇ ଯାଇଥିଲା। କାଢି ଫୋପାଡି ଦେବାକୁ ଇଚ୍ଛା ଥିଲେ ବି ହଉନି ତ। ଥିଲାବେଳେ ସେମିତି କିଛି ବିଶେଷ ଆତ୍ମହରାହୋଇ ଢାଳିଦେଇନି କେବେ। ଏକଦମ୍ ସାଧାରଣ, ଏକଦମ୍ ନିସ୍ପୃହ ମଣିଷ ସହିତ ବାସ୍ତବତାକୁ ଭୋଗିଚି, ଆଉ ଏବେ ଏତେ ମାତ୍ରାରେ ବେଢେଇ ଯାଇଚି ଯେ ତା’ ବିନା ସବୁ ତୁଚ୍ଛ ଲାଗୁଚି। କେଉଁ ଅଷ୍ଟକ, କେଉଁ ଗୀତ, ଭାଗବତର ଧାଡି, ଭାତଡାଲି, ରଙ୍ଗ ତୂଳୀ, ଛୁଞ୍ଚିସୂତା, ସବୁଥିରେ ସେ ସମାହିତ। ମୁକୁଳିବି କେମିତି? ଏ କି ପ୍ରକାର ଜୀବନ! କି ପ୍ରକାର ସମୟ। ଥିଲାବେଳେ ଘାରିଲାନି, ଆଉ ଅବର୍ତ୍ତମାନରେ ଗୁଡେଇ ଯାଉଚି… ୟାରି ନାମ ଆସକ୍ତି … ମୋହ…। କି ଉପାୟ କରିବି …ଅସହାୟ ନହଲେ ବି ଏକପ୍ରକାର ଆକୂତି ଆକ୍ରାନ୍ତ କରିବସୁଥିଲା …। ମୁକୁଳିବାକୁ ସତତ ଚେଷ୍ଟିତ ଥିଲି।
ଧ୍ୟାନ, ଯୋଗ,ପ୍ରାଣାୟାମ, କଥକ, ଚିତ୍ର, ସେବା, ସବୁଭିତରେ ମାଡିମକଚି ଯାଉଥିଲା ଜୀବନ।ହଜିବି ନା ଖୋଜିବି, ଅପେକ୍ଷା ନା ପ୍ରତୀକ୍ଷା ନା ତିତିକ୍ଷା …ଚାଲୁ ଯୁଆଡେ …। ଠେଲି ହୋଇ ଯାଉଥିଲି କୁଆଡେ।
କବାଟ ନକ୍ ହେଲା। ଖୋଲିଲି। ଦୁଇ ଡାକ୍ତରାଣୀ ଏକାସହିତ ପଶି ଆସିଲେ। କଣ ହେଲାଯେ ,ଧକ କଲା ଛାତି। ଡକ୍ଟର ଦେବିକା କହିଲେ,’ମୋ’ ନାତୁଣୀକୁ ଶିଖେଇବୁ ନାଚ, ଅଳ୍ପ ସମୟ ଦବୁ ପ୍ରତିଦିନ।’ମୁଣ୍ଡ ହଲେଇ ହଁ କହିଲି। ଏ ତ ଖୁସିର କଥା। କିନ୍ତୁ କେବେ କାହାକୁ ଶିଖେଇନି। ଯା’ ହେଉ ଜଣକୁ ପାଇଲି। ରାଧା କୃଷ୍ଣ ଆସିବେ ଆଉଥରେ ଜୀବନ ଭିତରକୁ। ଦେଖାଯାଉ। ଚାଲିଗଲେ ତାପରେ ସେ । ଏଥର ଡକ୍ଟର ବସା କହିଲେ , ସବୁଦିନ କିଛି ସମୟ ମୋ’ସହିତ ଯିବୁ କ୍ବେଷ୍ଟର କ୍ଳବକୁ। କିନ୍ତୁ ଅନେକ ରିସ୍କ ଅଛି। ମିଥିଳା ଦିଦିର ଡାହାଳ ସବୁ ଘୂରିବୁଲୁଥିବେ ମୋ’ ପାଇଁ। ହଁ ସତକଥାଟିଏ। ସତର୍କତା ସହ ପୁଣି ସଙ୍ଗାତ ହେବାକୁ ଯାଉଛି …ଚିରଦିନ ନିମନ୍ତେ ଏଇଆ ତ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ମୋ’ର।
ଏବେ ଏସବୁ ଭିତରେ ଭଲ ଲାଗୁଥିଲା ଜୀବନ। ବାହାରକୁ ଆସିବା ଆଉ ଯୋଗମାୟା ଅପାଙ୍କର କଥା ଶୁଣିବାପରେ ବହୁତ ବଦଳି ଯାଉଥିଲା ଭିତରର ଏକଲାପଣ। କର୍ତ୍ତବ୍ୟ କରିବାର ଥିଲା, ଅର୍ଥପୂର୍ଣ୍ଣ ଜୀବନକୁ ନେଇ ବୁଝି ବିଚାରି ସବୁକିଛି ଚାଲିବାରଥିଲା। ମହାର୍ଗ ଜୀବନ… ଖର୍ଚ୍ଚ କରିବାକୁ ହେବ ଠିକ୍ ଭାବରେ।
ବେଶ କିଛି ମାସ ବିତିଗଲା। ସଂହିତା ଖୁବ୍ ଭଲ ଝିଅ। ଭଲ ଶିଖିପାରେ ସେ। କଥକ ଶିଖିଲାବେଳେସେ ଛାତ୍ରୀ ଆଉ ଆମେ ସାଙ୍ଗ ହୋଇ ଓଡ଼ିଶୀ ଶିଖିଲାବେଳେ ସେ ମୋ’ ସିନିୟର।ହସ ମାଡେ,ମଜା ଲାଗେ। କିଛି ପଇସା ରୋଜଗାର ହେଉଥିଲା ଶିଖେଇବାରେ ।ମାତ୍ର ମୋ ଠାରୁ ଓଡ଼ିଶୀ ଶିଖାଉଥିବା ଗୁରୁ କିଛି ନେଉନଥିଲେ। ସେକଥା ଡକ୍ଟର ଆଣ୍ଟି ବୁଝୁଥିଲେ। ଅମାନବୀୟ ସତ୍ତା ସହ ନିଜକୁ ଯୋଡୁଥିଲି। ଅପ୍ରାକୃତ ପ୍ରେମ ସହ ନିଜକୁ ସାମିଲକରି ହସୁଥିଲି। କିଶୋରୀ ସଂହିତା ବୁଦ୍ଧିମତୀ ଥିଲା। ବହୁତ ଶିଘ୍ର ଶିଖୁଥିଲା। ଭଲ ଲାଗୁଥିଲା ସେ ସମୟ ଟିକକ। ଯୁଗଳବନ୍ଦି ଆମର ଆକର୍ଷଣୀୟ ହେଉଥିଲା। ଆଗ୍ରହର ସହ ଆମେ ଦୁହେଁ ପାଦେପାଦେ ନିଷ୍ଠା ଓ ଧୈର୍ଯ୍ୟସହକାରେ ଆଗଉଥିଲୁ।
ହରେଇଥିବାର ଦୁଃଖ ଅଳ୍ପ ବହୁତ ଲିଭୁଥିଲା। ରାଈ କିଶୋରୀ ପାଇଥିଲେ କ’ଣ ଯେ … ଯାହାସବୁ ଅପହଞ୍ଚ ଇଲାକାରେ ଝୁଲୁଚି, ତାକୁ ହାତପତେଇଲେ ଲୋକହସା ହବାକଥା। ଦୂରରେ ଥିଲେ ବି ପାଖରେ ଅଛି, ହୃଦୟ ଭିତରେ ନିବୁଜ ଫରୁଆରେ ଲୁଚେଇ ରଖି ହସୁଥିଲି।
ଥିବାବେଳେ ଲାଗୁନଥିଲା ମାଆର। ଆଜି ମୋର କଣ ହୋଇଗଲା। ଟାଣି ଓଟାରି କାଢିବାକୁ ଚାହିଲେ, ଚିଙ୍ଗୁଡିଆ ଦଳଭଳି ବେଶି ବେଶି ମାଡିଯାଉଚି। କେହି ତ କାହାର ନୁହେଁ, ନିଜେହିଁ ନିଜର ପରା। ତଥାପି ଅପେକ୍ଷା ରଖୁଛି ମଣିଷ ତା’ ଆକଟ, ତା’ ଡାକ , ତା’ଗୀତ, ଭଜନ, ଶାଗଭଜା, ପଖାଳ ……। ହେତ୍ କଣ ନେଇଯିବ ମଣିଷ ସାଙ୍ଗରେ।ଯଦି ଛାଡିବାକୁ ହବ ସବୁ, ଏବେ ଏଇକ୍ଷଣି ଛାଡିବା। କଷ୍ଟ ହେଉ।କଣ୍ଟା ଫୋଡିହେଉ। ରକ୍ତାକ୍ତ ହେଉ, ଝରିଗଲେ ଯନ୍ତ୍ରଣା କମିବ… କେଜାଣି …। ଯନ୍ତ୍ରଣା ବିନା ଜୀବନ କାହିଁ ଯେ।
: ଏ ଜବା ତୁ ବୋହୂର ଆକ୍ଟିଂ କରିପାରିବୁ?
: କାହିଁକି, କଣ ହେଲାକି
: ଦରକାର ଅଛି, ପାରିବୁ କି କହ
: ପାରିବି ,ବୋଧହୁଏ। ଚେଷ୍ଟା କରିବି।
:ନେ ଏସବୁ, ପିନ୍ଧି ପକା, ଥରେ ନିଜକୁ ଦର୍ପଣରେ ଦେଖି ଭାବି ନେ, ନୂଆବୋହୂ।
: ନଗରବଧୂର ଘରୁ ଯିଏ ଆସିଚି ସିଏ କ’ଣ କାହାର ନୂଆବୋହୂ ହୋଇ ପାରିବ…. ହଃ ,କେବଳ ଅଭିନୟ ତ …ପାରିବି ମ, ପାରିବି …ନିଶ୍ଚୟ ପାରିବି।
ପ୍ରହେଳିକା …କୁଜ୍ଝଟିକା … କଣ୍ଟା ଝଣ୍ଟା.. ସବୁଥୁଆ ଜବାପାଇଁ। ଜନ୍ମ ବେଳୁତ ହରାଇଛି ସବୁକିଛି , ଆଜି ଆଉ କହିବ କାହାକୁ.. କିଏ ଅଛି ନିଜର ହୋଇ। ସମୟ ଘୋଷାରି ନେଉଚି କୋଉଆଡେ ଯେ ତା’ର ଠିକ୍ ଠିକଣା ନାହିଁ। ଅନୁକୂଳରେ ମେଲିଦେଲି ଟିକି ନାଆକୁ ମୋ’ର ବିଶେଷ କିଛି ନଭାବି । (କ୍ରମଶଃ)