Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୫ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୫

ବିକାଶ,  ପାଠ ପଢିବାକୁ  ବସ, କେହି କହୁନଥିଲେ ଆଉ। ସ୍ବର , ଶବ୍ଦ  ହଜିଯାଇଥିଲା  ଆମଘରୁ । ଖେଳିବାକୁ  ମନ ମୋ’ର ନଥିଲା। କାଦୁଅ ମେଞ୍ଚାଭଳି ଜୀବନଟା ପଡିରହିଥିଲା। ଦିଦି ସର୍ବସ୍ଵ ପୃଥିବୀରେ ଆଉ କାହାରି ପ୍ରବେଶ ନିଷିଦ୍ଧ ଥିଲା। ବହୁତ ଖୋଜୁଥିଲି ବୋଉକୁ। ଟିକିଏ ସାଉଁଳେଇ ଦିଅନ୍ତାନି ମୁଣ୍ଡ। ଧନଟା ବୋଲି କହି ଆଉଁସି ଦିଅନ୍ତାନି ଦେହକୁ । ବିକଳ ଲାଗେ, ଝୁଲା ବୋଉକୁ ଦେଖି। ଝୁଲାକୁ  ଦିଶେନି ବୋଲି କାଖରେ କଳସୀ ସେ। ମୋତେ କିଏ ଏମିତି  କାଖ କରନ୍ତା କି ଟିକିଏ । ଦିନେ ଆଖି ବୁଜିବୁଜି ଚାଲିଲି ଆଉ ଝୁଲାଭଳି ନିଜକୁ ଭାବିଲି। ଝୁଣ୍ଟିଲି, କଚଡା ଖାଇଲି, ଧକ୍କା ଖାଇଲି,   ତଥାପି  ତରଳିଗଲାନି ବୋଉର ହୃଦୟ। ସେ କ’ଣ  ପଥର ହୋଇଗଲାକି ଆଉ ? ମୁଁ  ପଥର ହେବି ନା ବରଫ ହେବି ,ତାହାହେଲେ ଭାବୁଥିଲି। ଜଳର ସବୁ ଅବସ୍ଥାଭଳି  ମୋ’ ଅବସ୍ଥା ହେଉଥିଲା। କେବେ ଝରଝର ଝରି ପଡୁଥିଲି , କେବେ ବରଫ ଶୀତଳ ଜମାଟବନ୍ଧା ଆଉ ବାଷ୍ପୀୟ କୋହସବୁ କଣ୍ଠରୋଧ କରୁଥିଲା।

ଜୀବନ ଯେନତେନ ପ୍ରକାରେ ଚାଲୁଥିଲା। ଦିଦି ସହ ରାତିରେ ମୋ’ର ଦେଖା ହେଉଥିଲା , ସକାଳୁ ସେ କଲେଜ ଯାଉଥିଲା। ଛୁଟିଦିନରେ ଭଲ ଲାଗୁଥିଲା। ଟିଉସନ ହେଉଥିଲା ନିଜେ ସେ, ଘରେ ବି ପିଲାଙ୍କୁ ଟିଉସନ କରୁଥିଲା । ସେଇ ରାତିରେ ପଢେ ଓ ମୋ’ ସହ ଖେଳେ। ଦୁଇଜଣିଆ ଛକି ଶୂନ କେବେ  ସାପଶିଡି, ଏମିତି ଏମିତି  କ’ଣ ଟିକିଏ। ମୋତେ ଏତେଟା ଭଲ ଲାଗୁନଥିଲେ ବି ଦିଦିକୁ ପାଖରେ ପାଇବି ବୋଲି ଅନିଚ୍ଛା ସତ୍ତ୍ବେ ଖେଳେ ତା’ ସହିତ।  ମୋ’ ପାଇଁ  ନଡିଆ ଚକଲେଟ୍, ଆଚାର ସେ ଆଣିଦିଏ। ତା’ ଲୁଗାପଟା  ଘୋଡେଇହୋଇ ମୁଁ  ପଡିଥାଏ ବିଛଣାରେ ଅନେକ ସମୟରେ।  କିଛି କୁହେନି ସେ , ମୋ’ ଲୁଗା ପିନ୍ଧିବାକୁ ଖାଲି ଠାରିଦିଏ। ପୋଷା କୁକୁରଭଳି  ତା’ କଥା ମାନିଯାଏ ମୁଁ। ବେଳେବେଳେ ଲାଗୁଥିଲା ସବୁଅଛି ମୋ’ର, ପୁଣି ଲାଗୁଥିଲା, କିଛିବୋଲି କିଛି ନାହିଁ,   ମୋ’ର ବୋଲି କହିବାକୁ।

କୁମ୍ଭୀର ଆଁଭଳି ଜୀବନ କୋଉଠି ଥିଲା ଲୁଚିକି , ଅକସ୍ମାତ୍ ଆସିଗଲା। ଜାବ ପଡିଗଲେ କ’ଣ ହବ .ଆଖି ବୁଜି ହୋଇଗଲା। ଦିଦି ବିକ୍ରମ ଭାଇଙ୍କ ସହପଳେଇଲା ଦିନେ। ଜଣାପଡିଲା ବେଳକୁ ବିଶ୍ବାସ କରିହେଉନଥିଲା କୌଣସି ପ୍ରକାରେ। ବୋଉ ଓ ବାପା ବାତ୍ୟା ପବନରେ ଭାଙ୍ଗିପଡିଥିବା ଡାଳ ହୋଇଗଲେ।ବାପା ଚୁପ୍ ଏକବାରେ। ବୋଉ ଅନ୍ଧାରରେ ବାହୁନେ କେତେବେଳେ ତ ଦୀର୍ଘଶ୍ବାସ ଛାଡେ କେତେବେଳେ। ବୁଝାସୁଝା ଝିଅଟି ଏମିତି ଚାଲିଗଲା ନା ଘରୁ । ଟିକିଏ ବି ଭାବିଲାନି ଦିଦି ମୋ’କଥା। ମୋ’ରୁଦ୍ଧ ଘରର ସେ ସୁନ୍ଦର କୁଟିକମକରା ଦରଜାଥିଲା। ଅସହାୟ ଅବସ୍ଥା ମୋ’ର।

ବିକ୍ରମ ଭାଇର ସୁନ୍ଦର ଚେହେରା । କିନ୍ତୁ,  ଲଫଙ୍ଗା ଟୋକା। କଲେଜ ପାଠ ଅଧାରୁ ଛାଡି ନେତାଗିରିରେ ମନ। ଯାବତୀୟ ନିଶାରେ ମସଗୁଲ ସେ। ଦଳେ ଚାମଚା ଅଛନ୍ତି ତାଙ୍କର ।  ଏ ଖଣ୍ଡମଣ୍ଡଳର  ଭାଗ୍ୟ ବିଧାତା  କେବଳ ସେମାନେ।  କେତେବେଳେ ଦିଦି ମିଶୁଥିଲା ସେମାନଙ୍କ ସହ ? ଯୋଜନା ଏମିତି କଲା ଯେ କେହି  ଟେର  ପାଇଲେନି। ଅସମ୍ଭବ ଏସବୁ ବିଶ୍ବାସ କରିବା ମୋ’ପକ୍ଷରେ। ନା, ମନ ମାନୁ ନଥିଲା। ଶବ୍ଦ ଫିଟୁନଥିଲା। ବୋଉ ପାଖକୁ ଯାଇ ପିଠିରେ ହାତ ଦେଲି। ମୋତେ ଯାବୁଡି ଢେରକାନ୍ଦିଲା। ଧୈର୍ଯ୍ୟବନ୍ଧ ଭାଙ୍ଗୁଥିଲା ମୋ’ର। ଖାଲି ବସିରହିଲି କିଛି ସମୟ। ପଦଟିଏ ଫିଟିଲାନି ସେବେଳରେ। ଏଥର ବାପାଙ୍କ ପାଖକୁ ଗଲି,ଡରମିଶା ମନନେଇ। ନୀରବ ସେ। ପାଖରେ ବସିବାକୁ ସାହସ ନଥିଲା। ଦେହରେହାତ  ଦେବିକି ନାହିଁ ଭାବୁଭାବୁ, ତାଙ୍କ ପାପୁଲିକୁ ଧରିଲି । ସେ ଅନେଇଲେ, ହାତ ଟାଣିନେଇ   ଦୁଇ ହାତକୁ ମୁହଁ ଉପରେ ରଖିଲେ। ନୀରବରେ ଝରିଗଲା ଲୁହ। ସେଇଦିନ ପ୍ରଥମକରି ଲାଗିଲା, ବାପା ଭଲ ପାଆନ୍ତି ବୋଲି କହି ପାରନ୍ତିନି। ବୁଝେଇ ପାରନ୍ତିନି ନିଜକୁ, ଆମ ପାଖରେ। କହି ପାରନ୍ତିନି  ମନଖୋଲି ଆବେଗକୁ ତାଙ୍କର। ଦେଖେଇ ପାରନ୍ତିନି ନିଜର ଭାବପ୍ରବଣତାକୁ। ନିଜ  ପାଠପଢୁଆ ଗେହ୍ଲୀଝିଅ  ଦୁଷ୍ଟପିଲାଟେ  ସହ ପଳେଇଲା। ଆଉ ପୁଅବୋଲି  ଦାବି କରୁଥିବା ପିଲାଟି  ଆଦୌ ପୁଅନଥିଲା।

ଭରସା ତୁଟିଯାଉଥିଲା। ସ୍ବପ୍ନ ଭାଙ୍ଗିଯାଇଥିଲା।ଜୀବନ କହିଲେ ଆଉ ତାଙ୍କ ପାଖରେ ଥିଲା କ’ଣଯେ  ଜୀଇଁବାକୁ ମନକରିବେ । ଫଁ , ଫଁ ଦୀର୍ଘଶ୍ବାସ ନିଜର ହୋଇଯାଇଥିଲା। ଆଦରର ଝିଅଟି  ହଠାତ୍ ଆଉ କାହାର ହୋଇଗଲା ? ବିଶ୍ବାସ, ଅବିଶ୍ବାସର ଦୋଛକିରେ ନିଃସ୍ବ କରି ଦେଇଗଲା।   ଟିକିଏ ପଚାରିଲାନି, ବୁଝିଲାନି,  ଏମିତି କି ଜଣେଇଲାନି ଏକଦମ୍ ନିଜେ ହିଁ  ନିଜର ହୋଇଗଲା। ଯାହାର ଜାତି,ଗୋତ୍ର ଜଣାନାହିଁ, ସେଭଳି  ବେରୋଜଗାରିଆ, ନିଶାଖୋର ସହ ଭଲ ପାଠପଢୁଥିବା,  ଗୁଣବତୀ ଝିଅଟା ମନ ବୁଝୁ ନଥିଲା କାହାରି। ଖାଲି ଏତିକି କହୁଥିଲୁ ଆମେ ଯେ ଯୋଉଠି ଥାଉ, ଭଲରେ ଥାଉ ସେ। ମର୍ଯ୍ୟାଦା ଗଲା ସତ ଆୟୁଷ ଘେନି ଥାଉ  । ଭାଗ୍ୟ  ତା’ର ।ଜନ୍ମ ଦେଇଥିଲେ ବୋଲି କର୍ମ ତ ଦେଇନି କେହି କାହାକୁ। ଯାହା ଘରେ ମୋ’ ଭଳି ଅକର୍ମା   ଜନ୍ମିଚି, ସେଇଠି ଭାଗ୍ୟ ଆଉ କ’ଣ  ସବୁ ଜଳିପୋଡି ପାଉଁଶ  ହୋଇଯାଇଛି ମୋ’ ଜନ୍ମ ପାଖରୁ। ନିଜ ଉପରେ ରାଗ ଆସୁଥିଲା। ଆଗକୁ  ଆଉ କିଛି ଭଲ ହେବବୋଲି ଆଶା କି ବିଶ୍ବାସ ନଥିଲା। ମିଳେଇ ଯାଉଥିଲି  ପାଣିରେ ଲୁଣ ଭଳି ମୁଁ।

କନିମାଉସୀ ଦିନେ ପେଟ ବଡଥିବା ନାକରୁ ଗଙ୍ଗାଯମୁନା ଧାର ବହୁଥିବା କେଇମାସର ପିଲାକୁ କାଖେଇ  ଶୀର୍ଣ୍ଣ ଅବସ୍ଥାରେ ଫେରିଲା। ସ୍ବାମୀ ,ସ୍ତ୍ରୀ ଦୁହେଁ  ଦାଦନ ଖଟୁଥିଲେ।ସେଇଠି ସ୍ବାମୀ  ଆଉ କାହାକୁ ନେଇ ପଳେଇଲା ଯେ ଆଉ ଫେରିଲାନି।  ମାଆ ହେବାକଥା ଜାଣିଲାବେଳକୁ କନିମାଉସୀ ଏକଲା ହୋଇଯାଇଥିଲା। ସାଙ୍ଗ ସାଥିଙ୍କ ହେପାଜତରେ ଜନ୍ମଦେଲା ପୁଅଟିକୁ । ବିଶ୍ରାମ  ମିଳିଲାନି କି ସେମିତି ପୁଷ୍ଟିକର ଖାଦ୍ୟ ପାଇଲାନି। ଫଳରେ ନିଜେ ରୋଗିଣା ହେଲା ଆଉ ତଦନୁଯାୟୀ ପିଲା । ସେ ଯା’ହଉ ପଛେ ଫେରିଲା ଗାଁକୁ ଶେଷରେ। ଏ ଘଟଣା   କେତେସତ କେତେ ମିଛ ପ୍ରଭୁ ଜାଣନ୍ତି।  ଏସବୁ କେବଳ  ଶୁଣାକଥା। ଚଞ୍ଚଳା ଆଈର କେହି ନଥିଲେ , ସେ ଏଇ ରୋଗିଣା ପିଲାକୁ ନେଲା। ଯୋଶଦା ମାଆ  ହୋଇଗଲା ସତେ ଯେମିତି।  କନିମାଉସୀର ଭାର ଉଃଶ୍ବାସ ହେଲାକି କ’ଣ ଝାଡା ,ଜ୍ବରରେ ପଡି ମାସେ ଭିତରେ ଚାଲିଗଲା। ଚଞ୍ଚଳା ଆଈର କୁଡିଆରେ ବାଳଗୋପାଳଙ୍କ ଲୀଳା ଆରମ୍ଭ ହେଲା। ସେବାଯତ୍ନରେ ଆଖିଦୃଶିଆ ହେଲା ପିଲାଟି । ନାଁ ଦେଲେ ବିକ୍ରମ। ବଡ ଭଲ ପାଉଥିଲେ ସମସ୍ତେ।  ସୁନ୍ଦର  ରୂପ।ଗୁଣ ବି ଭଲ। ପାଠ, ଖେଳ ସବୁଥିରେ ଭଲ ପିଲା ସେ।ସମସ୍ତଙ୍କ ପାଖରେ ବିପଦରେ ସେ ଠିଆ। ବୋଲହାକରେ ଆଗୁଆ। ସମୟ ସହ ଆଈ ବୟସର ଭାରରେ ନଇଁ ପଡୁଥିଲା।ଏଇ ବିକ୍ରମ ଭାଇ ସେବା କରୁଥିଲେ ତା’ର। ଯଦିଓ ମାଆ ଋଣ ଶୁଝି ହୁଏନା , ସୁଝିଦେଉଥିଲେ କିନ୍ତୁ,  ସେବାକରି ।  ଧନ୍ୟ ଧନ୍ୟ କହୁଥିଲେ ସମସ୍ତେ।

ବଦଳି ଗଲା ସମୟ। ଭୋଟ ପ୍ରଚାର କ’ଣ ହେଲାଯେ କଲେଜପାଠ ଛାଡି ନେତାଗିରି ଆରମ୍ଭ ହେଲା। ଆରମ୍ଭ ହେଲା ନିଶା ବେପାର। କୋଉ କଣ୍ଟ୍ରାକ୍ଟରର   ଧତଡା, ରଙ୍ଗଛଡା ମଟରସାଇକଲ ଧରି ହିରୋଗିରି। ଉପୁରି ମିଳିଲେ  ମନଟା କଥାମାନେନି। ବୟସଟା ବି ସେତେବେଳେ ସେମିତି କଥାକହୁଥିଲା। ଠିକ୍  ଏତିକି ବେଳକୁ ଆଈ ଚାଲିଗଲା। ଆକଟ ରହିଲାନି  କି ଆସକ୍ତି ରହିଲାନି। ମୁରବୀ ଆଉ କିଏ ଅଛି ଯେ। ନିଜ ହାତରେ ନିଜେ ଚଉଦ ପା’। ଘର ପ୍ରତି ଭଲପାଇବା ନ ରହିଲେ  ଅମଣିଷ ହୁଏ ଜଣେ, ବୋଲି ଲାଗୁଥିଲା। ବେପରୁଆ ମନୋଭାବ ଆସେ। ଦାୟିତ୍ୱ ନାହିଁ,  ଖର୍ଚ୍ଚର ହିସାବନାହିଁ। ବିକ୍ରମ ଭାଇ ସେଇଦିନରୁ  ପରାକ୍ରମୀ ମଣିଷ ସେ ଅଞ୍ଚଳର । ନିଜକୁ ନିଜେ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ଭାବେ ସେ।ତା ହୁକୁମରେ ସୂର୍ଯ୍ୟ, ଚନ୍ଦ୍ର  ଚାଲନ୍ତି  ଯେମିତି  । ଆଉ ମଣିଷମାନେ, ପୋକମାଛି ସେବେଳରେ। ଆଙ୍ଗୁଳି ହଲିଲେ ପରା କାମହବ।  ଉଁ କହିଲେ ତ ଜହ୍ନ ଧରାଦବ ହାତ ପାପୁଲିରେ।

Leave A Reply

Your email address will not be published.