ନୂଆଦିଲ୍ଲୀ: ଆଉ ଦିନ କେଇଟା । ରାଜା ରାସ୍ତାରେ, ଭାରତର ପ୍ରତିଟି କୋଣରେ ଗର୍ବର ସହ ଉଡିବ ତ୍ରିରଙ୍ଗା । ଆଉ ଏହି ୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ପରେଡ ମାଧ୍ୟମରେ ପୁଣି ସାରା ଦେଶକୁ ନିଜର କୌଶଳ ଦେଖାଇବେ ଭାରତୀୟ ସେନା । ତେବେ ଏଥର ପରେଡରେ ଭାରତର ପ୍ରତିରକ୍ଷାର ଶକ୍ତି, ବିବିଧତା ଏବଂ ସ୍ଥିରତା ପ୍ରତିଫଳିତ ହେବ । ଯେଉଁଥିରେ ଭାରତୀୟ ସଂସ୍କୃତି, ସେନା, ସୁରକ୍ଷା ଏବଂ ସଶକ୍ତିକରଣର ପରିଚୟ ପ୍ରଦାନ କରିବ ସେନା ଗାଡି ‘ନନ୍ଦିଘୋଷ’ ।
ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡ୍ରେ ସେନାର ଛଅଟି ମାର୍ଚ୍ଚିଂ କଣ୍ଟନଜେଣ୍ଟ ସାମିଲ ହେବ । ଯେଉଁଥିରେ ବ୍ରିଗେଡ୍ ଅଫ୍ ଦି ଗାର୍ଡସ୍, ମାହାର ରେଜିମେଣ୍ଟ୍, ଜାଟ୍ ରେଜିମେଣ୍ଟ୍, ଗରୱାଲ୍ ରାଇଫଲ୍ସ୍, ଜମ୍ମୁ ଏବଂ କାଶ୍ମୀର ରାଇଫଲ୍ସ୍ ଏବଂ କୋର୍ପ୍ସ ଅଫ୍ ସିଗନାଲ୍ସ୍ ଅନ୍ତର୍ଭୁକ୍ତ ରହିଛି । ଏହାବ୍ୟତୀତ, ବିଭିନ୍ନ ପ୍ରକାରର ଉପକରଣ ମଧ୍ୟ ଏଥିରେ ପ୍ରଦର୍ଶିତ ହେବ, ଯାହା ସଶସ୍ତ୍ର ବାହିନୀର ପ୍ରଯୁକ୍ତିବିଦ୍ୟାର ଦକ୍ଷତାକୁ ପ୍ରଦର୍ଶିତ କରିବ । ଏଥିରେ ଟି-୯୨ ଭୀଷ୍ମ, ଆଇସିଭି ବିଏମପି-୨ (ସାରଥି) ଏବଂ ନମିସ୍ (ନାଗ୍ କ୍ଷେପଣାସ୍ତ୍ର ପ୍ରଣାଳୀ) ପ୍ରମୁଖ ସାମିଲ ରହିବ ।
ତେବେ ଏ ବର୍ଷର ସବୁଠୁ ମୁଖ୍ୟ ଆକର୍ଷଣ ହେବ ନନ୍ଦିଘୋଷ, ଏକ ଦ୍ରୁତ ପ୍ରତିକ୍ରିୟା ସମ୍ପନ୍ନ ଯୁଦ୍ଧ ଗାଡି । ଏହି ଗାଡିଟି ଅନ୍ତର୍ନିହିତ ସୁରକ୍ଷା ସୁବିଧା ସହିତ ଦ୍ରୁତ ନିୟୋଜନ କ୍ଷମତା ଉପରେ ବେଶ୍ ଗୁରୁତ୍ୱ ଦେଇଥାଏ । ଯାହା ଖଣି ସୁରକ୍ଷା ସହିତ ଏକ ସଶସ୍ତ୍ର କର୍ମଚାରୀ ବାହକ ଭାବରେ କାର୍ଯ୍ୟକରେ । ଯାହା ଏଥର କର୍ତ୍ତବ୍ୟ ପଥରେ ଗଡିବ ।
ଏହାକୁ ନେଇ ନନ୍ଦିଘୋଷର କଣ୍ଟନଜେଣ୍ଟ କମାଣ୍ଡର ମେଜର ରାଧିକା କହିଛନ୍ତି, ଏହି ଗାଡିର ନାଁ ନନ୍ଦିଘୋଷ ଏଥିପାଇଁ ରଖାଯାଇଛି, କାରଣ ନନ୍ଦିଘୋଷ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥକୁ କୁହାଯାଏ । ଯାହା ଏହି ବାର୍ତ୍ତା ଦିଏ କି, ନିଜ ରାସ୍ତାରେ ଆସୁଥିବା ସମସ୍ତ ଦ୍ବିବିଧା, ଅସୁବିଧାକୁ ସାମ୍ନା କରି ସେ ଗଡିଚାଲିଥିବ । ଏହା ସମ୍ପୂର୍ଣ୍ଣ ସ୍ବେଦେଶୀ ଭାବେ ପ୍ରସ୍ତୁତ । ଏଥିରେ ଡ୍ରାଇଭର ସମେତ ମୋଟ ୧୪ ଜଣ କ୍ରୁ ସଦସ୍ୟ ଯାଇପାରିବେ । ଏହା ଦୁଇ ଟନ୍ ପର୍ଯ୍ୟନ୍ତ ପେଲୋଡ୍ ମଧ୍ୟ ବହନ କରିପାରିବ । ଏହା ସମସ୍ତ ଭୂଖଣ୍ଡରେ ଗତିଶୀଳତା ସୁନିଶ୍ଚିତ କରିପାରିବ ଏବଂ ଏଥିରେ ଦଶଟି ଫାୟାରିଂ ପୋର୍ଟାଲ ଏବଂ ଏହି ଗାଡିର ଉପରି ଭାଗରେ, ଏକ ୩୬୦-ଡିଗ୍ରୀ ଘୂରୁଥିବା ଟରେଟ୍ ମଧ୍ୟ ରହିଛି ।
Comments are closed.