ବାଘ ନ ଦେଖିଲେ ବିରାଡ଼ି ଦେଖ

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …… 

ନିକଟରେ ଭଉଣୀର ପୁଅର ବାହାଘର। ସୁନା ଦାମ ତ ଅକାଶଛୁଆଁ, ଭାବିଲି ନୂଆ କିଣିବା ଅପେକ୍ଷା ଘରେ ଥିବା ପୁରୁଣା ସୁନା ଅଳଙ୍କାରରୁ ଗୋଟେ ବଦଳେଇ ନୂଆ ଚେନଟିଏ କିଣିଦେଲେ ଭଲ ହେବ। ବାହାଘର ବେଳେ ମା ଦେଇଥିବା ସୀତାହାର ଯାହାକୁ ମୋ ନିଜ ବାହାଘର ବ୍ୟତୀତ ଆଉ ଅନ୍ୟ କୌଣସି ସମୟରେ ପିନ୍ଧି ନାହିଁ, ସେଇଟାକୁ ନେଇ ନୂଆ ଖୋଲିଥିବା ଏକ ଗହଣା ଦୋକାନକୁ ଗଲି। ତାର ଓଜନ ଓ ଶୁଦ୍ଧତା ପରୀକ୍ଷା କରିବାରୁ ଜଣାପଡିଲ ପୁରାପୁରି ବାଇଶ କାରେଟ । ଉତ୍କଣ୍ଠାରେ ହାତରେ ପିନ୍ଧିଥିବା ଖଡୁ ବି ପରୀକ୍ଷା କରେଇଲି, ସେ ବି ବାଇଶି କେରେଟ। ଟିକ୍ରାପଡାର ଜୟସିଂ ସୁନାରିଙ୍କ ପାଖରେ ମାଆ ତିଆରି କରେଇଥିଲେ ଏଇ ହାର ଓ ଖଡୁ । ଖଡୁ ତ ଆଜିବି ନୂଆ ପରି ଦିଶୁଚି , ହାରଟା ପୁରୁଣା କାଳିଆ ଡିଜାଇନ ହେଲେ ବି ତାର ସୌନ୍ଦର୍ଯ୍ୟ କି ଔଜ୍ୱଲ୍ୟ କିଛି କମି ନାହିଁ। ହେଲେ ଦିନେ ଏଇ ସୁନା ଅଳଙ୍କାର ଓ ଜୟସିଂଙ୍କୁ ନେଇ ଏକ ରୋଚକ ଘଟଣା ଘଟିଥିଲା ଯାହା ଆଜି ବି ମୋ ସ୍ମୃତି ଫରୁଆରେ ସାଇତା ହେଇ ରହି ଯାଇଛି।

ଜୟସିଂ ସୁନାରୀ କହିଲେ ବଲାଙ୍ଗୀରରେ ସେତେବେଳେ ସମସ୍ତେ ଚିହ୍ନୁ ଥିଲେ, ଭାରି ନାଆଁ ଡାକ ….ଲୋକେ ତାଙ୍କ ଉପରେ ଆଖି ବୁଜି ବିଶ୍ୱାସ କରୁଥିଲେ। ଆଗ ତ ଏମିତି ଭଳିକି ଭଳି ସୁନା ଦୋକାନ ନଥିଲା କି ହଲମାର୍କ ସୁନା କଥା ଶୁଣା ନଥିଲା । ବଣିଆ ଦୁକାନ ଉପରେ ହିଁ ସମସ୍ତେ ନିର୍ଭର କରୁଥିଲେ। ଜୟସିଂ ସୁନାରୀ ତ ସେତେବେଳୁ ବହି ଦେଖି ଯେମିତି କହିବ ସେମିତି ନୂଆ ନୂଆ ଡ଼ିଜ଼ାଇନର ଗହଣା ବନେଇ ଦେଉଥିଲେ , ସୁନାର ଶୁଦ୍ଧତା ବି ଠିକ ରଖୁଥିଲେ, ସେଥିପାଇଁ ବହୁତ ନାଁ ଥିଲା ।

ଟିକ୍ରାପଡାରେ ଆମ ଘରଠୁ ଟିକିଏ ଆଗକୁ ଗୋଟିଏ ଛକରେ ତାଙ୍କ ଦୋକାନ, ଦୋକାନ ତ ନୁହେଁ ସୁନାରୀଶାଳ, ଦୋକାନ ପଛକୁ ଘର। ବାବା(ମାଆଙ୍କ ବାପା) ବଲାଙ୍ଗୀର ରେ ଚାକିରୀ କରୁଥିଲେ ; ଟିକ୍ରାପଡାରେ ଘର, ମାଆଙ୍କ ଜନ୍ମ ସେଇ ଟିକ୍ରାପଡାରେ। ସେତେବେଳେ ସାଇ ପଡିଶା ଲୋକଙ୍କ ଭିତରେ ଅତି ନିବିଡ଼ ସମ୍ପର୍କ ଥିଲା। ସେଇ ସମ୍ପର୍କରେ ତାଙ୍କ ଶାଶୁ ମାଆଙ୍କୁ ଝିଅ ବୋଲି ଡାକୁଥିଲେ। ସୁନାରୀ ଶାଳ ପାଖକୁ ଲାଗି ଛୋଟ ଗୋଟେ ଛପର ଘରେ ସେହି ତାରା ନାନୀ (ଆଈ) କେଉଁ କାଳୁ ମୁଢି ଭାଜା ଘନା ପକେଇ ଥିଲେ। ମେସିନ ଭଜା ମୁଢି କଥା ସେବେ ଶୁଣା ନଥିଲା।ତାରା ନାନୀ ମାଟି ହାଣ୍ଡି ବସେଇ ବାଲିରେ ଭୁଜା, ଲିଆ ,ଚଣା ଓ ମୁଗଫଲି ଆଦି ଭାଜୁ ଥିଲେ, ଯେତେବେଳେ ଦରକାର ତାଙ୍କଠୁ ଭୁଜା, ଭଜା ଚଣା , ମୁଗଫଲି ଆମେ କିଣି ଆଣୁଥିଲୁ। ଡାକିଦେଲେ ବି ସେ ଘରକୁ ଆସି ଗାଁରୁ ଅମଳ ଧାନର ଚାଉଳ ନେଇ ଭୁଜା ଭାଜି ଦେଉଥିଲେ, ଗାଁ ମୁଗ,ଦେଶୀ ହରଡ଼ ବି ନେଇ ଭାଜି ଆଣି ଦେଉଥିଲେ। ସେଇ ମାନ୍ୟରେ ଜୟସିଂ ସୁନାରୀ ବି ମାଆଙ୍କୁ ନାନୀ ବୋଲି ଡାକୁଥିଲେ। ମାଆ ତାଙ୍କୁ ବହୁତ ବିଶ୍ୱାସ କରୁଥିଲେ।ଆମ ମାମା, ମାଆଙ୍କ ମା ବି ଜୟସିଂ ମାମୁଁଙ୍କ ପାଖରେ ସୁନା ଗହଣା ତିଆରି କରିବାକୁ ଦେଉଥିଲେ। ଏହି ସୂତ୍ରରେ ତାଙ୍କ ସହ ଘରୁଆ ସମ୍ବନ୍ଧ ଥିଲା।

ଘରଖର୍ଚ୍ଚ ପାଇଁ ବାପା ଦେଉଥିବା ଟଙ୍କାରୁ କିଛି କିଛି ବଳେଇ ମାଆ ଯାହା ସଞ୍ଚୟ କରୁଥିଲେ ସେସବୁକୁ ମିଶେଇ ଜୟସିଂ ମାମୁଁଙ୍କୁ ଦେଇ ବାପାଙ୍କର ଅଜାଣତରେ କିଛି କିଛି ସୁନା କିଣୁ ଥିଲେ ,କେବେ କେବେ ସୁନାର ଅଳଙ୍କାର ବି ତିଆରି କରି ରଖୁଥିଲେ। ବାପା ତ ସୁନା ନାଁ ଧରିଲେ କହିବେ ,”ଜୟ ରଧେଶ୍ୟାମ, ଜୟ ରଧେଶ୍ୟାମ।” କିନ୍ତୁ ମାଆ ଜାଣୁ ଥିଲେ ସୁନାର ମହତ୍ତ୍ଵ….ଚାରି ଚାରିଟା ଝିଅ ,ଆମର ସାମାଜିକ ଚଳଣି ଅନୁସାରେ ବିବାହ ଦେବାକୁ ପଡିବ , ସେତେବେଳେ ସୁନାର ଆବଶ୍ୟକତା ପଡିବ। ତେଣୁ ତାଙ୍କ ଦ୍ୱାରା ଯାହା ସମ୍ଭବ ସେ କରୁଥିଲେ। ବାପା ବି ଅବଶ୍ୟ ଜାଣି ପାରୁଥିଲେ ମାଆଙ୍କ ଲୁଚାଛପାରେ ସୁନା କିଣାକଥା କିନ୍ତୁ କିଛି କହୁ ନଥିଲେ ବରଂ ବେଳେ ବେଳେ ଜୟସିଂଙ୍କୁ ଶଳା ମାନ୍ୟରେ ଥଟ୍ଟା ଖିଆଲ ବି କରୁଥିଲେ।

ରାଧେ ଦାଦା, ମାନେ ଡାକ୍ତର ରଧେଶ୍ୟାମ ହୋତା, ବଡବାପାଙ୍କ ମଝିଆଁ ପୁଅ , ସାନ ବେଳୁ ଆମ ସାଙ୍ଗରେ ରହୁଥିଲେ। ଅନ୍ୟ ଦାଦାମାନେ ବି ବାପାଙ୍କ ପାଖରେ ରହି ପଢୁଥିଲେ, ଅଵଶ୍ୟ ଆମେମାନେ କେହି ସେତେବେଳେ ଜନ୍ମ ହେଇ ନଥିଲୁ । ବାପା ବାଲେଶ୍ଵରରେ ଥିଲାବେଳେ ରାଧେ ଦାଦା ସେଠିକାର ଫକୀରମୋହନ କଲେଜରୁ ଆଇ ଏସ ସି ପାସ କଲେ ଓ ପରେ ବୁର୍ଲା ମେଡ଼ିକାଲ କଲେଜରେ ପଢି ଏମ . ବି .ବି ଏସ ପାସ କଲେ। ପରେ ପରେ ସେ ପି.ଏସ.ସି ପାଇ ବାଲେଶ୍ବର ର ଅଯୋଧ୍ୟାରେ ଯୋଗ ଦେଲାବେଳକୁ ବାପା ଅବସର ଗ୍ରହଣ କରିସାରିଥଲେ, ଆମେ ବଲାଙ୍ଗୀର ରେ ଥାଉ। ସେହି ସମୟରେ ତାଙ୍କର ବିବାହ ଠିକ ହେଲା। ବହୁଙ୍କ ବାପା ସେତେବେଳେ ସୋନପୁରରେ ପି ଡବ୍ଲୁ ଡି ଏସ.ଡି. ଓ ଥିଲେ।
କେବଳ ଓଡ଼ିଶା କାହିଁକି ଭାରତୀୟ ପରମ୍ପରାରେ ବହୁକୁ ନିର୍ବନ୍ଧ ଓ ବିବାହ ସମୟରେ ସ୍ୱର୍ଣ୍ଣ ଅଳଙ୍କାର ଦେବା ବିଧି। ବାପା ଜୟସିଂ ସୁନାରୀଙ୍କୁ ଡାକି ଗୋଟେ ଚେନ ତଥା ମୁଦି ଓ ଅନ୍ୟାନ୍ୟ ଗହଣା ତିଆରି କରିବାକୁ ବରାଦ କଲେ। ଚେନଟି ଦୁଇ ଭରିର ଥିଲା । ଗହଣା ତିଆରି ହେଇ ଆସିଲା ,ପିନ୍ଧାଣି ଓ ବିବାହ ସମୟରେ ବହୁଙ୍କୁ ବିଭନ୍ନ ଅଳଙ୍କାର ଦିଆଗଲା। ବିବାହ କାର୍ଯ୍ୟ ସରିଗଲା। ବୋହୂ ଘରକୁ ଆସିଲେ। ଅଷ୍ଟମଙ୍ଗୁଳା ପରେ ବୋହୂ (ଭାଉଜ) ତାଙ୍କ ମାଆ ଘରକୁ ଗଲେ। ଯାହା ମନେ ପଡୁଛି ପ୍ରାୟ ସାତ ଦିନ ପରେ ବାପଘରୁ ଫେରିଲେ। ବଡ଼ ଆଶ୍ଚର୍ଯ୍ୟ କଥା ତାଙ୍କୁ ଦିଆ ଯାଇଥିବା ସୁନା ଚେନ ଟା ଜାଗାଜାଗା ଧଳା ହେଇ ଯାଇଥିଲା, ରୂପା ପରି ଦେଖା ଯାଉଥିଲା । ବୋହୂ ବାପଘରୁ ଆସିଲା ପରେ ଯେତେବେଳେ ଏକଥା ଘରେ କହିଲେ ଓ ଚେନଟି ଦେଖେଇଲେ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ, ଅତି ଦୁଃଖିତ ବି ହେଲେ, ! ବଡ ଲାଜର କଥା ,ବନ୍ଧୁ ଘର କ’ଣ ଭାବିଥିବେ?

ସଙ୍ଗେ ସଙ୍ଗେ ବାପା ଜୟସିଂ ମାମୁଁଙ୍କୁ ଡକେଇ ପଠେଇଲେ। ଆଗରୁ ତ ଶଳା ମାନ୍ୟରେ ଥଟ୍ଟା କରୁଥିଲେ, ଏଥର ସେ ଆସି ପହଞ୍ଚୁ ପହଞ୍ଚୁ ବାପା ତାଙ୍କୁ ଆକ୍ଷେପ କରି କହିଲେ, ” ହରି ହରି ,ହର ହର, ହରି ହରି ହର ହର ….. ମିଛେ ନାଇଁ କହଁନ ହୋ ବାଘ ନି ଦେଖଲେ ବିଲେଇ ଦେଖ, ଖଣ୍ଟ ନାଇଁ ଦେଖଲେ ବଣିଆ ଦେଖ, ଖଣ୍ଟ ନ ଦେଖଲେ ବଣିଆ ଦେଖ ।”

କେବେବି ଏପରି କଟୁ କଥା କହୁ ନଥିବା ବାପାଙ୍କ କଥା ଶୁଣି ଜୟସିଂ ମାମୁଁ ଆବାକାବା ହେଇ ବାପାଙ୍କୁ ଅନେଇଲେ। ବାପା ତାପରେ ସେଇ ଚେନ ଆଣି ତାଙ୍କୁ ଦେଖିଇବାରୁ, ସେ ଲଜ୍ଜିତ ହେଇଗଲେ, ଅତ୍ୟନ୍ତ ଦୁଃଖିତ ହେଲେ ଓ କ୍ଷମା ମାଗିଲେ, କହିଲେ ତାଙ୍କ ଅଜାଣତରେ ନିଶ୍ଚୟ କେଉଁ ମିସ୍ତ୍ରୀ ଏ କାମ କରିଛି, ଏବେ ତ ଜଣେ ମିସ୍ତ୍ରୀ କିଛି ସୁନା ଅଳଙ୍କାର ନେଇ ପଳେଇ ଯାଇଛି। ସେ ବାପାଙ୍କୁ କହି ସେଇ ଚେନ ଟି ନେଲେ ଓ ସମାନ ଓଜନର ଗୋଟିଏ ନୂଆ ସୁନା ଚେନ ଅଳ୍ପ ଦିନ ଭିତରେ ଆଣି ଦେଇଥିଲେ। ନିଜର ଦୋଷ ସ୍ବୀକାର କରି ପ୍ରାୟଶ୍ଚିତ…ଏବେ କ’ଣ ଏକଥା ସମ୍ଭବ??

ବୟସର ସାୟାହ୍ନରେ ଯେବେ ଆଜି ବିସ୍ମୃତି ସାଗର ଗର୍ଭରୁ ଗୋଟି କରି ଗୋଟି ସ୍ମୃତି ମୁକ୍ତା ଖୋଜି ଗୋଟେଇ ଆଣୁଛି, ସେତେବେଳେ ଅନୁଭବ କରୁଛି ସେତେବେଳର ଲୋକ କେତେ ଅଲଗା ଥିଲେ! ନିଜର ଭୁଲ ସ୍ୱୀକାର କରୁଥିଲେ, ପ୍ରତିକାର ବି କରୁଥିଲେ। ବିଶ୍ୱାସର ମୂଲ୍ୟ ଥିଲା , ସମ୍ପର୍କ ର ବି। ସେ ଘଟଣା ପରେ ଵି ଜୟସିଂ ସୁନାରୀଙ୍କ ସହିତ ବିଶ୍ୱାସ ର ବନ୍ଧନ ମାଆଙ୍କ ଜୀବଦଶା ପର୍ଯ୍ୟନ୍ତ ଅତୁଟ ରହିଥିଲା।ଆମର ସବୁ ଭାଇ ଭଉଣୀଙ୍କ ବିବାହ, ନାତି ନାତୁଣୀଙ୍କ ଅନ୍ନପ୍ରାସନ୍ନ, ବ୍ରତ ସବୁର ଅଳଙ୍କାର ତାଙ୍କ ସୁନାରୀଶାଳ ରୁ ହିଁ ତିଆରି। ମୁଁ ଓ ମୋ ଭଉଣୀମନେ ବି ତାଙ୍କ ପାଖରେ କିଛି ଗହଣା କରେଇଛୁ । ଆଜି ଯେବେ ତାଙ୍କ ତିଆରି ଗହଣାର ମାପ ଓ ଶୁଦ୍ଧତା ଠିକ ଅଛି ବୋଲି ଅତ୍ୟାଧୁନିକ ମେସିନ କହୁଛି, ବୁଝି ପାରୁଛୁ ବିଶ୍ୱାସ ର ମୂଲ୍ୟ ସେ ରଖିଥିଲେ । ସେଦିନ ଆଉ କାହିଁ ! ସେପରି ବ୍ୟକ୍ତି କାହାନ୍ତି !