ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ
ବିଶେଷ୍ୟର ଅର୍ଥ ନାମ । ଏହି ନାମ ବା ବିଶେଷ୍ୟ ବଦଳରେ ଯେଉଁ ପଦ ବ୍ୟବହାର କରାଯାଏ ତାହା ସର୍ବନାମ । ‘ସର୍ବନାମ’ ସବୁରି ନାମ ଅର୍ଥରେ ବ୍ୟବହାର ହୁଏ । ବାକ୍ୟକୁ ସରଳ ଓ ସାବଲୀଳ କରିବା ପାଇଁ ସର୍ବନାମର ବ୍ୟବହାର କରାଯାଏ । ଆମେ କହିପାରିବା ଯେ, ଓଡ଼ିଆରେ ସର୍ବନାମ ପଦ ଅନ୍ୟ କୌଣସି ପଦ, ବାକ୍ୟାଂଶ ବଦଳରେ ବ୍ୟବହାର ହୋଇଥାଏ । ସର୍ବନାମ ବିଭିନ୍ନ ପ୍ରକାରର, ଯେମିତିକି – କ)
ବ୍ୟକ୍ତିବାଚକ- ମୁଁ, ତୁ, ତୁମେ, ଆମେ, ଆପଣ । ଖ) ନିର୍ଦ୍ଦେଶସୂଚକ- ଏ, ଏହି, ସେ, ସେହି, ଏହା, ତାହା । ଗ) ପ୍ରଶ୍ନସୂଚକ- କିଏ, କାହାକୁ, କ’ଣ । ଘ) ନିର୍ଣ୍ଣୟସୂଚକ- ସବୁ, ସମସ୍ତ, ଅନ୍ୟ, ଆଉ, ଉଭୟ । ଙ) ସମ୍ବନ୍ଧସୂଚକ- ଯେତେ…ସେତେ, ଯାହାର…ତାହାର, ଯାହାକୁ….ତାହାକୁ ।
ସର୍ବନାମ ରୂପ
ପ୍ରଥମ ପୁରୁଷ ଏକବଚନ- ମୁଁ, ମୋତେ, ମୋ’ ଦ୍ୱାରା, ମୋ’ଠାରୁ, ମୋ’ର, ମୋ’ଠାରେ ।
ପ୍ରଥମ ପୁରୁଷ ବହୁବଚନ- ଆମେ, ଆମେମାନେ, ଆମକୁ, ଆମମାନଙ୍କୁ, ଆମ ଦ୍ୱାରା, ଆମମାନଙ୍କଦ୍ୱାରା, ଆମଠାରୁ, ଆମମାନଙ୍କଠାରୁ, ଆମମାନଙ୍କର, ଆମଠାରେ, ଆମମାନଙ୍କଠାରେ ।
ଦ୍ୱିତୀୟ ପୁରୁଷ ଏକବଚନ – ତୁ, ତୁମେ, ଆପଣ, ତୋତେ, ତୁମକୁ, ଆପଣଙ୍କୁ, ତୋ’ଦ୍ୱାରା, ତୁମଦ୍ୱାରା, ଆପଣଙ୍କଦ୍ୱାରା, ତୋ’ଠାରୁ, ତୁମଠାରୁ, ଆପଣଙ୍କଠାରୁ, ତୋ’ର, ତୁମର, ଆପଣଙ୍କର,ତୋ’ଠାରେ, ଆପଣଙ୍କଠାରେ ।
ଦ୍ୱିତୀୟ ପୁରୁଷ ବହୁବଚନ- ତୁମେମାନେ, ଆପଣମାନେ, ତୁମମାନଙ୍କୁ, ଆପଣମାନଙ୍କୁ, ତୁମମାନଙ୍କଦ୍ୱାରା, ଆପଣମାନଙ୍କଦ୍ୱାରା, ତୁମମାନଙ୍କଠାରୁ, ଆପଣମାନଙ୍କଠାରୁ, ତୁମମାନଙ୍କର, ଆପଣମାନଙ୍କର, ତୁମମାନଙ୍କଠାରେ, ଆପଣମାନଙ୍କଠାରେ ।
ତୃତୀୟ ପୁରୁଷ ଏକବଚନ- ସେ, ତାହା, ଏ, ଏହା, ତାକୁ, ୟାକୁ, ୟାଙ୍କୁ, ତଦ୍ୱାରା, ତାଙ୍କଦ୍ୱାରା, ଏହାଦ୍ୱାରା, ଏହାଙ୍କଦ୍ୱାରା, ତା’ଠାରୁ, ତାଙ୍କଠାରୁ, ଏହାଠାରୁ, ଏହାଙ୍କଠାରୁ, ତା’ର, ତାଙ୍କର, ୟାର, ୟାଙ୍କର, ୟାଙ୍କଠାରେ ତା’ଠାରେ, ତାଙ୍କଠାରେ, ୟା’ଠାରେ, ୟାଙ୍କଠାରେ ।
ତୃତୀୟ ପୁରୁଷ ବହୁବଚନ- ସେମାନେ, ଏମାନେ,ଏଗୁଡ଼ିକ, ସେଗୁଡ଼ିକ, ସେଗୁଡ଼ିକୁ, ଏମାନଙ୍କୁ, ଏମାନଙ୍କଠାରେ, ଏଗୁଡ଼ିକୁ, ସେମାନଙ୍କଦ୍ୱାରା, ସେଗୁଡ଼ିକ ଦ୍ୱାରା, ଏମାନଙ୍କ ଦ୍ୱାରା, ଏଗୁଡ଼ିକ ଦ୍ୱାରା ।
ବାକ୍ୟରେ ସର୍ବନାମର ଉଦାହରଣ-
କେଉଁ ନାମ ଧରି ଡାକିବି ତୁମକୁ, ତୁମେ ଯେ ସର୍ବନାମ ।
ଭବିତବ୍ୟ ଯାହା ଅବଶ୍ୟ ଘଟିବ କେ କରିପାରିବ ଆନ ।
ଯେଣେ ଇଚ୍ଛା ତେଣେ ଯା’, କର୍ମଘେନି ବୁଲୁଥା ।
ମୋ’ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।
ଅନେକ ଲୋକ ଯହିଁ ମିଳି, ଅବଶ୍ୟ ଉପୁଜଇ କଳି ।
ବାକ୍ୟଗଠନ ଆଧାରରେ ଓଡ଼ିଆ ଶବ୍ଦଶ୍ରେଣୀ ଅନ୍ତର୍ଗତ ସର୍ବନାମ, ବିଶେଷ୍ୟ ବଦଳରେ ବ୍ୟବହାର କରାଯାଏ । ବାକ୍ୟର ଦୁଇ ମୁଖ୍ୟ ଭାଗ- କର୍ତ୍ତାଭାଗ ଓ କ୍ରିୟାଭାଗ । କର୍ତ୍ତା ଭାଗରେ ବିଶେଷ୍ୟ, ବିଶେଷଣ ଓ ସର୍ବନାମ ଅନ୍ତର୍ଗତ । ବିଶେଷ୍ୟ ଭଳି ସର୍ବନାମରେ ବି ବଚନ, କାରକ ଓ ବିଭକ୍ତି ଯୋଗ ହେଇଥାଏ । ବିଶେଷ୍ୟର ବ୍ୟାକରଣଗତ ପୁରୁଷ ଭେଦ ନଥିବାବେଳେ ସର୍ବନାମର ପୁରୁଷ ଭେଦରେ ସାମାଜିକ ସମ୍ପର୍କ ପ୍ରକାଶ
ପାଇଥାଏ । ସର୍ବନାମର ଦୁଇ ମୁଖ୍ୟ ରୂପ ପ୍ରତ୍ୟକ୍ଷ ସର୍ବନାମ ଓ ବିକଳ୍ପ ସର୍ବନାମ । ପ୍ରତ୍ୟକ୍ଷ ସର୍ମନାମ ସହ । ବଚନ ଓ ପୁରୁଷ ଯୋଗ ହେବାବେଳେ କାରକ ଓ ବିଭକ୍ତି ଯୋଗ ହୋଇନଥାଏ । ତେବେ, ସର୍ବନାମର ବିକଳ୍ପରୂପ ସହ ବଚନ, କାରକ ଓ ବିଭକ୍ତି ଯୋଗ କରାଯାଏ । ଯେମିତିକି କ) ପ୍ରତ୍ୟକ୍ଷ ସର୍ବନାମ+ବଚନ+ପୁରୁଷ ଖ) ବିକଳ୍ପ ସର୍ବନାମ ବଚନ+ପୁରୁଷ+କାରକ/ ବିଭକ୍ତି ବିଶେଷ୍ୟର ବିଶେଷଣ ଭାବରେ ଅବସ୍ଥାପିତ କେତେକ ସର୍ବନାମ ରୂପକ ଶବ୍ଦ ରୂପ ହେଉଛି ସାର୍ବନାମିକ ବିଶେଷଣ ଯଥା: ପରିମାଣାତ୍ମକ (ଏତେ, ସେତେ), ସାପେକ୍ଷ ସୂଚକ(ଯେତେ, ସେତେ), ସମୟ ସୂଚକ (ଏବେ, ଯେବେ), ପ୍ରଶ୍ନସୂଚକ (କାହିଁ, କେଡ଼େ) ସାଦୃଶ୍ୟାତ୍ମକ (ଏପରି, ସେପରି), ଆକାର ସୂଚକ (ଏଡ଼େ, ସେଡ଼େ), ସ୍ଥାନସୂଚକ (ଯହିଁ, ତହିଁ)ଦିଗସୂଚକ (ଏଆଡ଼େ, ସେଆଡ଼େ) ଇତ୍ୟାଦି । ସର୍ବନାମର କାରକ ସମ୍ବନ୍ଧ ଅଛି । ବାକ୍ୟଗଠନ ଆଧାରରେ ଓଡ଼ିଆ ସର୍ବନାମର, ପାଞ୍ଚଟିକାରକ ଭିତରୁ କର୍ତ୍ତାକାରକରେ ପ୍ରତ୍ୟୟ ଯୋଗ ହୁଏନାହିଁ । ଅନ୍ୟ ଚାରିଟି କାରକରେ- କର୍ମକାରକ(କୁ, ଙ୍କୁ, ମାନଙ୍କୁ), ଅପାଦାନ କାରକ (ରୁ, ଠାରୁ, ମାନଙ୍କଠାରୁ) । ସର୍ବନାମର ବିକଳ୍ପରୂପ ସହ ପ୍ରାଣୀବାଚକ ଅପ୍ରାଣୀବାଚକ ଏବଂ ଏକବଚନ ଓ ବହୁବଚନ ଭେଦରେ ବିଭକ୍ତି ପ୍ରତ୍ୟୟ ଯୋଗ ହୁଏ । ଯେମିତିକି- ମୋ’ ପାଇଁ, ସେମାନଙ୍କ ଦ୍ୱାରା, ଏହାଛଡ଼ା, ତୁମ ଭିତରେ, ମୋ’ପଛରେ, ତା’ ତଳକୁ ଇତ୍ୟାଦି ।
Comments are closed.