Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଔଷଧୀୟ ଗୁଣରେ ଭର୍ତ୍ତି କାଇ ଚଟଣୀ, GI ଟ୍ୟାଗ୍ ପାଇଁ ଆବେଦନ

ବାରିପଦା: ଆଦିବାସୀ ଖାଦ୍ୟ କାଇ ଚଟଣୀ ବା ଲାଲ୍ ପିମ୍ପୁଡି ଚଟଣୀକୁ ନେଇ ଏବେ ବେଶ୍ ଚର୍ଚ୍ଚା । କାଇ ଚଟଣୀକୁ ଜିଆଇ ଟ୍ୟାଗ୍ ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଲାଲ୍ ପିମ୍ପୁଡ଼ି ତଥା କାଇକୁ ସୁସ୍ୱାଦ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି । ଏପରିକି ଥଣ୍ଡା ଜର ଓ ନିମୋନିଆରୁ ରକ୍ଷା କରିଥାଏ କାଇ ଚଟଣୀ । କାଇ ପିମ୍ପୁଡ଼ି ଦେହରେ ଥିବା ଥଣ୍ଡା ଜନିତ ରୋଗର ପ୍ରତିଷେଧକ ଶକ୍ତିର ଉତ୍ସକୁ ଅନୁଶୀଳନ କଲେ କରୋନା ଭଳି ମହାମାରୀର ପ୍ରତିଷେଧକ ମିଳିପାରିବ ବୋଲି ଯୁବ ଇଞ୍ଜିନିୟର ନୟାଧର ପଢିଆଳ ଦାବି କରିଛନ୍ତି । ଏହାକୁ ନେଇ ସେ ତଥ୍ୟ ସମ୍ବଳିତ ପ୍ରମାଣ ପତ୍ର ସହ ଆଇସିଏମ୍‌ଆରକୁ ବାରମ୍ବାର ଅବଗତ କରାଇଛନ୍ତି ।

ICMR ବୈଜ୍ଞାନିକ ଡ଼ ମଧୁମତି ଆୟୁଷ ମନ୍ତ୍ରାଳୟ ଅଧିନରେ କାର୍ଯ୍ୟ କରୁଥିବା ଗବେଷଣା ସଂସ୍ଥା କାଉନସିଲ ଅଫ୍‌ ସାଇନ୍ସ ଏଣ୍ଡ ରିସର୍ଚ୍ଚକୁ ତଥ୍ୟ ପ୍ରଦାନ ପାଇଁ ପରାମର୍ଶ ଦେଇଛନ୍ତି । କେବଳ କରୋନା ମହାମାରୀ ନୁହେଁ ବହୁ ରୋଗର ନିରାକରଣ ପାଇଁ କାଇ ଔଷଧ ଭାବେ କାର୍ଯ୍ୟ କରିବ ବୋଲି ବିଶ୍ୱାସ ରଖିଛି ଆଦିବାସୀ ସମାଜ । କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ମାନଙ୍କ ଦ୍ୱାରା ଆନୁସଙ୍ଗିକ ନଥିପତ୍ର ପ୍ରସ୍ତୁତ କରାଯାଇ କାଇ ଚଟଣୀକୁ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରାଯାଇଛି ।

କାଇ ପିମ୍ପୁଡି ଜଙ୍ଗଲର ଶାଳ ଏବଂ କରଞ୍ଜ ଗଛ ମାନଙ୍କରେ ରହିଥାନ୍ତି । ଥଣ୍ଡା ଦିନରେ ଏହା ଅଧିକ ଦେଖା ଯାଉଥିବା ବେଳେ ଆଦିବାସୀ ସମ୍ପ୍ରଦାୟର ଲୋକେ ଏହାକୁ ଖାଦ୍ୟ ଓ ଔଷଧ ଭାବେ ବ୍ୟବହାର କରନ୍ତି । ଫ୍ଲୁ ଓ ଥଣ୍ଡା ରୋଗ ଭଲ ହେବା ସହ ଭୋକ ବୃଦ୍ଧି, ଦୃଷ୍ଟିଶକ୍ତି ବୃଦ୍ଧି, ଆଣ୍ଠୁଗଣ୍ଠି ବଥା ଆଦି ବିଭିନ୍ନ ରୋଗର ଉପଶମ ଏହି କାଇ ଚଟଣୀ । ଏଥିରେ ଭିଟାମିନ୍‌, ଆଇରନ, ମାଗ୍ନେସିୟମ, ପୋଟାସିୟମ, ସୋଡିୟମ ଆମିନୋ ଏସିଡ୍‌ ଭଳି ବହୁ ଔଷଧୀୟ ଗୁଣ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.