Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ସାହିତ୍ୟ ଆଲୋଚନା ଶୁଣିବାପାଇଁ ସେ କେତେ ଉଦ୍‌ବିଗ୍ନ ରହୁଥିଲା । କିନ୍ତୁ ଯେଉଁଦିନଠାରୁ ଚନ୍ଦ୍ରଭାନୁଙ୍କର ଅମୀୟ ମୟୁଖ ତା’ ଜୀବନ ଆକାଶରୁ ଅଦୃଶ୍ୟ ହୋଇଗଲା, ସେହି ଦିନଠାରୁ ଜୀବନର ଏହି ଅପରିକଳ୍ପିତ, ଅନ୍ଧାର ପରିସରରେ କଲମମୁନରୁ ମଧୁର କବିତାର ଚନ୍ଦ୍ରିକା ଆଉ ଝରିଲା ନାହିଁ ।

ପଦ୍ମିନୀ ମନ ମଧ୍ୟରେ ବହୁ ଚିତ୍ର ଆଙ୍କି ଆଙ୍କି ମୁହଁ ହାତ ଧୋଇ ସାରିଥିଲା । ଅଜ୍ଞାତରେ ତା’ ମୁହଁରୁ ଉତୁରି ଆସିଲା- ଭାନୁ ! ତମକୁ ହରାଇବା ପରଠୁ ଏ ଆଖିରୁ କେତେ ଯେ ଲୁହ ଝରିଛି । ଏବେ କିଛି ଦିନ ଧରି ଯଦି ମୋ ଆଖି ଶୁଖିଲା ଅଛି, କେବଳ ଏଇ ସରୋଜ ପାଇଁ । ବିଶ୍ୱାସ, ପ୍ରେମ, ଭକ୍ତି ଏବଂ ପିତୃତ୍ୱ ସବୁ କିଛି ଦେବା ପରେ ମଧ୍ୟ ତମେ ମତେ ଠକି ଦେଲ । ସରୋଜ ନାମଧାରୀ ଏଇ ବଶମ୍ବଦ ଲୋକଟା ପାଇଁ ଏଇ କେତେ ଦିନ ହେବ ତମର ବିଶ୍ୱାସଘାତକତାକୁ ବି ମୁଁ ଭୁଲିଯାଇଛି । ଜଣେ ଅସହାୟ ବାସହରା ମଣିଷକୁ ଏଇ କିଛି ଦିନ ମୁଁ ଆଶ୍ରୟ ଦେଇଛି । କିନ୍ତୁ ତା’ ଆଗରେ ଜୀବନର ଦୁଃଖକୁ ପ୍ରକାଶ କରିନି । କରିବା ଉଚିତ ମନେକରିନି । ପତି ପରିତ୍ୟକ୍ତା ହେଲେ ମଧ୍ୟ ମୁଁ ଜଣକର ପରିଣୀତା । ଆଉ ଜଣେ ପର-ପୁରୁଷ ନିକଟରେ ପତିର ଅବିଗୁଣ ପ୍ରକାଶ କରିବା ମତେ ଶୋଭନୀୟ ଲାଗିନାହିଁ ।

ଆଉ ଆଗକୁ ଭାବିପାରିଲାନି ସେ । ଯେତେ ଅଧିକ ଭାବିବ, ତା’ ଆଖିକୁ ଲୁହ ଆସିଯିବ । ସେ ଧରା ପଡ଼ିଯିବ ସରୋଜ ଆଗରେ । ନିଜକୁ ସଚେତନ କରି ସେ ସରୋଜଙ୍କୁ ଡାକିବାପାଇଁ ଶୋଇବା ଘରକୁ ବାହ୍ୟ ପରିସରକୁ ଭୁଲି ସେ ସେମିତି ପଢ଼ିବାରେ ନିମଗ୍ନ ଅଛନ୍ତି । ଧୀର ପାଦନେଇ ସେ ତାଙ୍କ ପଛରେ ଛିଡ଼ାହେଲା । ଉନ୍ମୋଚିତ ପୃଷ୍ଠା ଆଡ଼କୁ ଚାହିଁଲା । କଳାରଙ୍ଗର କାଳିରେ ବଡ଼ବଡ଼ ଅକ୍ଷରରେ ଲେଖାଯାଇଛି- ‘ନିର୍ଝରିଣୀର ପ୍ରାରମ୍ଭ ।’

ଏଇ ତେବେ ତା’ର ଶେଷ କବିତା । ଅଶ୍ରୁ ନିର୍ଝରର ଆରମ୍ଭରେ କଲମ ମୁନର ଝରଣା ଶୁଖିଯାଇଛି । ମର୍ମାନ୍ତିକ ଦୁଃଖକୁ ପିଇଦେଇ ଡାକିଲା- ସରୋଜବାବୁ… ।

ସେ କିନ୍ତୁ ସେତେବେଳେ ଯାଏ ଅନ୍ୟମନସ୍କ ଥିଲେ । ଏକ ମୋହାଚ୍ଛନ୍ନ ଅନୁଭୂତିର ସଂହତି ଲାଭ କରି, ସେ ଏମିତି ଏକ ପରିବେଶରେ ବିଚରଣ କରୁଥିଲେ; ଯେଉଁଠି ପ୍ରତ୍ୟେକ ଘଟଣା, ଦୃଶ୍ୟ ଓ ଚରିତ୍ରମାନଙ୍କର ଭାବନା ତାଙ୍କୁ ନିଜର ମନେହେଉଥିଲା । ଅନୁଭୂତି ସ୍ପର୍ଶ ଦେଇ କବିତାଟିର ଗୋଟିଏ ପଦକୁ ସେ ବଡ଼ ପାଟିରେ ପଢ଼ିଲେ-

‘ଅସ୍ତ ଗଲା ରବି ଆଜି ଶୁଖିଗଲା କମଳ
ଏଇଠି ଶୋଇଲା ମୋର ଲେଖନୀର ଗଜଲ ।’

 

କ୍ରମଶଃ

Leave A Reply

Your email address will not be published.