ଗୀତ ଶିଖିବା ସେତିକିରେ ଇତି ହେଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ 

ପିଲାବେଳ ଧୂଳିଖେଳ ଛାଡି ଯେବେ କୈଶୋରରେ ପ୍ରବେଶ କଲି, ବାପାଙ୍କ ଅନୁଶାସନ ଅତି କଠୋର ମନେ ହେଲା। ବାଲ୍ୟସୁଲଭ ମନକୁ କେବେକେବେ ତ ତାଙ୍କ ଆଚରଣ ଅତି ବିଚିତ୍ର ମନେ ହେଉଥିଲା, ଅନେକ କଥା ବୁଝି ବି ହେଉନଥିଲା। ଆଠ ଦଶ ବର୍ଷର ଅବୁଝା ମନକୁ ବେଳେବେଳେ ତ ବାପାଙ୍କ ଆଦେଶ ଗୋଟେ ଏକଛତ୍ର ଶାସକଙ୍କ ପରୱାନା ପରି ମନେ ହେଉଥିଲା , ଯେମିତିକି ପାଖ ଘରେ ରହୁଥିବା ଆଉଜଣେ ଅଫିସରଙ୍କ ପିଲାର ଦୁଧଖିଆ ଦାନ୍ତ ପଡ଼ିବାକୁ ହେଲେ ତା ବାପା ତାକୁ ଅଫିସ ଜିପରେ ବସେଇ ଡାକ୍ତର ପାଖକୁ ଯିବେ, ସ୍ୱରୂପ ତ କୁହେ ଡାକ୍ତର ପାଖରୁ ଦାନ୍ତ ଉପୁଡ଼େଇ ଆସିଲା ବେଳେ ରସଗୋଲା ଖାଇକି ଆସେ, ଆଉ ଆମେ ? ଆମେ ଯିବୁ ସେଇ ବୁଢା ଫକୀରୁଦ୍ଦିନ ସାରଙ୍କ ପାଖକୁ, ସେ ତୁଳା ମେଞ୍ଚେ ଧରି ଦାନ୍ତ ଉପାଡି ଦେବେ, କହିବେ, ” ନିଅ ଛଣ ଉପରକୁ ପକେଇ ଦିଅ , କହିବ ମୂଷା ମୋ ଦାନ୍ତ ନେ,ତୋ ଦାନ୍ତ ଦେ।” ମୋତେ ଭାରି କାନ୍ଦମାଡ଼େ, ଭାବେ ସ୍ୱରୂପର କେଡେ ମଜା, ଆମର ବି ସେମିତି ହୁଅନ୍ତା କି ! ଆହୁରି ବି ଦେଖୁ କେତେ ଅଫିସରଙ୍କ ପିଲା ଅଫିସ ଜିପରେ ସ୍କୁଲ ଯିବେ ହେଲେ ବାପାଙ୍କ କଡା ଆଦେଶ ଆମେ ସ୍କୁଲକୁ ଚାଲି ଚାଲି ନହେଲେ ସାଇକେଲ ଶିଖି ସାଇକେଲରେ ଯିବୁ।

ପଣ୍ଡା ଡ୍ରାଇଭର ଠିକ ଦଶଟା ବେଳକୁ ଜିପ ନେଇ ଆସିବେ , କପଡ଼ାଟେ ଧରି ଗାଡି ,ବିଶେଷ କରି ସମାନା କାଚ ପୋଛୁଥିବେ ,ବାପା ଘରୁ ବାହାରିଲେ ଅଫିସ ଯିବେ ଓ ସନ୍ଧ୍ୟା ବେଳେ ବାପାଙ୍କୁ ଆଣି ଛାଡିଦେଇ ଫେରିଯିବେ , କିନ୍ତୁ ଆମ ଜିଦି ସତ୍ୱେ କେବେ ଦିନେ ବି ଆମକୁ ଗାଡ଼ିରେ କୁଆଡେ ନେବେନି, କହିବେ ସାରଙ୍କୁ କୁହ। କାଣି ବିଲେଇର କୁଜି ଅସରପା ଉପରେ ରାଗ ପରି ଆମ ରାଗ ପଣ୍ଡା ଉପରେ ,ତାଙ୍କୁ ଦେଖିଲେ ଆମେ ଗୀତ ଗାଉ, ” ପଣ୍ଡା, ଦେଉଳ ଉପରେ ଅଣ୍ଡା, ଅଣ୍ଡା ଗଲା ଫାଟି,  ପଣ୍ଡା ଦେଲା ଚାଟି।” ସେ ବି ନ ରାଗି ହସି ଦିଅନ୍ତି । ଆହୁରି , ପାଖ ପଡିଶା ଘରର ଝିଅମାନେ ରଙ୍ଗବିରଙ୍ଗ ଫୁଲପକା କେତେ ଡିଜ଼ାଇନ ଡ୍ରେସ ପିନ୍ଧିଲା ବେଳକୁ ଆମ ଚାରି ଭଉଣୀଙ୍କର ଏକ ସମାନ ଫିକା ରଙ୍ଗର କପଡାରେ ସମାନ ଡିଜ଼ାଇନର ଡ୍ରେସ। ଭାରି ରାଗ ମାଡ଼େ,କାନ୍ଦମାଡ଼େ । ତା ଉପରେ ପୁଣି ବାପା ଆମକୁ ନିଜ କାମ ନିଜେ କରିବାପାଇଁ ବାଧ୍ୟ କରୁଥିଲେ, ମାଆ ଯଦି ବିରୋଧ କରିବେ କହୁଥିଲେ , ” ଗାନ୍ଧୀ ମହାତ୍ମାଙ୍କୁ ଜାଣିଛ, ଏଇଟା ତାଙ୍କର ଉପଦେଶ , ଏହାର ଉପକାର ପରେ ବୁଝିବ , ଏବେ ବୁଝି ପାରିବ ନାହିଁ ।”

ଏଇ ପ୍ରସଙ୍ଗରେ ମୋର ମନେ ପଡିଯାଏ, ଘରେ ଛୋଟ ଛୋଟ ନିଜ କାମ କଥା ତ ଛାଡ଼, କଲେଜରେ ନାମଲେଖା ହେଉ କି ଛୋଟ ମୋଟ ଦେହ ଖରାପ ପାଇଁ ଡାକ୍ତରଖାନା ଯାଇ ଦେହ ଦେଖେଇବାକୁ ହେଉ କି ବ୍ୟାଙ୍କ ଯିବା କଥା ହେଉ ଆମକୁ ନିଜେ ଏକୁଟିଆ ଯିବାପାଇଁ ପଡୁଥିଲା। ମୋର ସେତେବେଳେ ଭାରି ମନକଷ୍ଟ ହେଉଥିଲା, ଅନ୍ୟମାନଙ୍କର ବାପାମାନେ କେମିତି ତାଙ୍କ ପାଇଁ ସବୁ କରି ଦେଉଛନ୍ତି, କେତେ ଆଗ୍ରହରେ ସବୁ ଜାଗାକୁ ତାଙ୍କ ସାଙ୍ଗରେ ଯାଉଛନ୍ତି ହେଲେ ଆମ ବାପା ଆମକୁ ନିଜେ ଏକଲା ଏସବୁ କାମ କରିବାକୁ ବାଧ୍ୟ କରୁଛନ୍ତି ! ପରବର୍ତ୍ତି ଜୀବନରେ ଅବଶ୍ୟ ସେ ଶିକ୍ଷା, ମହୌଷଧି ପରି କାମ କରିଛି ଆତ୍ମନିର୍ଭର ହେବାରେ ଯଥେଷ୍ଟ ସାହାଯ୍ୟ କରିଛି। ବାପାଙ୍କ କଥାର ମହତ୍ତ୍ୱ ପରେ ବହୁତ ଭଲ ଭାବରେ ବୁଝି ପାରିଛୁ। ବାପାଙ୍କର ଇଚ୍ଛାଥିଲା ଝିଅମାନେ ପାଠଶାଠ ପଢି ଯୋଗ୍ୟ ହେବେ ଓ “ବିନାଶ୍ରୟେ ନ ବର୍ତ୍ତନ୍ତି କବିତା ବନିତା ଲତା,”ନ୍ୟାୟରେ ନବଞ୍ଚି ଆତ୍ମନିର୍ଭରଶୀଳ ହେବ ସେଇଥିପାଇଁ ବୋଧହୁଏ ସେ ଆମର ପାଠପଢ଼ା ପ୍ରତି ବିଶେଷ ଧ୍ୟାନ ଦେବା ସଙ୍ଗେ ସଙ୍ଗେ ସବୁ ଦୃଷ୍ଟିରୁ ସକ୍ଷମ କରି ଗଢ଼ି ତୋଳିବାକୁ ଚାହୁଁଥିଲେ। ତାଙ୍କର ଦୃଷ୍ଟି ସେତିକିରେ ସିମୀତ ନଥିଲା, ସେ ଚାହୁଁଥିଲେ ତାଙ୍କ ଝିଅମାନେ ବିଭିନ୍ନ କଳା କୌଶଳରେ ମଧ୍ୟ ନିପୁଣ ହୁଅନ୍ତୁ।

ଇତିହାସ ସାକ୍ଷୀ , ବାଲେଶ୍ବର କେବଳ ବାଣିଜ୍ୟ କାହିଁକି ,ଶିକ୍ଷା, ସାହିତ୍ୟ,ସଂସ୍କୃତି ଓ କଳା କ୍ଷେତ୍ରରେ ମଧ୍ୟ ସଦାସର୍ବଦା ଏକ ବିଶେଷ ସ୍ଥାନ ଅଧିକାର କରି ଆସିଛି। ଇଂରାଜୀ ଶାସନ ଅମଳରେ ୧୮୩୯ରୁ ସେଠି ମିଶନ ଗାର୍ଲସ ସ୍କୁଲ ପ୍ରତିଷ୍ଠା ହୋଇ ନାରୀଶିକ୍ଷା କ୍ଷେତ୍ରରେ ମଧ୍ୟ ବେଶ ଅଗ୍ରଗତି କରି ପାରିଥିଲା। ମୁଁ ଷଷ୍ଠ ଶ୍ରେଣୀରେ ସେଇ ମିଶନ ଗାର୍ଲସ ସ୍କୁଲରେ ପଢିବାପାଇଁ ଗଲି। ଏମିତିରେ ସେଠିକାର ଝିଅ ମାନେ ଗୀତ, ନାଚରେ ବି ପ୍ରସିଦ୍ଧି ଲାଭ କରିଥିଲେ। ସେଠିକାର ସଂସ୍କୃତିରେ ପ୍ରଭାବିତ ହେଇ ଅବା ନିଜ ଇଛାରେ ହେଉ, ବାପା ଆମକୁ ଗୀତ ଶିଖେଇବା ପାଇଁ ଜଣେ ଗୀତ ସାରଙ୍କୁ ଯୋଗାଡ଼ କଲେ। ତାଙ୍କ ପରାମର୍ଶ କ୍ରମେ ମୋତିଗଞ୍ଜ ବଜାରସ୍ଥ ଏକ ବାଦ୍ୟ ଦୋକାନରେ ହାରମୋନିୟମ ବରାଦ ଦିଆଗଲା। ଦୋକାନୀ ବାବୁ ସାରଙ୍କ ନିର୍ଦ୍ଦେଶ ମତେ କଲିକତାରୁ ଏକ ଭଲ କମ୍ପାନୀର ହାରମୋନିୟମ ଆଣିଦେଲେ। ଆମେ ବଡ ଦୁଇ ଭଉଣୀ ସାରଙ୍କ ପାଖରୁ ସଙ୍ଗୀତ ବିଦ୍ୟା ଶିକ୍ଷା କରିବା ଆରମ୍ଭ କଲୁ। ସାର ସପ୍ତାହରେ ଦୁଇଦିନ ଆସନ୍ତି ଗୀତ ଶିଖାନ୍ତି , ଅନ୍ୟ ଦିନଗୁଡ଼ିକରେ ଆମକୁ ଅଭ୍ୟାସ କରିବାକୁ କହିଥାନ୍ତି। ପ୍ରଥମେ ପ୍ରଥମେ “ସା ,ରେ,ଗା, ମା,ପା,ଧା, ନି ,ସା….” ଶିଖେଇ, ତାପରେ ଛାନ୍ଦ, ଚମ୍ପୁ ଇତ୍ୟାଦି ଶିଖେଇଲେ। ମୋର ସାନ ଭଉଣୀ ବହୁତ ଭଲ ଗାଉଥାଏ, ମୋର ଗୀତ ଶିଖିବାରେ ଏତେ ଆଗ୍ରହ ନଥାଏ କି ମୋର ଗାଇବା ବି ଭଲ ହେଉ ନଥାଏ, କିନ୍ତୁ ବାଧ୍ୟ ହେଇ ସାରଙ୍କ ପାଖରେ ବସେ। ସାର ବାପାଙ୍କୁ ରିପୋର୍ଟ ଦିଅନ୍ତି , ଦୁଇ ଝିଅ ବଢ଼ିଆ ଶିଖୁଛନ୍ତି, ଭଲ ଗାଇ ଜାଣିଲେଣି।

ଏମିତିରେ କିଛି ମାସ ଗଲା ପରେ ଏକ ଗୀତ ଗାଇବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜାଗାଟା ଯାହା ମନେ ପଡୁଛି ବୋଧହୁଏ ଗାନ୍ଧୀ ସ୍ମୃତି ଭବନ। ସାର ଆମ ଦୁଇ ଜଣଙ୍କ ନାମ ପ୍ରତିଯୋଗିତାରେ ଭାଗ ନେବାପାଇଁ ଲେଖେଇଦେଲେ ଓ ସେଥିପାଇଁ ପ୍ରସ୍ତୁତ ମଧ୍ୟ କରିବାକୁ ଲାଗିଲେ। ଯେଉଁଦିନ ସନ୍ଧ୍ୟାରେ ପ୍ରତିଯୋଗିତା ଥିଲା ,ସାର ନିଜେ ଆସି ଆମ ଦୁଇ ଭଉଣୀଙ୍କୁ ସାଙ୍ଗରେ ନେଇ ନିର୍ଦ୍ଦିଷ୍ଟ ମଣ୍ଡପରେ ପହଞ୍ଚିଲେ। ବାପାବି ଅଫିସରୁ ଫେରି ତାଙ୍କ ଝିଅ ମାନଙ୍କ କୃତିତ୍ବ ଦେଖିବାକୁ ପହଞ୍ଚିଗଲେ। କାର୍ଯ୍ୟକ୍ରମ ଆରମ୍ଭ ହେଲା, ଛାନ୍ଦ,ଚମ୍ପୁ, କ୍ଲାସିକାଲ ଇତ୍ୟାଦି ବିଭାଗରେ ଜଣଙ୍କ ପରେ ଜଣଙ୍କ ନାମ ଘୋଷଣା ହେଉଥାଏ, ଯେଉଁମାନଙ୍କ ନାମ ଡକା ଯାଉଥାଏ ସେମାନେ ଷ୍ଟେଜକୁ ଯାଇ ଗୀତ ଗାଉଥାନ୍ତି।

ପ୍ରଥମେ ଭଉଣୀର ନାମ ଡକାଗଲା , ସାର ଷ୍ଟେଜ ଉପରକୁ ଯାଇ ହାରମୋନିୟମ ବଜେଇଲେ ଓ ଲଷ୍ମୀ ” ବିତଳକୁ ଆଲିଙ୍ଗନ…” ଗୀତଟି ଅତି ସୁନ୍ଦର ଭାବରେ ଗାଇଲା। ତାପରେ ମୋ ନାମ ଡକାଗଲା। ମୁଁ ଗଲି ସାର ଥାଆନ୍ତି ହାରମୋନିୟମରେ। ସେ ମୋତେ ସାହାସ ଦେବାକୁ ମୁଣ୍ଡ ହଲଉ ଥାଆନ୍ତି। ମୁଁ ବି ସେଇ ସମାନ ଗୀତ ଗାଇଲି, ହେଲେ ମଝିରେ ଟିକେ ଅଟକି ଗଲି। ସାରଙ୍କ ମୁହଁକୁ ଅନେଇଲି ସେ ଠାରରେ ଗାଇବା ପାଇଁ ସଙ୍କେତ ଦେଲେ,ମୁଁ ସାହସ କରି ଗୀତ ପୁରା କଲି। ପ୍ରତିଯୋଗିତାର ସମାପ୍ତି ପରେ ପୁରସ୍କାର ବିତରଣ ହେଲା, ଭଉଣୀର ନାମ ଦୁଇଟି ବିଭାଗରେ ଡକା ହେଲା,ଛାନ୍ଦରେ ଦ୍ୱିତୀୟ, ଚମ୍ପୁରେ ତୃତୀୟ ଯଦିଓ ସେ ଗୋଟିଏ ଗୀତ ଗାଇଥିଲା। ସେ କୁଣ୍ଠିତ ହେଲା, ମାତ୍ର ସାର ତାକୁ କହିଲେ ଆଗ ପୁରସ୍କାର ଆଣ, ପରେ ସେ କଥା ବୁଝିବା। ସେ ଗଲା ପୁରସ୍କାର ଆଣିଲା। ଆମେ ବାପାଙ୍କ ସାଙ୍ଗରେ ଘରକୁ ଫେରିଲୁ। ମୋ ମୁହଁ ଶୁଖି ଯାଇଥିବା ଦେଖି ବାପା ପ୍ରବୋଧନା ଦେଇ କହିଲେ, “ପ୍ରତିଯୋଗିତାରେ ଭାଗ ନେବାଟା ବଡ କଥା। ଆଜି ନହେଲେ, କାଲି ପ୍ରାଇଜ ପାଇବୁ।” ଆମ ପଛେ ପଛେ ସାର ଆସି ଘରେ ପହଞ୍ଚିଲେ। ଅତି ଖୁସିରେ ବାପାଙ୍କୁ ଯାଇ ଫୁସ ଫୁସ ହେଇ କିଛି କହିଲେ । ବାପାଙ୍କ ମୁହଁ ଶୁଖି ଗଲା କିନ୍ତୁ କିଛି କହିଲେନି। ଘଡ଼ିଏ ଚୁପ ହେଇ ବସିଗଲେ।

ପରେ ଜାଣିଲୁ ସାର ସେଦିନ ବାପାଙ୍କୁ କହିଥିଲେ ଲଷ୍ମୀପ୍ରୟା ତ ଭଲ ଗାଇଲା, ତାଆରି ନାଆଁରେ ଦୁଇଟା ପୁରସ୍କାର କରେଇ ଦେଇଛି। କିଛି ଦିନ ପରେ ଯାଇ ଗୋଟିଏ ସାର୍ଟିଫିକେଟରେ ନାମଟା ବଦଳେଇ ଆଣିଲେ, ଦୁଇ ଜଣଙ୍କ ଦୁଇଟା ପୁରସ୍କାର ହେଇଯିବ, ପରେ କାମରେ ଆସିବ । ବିନା ଯୋଗ୍ୟତାରେ ପୁରସ୍କାର , କଥାଟା ବାପାଙ୍କୁ ହଜମ ହେଲା ନାହିଁ ।

ପରଦିନ ସାର ଗୀତ ଶିଖେଇବାକୁ ଆସିଲା ବେଳେ ବାପା ଜଗିଥାଆନ୍ତି। ସେ ଆସିବା ମାତ୍ରେ ତାଙ୍କୁ ଡାକି ତାଙ୍କର ମାସକର ଦରମା ଦେଇ ନମସ୍କାର କରି କହିଲେ,” ସାର, ସାର୍ଟିଫିକେଟ ଦରକାର ନାହିଁ କି ପିଲାମାନଙ୍କର ଆଉ ଗୀତ ଶିଖିବା ଦରକାର ନାହିଁ। ” ସେଇ ଦିନଠୁ ଗୀତ ଶିଖା ବନ୍ଦ। ହାରମୋନିୟମ ଘରେ ପଡି ରହିଲା, ବଲାଙ୍ଗୀର ଆସିଲା ପରେ ମାଲପଡା ରାମଲୀଳା ପାର୍ଟିକୁ ଦାନ କରାହେଲା। ବଲାଙ୍ଗୀର ଆସିବା ପରେ ତ୍ରିବିକ୍ରମ ଆଜ୍ଞା କେତେଥର ଗୀତ ଶିଖେଇବେ ବୋଲି ବାପାଙ୍କୁ ଅନୁରୋଧ କରିଛନ୍ତି ହେଲେ ବାପାଙ୍କର ଉତ୍ତର ସେହି ,”ନା”। ସେତେବେଳେ ବହୁତ ମନକଷ୍ଟ ହେଇଥିବ ହେଲେ ଅତୀତ ରୋମନ୍ଥନ କଲେ ଆଜି ବୁଝି ହୁଏ ତାଙ୍କର ସେଇ ଛୋଟିଆ ପଦକ୍ଷେପ ଜୀବନ ସଂଗ୍ରାମରେ ପ୍ରଲୋଭନକୁ ଏଡେଇ ଯିବା ପାଇଁ ଓ ସଚ୍ଚୋଟ ଜୀବନ ଜୀଇଁବା ପାଇଁ ପ୍ରେରଣା ଯୋଗେଇଛି।