Latest Odisha News

BREAKING NEWS

ପ୍ରେମିକାକୁ ମାରି ଧାନ ବିଲରେ ପୋତିଥିଲା ପ୍ରେମିକ

ନୂଆପଡ଼ା: ହସୁଥିଲା ଧାନ କ୍ଷେତ । କେହି ଜାଣି ନ ଥିଲେ ଏ ସବୁଜ ଧାନ କ୍ଷେତ ତଳେ ଲୁଚି ରହିଥିଲା ସାଂଘାତିକ ପାପ । ମାଟି ଖୋଳିବାରୁ ବାହାରିଲା ୧୦ ମାସ ତଳେ ନିଖୋଜ ହୋଇଥିବା ଝିଅ । ଝିଅ ତ ନ ଥିଲା, ଥିଲା ଝିଅର କଙ୍କାଳ । ତା’ପରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ । ସାମ୍ନାକୁ ଆସିଥିଲା ପ୍ରେମ ଆଉ ପ୍ରତାରଣାର ଆଉ ଏକ କଳଙ୍କିତ କାହାଣୀ । ଘଟଣା ଘଟିଛି ନୂଆପଡ଼ା ସଦର ଥାନା ଅଞ୍ଚଳରେ ।

ନୂଆପଡ଼ା ସଦର ଥାନା ଅଞ୍ଚଳର ଏକ ଧାନବିଲରୁ ମିଳିଛି ନାବାଳିକାଙ୍କ ନରକଙ୍କାଳ । ପ୍ରେମ, ତା ପରେ ବିବାହର ପ୍ରତିଶ୍ରୁତି ପରେ ଶାରୀରିକ ସମ୍ପର୍କ ଆଉ ନାବାଳିକା ଗର୍ଭବତୀ ହେବା ଜଣା ପଡ଼ିବା ପରେ ନୃଶଂସ ହତ୍ୟା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

ପୋଲିସ ସୂଚନା ଅନୁସାରେ, ଯୁକ୍ତ ଦୁଇ ପଢ଼ୁଥିବା ଉକ୍ତ ଛାତ୍ରୀଙ୍କର ସେହି ଗାଁର ପରମାନନ୍ଦ ସାହୁଙ୍କ ସହ ପ୍ରେମ ସମ୍ପର୍କ ଥିଲା । ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ନାବାଳିକା ଜଣଙ୍କ ୪ ମାସର ଗର୍ଭବତୀ ଥିବା ଜଣାପଡ଼ିବା ପରେ ଡରି ଯାଇଥିଲେ ପ୍ରେମିକ । ଘଟଣା ପ୍ରଘଟ ହେବା ଭୟରେ ପରମାନନ୍ଦ ଓ ୫ ଜଣ ସାଙ୍ଗ ମିଶି ଗତ ଜାନୁଆରୀ ୩ ତାରିଖରେ ନାବାଳିକାକୁ ହତ୍ୟା କରିଥିବା ନୂଆପଡ଼ା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଏପଟେ ପରିବାର ଲୋକେ ଝିଅକୁ ନ ପାଇ ବହୁତ ଖୋଜାଖୋଜି କରିଥିଲେ । ହେଲେ କୌଣସି ପତ୍ତା ମିଳିପାରି ନଥିଲା । ଶେଷରେ ଥାନାରେ ଏତଲା ଦେଇଥିଲେ ।

ଧରାପଡିବା ପରେ ଗୋଟି ଗୋଟି ସତ ବଖାଣିଛନ୍ତି । ସିନ୍ ରିକ୍ରିଏସନ୍ କରିଛି । ପ୍ରଥମେ ନାବାଳିକାଙ୍କୁ ଘରୁ ଡାକି ଆଣିଥିଲେ । ଗାଁଠୁ ୨ କିଲୋମିଟର ଦୂରକୁ ନେଇ ସେଠାରେ ମାରି ପୋତି ଦେଇଥିଲେ । ଘଟଣାର ୧୦ ମାସ ପରେ ଆଜି ଘଟଣାର ଗୁମର ଖୋଲିଛି । ଘଟଣାସ୍ଥଳକୁ ପୋଲିସ ଟିମ୍ ଯାଇ ସତ ପଦାକୁ ଆଣିଛି । ମାଟି ଖୋଳି ଶବକୁ ଉଦ୍ଧାର କରିଛି । ପରିବାର ଲୋକେ ଶବକୁ ଚିହ୍ନଟ କରିଛନ୍ତି । ଏହି ମାମଲାରେ ପରମାନନ୍ଦ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି ।

Leave A Reply

Your email address will not be published.