Latest Odisha News

BREAKING NEWS

ବ୍ୟଙ୍ଗ : ଫେରିବାର ପଥ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ… 

“ହେ ଗାନ୍ଧୀ, ପୁଣିଥରେ ଆସ ।ଏ ଧରା ପୃଷ୍ଠରେ ଜନ୍ମ ନିଅ । ଅନ୍ୟାୟ , ଅନୀତି, ଅସହିଷ୍ଣୁତାରେ ଆମେ ସମସ୍ତେ ଜର୍ଜରିତ । ହେ ମହାତ୍ମା , ତୁମେ ପୁଣି ଥରେ ଜନ୍ମନିଅ । ଅନ୍ଧକାରରେ ଆଲୁଅ ଦେଖାଅ । ଆଉଥରେ ଆସ ବାପୁ, ଆଉ ଥରେ ଆସ ।”
ଦେବଭୂମି ଭାରତରେ ଏଭଳି ଆକୁଳ ନିବେଦନ ଶୁଣି ସତରେ ସେଦିନ ଗାନ୍ଧୀ ଆସିଥିଲେ ଏ ଧରା ପୃଷ୍ଠରେ ପୁଣି ଥରେ ଜନ୍ମ ନେବାକୁ । ସଭା ମଞ୍ଚରେ ବସି ଏ ନିବେଦନ କରିଥିବା ଆଉ ବେଜାଏ ଅଶ୍ରୁମୋଚନ କରିଥିବା ଜଣେ ବିଶିଷ୍ଟ ଭକ୍ତଙ୍କ ବେଡ଼ରୁମରେ ଗାନ୍ଧୀଜୀ ରାତିରେ ଆବିର୍ଭାବ ହେଲେ । କହିଲେ ,” ବତ୍ସ , ତୁମର ଭଲପାଇବାରେ ବଶ ହୋଇଛି ମୁଁ । ମୋତେ ପାଇବା ପାଇଁ ତୁମର ଏ ବ୍ୟାକୁଳତା ମୋତେ ଉଚ୍ଚାଟ କରୁଛି । ମୁଁ ତୁମ ଔରସରେ ଜନ୍ମ ନେବାକୁ ଚାହୁଁଛି । ମୋତେ ତୁମ ପତ୍ନୀଙ୍କ ଗର୍ଭରେ ରହିବାର ଅନୁମତି ଦିଅ ।” ଉଭୟଙ୍କ କଥୋପକଥନରେ ହଠାତ ପତ୍ନୀ ଯିଏ ନିଜେ ଜଣେ ମହିଳା ନେତ୍ରୀଙ୍କ ନିଦ ଭାଙ୍ଗିଗଲା–

“ନା ..ନା.. ବାପୁ ଦୟାକରି ଏପରି ଅନ୍ୟାୟ କରନ୍ତୁ ନାହିଁ । ଅନେକ ଦେବାଳୟ ବୁଲିଛି । ଅନେକ ବ୍ରତ ଉପବାସ ରଖିଛି । ମୋର ଗୋଟେ ଇଂଜିନିୟର,ଡାକ୍ତର କି ଆଇ. ଏ. ଏସ୍ ପୁଅ ଦରକାର, ବାପୁ । ଆପଣଙ୍କ ପରି ସର୍ବତ୍ୟାଗୀ ଦେଶସେବୀଙ୍କୁ ଜନ୍ମ କଲେ ମୋ’ ବାର୍ଦ୍ଧକ୍ୟ ଆର୍ଥିକ ଅନାଟନରେ କଟିବ । ମୋର ଏତେ ବ୍ରତ ଉପବାସ ସବୁ ବେକାର ଯିବ । ମୋତେ କ୍ଷମା କରନ୍ତୁ, ଆପଣ ଆଉ କୋଉଠି ଜନ୍ମ ନିଅନ୍ତୁ ।“ ଗାନ୍ଧିଜୀ ଚାହିଁଲେ ସ୍ୱାମୀ ନାମକ ଗାନ୍ଧୀବାଦୀଙ୍କୁ । ନିଜ ଅଫିସ ପ୍ରକୋଷ୍ଠଠାରୁ ବୈଠକ ଘରେ ବିରାଟ ବିରାଟ ଗାନ୍ଧୀ ତୈଳଚିତ୍ର ରଖିଥିବା , ନିଇତି ନରସିଂହ ମେହେଟ୍ଟାଙ୍କ ବୈଷ୍ଣବ ଜନ ତୋ ତେନେ କହିଏ …ଗୀତ ଶୁଣି ଭାବ ବିହ୍ଵଳ ହେଉଥିବା ଭଦ୍ରବ୍ୟକ୍ତି ପତ୍ନୀଙ୍କ ଉତ୍ତରରେ ଖୁବ ସନ୍ତୁଷ୍ଟ ବୋଲି ପ୍ରତେ ହେଲା ଭଳି ଲାଗୁଥିଲେ । ଦୁହିଙ୍କ ଯୋଡ଼ ହାତ ମୁଦ୍ରା ଦେଖି ମହାତ୍ମା ତାଙ୍କର ସେହି ବିଶ୍ୱପ୍ରସିଦ୍ଧ ସ୍ମିତ ହସି ଅପସରି ଗଲେ ସେହି ସ୍ଥାନରୁ ।

ସକାଳେ ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସମସ୍ତ ଅର୍ଥ ଖର୍ଚ୍ଚ କରିଥିବା ସେଇ ଗାନ୍ଧୀବତ୍ସଳ ମହାନୁଭବଙ୍କ କଥାକୁ ମନରେ ରଖି ଗାନ୍ଧୀଜୀ ତାଙ୍କୁ ସ୍ବପ୍ନେଇଲେ “ହେ ଭକ୍ତ ଶିରୋମଣି, ମୁଁ ତୁମ ଗୃହରେ ଜନ୍ମ ନେଇ ବକିଆ ପଡିଥିବା ସ୍ବପ୍ନକୁ ସାକାର କରିବାକୁ ଚାହୁଁଛି । ମୋତେ ଗ୍ରହଣ କର ।” ଭକ୍ତ ଜଣଙ୍କ ରାଜ୍ୟର ଜଣେ ନାମୀ କଣ୍ଟ୍ରାକ୍ଟର । ଅମାପ ସମ୍ପତ୍ତିର ଉତ୍ତରାଧିକାରୀବିହୀନ ଅଧିକାରୀ । ଗାନ୍ଧିଜୀ ଭାବିଲେ ଏ ନିଃସନ୍ତାନ ଭକ୍ତ ତାଙ୍କୁ ପାଇଲେ ବେଶ ଖୁସି ହେବେ । କିନ୍ତୁ ଉକ୍ତ ଭକ୍ତ ଜଣଙ୍କ ହାତ ଯୋଡି ନିଜର ଅକ୍ଷମତା ପ୍ରକାଶକଲେ । “ଗାନ୍ଧୀ, ଆପଣଙ୍କୁ ପାଇବା ଅପେକ୍ଷା ନିଃସନ୍ତାନ ରହିବା ବରଂ ଭଲ । କାରଣ ଆପଣଙ୍କ ଅଚଞ୍ଛା ସତ୍ୟ ବଚନ ହିଁ ଆମ ବେପାର ପାଇଁ କାଳ । ଜୀବନ ଯାକର ଅର୍ଜିତ ସବୁ ସମ୍ପତ୍ତି ବୁଡିଯିବ । ପଇସା ଅଛି ବୋଲି ଗାନ୍ଧୀସୁଆଗ ମାନୁଛି । ଲୋକେ ଗାନ୍ଧିବାଦୀ ନାରା ଦେଉଛନ୍ତି । ଏତେ ପଢିନି କି ଜାଣିନି ଆପଣଙ୍କୁ ପ୍ରଭୁ ଯେତିକି ଜାଣିଚି ଦିନଟିଏ ଆପଣଙ୍କ ସହ କାମ କରିହେବନି ।”

ଗାନ୍ଧିଜୀ ସହଜେ ଆଶ୍ଚର୍ଯ୍ୟ ହୁଅନ୍ତିନି । କିନ୍ତୁ ସେ ଆଶ୍ଚର୍ଯ୍ୟ ହେଲେ ଏବଂ କହିଲେ ,” ଆପଣ ଆଜି ସକାଳେ ଭାଷଣରେ କହୁଥିଲେ ମୋ ପ୍ରତିମୂର୍ତ୍ତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ସେ ମୂର୍ତ୍ତି ପାଇଁ ଖର୍ଚ୍ଚ କରି ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ସମାଜର ମଙ୍ଗଳ ପାଇଁ ଆପଣଙ୍କ ଦ୍ୱାର ସର୍ବଦା ଉନ୍ମୁକ୍ତ । ସହରର ସମସ୍ତ ଛକ, ସ୍କୁଲ କଲେଜ ଅଫିସରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରହିବା ଦରକାର ଯେମିତି ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସବୁ ଲୋକ ଉତ୍ସାହିତ ହେବେ । ଏସବୁ ବ୍ୟୟବହୁଳ ପ୍ରେରଣାଦାୟୀ ସରଳ ଉପାୟ ଓ ପ୍ରତିଶ୍ରୁତି ଆଉ ଦରକାର କଣ କୁହନ୍ତୁ । ମୁଁ ସ୍ୱୟଂ ଏବେ ଧରାପୃଷ୍ଠରେ ଜନ୍ମ ନେବାକୁ ଚାହୁଁଛି। ଯାହା ଚାହିଁଥିଲି କରି ହେଲାନି ସମୟ ଅଭାବରୁ ସେହି ସମୟରେ । ଅନେକ କଥା ସଠିକ ଭାବରେ ଲୋକଙ୍କ ପାଖରେ ପହଞ୍ଚି ପାରିନି ଯାହା ଏବେ ମୁଁ କରିପାରିବି ସହଜରେ ବୋଲି ଭାବୁଛି । ”

— “ଦେଖନ୍ତୁ ଗାନ୍ଧୀଜୀ, ଆପଣଙ୍କ ପ୍ରତିମୂର୍ତ୍ତି ପାଇଁ ଯାହା ବି ଖର୍ଚ୍ଚ କରିଛି ସେଥିପାଇଁ ସରକାରଙ୍କ ନିୟମ ଅନୁସାରେ ମୁଁ ଟିକସ ରିହାତି ପାଇବି । ତା ଛଡା ଆପଣଙ୍କ ମୂର୍ତ୍ତି ତିଆରି ଟେଣ୍ଡର ପାଇବା ତ ମୋ ବାଁ ହାତର ଖେଳ । ଯଦି ସରକାର ଚାହିଁବେ ତେବେ ରାଜ୍ୟର ସବୁ ଛକରେ ଆପଣଙ୍କ ଗୋଟାଏ ଗୋଟାଏ ଭବ୍ୟ ମୂର୍ତ୍ତି ଠିଆ କରିଦେବି । ଆପଣଙ୍କ ନାଁରେ ତିଆରି କ୍ଲବ,ଯୁବକ ସଂଘ ଓ ଅନୁଷ୍ଠାନମାନଙ୍କୁ ମୋଟା ଚାନ୍ଦା ଦେବି । କିନ୍ତୁ ମୋ ଘରେ ଦୟାକରି ଜନ୍ମ ନିଅନ୍ତୁନି । ଅପୁତ୍ରିକ ରହିଯିବି ପଛକେ କିନ୍ତୁ ଆପଣଙ୍କ ଭଳି ଜିଦିଆ ଓ ଅଖାଡୁଆ ପୁଅ ପାଇ ଜୀବନ ଯାକ ମୋ ଭାଗ୍ୟକୁ ନିନ୍ଦିବି କାହିଁକି ?”

ସକାଳେ ତାଙ୍କ ପାଇଁ କାନ୍ଦୁଥିବା ଅନେକ ଭକ୍ତଙ୍କ ସ୍ୱପ୍ନରେ ସେଦିନ ଗାନ୍ଧିଜୀ ଏମିତି ଆସିଲେ । ହାୟ !କିନ୍ତୁ କେହି ଜଣେ ବି ତାଙ୍କୁ ସନ୍ତାନର ଗୌରବ ଦେବାକୁ ଚାହିଁଲେ ନାହିଁ ।

ଶେଷରେ ଗାନ୍ଧୀଜୀ ସ୍ଥିର କଲେ ସକାଳେ ‘ବୈଷ୍ଣବ ଜନ ତୋ ଭଜନ’ ଗାଉଥିବା ପିଲାମାନଙ୍କ ଭିତରୁ କୌଣସି ଏକ ପିଲାର ଆତ୍ମାରେ ପ୍ରବେଶ କରିବି । ନିଷ୍କଳଙ୍କ, କୋମଳମତି,ନିର୍ମଳ ହୃଦୟର ପିଲା ଗାନ୍ଧୀଜୀଙ୍କର ସବୁବେଳେ ପ୍ରିୟ ।ଏହିପରି ଚିନ୍ତା କରି ସକାଳେ ତାଙ୍କ ପ୍ରତିମୂର୍ତ୍ତି ଆଗରେ ବୈଷ୍ଣବ ଜନ ତୋ.. ଭଜନ ଗାଉଥିବା ଜଣେ କଲେଜ ଛାତ୍ରଙ୍କ ପାଖରେ ପହଁଚିଲେ । “ହେ ମୋ ପ୍ରିୟ ସନ୍ତାନ,ତୁମେ ହେଲ ଦେଶର ଭବିଷ୍ୟତ । ପରାଧୀନ ଭାରତରେ ତୁମ ପାଇଁ ମୁଁ ଅନେକ ସ୍ୱପ୍ନ ଦେଖିଥିଲି । ବାନର ସେନା ହୋଇ ତୁମ୍ଭମାନେ ମୋ ପଛରେ ଗୋଡେଇଥିଲ । ସ୍ୱାଧୀନ ଭାରତରେ ସେ ସବୁ ପୂରଣ କରିବା ପୂର୍ବରୁ ମୋତେ ଗୁଳି କରି ହତ୍ୟା କରିଦିଆଗଲା । ଏବେ ଆସ ଆମେ ସମସ୍ତେ ମିଶି ସେହି ରାମରାଜ୍ୟ ଗଢିବା । ସେଠି ଜାତି , ଧର୍ମ ଓ ସମ୍ପ୍ରଦାୟର ଭେଦ ନଥିବ । କୁକୁରଟିଏ ବି ସକଳ ମର୍ଯ୍ୟାଦାର ସହ ତା ଅଧିକାର ପାଇ ପାରୁଥିବ । ମୋ’ ଆତ୍ମାକୁ ତୁମ ଭିତରେ ସ୍ଥାନ ଦିଅ , ସମାହିତ କର । ତୁମ ଦେଇ ମୁଁ ମୋର ସ୍ବପ୍ନକୁ ସାକାର କରିବା ପାଇଁ ବ୍ୟାକୁଳ । ଅଖଣ୍ଡ ଭାରତରେ ମୋତେ ଆନନ୍ଦରେ ବିଚରଣ କରିବାକୁ ଦିଅ ।”

ଏହା ଶୁଣି ବାଳକ ଡରରେ ପଛକୁ ହଟିଗଲା । “ବାପୁ ମୋର ଆଖି କାହିଁ , ମସ୍ତିଷ୍କ କାହିଁ ? ଜନ୍ମ ସହ ବାପାମାଆଙ୍କର ସ୍ୱପ୍ନ ଖୁନ୍ଦି ହୋଇ ଅଛି ମୋର ମୁଣ୍ଡରେ । ସେହି ସ୍ୱପ୍ନର ଗଛରେ ମୁଁ କେବଳ ଖରା , ପାଣି ଦେଇ ବଡ଼ କରୁଛି ବାପୁ । ମୋ’ ପିତା ମାତା ମୋତେ ଶିକ୍ଷିତ କରିବା ପାଇଁ ଅନେକ କଷ୍ଟ କରି ରୋଜଗାର କରୁଛନ୍ତି । ମୁଁ ଉଚ୍ଚ ଶିକ୍ଷା ଲାଭକରି ବିଦେଶ ଯାଇ ତାଙ୍କ ଟେକ ରଖିବାକୁ ଚାହୁଁଛି । ଏ ଦେଶରେ କୌଣସି ଭବିଷ୍ୟତ ନାହିଁ । ମୋର ମହାତ୍ମା ଫହାତ୍ମା ବନିବା ଲକ୍ଷ୍ୟ ନାହିଁ । ମୁଁ କେମିତି ବଡ଼ରୁ ବଡ଼ ଚାକିରୀ କରିବି ।ମାତୃଭୂମି ପାଇଁ ଅହରହ କାନ୍ଦୁଥିବା ସବୁଠୁ ଓଜନଦାର ଏନ. ଆର. ଆଇ ରୂପେ ପରିଚିତ ହେବି । ସେଇ ବାଟ ଦୟାକରି ବତାନ୍ତୁ । ମୁଁ ପ୍ରତିବର୍ଷ ଆପଣଙ୍କ ଜୟନ୍ତୀ ଓ ତିରୋଧାନ ଦିବସରେ ‘ବୈଷ୍ଣବ ଜନ ତୋ ଭଜନ’ ଗାଇବି । ବିଦେଶ ମାଟିରେ ଭାରତୀୟ ବଂଶୋଦ୍ଭଵମାନଙ୍କୁ ସେହି ଭଜନ ଶିଖେଇବାର ବନ୍ଦୋବସ୍ତ ନିଶ୍ଚୟ କରିବି ବାପୁ। ଆପଣଙ୍କ ଆଦର୍ଶ ହିମାଳୟଠାରୁ ଆହୁରି ବଡ଼ ଏବଂ ଅଲଂଘ୍ୟ । ଆପେ ବଞ୍ଚିଲେ ବାପର ନାଁ ବୋଲି କିଏ କହୁଛି ଆଜିକାଲି ? ଆପେ ବଞ୍ଚିଲେ ଆପଣା ନାଁ । ମୋତେ ମାଫ କରନ୍ତୁ ମହାତ୍ମା , ମୋ ହାତ ଧରିବାର ଆଗ୍ରହ ଦେଖେଇ ମୋତେ ଅଧିକ ଭୟଭୀତ କରନ୍ତୁ ନାହିଁ ।” ପାଖରେ ଥିବା ଅନ୍ୟ ଦୁଇ ତିନିଜଣ ସମଝଦାର ଛାତ୍ରଙ୍କୁ ପଚାରିଲେ ଗାନ୍ଧୀ। “ଏବେ ନିଜ ବାପା ମାଆଙ୍କ ପୀଡା ଦୂରକରିବାକୁ ସମୟ ନାହିଁ । ଆପଣଙ୍କ ପାଲରେ ଆମକୁ ଆଉ ପକାନ୍ତୁ ନାହିଁ ।ଆମକୁ କ୍ଷମା କରନ୍ତୁ ।” ମୁହଁ ବୁଲେଇ ନେଲେ ସେମାନେ ।

ସବୁ ଆଡୁ ନିରାଶ ହୋଇ ଗାନ୍ଧୀଜୀ ପୁଣି ସ୍ୱର୍ଗକୁ ଫେରିଗଲେ । ଗାନ୍ଧିଜୀଙ୍କୁ ଦେଖି ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର କହିଲେ– “ହେ ମୋର ପ୍ରିୟ ମାନବ, କଳିଯୁଗର ଶ୍ରେଷ୍ଠ ଭକ୍ତ, ତୁମେ ନିରାଶ ହେଉଛ କି ? ମୋ ଅବସ୍ଥା ବି ତୁମ ଭଳି । ତୁମେ ଭାଷଣରେ ଆଉ ମୁଁ କୀର୍ତ୍ତନରେ ରହିଯାଇଛେ। ତୁମେ ଫଟୋରେ ଆଉ ମୁଁ ମନ୍ଦିର ଭିତରେ ବନ୍ଦୀ । ତୁମ ଭକ୍ତମାନେ ସ୍କୁଲ କଲେଜ ଅଫିସ ଭଳି ଅନୁଷ୍ଠାନରେ ତୁମ ମୂର୍ତ୍ତି ଛିଡା କରେଇଛନ୍ତି । ମୋ ଭକ୍ତମାନେ ମୋତେ ମନ୍ଦିର , ଫୁଟପାଥ କଡ଼ ଗଛମୂଳ ଦେଖି ସ୍ଥାପନା କରିଛନ୍ତି ଦାନ ବାକ୍ସ ଗୋଟିଏ ଦିଇଟା ରଖି । ତୁମ ବେକରେ ଗଜରା ପକେଇ କଳାବଜାରୀ କରୁଥିବା ଲୋକ ମୋ ନାଁ ରେ ରାଣ ଖାଇ ପୋଡା ମୋବିଲ କୁ ଅସଲି ଖାଇବା ତେଲ କହି ଲୋକଙ୍କୁ ଠକୁଛନ୍ତି । ଅଷ୍ଟପ୍ରହରୀରେ ଭକ୍ତଙ୍କ ଦିବାରାତ୍ର ଉଜାଗର କୀର୍ତ୍ତନ ଦେଖି ମୋର ବି ଇଛା ହୁଏ ଆଉ ଥରେ ଧରାପୃଷ୍ଠରେ ଜନ୍ମ ନିଅନ୍ତି । ପୁଣି ଥରେ ରାମରାଜ୍ୟ ପ୍ରତିଷ୍ଠାରେ ଦିନରାତି ଏକ କରି କାମ କରନ୍ତି । ହେଲେ, ତୁମ ପାଇଁ ‘ହେ ରାମ’, ମୋ ପାଇଁ ‘ଜୟ ଶ୍ରୀରାମ’ ଭିତରେ ଦୂରରୁ ଶୁଭୁଥିବା ‘ଆଲ୍ଲା ହୋ ଆକବର’ ର କୁହାଟରେ ମୁଁ ଉଦାସ ହେଉଛି । ନିଜକୁ ମଣିଷଙ୍କ ମନ ଅନୁଯାୟୀ ଭିନ୍ନ ଭିନ୍ନ ମଣିଷ ରୂପରେ ଦେଖି ଦୁଃଖୀ ହେଉଛି । ଏସବୁ ଦେଖି ଭାବୁଛି ଯେତେଦିନ ଯାକ ମନ୍ଦିର ଭିତରେ ଅଛି ନିଶ୍ଚୟ ସୁରକ୍ଷିତ ଅଛି। ମନ୍ଦିର ବାହାରକୁ ବାହାରିଲେ ମୋ’ ଜୀବନ ପ୍ରତି ବିପଦ ବୋଲି ଲୋକେ ମୋତେ ତାଗିଦା କରୁଛନ୍ତି । ତେଣୁ ମୁଁ ମାନି ନେବାକୁ ଇଚ୍ଛା କରି ଇଚ୍ଛାମୟ ଠାକୁର ହୋଇ ଅଛି । ମୋ କଥା ମାନ ତୁମେ ଯେଉଁ ପର୍ଯ୍ୟନ୍ତ ଫଟୋ ଭିତରେ ରହିଛ ସେ ପର୍ଯ୍ୟନ୍ତ ଗାନ୍ଧୀ ଦେବତା ହୋଇ ଅଛ । ସେଇଠି ତୁମପାଇଁ ନିରାପଦ । ଯଦି ତୁମେ ପୁନର୍ଜନ୍ମ ନେବାକୁ ହମହମ ତେବେ ମୋ କଥା ମନେରଖ ଆଜି ସକାଳେ ତୁମ ମୂର୍ତ୍ତି ଆଗରେ ଭଜନ ଗାଉଥିବା ଲୋକମାନେ ନିଜର ଅସ୍ତିତ୍ୱକୁ ଆସନ୍ନ ବିପଦରେ ଜାଣି ସୁଦ୍ଧା ତୁମକୁ ସେହିଠାରେ ହିଁ ଗୁଳି ଟିପି କାହିଁ କେତେ ଥର ହତ୍ୟା କରିବେ । ଯେଉଁଠି ଅଛ, ଶାନ୍ତିରେ ଥାଅ । “ଯଃ ଲୁଚତି, ଶଃ ଜୀବତି !!” ଗାନ୍ଧି ଅଳ୍ପ ହସି ରାମଚନ୍ଦ୍ରଙ୍କୁ ଚାହିଁ କହିଲେ , ” ପ୍ରଭୁ !ଆପଣଙ୍କ ପାଇଁ ପରା ତୁଳସୀ ଦାସ କହିଲେ ,” ପ୍ରାଣ୍ ଯାଇ ପର୍ ବଚନ୍ ନ ଯାଇ..। ମୁଁ ମୋ ଅଭିଯାନ ବନ୍ଦ କରିବି କେମିତି ? “

Comments are closed, but trackbacks and pingbacks are open.