ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ (୮୮)
ସଞ୍ଜୁ ଅପାଙ୍କୁ ସମସ୍ତେ ଏବେ ଗୋଟିଏ କଥା କହୁଛନ୍ତି,କଲୋନୀର ନାମ ବଦଳାଇବାକୁ ପଡିବ । ସର୍ବସମ୍ମତିକ୍ରମେ ଗଙ୍ଗା ଯମୁନାରୁ ‘ଶଙ୍ଖ-କୋଏଲ’ ହେଲା। ନିଜେ ନିଜେ ସେଇନାମରେ କହିବାକୁ ଲାଗିଲେ। ମାତ୍ର, ସରକାରୀ କାଗଜପତ୍ରରେ ଏ କାମ ଆଦୌ ସହଜ ନଥିଲା। ତିଥି ଧାଇଁ ଧାଇଁ ବିରକ୍ତ ହେଉଥିଲା।ରଞ୍ଜୁ, ଡକ୍ଟର ବସା ସମସ୍ତେ ଯଥାସାଧ୍ୟ ଚେଷ୍ଟା କରୁଥିଲେ। ହୋଇଯାଇ ପାରେ ଏ କାମ ଆଗାମୀ ନିର୍ବାଚନ ପୂର୍ବରୁ, ଏଇ ଆଶ୍ବାସନା ସମସ୍ତେ ସମସ୍ତଙ୍କୁ ଦେଉଥିଲେ। ଓଃ କି ଯନ୍ତ୍ରଣା ଦାୟକ ଏସବୁ! କେତେ ଲଜିକ ଦେଖେଇବ ସବୁଥିରେ ମଣିଷ। ନିଜ ପିଲାର ନାମ ପାଞ୍ଚଥର ବଦଳେଇ ପାର , ଜାଗାଟିକୁ ବଦଳାଇବା ଭୀଷଣ ବିରକ୍ତକର ଓ କଷ୍ଟ ଦାୟକ।
ପିଲାଙ୍କ ଅନ ଲାଇନ କ୍ଲାସ୍ ନେଉଥିଲି ଠିକ୍ ଭାବରେ ।ନିଜ ଦେହ ମନକୁ ସଜାଡୁଥିଲି ସେଇ ଅନୁସାରେ।ଭିତରେ ଭିତରେ ପରିପୁଷ୍ଟ ହେଉଥିଲି ମୁଁ।ଗଢୁଥିଲି ଅନ୍ୟର ବ୍ୟକ୍ତିତ୍ବ , ପୁଣି ଗଢିହେଉଥିଲି ଆପେଆପେ। ଅଞ୍ଜୁ ଆଉ ଆସିବନି …ବିଶ୍ବାସ କରିପାରେନି ଏଇକଥା ଟିକକ।ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିବା ଭଳି ଲାଗେ ସେ ସମୟ । ତା’ ପାଇଁ କାହିଁକି ମୁଁ ଅପେକ୍ଷା କରେ କେଜାଣି …।ଯାହାସବୁ ହବନି ସେସବୁରେ ମୋର ମନ ବଳେଇବା ଅଭ୍ୟାସ। ଏକ ପ୍ରକାର ଜିଦ୍ଦି ନୁହେଁ ତ ଏସବୁ ?
ଏ ତିଥି , ତୁ ଆଉ କେତେଦିନ ଏସବୁ କରିବୁ ରେ… ଭଲ ଆଡକୁ ଯାଉଥିଲେ ଆଣ୍ଟି ଏ କଥା କେବଳ ଡକ୍ଟର ବସା କହନ୍ତି …ସତ … କେଜାଣି …।କିଛି ବୁଝାପଡେନି। ଯେଉଁମାନେ ଆରମ୍ଭ କରିଥିଲେ ସେବା ଶୁଶ୍ରୂଷା ତାଙ୍କର ମୋତେ ଛାଡିଦେଲେ ଆଉ ସମସ୍ତେ ଯିଏ ଯାହାର କାମରେ ବ୍ୟସ୍ତ ପ୍ରାୟ ଏବେ।କେବେ କେମିତି କେହି କେହି ଆସନ୍ତି ଡକ୍ଟରଙ୍କ ନିର୍ଦ୍ଦିଷ୍ଟ କାମପାଇଁ …। ଭଲ, ବହୁତ ଭଲ, ସେମାନେ ଆଗକୁ ଯାଆନ୍ତୁ…।ଷ୍ଟୁଡିଓ, ସାମାଜିକ କାମ ସବୁରେ ବହୁତ ବ୍ୟସ୍ତ ମୁଁ । ପେଣ୍ଟିଙ୍ଗ ପାଇଁ ମଝିରେ ମଝିରେ କର୍ମଶାଳା କରିବାକୁ ପଡୁଥିଲା। ମାଆ ଓ ବାପାଙ୍କ ହାତ ମୋ’ ସହିତ ଥିବାରୁ ସବୁ ସମ୍ଭବପର ହେଉଥିଲା।କହିବାକୁ ଗଲେ ଏକପ୍ରକାର ଭଲରେ ଚାଲୁଥିଲା ସମୟ।
କାଗଜ ଟୁକୁରା କାହିଁକି ମିଳିଲା..?କାହିଁକି ମୋତେ ଆଉଥରେ ପଛକୁ ଟାଣିନେଲୁରେ ସମୟ। ନା ମୁଁ ବିଶ୍ବାସ କରି ପାରୁଚି ନା ଅବିଶ୍ବାସ। ହେଃ ଏସବୁ ମିଛ ମ…।ମନ ଖରାପ ହୋଇଗଲା।କଣ କରିବି ମ…। ସବୁଠୁ ଭଲ ହେବ ପ୍ରତୀକ ସହ ଆଜି ଆଉ ଘେରାଏ ବୁଲି ଆସିଲେ ସେ ରାଜ ଉଆସ।ସାହାଯ୍ୟ କଲା ପ୍ରତୀକ ଥରକ ଅନୁରୋଧରେ।
:ଦେଖ ଅମୃତା,ଏଇଟା ପଣ୍ଡିତଙ୍କ ଘର।ସବୁଦିନ ଭାଗବତ ଶୁଣାନ୍ତି ରାଣୀଙ୍କୁ।ପତ୍ର ଠୋଲାରେ ମଣିଷ ମୁଣ୍ଡ ଭଳି ଘିଅ ସରସର ବୁନ୍ଦି ଲଡୁ ଭୋଗ ଲଗାନ୍ତି ରାଜାଙ୍କ ପ୍ରତିମୂର୍ତ୍ତି ପାଖରେ…
:ରୁହ ରୁହ ,କଣ କହିଲ, କୃଷ୍ଣଙ୍କ ପାଖରେ ହୋଇଥିବ…
:ନା, ମ। ଶୁଣ, ପରମ ସୁକୁମାରୀ ରାଣୀମାଆ କିଛି ଟିକିଏ ଭୁଲ କରିଥିଲେ ବୋଲି, ରାମଚନ୍ଦ୍ରଙ୍କ ଭଳି ତେଜିଥିଲେ ତାଙ୍କୁ ଉଆସରୁ ପରା। ସବୁଦିନ ଆସୁଥିଲେ ସେ , ପଥର ମୂର୍ତ୍ତି ପାଖକୁ ଆଉ ସ୍ବାମୀ ବଦଳରେ ପଥର ପାଖରେ କହିଯାଉଥିଲେ ଲୁହଧାରସହ ମନକଥା …ଅଭିମାନ .. .ବୋଧହୁଏ ..
: କେଜାଣି ନିଥର ପାଷାଣକୁ କଣ କହୁଥିବେ, କେମିତି ଶୁଣୁଥିବେ ଭାଗବତ … ଭୁଲର ପ୍ରାୟଶ୍ଚିତ ଏମିତି …ହୃଦୟହୀନ… ! ମୋ’ ପାଟିରୁ ବାହାରିଗଲା।
:ରାଜାଘର କଥା, ସ୍ବାମୀ ସ୍ତ୍ରୀଙ୍କ ଭିତରେ ମନୋମାଳିନ୍ୟ ହୋଇଥିବ .. ତୁମେ ଏତେ ଭାବପ୍ରବଣ ହୁଅନି, ଅମୃତା।
:କି ଭାବପ୍ରବଣ ମ.. ଝିଅଟି ଭୁଲ କଲେ ତ୍ୟେଜି ଦେବ ଏମିତି..। ଆଉ ଏ ଜନ୍ମେ ଭେଟ ନାହିଁ କହି ପଥର ସହ କଥା..।କିଏ ଭୁଲ ନକରେ ଯେ …କ୍ଷମା କରିଦେଇଥିଲେ ନଗରବାସୀଙ୍କୁ ଏକଥା ଅଛପା ରହିଥାଆନ୍ତା। ବିଚରା ମୁଣ୍ଡ ଟେକି ଚାଲିପାରୁନଥିବେ। ମୁଁ ଆକଟି ପାରୁନଥିଲି ନିଜକୁ।
:ସତରେ ସେ ଅଲଗା ରହୁଥିଲେ ନଗରଠାରୁ ଦୂରରେ। ତାଙ୍କ ନିଜ ଗାଡିରେ ଆସୁଥିଲେ।କେହି ତାଙ୍କ ମୁହଁ ଦେଖୁନଥିଲେ। ରାଜା ତ ରାଜା ,ପ୍ରଜାବି ନୁହେଁ।
: ଆଃ ଯନ୍ତ୍ରଣା ଦାୟକ ଏସବୁ…
: ଦେଖ ବଣ ମାଳତୀ। କି ସୁନ୍ଦର ବାସ୍ନା ! ରାଜାଙ୍କ ପ୍ରିୟ ଫୁଲ। ରାଣୀ ଛୁଇଁ ଦେଉଥିବେ ଟିକିଏ।
:ଦାମ୍ପତ୍ୟ ଜୀବନ କଣ ଏଇଆ ?
:ଛାଡ..
ଭାରାକ୍ରାନ୍ତ ହୋଇଗଲା ମନ। ସବୁଠି ସମୟର ଚିହ୍ନ। ଇତିହାସ ଯାହା ଆଜି,ଦିନେ ସେସବୁ ହୃଦୟବିଦାରକ…।ଅସହ୍ୟ ଏସବୁ ମୋ’ ପାଇଁ।
:ଚାଲ ପ୍ରତୀକ…
:ଶୁଣ , ରାଜା ନିଜ ସୁଖ ଜଳାଞ୍ଜଳି ଦେଇଥିଲେ ପ୍ରଜାଙ୍କ ପାଇଁ …
:କାହିଁକି, କଣ ହୋଇଥିଲା…ମୋ’ ମନକୁ ପଢିନେଲାକି ଆଉ..
:ପ୍ରଜାନୁରଞ୍ଜକ ରାଜକୁମାର ରାଜପରିବାର ବହିର୍ଭୂତ ରୂପସୀଙ୍କର ପାଣିଗ୍ରହଣ କରିବାକୁ ଚାହିଁବାରୁ ପରିବାର,ମହାମନ୍ତ୍ରୀ, ପୁରୋହିତ, ରାଜଗୁରୁ,ପ୍ରଜାଗଣ ସମସ୍ତେ ଅରାଜିହେଲେ
:ହାୟ,ସବୁଠି କାହିଁକି ପାଚେରୀ …କାହିଁକି ଏତେ ଅଡୁଆ … କାହିଁକି ବାଧା…
:ଜାଣିଚ,ରାଜା ଗଢିଦେଲେ ବିଶାଳ ମହଲ, ଆଉ ରାଣୀଙ୍କର ଅକାଳ ମୃତ୍ୟୁ ପରେ ସେ ଅପେକ୍ଷାରତା ବୟସ୍କା ଆସିଥିଲେ ତାଙ୍କ ପାଇଁ ଉଦ୍ଦିଷ୍ଟ ମହଲକୁ…
: ପଥର ସମସ୍ତେ …ନିସ୍ତରଙ୍ଗ ନଦୀ… ଆଉ ସାଗର ….
ଫେରିଆସିଲି ନୁହେଁ ଜବରଦସ୍ତି ଫେରିଲି।ଆଜି ପ୍ରତୀକ ଖାଇବାକୁ ଡାକିଲା ଯେ ମୋର ମନ ନଥିଲା ….
ଆଗେ ବସିଲି ,ବ୍ଲଗରେ ଲେଖିଲି:
ପଥର ମୂର୍ତ୍ତିରେ …,
ତୋ’ ନୟନେ ପଲକ ବି ପଡେ,
ତୋ’ କପୋଳେ ଲୁହଧାର ଗଡେ….
ମୁହଁରେ ଉକୁଟେ ହସ,
ସଞ୍ଚରିତ କଳେବରେ ରସ,
ଜୀବନ୍ୟାସ ଦେବ କେବେ ଶିଳ୍ପୀ?
….ଉତ୍ତର ତଥାପି
ନପାଏଁ ମୁଁ ଯୁଗଯୁଗ ଜଳ୍ପି।
ଅନ୍ଧକାର ବୃତ୍ତ ମଧ୍ୟେ
ଏ ଜୀବନ ଆଲୋକର ବିନ୍ଦୁ
ଧୂସର ବାଲୁକାସ୍ତୂପେ ଏ ଜୀବନ ସିନ୍ଧୁ …।
( କ୍ରମଶଃ )