ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପକୁ ନେଇ ସରକାର ଏକ ବଡ଼ ଏବଂ ଦୂରଦୃଷ୍ଟିସମ୍ପନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ମେଟ୍ରୋ ଏବେ କେବଳ ଏକ ପରିବହନ ମାଧ୍ୟମ ହୋଇ ରହିବ ନାହିଁ, ବରଂ ଏହାକୁ ଏକ ‘ଫ୍ୟୁଚରିଷ୍ଟିକ୍’ ବା ଭବିଷ୍ୟତମୁଖୀ ରୂପ ଦିଆଯିବ । ସରକାର ଏବେ ଭୁବନେଶ୍ୱର, କଟକ ଏବଂ ପୁରୀକୁ ଯୋଡ଼ି ଏକ ‘ଇଣ୍ଟିଗ୍ରେଟେଡ୍ ଟ୍ରାଇ-ସିଟି ଅର୍ବାନ ଟ୍ରାନ୍ସପୋର୍ଟ ସଲ୍ୟୁସନ’ ଉପରେ କାର୍ଯ୍ୟ କରୁଛନ୍ତି।
ସରକାର କେବଳ ରାଜଧାନୀ ଭୁବନେଶ୍ୱର ପାଇଁ ନୁହେଁ, ବରଂ ପୁରୀ, କଟକ ଓ ଭୁବନେଶ୍ୱରକୁ ଏକାଠି କରି ଏକ ବଡ଼ ଅର୍ଥନୈତିକ କରିଡର ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଏହି ପ୍ରକଳ୍ପ ଦ୍ୱାରା ଭୁବନେଶ୍ୱର, ପୁରୀ, କଟକ ଏବଂ ପାରାଦ୍ୱୀପ ଅଞ୍ଚଳ ଏକ ପ୍ରମୁଖ ‘ଇକୋନୋମିକାଲ ରିଜନ’ରେ ପରିଣତ ହେବ, ଯାହା ରାଜ୍ୟର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ।
ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରଙ୍କ ସମୟରେ ବିନା ପ୍ଲାନିଂରେ କାମ ଆରମ୍ଭ ହୋଇଥିଲା। ବିକଳ୍ପ ରାସ୍ତା ନିର୍ମାଣ ନକରି ମେଟ୍ରୋ କାମ କଲେ ଲୋକେ ହନ୍ତସନ୍ତ ହେବେ। ତେଣୁ ସରକାର ପ୍ରଥମେ ଭିତ୍ତିଭୂମି ସଜାଡ଼ିବା ଏବଂ ପରେ ମେଟ୍ରୋ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ପ୍ରକଳ୍ପର ସଫଳତା ପାଇଁ କେନ୍ଦ୍ର ସରକାରଙ୍କ ବୈଷୟିକ ଜ୍ଞାନକୌଶଳ ଏବଂ ସହାୟତା ନିଆଯିବ। ମେଟ୍ରୋ କାମ ବନ୍ଦ ହୋଇନାହିଁ, ବରଂ ଏକ ନୂଆ ମାଷ୍ଟର ପ୍ଲାନ ଅନୁଯାୟୀ ଏହାକୁ ଆଗକୁ ନିଆଯାଉଛି।
ମେଟ୍ରୋ ପ୍ରକଳ୍ପକୁ ନେଇ ସରକାରଙ୍କ ଏହି ନୂଆ ଆଭିମୁଖ୍ୟ ଓଡ଼ିଶାର ସହରୀ ପରିବହନ ବ୍ୟବସ୍ଥାକୁ ଏକ ନୂତନ ସ୍ତରକୁ ନେଇଯିବ ବୋଲି ଆଶା କରାଯାଉଛି।