Latest Odisha News

BREAKING NEWS

ସେ କିଏ ?

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …… 

ଜୀବନରେ ବେଳେବେଳେ ଏମିତି କିଛି ଚମତ୍କାର ଘଟିଥାଏ ଯାହାକୁ କୌଣସି ବିଜ୍ଞାନ ସମ୍ମତ ଯୁକ୍ତିଦ୍ୱାରା ବ୍ୟାଖ୍ୟା କରିବା ସମ୍ଭବ ହୁଏନାହିଁ। ସେହି ଅଲୌକିକ, ଦିବ୍ୟ ଅନୁଭୂତିକୁ ଇନ୍ଦ୍ରିୟଲବ୍ଧ ଜ୍ଞାନ ତଥା ସୀମିତ ମନବୁଦ୍ଧି ଅହଂକାର ଦ୍ୱାରା ନା ବୁଝିହୁଏ, ନା ବୁଝେଇ ହୁଏ। ସେପ୍ରକାର ଅନୁଭୂତି କୁ ଆମର ହେତୁବାଦୀ ମନ କେବେ ଅସାଧାରଣ ଘଟଣାବଳୀର ସଂଯୋଗ ତ କେବେ ମନର ଭ୍ରମ ବୋଲି ଯୁକ୍ତିଦ୍ୱାରା ଅସ୍ୱୀକାର କରିବାକୁ ଚେଷ୍ଟା କରେ। ଏ ଅକିଞ୍ଚନର ସୀମିତ ଜୀବନକାଳ ଭିତରେ ବି ଏମିତି ଛୋଟ ବଡ କେତେକ ଚମତ୍କାରୀ ଘଟଣା ଘଟିଯାଇଛି ଯାହାର କୌଣସି ତର୍କ ସଂଗତ ଯୁକ୍ତି ପ୍ରସ୍ତୁତ କରି ହୁଏନାହିଁ। ସେସବୁ ଘଟଣା ସହିତ ଜଡିତ କିଛି ପ୍ରଶ୍ନ ଆଜିବି ଅସମାହିତ।

ଘଟଣା ୧୯୯୧ ମସିହା ଫେବୃଆରୀ ମାସର। ଆମେ ପୁରୀରେ ଥାଉ, ପୁରୋହିତ ବାବୁ ସେତେବେଳେ ଦୁଇବର୍ଷ ସବଜଜ ଭାବରେ କାର୍ଯ୍ୟ କରିବାପରେ ସେଇଠି ରେଜିଷ୍ଟ୍ରାର ଭାବରେ ଯୋଗ ଦେଇଥାନ୍ତି। ମୁଁ ଥାଏ ସାମନ୍ତ ଚନ୍ଦ୍ରଶେଖର କଲେଜରେ। ବଡ଼ପୁଅକୁ ସେତେବେଳେ ଦଶ ବର୍ଷ, ସାନକୁ ସାତ।

ଦିନେ ସନ୍ଧ୍ୟା ସମୟରେ ସାନପୁଅକୁ ଜର ଆସିଲା. ସାଧାରଣ ଥଣ୍ଡା ଜର ହେଇଥବ ବୋଲି ଭାବି ଡାକ୍ତରଙ୍କୁ ଫୋନ କଲି। ଶିଶୁ ରୋଗ ବିଶେଷଜ୍ଞ ଡ଼. ରାଓ ଆଗରୁ ବଲାଙ୍ଗୀରରୁ ଚିହ୍ନା। ସେ ବି ସାଧାରଣ ଥଣ୍ଡା ଜର ପାଇଁ ଔଷଧ ପ୍ରେସକ୍ରାଇବ କରିଦେଲେ।

ପୁରୀ ଜଜକୋର୍ଟରେ ରେଜିଷ୍ଟ୍ରାରଙ୍କ ଦାୟିତ୍ୱ ଓ କାମ ବହୁତ । ତା ବ୍ୟତୀତ ରାଜ୍ୟ ଓ ରାଜ୍ୟ ବାହାରୁ ପୁରୀ ଆସୁଥିବା ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିମାନଙ୍କ ରହିବା, ମନ୍ଦିର ଦର୍ଶନ ବ୍ୟବସ୍ଥା କଥା ବୁଝିବାକୁ ପଡ଼େ । ଅତ୍ୟଧିକ କାମ ହେତୁ ପୁରୋହିତ ବାବୁଙ୍କୁ ଘରପାଇଁ ସମୟ ଦେବା ସମ୍ଭବ ହୁଏନାହିଁ। ଦିନେଦିନେ ଘରକୁ ଫେରିବା ବେଳକୁ ରାତି ୧୦। ଏସବୁ ସତ୍ତ୍ୱେ ପୁରୋହିତ ବି ବାବୁ ପ୍ରତିଦିନ ରାତି ଚାରିଟାରୁ ଉଠି ନିତ୍ୟକର୍ମ ସାରି ନିଶ୍ଚୟ ମଙ୍ଗଳ ଆଳତି ଦର୍ଶନ କରୁଥିଲେ। ହେଲେ କାମ ଭିଡ ଏତେ ଯେ ପୁଅକୁ ଡାକ୍ତର ପାଖକୁ ନେବାକୁ ସମୟ ନଥାଏ ।

ଡ଼ . ରାଓଙ୍କ ଚିଠା ଅନୁସାରେ ଔଷଧ ମଗେଇ ପିଲାକୁ ଦିଆଗଲା, କିନ୍ତୁ ଜର ଛାଡିଲାନି । ପାରାସିଟାମଲ ଦେଲେ ତାତି କମିଯାଉଥାଏ, ଔଷଧ ପ୍ରଭାବ କମିଗଲେ ପୁଣି ଫେରିଆସେ । ଦିନେ ଗଲା, ଜର କମିବା ପରିବର୍ତ୍ତେ ବଢ଼ିଗଲା, ମାପିଲେ ୧୦୧ ଫରେନହିଟ ଉପରେ। ପୁଣି ବ୍ୟସ୍ତହୋଇ ଡାକ୍ତରଙ୍କୁ ଯୋଗାଯୋଗ କଲି, ସେ କହିଲେ ଥ୍ରୋଟ ଇନଫେକସନ୍ ହେଇ ଥିବ,ସେ ଅନୁସାରେ ଔଷଧ ବତେଇ ଦେଲେ। ସେ ଔଷଧ ବି ଦିଆ ହେଲା ।ତଥାପି ଜର କମିଲା ନାହିଁ, ପାରାସିଟାମଲ ଦେଲେ ବି ୯୯ ରୁ କମୁ ନଥାଏ। ଏମିତିରେ ଆଉ ଦୁଇଦିନ ଚାଲିଗଲା।

ଏଭିତରେ ପୁରୋହିତ ବାବୁଙ୍କ ଆଉ ଦୁଇ ଜଣ ଡାକ୍ତର ବନ୍ଧୁ ଘରକୁ ଆସି ପୁଅକୁ ଦେଖି ଗଲେଣି, ସେମାନେ ବି ଔଷଧ ଠିକ ଅଛି, ଜର ଛାଡିଯିବ ବୋଲି ଶାନ୍ତ୍ୱନା ଦେଉଥାନ୍ତି । କିନ୍ତୁ ଔଷଧ କାମ କରୁନଥାଏ, ଜର ବଢୁଥାଏ ୧୦୩ ଡିଗ୍ରୀ ରୁ ୧୦୪ ଡିଗ୍ରୀ ପହଁଞ୍ଚି ଯାଉଥାଏ। ମୁଣ୍ଡରେ ପାଣିପଟି ଦିଆ ଚାଲୁଥାଏ, ପାରାସିଟାମଲ ଓ ଆଣ୍ଟିବାୟୋଟିକ ଦିଆ ଚାଲିଥାଏ। ଜର ନର୍ମାଲ ହେବାର ନାଁ ନଉ ନଥାଏ, ତା ସାଙ୍ଗକୁ ଝାଡା ମଧ୍ୟ ଆରମ୍ଭ ହେଇଗଲା।

ଡ. ରାଓଙ୍କ ପରାମର୍ଶ କ୍ରମେ ରକ୍ତ ପରୀକ୍ଷାରୁ ଜଣା ପଡିଲା ଟାଇଫଏଡ଼, ତଦନୁଯାୟୀ ଔଷଧ ମଧ୍ୟ ଦିଆଗଲା। ଡାକ୍ତରଙ୍କ କହିବା ଅନୁସାରେ ଟାଇଫଏଡ଼ ଔଷଧ ଦେବାର ଅଠଚାଳିଶ ଘଣ୍ଟା ପରେ ଜ୍ଵର ନିଶ୍ଚୟ କମିଯିବା କଥା । ପଚାଶ ଘଣ୍ଟା ଗଲା, ଷାଠିଏ ଘଣ୍ଟା ଗଲା, ଜ୍ୱର କମିବାର ଲକ୍ଷଣ ଦେଖା ଯାଉ ନଥାଏ। ପିଲାଟା ଖିଆପିଆ ଛାଡି ଶୁଖି କଳାକାଠ ପଡି ଯାଇଥାଏ,ବହୁତ ଵ୍ୟସ୍ତ ଲାଗୁଥାଏ। ଏପଟେ ମୁଁ କେତେ ଓପାସ ,ବାର ବ୍ରତ ଯାଚି ସାରିଲିଣି ।ଆମ ବ୍ୟସ୍ତତା ଦେଖି ପୁଅ ପଚାରେ, “ମା, ମୋର ଜର ଭଲ ନାଇଁ ହଏ କାଏଁ ?” ଆହୁରି କାନ୍ଦ ମାଡ଼େ। ପୁଅର ଅବସ୍ଥା ଦେଖି ଡାକ୍ତର ପରାମର୍ଶ ଦେଲେ କଟକ ଶିଶୁ ଭାବନକୁ ନେଇଯାଆନ୍ତୁ । ମୁଁ ତ ଆଗରୁ ଛୁଟିରେ ଥିଲି, ପୁରୋହିତ ବାବୁ ବି ଛୁଟି ପାଇଁ ଅବେଦନ କଲେ। ଗାଡି ଠିକ ହେଲା, ପୁରୋହିତ ବାବୁ ଅଫିସରୁ ଫେରିଲେ ସାଥେ ସାଥେ କଟକ ଯିବୁ। ଯିବା ଆଗରୁ ଜଗାକୁ ଦୁଃଖ ଜଣେଇବା ପାଇଁ ଭାବିଲି। ଅର୍ଡଲି ପିଅନ ଓ ବଡ଼ପୁଅକୁ ରୋଗୀଣା ସାନ ପାଖରେ ଜଗେଇ ବାହାରି ଗଲି ।

ସନ୍ଧ୍ୟା ସାଢ଼େ ଚାରିରୁ ପାଞ୍ଚ ଭିତରେ ହେବ, ସିଂହଦ୍ଵାରରେ ନିକଟରେ ରିକ୍ସାରୁ ଓହ୍ଲେଇ ପତିତପାବନ ଦର୍ଶନ କରି ଭିତରକୁ ଗଲି। ବେଢ଼ା ଭିତରେ ପାର୍ଶ୍ୱ ଦେବା ଦେବୀଙ୍କୁ ଦର୍ଶନ କରି ଗରୁଡ଼ ସ୍ତମ୍ଭ ପଛରୁ ରତ୍ନବେଦୀ ଆରୁଢ଼ ତିନି ଦିଅଁଙ୍କୁ ଦର୍ଶନ କଲି। ଅତି ଦୁଃଖ ସମୟରେ ନିକଟ ଆତ୍ମୀୟକୁ ଦେଖିଲେ ଯେପରି କୋହ ଉଠିଯାଏ, ଆଖିଲୁହ ବାଧା ମାନେନାହିଁ , ସେମିତି ଲୁହ ମୋର ଧାର, ଧାର ବୋହି ଯାଉଥାଏ, କାଳିଆର ଚେହେରା ଝାପସା ହେଇଯାଉଥାଏ। ବହୁ କଷ୍ଟରେ ସେଠୁ ବାହାରି ବିମଳା ମନ୍ଦିର ଦେଇ , ଭୁବନେଶ୍ୱରୀ ମନ୍ଦିର ଦେଇ ନୀଳମାଧବଙ୍କୁ ତଳୁ ମୁଣ୍ଡିଆ ମାରି, ବେଢ଼ାକାଳୀଙ୍କ ପାଖକୁ ଗଲି।ସେତେବେଳେ ମାଙ୍କ ମନ୍ଦିର ଭିତରେ ଛୋଟ ପିଲାଟି ଏ ଛଡ଼ା ଆଉ କେହି ନଥାନ୍ତି । ପିଲାଟିର ବୟସ ଆଠ ଦଶ ବର୍ଷ ଭିତରେ , ଶ୍ୟାମଳ ରଙ୍ଗ, ପତଳା ଶରୀର । ହାଫ ପେଣ୍ଟ ଶାର୍ଟ ପିନ୍ଧିଥାଏ। ଦୀପଷ୍ଟାଣ୍ଡ ଉପରୁ ଜଳୁ ନଥିବା ଦୀପ ଗୁଡ଼ିକ ଗୋଟେଇ ନେଇ କବାଟର ବାଁ କଣରେ ରଖୁଥାଏ।

ପୁରୀ ରହଣି ସମୟରେ ଶ୍ରୀମନ୍ଦିର ପ୍ରାୟ ଯାଉ, ସେଭିତରେ ଅନେକ ପଣ୍ଡା, ପଢ଼ିଆରୀ ଓ ସେବକ ଚିହ୍ନା ହେଇ ଯାଇଥିଲେ। ତାଙ୍କଠୁ ମନ୍ଦିର ବିଷୟରେ ଅନେକ ନୂଆନୂଆ କଥା ଶୁଣିବାକୁ ମିଳେ। ଥରେ ବେଢ଼ାକାଳୀ ମନ୍ଦିରର ନନା (ନାମ ଭୁଲି ଯାଇଛି) କହିଥିଲେ,”ବେଢାକାଳୀ ଶ୍ରୀମନ୍ଦିରର ଜାଗ୍ରତ ପ୍ରହରୀ ।ଏଇ ପୁରୁଷୋତ୍ତମ କ୍ଷେତ୍ରରେ ରାତ୍ରରେ ମହାପ୍ରଭୁ ଶୋଇଲା ପରେ , ମାଆ ହିଁ ଜାଗ୍ରତ ରହି ମନ୍ଦିରକୁ ଜଗିଥାଆନ୍ତି। ମାଆ ଅତି ପ୍ରତ୍ୟକ୍ଷ, ଜୀବନ୍ତ , ନିଶ୍ୱାସ ନିଅନ୍ତି। ତାଙ୍କୁ ଡାକିଦେଲେ ‘ଓ’ କରନ୍ତି ।” ଗୋଟେ ଜଳନ୍ତା ଦୀପ ନେଇ ମାଆଙ୍କ ମୂର୍ତ୍ତିର ମୁହଁ ପାଖ ଗୋଟେ ଛୋଟ ଜଳା ନିକଟରେ ରଖି ପ୍ରମାଣ ଦେଖେଇ ଥିଲେ ମାଆଙ୍କ ମୂର୍ତ୍ତିବି ନିଶ୍ୱାସ ନିଅନ୍ତି । ସେ ଯାହାହେଉ ମାଙ୍କ ଉପରେ ଆମର ଅତୁଟ ବିଶ୍ୱାସ । ମନ୍ଦିର ଗଲେ ଆମେ ବେଢ଼ା କାଳୀଙ୍କ ମନ୍ଦିରରରେ ନିଶ୍ଚୟ ବେଶ କିଛି ସମୟ ରହି ମାଙ୍କୁ ସ୍ତୁତି କରିବା ଥୟ।

‘ ତା ବିନୁ ଅନ୍ୟ ଗତି ନାହିଁ,’ ବିପଦରେ ସେଇ ମା ଏକା ସାହା। ମା ହିଁ ଦୁଃଖ ବୁଝି ପାରେ , ସୁଖରେ ଦୁଃଖରେ ମା ହିଁ ପଣତ ଘୋଡେଇ କୋଳେଇ ନିଏ। କରୁଣାମୟୀ ମାଆର ଲୀଳା ଅପୂର୍ବ । ସେଦିନ ବି ତାଆରି ଦୁଆର ମୁହଁରେ ଠିଆ ହେଇ ମୁଁ ଅତି ବିକଳରେ କହୁଥାଏ ,” ମାଆ ଲୋ, ଦୁଃଖୀର ଗୁହାରୀ ଶୁଣ , ମୋ ପୁଅକୁ ଭଲ କରିଦେ ମା , ତା ଜର ଭଲହେଲେ ତୋ ଦୁଆରେ ଆଣି ଗଡେଇ ଦେବି।” କିଛି ପୂର୍ବପର ସମ୍ବନ୍ଧ ନଥାଇ ସେ ପିଲାଟି ହଠାତ କହିଉଠିଲା,”ଯା ଦୀପ ଲଗେଇ ଘରକୁ ଯା, ଦେଖିବୁ ଭଲ ହେଇ ଯାଇଥିବ ।”

ଜାଣେନି କାହିଁକି ପିଲାଟିର କଥା ଶୁଣି ତାକୁ ଛାତିରେ ଜଡେଇ ଧରିଲି, ତା ସ୍ପର୍ଶରେ ସାରା ଶରୀରେ ଏକ ଶିହରଣ ଖେଳି ଉଠିଲା, କହି ପକେଇଲି “ବାପାରେ ତୋ କଥା ସତ ହଉ।” ତାପରେ ତା ମୁହଁ କୁ ଟେକି ପଚରିଲି, ” ତୋ ଘର କଉଠି? ” ସେ କହିଲା,”ମୁଁ ଏଇଠି ରହେ, ଏଇଠି ଥାଏ “। ସେତେବେଳେ ପୁଅ କଥା ଛଡା ଆଉ କିଛିକଥା ମୋ ମୁଣ୍ଡକୁ ପଶୁ ନଥିଲା। ମୁଁ ଭାବିଲି ମନ୍ଦିର ପାଖ କଉ ସାଇର ପିଲା ହେଇଥିବ କି ପାଖ କଉ ଦୀପବାଲାର ପୁଅ ହେଇଥବ। ମୋ କଥା ବୋଧେ ଶୁଣି ଦେଇଛି, ଶାନ୍ତ୍ୱନା ଦେବାକୁ ଏମିତିରେ କିଛି ଗୋଟେ କହି ଦେଇଛି।

ଲକ୍ଷ୍ମୀ ମନ୍ଦିର ଓ ତାପରେ ଶୀଘ୍ର ଶୀଘ୍ର ବାକି ଦିଅଁ ଦର୍ଶନ କରି ଘରକୁ ଫେରିଲି। ଘର ଆଗରେ ପହଞ୍ଚି ରିକ୍ସାରୁ ଓହ୍ଲେଇଛି କି ନାହିଁ, ପିଅନ ଦୌଡ଼ି ଦୌଡ଼ି ଆସି କହିଲା ,”ମା ବାବୁଙ୍କ ଜର ଆଉ ନାହିଁ , ଉଠି ବସିଲେଣି , ବଡବାବୁଙ୍କ ସାଙ୍ଗରେ ଖେଳୁଛନ୍ତି।”

ମୁଁ ଭିତରକୁ ଯାଇ ଦେଖେ ତ ସାତ ଦିନରୁ ଖଟରୁ ଉଠୁ ନଥିବା ପିଲା ବଡଭାଇ ସାଙ୍ଗରେ ଲୁଡୁ ଖେଳୁଛି। ଦେହର ଉତ୍ତାପ ଥର୍ମମିଟରରେ ୯୮ ଡିଗ୍ରୀ। ଡ଼ ରାଓ ଙ୍କୁ ପଚାରିଲରୁ କହିଲେ ,” ବିପଦ ଟଳି ଗଲା, ଆଉ ଡରନ୍ତୁନି , ଶିଶୁ ଭବନ ନେବା ଦରକାର ନାହିଁ ,ଏଇ ଔଷଧ ହିଁ କାମ କରିବ।’ ତାପରେ ସେ ଧୀରେ ଧୀରେ ଭଲ ହେବକୁ ଲାଗିଲା, ଯଦିଓ ଦୁର୍ବଳତା ବହୁଦିନ ରହିଲା।

ସେଦିନ ମୋର କେମିତି ଗୋଟେ ବିଶ୍ଵାସ ହେଲା ଯେ ମନ୍ଦିରର ସେଇ ପିଲାଟି ଆଉ କେହି ନୁହଁ ସ୍ୱୟଂ ବେଢ଼ାକାଳୀ। ମନେ ପଡ଼ିଲା ପିଲାଟି କହିଥିଲା, “ମୁଁ ଏଇଠି ଥାଏ।’ ତାପରଠୁ ବେଶ କିଛିଦିନ ଲାଗ ଲାଗ ପାଗଳ ପରି ଠିକ ସେଇ ସମୟରେ ମନ୍ଦିର ଯାଇଛି ଓ ବେଢ଼ା କାଳୀଙ୍କ ପାଖରେ ବେଶ କିଛି ସମୟ ରହିଛି, ପାଖ ଦୀପବାଲାମାନଙ୍କ ପାଖରେ ଖୋଜିଛି, ହେଲେ ଆଉ କେବେବି ତାକୁ ଦେଖି ପାରିନି !

କିଏ ସେ(?) ଏତେ ଦୃଢ଼ ଭାବରେ ନିର୍ଦ୍ଦେଶ ଦେଲେ” ଯା ଦୀପ ଲଗେଇ ଘରକୁ ଯା, ଭଲ ହେଇ ଯାଇଥିବ ” ।କଥାଟା କଣ ଏମିତିରେ ଲାଗିଗଲା ନା ଆଉକିଛି ? ଏଇଠି ଥାଏ ବୋଲି ତ କହିଥିଲା, ଆଉ କେବେ କାହିଁକି ଦେଖି ପାରିଲିନି ? ମାଆ କଣ ପିଲାଟି ମୁହଁରେ ଆର୍ଶିବଚନ ଶୁଣେଇଥିଲେ? ଅଡ଼ୁଆ ସୁତା ପରି ଗୁଡେ଼ଇ ତୁଡେଇ ହେଉଥିବା ଏତେ ସବୁ ଅସମାହିତ ପ୍ରଶ୍ନ ଭିତରେ କିନ୍ତୁ ଏବେବି ସେ ସ୍ମୃତିଚାରଣ ମାତ୍ରକେ ଶରୀର ଶିହରିତ , ମନ ପୁଲକିତ ହୋଇଉଠେ। ଅପାର କରୁଣାମୟୀ ମାର କରୁଣାର ବାରିଧାରାରେ ତନୁମନ ସିକ୍ତ ହୋଇଉଠେ । ସେ ଯିଏ ବି ହୁଅନ୍ତୁ ନା କାହିଁକି, ସେଦିନ ତାଙ୍କୁ ଆବେଗରେ କୁଣ୍ଡେଇ ଧରି ପାରିଥିବାରୁ ନିଜକୁ ଧନ୍ୟ ମନେକରେ, ସେ ସ୍ମୃତି ସ୍ମରଣ ମାତ୍ରକେ ଏବେବି ଲୋମ ଟାଙ୍କୁରି ଉଠେ।

Leave A Reply

Your email address will not be published.