ଯେଉଁ ଦେଶର କୃଷକ ଯେତେ ସମୃଦ୍ଧ ସେ ଦେଶର ଅର୍ଥନୀତି ସେତେ ସୁରକ୍ଷିତ । କାରଣ ଦେଶର ଅର୍ଥନୀତି ଓ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍ଡିପି)ର ମୂଳଦୂଆ ହେଉଛି କୃଷି । ଓଡ଼ିଶା ଖଣିଜ ସମ୍ପଦ, ଜଙ୍ଗଲ ସଂରକ୍ଷଣ ଏବଂ କୃଷି ଉତ୍ପାଦନ ପାଇଁ ଜଣାଶୁଣା । ନବରଙ୍ଗପୁର ଏସିଆର ସବୁଠାରୁ ବଡ଼ ମକା ଉତ୍ପାଦନକାରୀ ହୋଇଥିବାବେଳେ ଢେଙ୍କାନାଳ ଏବଂ ଅନୁଗୁଳରେ ବଡ଼ ଆମ୍ବ ଅମଳ ହେଇଥାଏ । କନ୍ଧମାଳ ଉଚ୍ଚମାନର ହଳଦୀ ଉତ୍ପାଦନ କରେ । ସ୍ଥାନୀୟ ଅଞ୍ଚଳରେ ପ୍ରକ୍ରିୟାକରଣ ୟୁନିଟ୍ ନ ଥିବାରୁ ଅର୍ଥ ଉତ୍ପାଦିତ ପଦାର୍ଥର କୌଣସି ମୂଲ୍ୟ ମିଳୁ ନାହିଁ । ଫଳରେ ଚାଷୀମାନେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ଶାଗମାଛ ମୂଲରେ ମଧ୍ୟସ୍ଥିମାନଙ୍କୁ ବିକ୍ରୟ କରିବା ପାଇଁ ବାଧ୍ୟ ହେଉଛନ୍ତି ।
ବିଡ଼ମ୍ବନାର ବିଷୟ ଯେ ଜନସଂଖ୍ୟାର ୬୦ ପ୍ରତିଶତ ଲୋକ ଜୀବିକା ନିର୍ବାହ ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି । ୨୦୧୯-୨୦ରେ ମୋଟ ଜିଏସଡ଼ିପିରେ କୃଷି କ୍ଷେତ୍ରର ଅଂଶ ମାତ୍ର ୧୯.୯ ପ୍ରତିଶତ ରହିଥିଲା । ୪୦.୫୧ ପ୍ରତିଶତ ସହିତ ସେବା କ୍ଷେତ୍ରର ସବୁଠାରୁ ବଡ଼ ଯୋଗଦାନ ରହିଛି ।
ରାଜ୍ୟ ସରକାରଙ୍କଦ୍ୱାରା ନିୟୋଜିତ ଆନ୍ତର୍ଜାତିକ ସ୍ତରରେ ଜଣାଶୁଣା ପରାମର୍ଶଦାତା ସଂସ୍ଥା ଏର୍ନଷ୍ଟ ଆଣ୍ଡ ୟଙ୍ଗ ଏକ ବିସ୍ତୃତ ଅଧ୍ୟୟନ ମାଧ୍ୟମରେ ଓଡ଼ିଶାରେ କୌଶଳ ବ୍ୟବଧାନର ଚିତ୍ର ଆଙ୍କିଛି । ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୬ ସୁଦ୍ଧା କୁଶଳୀ ଚାକିରି ପାଇଁ ମୋଟ ବର୍ଦ୍ଧିତ ଚାହିଦା-ଯୋଗାଣ ବ୍ୟବଧାନକୁ ୪, ୦୧୪, ୫୮୫ରେ ରଖିଛି । ବ୍ୟାଙ୍କିଙ୍ଗ୍, ଆର୍ଥିକ ସେବା ୯୦୨ ଏବଂ ବୀମାରେ ୬୯୨ର ସର୍ବ ବୃହତ ବ୍ୟବଧାନ ସହିତ ପର୍ଯ୍ୟଟନରେ ୬୫୬, ଭ୍ରମଣ, ଆତିଥ୍ୟ ଏବଂ ବାଣିଜ୍ୟରେ ୧୦୮, ଶିକ୍ଷାରେ ୬୯୨ ଏବଂ ଦକ୍ଷତା ବିକାଶରେ ୮୪୯ ସ୍ୱାସ୍ଥ୍ୟସେବା ୬୫୧, ଆଇଟିରେ ୬୧୪ ଏବଂ ଆଇଟିଇସ ସେବାରେ ୩୬୩ ବ୍ୟବଧାନ ରହିଛି । ଏହି ପରିସଂଖ୍ୟାନଗୁଡ଼ିକ ବିଭିନ୍ନ କ୍ଷେତ୍ରକୁ ନେଇ ପ୍ରାଥମିକ, ଦ୍ୱିତୀୟ ଏବଂ ତୃତୀୟ ସ୍ତରରେ – ଦକ୍ଷତା ବିକାଶ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ପ୍ରାଥମିକ କ୍ଷେତ୍ରଗୁଡ଼ିକରେ ଉପରେ ଧ୍ୟାନ ଦେବା ଆବଶ୍ୟକ ହେଉଛି । ପ୍ରାଥମିକ କ୍ଷେତ୍ରଗୁଡ଼ିକ ହେଉଛି ଖାଦ୍ୟ ପ୍ରକ୍ରିୟାକରଣ, ଉଦ୍ୟାନ କୃଷି (ବିଶେଷକରି କାଜୁ ବାଦାମ, ଆମ୍ବ ଏବଂ ଧନିଆ ପତ୍ର), ଫୁଲ, ପଶୁପାଳନ ଏବଂ ମତ୍ସ୍ୟଚାଷ । ଦ୍ୱିତୀୟ କ୍ଷେତ୍ରରେ ଅଟୋମୋବାଇଲ୍ ଏବଂ ଅଟୋମୋବାଇଲ୍ ଉପାଦାନ ଏବଂ ରାସାୟନିକ ପଦାର୍ଥ ଏବଂ ଫାର୍ମାସ୍ୟୁଟିକାଲ୍ସ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ତୃତୀୟ କ୍ଷେତ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା, ଆଇଟି ଏବଂ ଆଇଟିଏସ୍ ସେବା, ଗଣମାଧ୍ୟମ, ପର୍ଯ୍ୟଟନ ଏବଂ ମନୋରଞ୍ଜନ ଉପରେ ଧ୍ୟାନ ଦେବା ଆବଶ୍ୟକ ।
୨୦୨୧ ସୁଦ୍ଧା କାର୍ଯ୍ୟକ୍ଷମ ବୟସ (୧୫-୫୯) ଜନସଂଖ୍ୟା ୩୦.୪ ନିୟୁତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଫଳରେ ଆଗାମୀ ଦିନରେ ନିଯୁକ୍ତି ଯୋଗାଇବା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିବ । ଏପରି ଏକ ବଡ଼ ଆହ୍ୱାନକୁ ପୂରଣ କରିବା ପାଇଁ ବହୁମୁଖୀ ରଣକୌଶଳ ଆବଶ୍ୟକ ହେବ ଯାହାକି ଦକ୍ଷତା ବିକାଶ କରି ସ୍ୱୟଂ ନିଯୁକ୍ତି ଉପରେ ଧ୍ୟାନ ଦେଇଥାଏ । ଗତ କିଛିବର୍ଷ ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଦ୍ୱାରା ଅନେକ କାର୍ଯ୍ୟ କରାଯାଇଥିଲେ ମଧ୍ୟ ଆତ୍ମନିର୍ଭରଶୀଳତା କ୍ଷେତ୍ରକୁ ପ୍ରକୃତରେ ସେପରି ଧ୍ୟାନ ଦିଆଯାଇ ନାହିଁ । ଗ୍ରମାଞ୍ଚଳର ଯୁବକମାନେ ଚାକିରୀ ପାଇଁ ହତାଶ ହୋଇ ପଡ଼ିଛନ୍ତି । ଏହି ଯୁବକମାନେ ନିଯୁକ୍ତି ପାଇବାକୁ ଅସମର୍ଥ କାରଣ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା କିମ୍ବା ଦକ୍ଷତା ନାହିଁ । ରାଜ୍ୟର ଯୁବକମାନଙ୍କୁ ଆତ୍ମନିଯୁକ୍ତି ଏବଂ ଦକ୍ଷତା ବିକାଶର ସୁଯୋଗ ସହିତ ଅଦ୍ୟାବଧି ପରିଚିତ କରାଯାଇ ନାହିଁ ।
ଏହି ସମସ୍ୟାର ସମାଧାନ କରିବାକୁ ହେଲେ ଏକ ତ୍ରିସ୍ତରୀୟ ପଦ୍ଧତି ରହିବା ଆବଶ୍ୟକ । ଏଥିପାଇଁ ବେକାର ଯୁବକମାନଙ୍କୁ ଇଂରାଜୀ ପଢ଼ିବା ଏବଂ ଲେଖିବା, ଆର୍ଥିକ ହିସାବ ଏବଂ ଖାତା ପରିଚାଳନା, ଡିଜିଟାଲ ଯୋଗାଯୋଗ ଏବଂ ଆଚରଣ ବିଜ୍ଞାନ ଉପରେ ଧ୍ୟାନ ଦେବା ଆବଶ୍ୟକ । ଗ୍ରାମୀଣ ଉଦ୍ୟୋଗ ଉପରେ ନିର୍ଦ୍ଦିଷ୍ଟ ଧ୍ୟାନ ଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଉଦ୍ୟୋଗର ବିଭିନ୍ନ ଦିଗ ଉପରେ ବିସ୍ତୃତ ସୂଚନା ଦିଆଯିବା ଦରକାର । ସରକାରଙ୍କ ବିଭିନ୍ନ ଯୋଜନା, ବେସରକାରୀ ଯୋଜନା, ସରକାରୀ-ବେସରକାରୀ ସହଭାଗୀତା, ମାଇକ୍ରୋ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ କିପରି ପ୍ରତିଷ୍ଠା କରାଯିବ ଏବଂ ପ୍ରମୁଖ ହିତାଧିକାରୀମାନଙ୍କ ସହିତ ଆଲୋଚନା କରି ସେ ବିଷୟରେ ସେମାନଙ୍କୁ ଅବଗତ କରାଯିବା ଦରକାର । ମୂଳପୁଞ୍ଜି ପାଇଁ କର୍ପୋରେଟ୍ କିମ୍ବା ନିବେଶକଙ୍କୁ ଜଡ଼ିତ କରାଗଲେ ଉଦୀୟମାନ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରାଯାଇ ପାରିବ । ଉଦ୍ୟୋଗୀକୁ ଉତ୍ସାହିତ କରାଗଲେ କେବଳ ରୋଜଗାର ଆଣିବ ନାହିଁ ବରଂ ତୃଣମୂଳ ସ୍ତରରେ କୃଷି ଏବଂ କଳା ଏବଂ ହସ୍ତଶିଳ୍ପ ପରି ବିଭିନ୍ନ କ୍ଷେତ୍ରର ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବ ।
ଆଜି ଓଡ଼ିଶାରେ ଯୁବକମାନେ ଆଉ ଗାଁରେ ଦେଖାଯାଉ ନାହାଁନ୍ତି । କାରଣ ସେମାନେ ସମସ୍ତେ ବାହାରେ କାମ ଖୋଜିବାକୁ ଗାଁ ଛାଡ଼ୁଛନ୍ତି । କରୋନା ମହାମାରୀ ସେମାନଙ୍କ ଉପରେ ଖରାପ ପ୍ରଭାବ ପକାଇଛି । ଆତ୍ମନିର୍ଭରଶୀଳ ଯୋଜନା ହେଉଛି ଏକମାତ୍ର ଉପାୟ ଯାହାକି ରାଜ୍ୟର ବେକାର ସମସ୍ୟାକୁ ଦୂର କରିବା ସହିତ ଅର୍ଥନୀତିକୁ ସୁଦୃଢ଼ କରିପାରିବ ।
୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ଅର୍ଥନୈତିକ ସର୍ଭେ ଆକଳନ ଅନୁଯାୟୀ ଚଳିତ ବର୍ଷ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୬.୧୬ ପ୍ରତିଶତ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି, ଯାହା ପୂର୍ବ ବର୍ଷ ୭.୯୦ ପ୍ରତିଶତ ଥିଲା । ଖଣି ଏବଂ ଉତ୍ପାଦନ କ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ହ୍ରାସ ହେତୁ ଏହା ହ୍ରାସ ପାଇବ ବୋଲି ଆକଳନ କରାଯାଇଛି ।
ଓଡ଼ିଶାର ଅର୍ଥନୀତି ଏକ ବିଚିତ୍ର ସ୍ଥିତି ସହିତ ଚିହ୍ନିତ ହୋଇଛି । ଜନସଂଖ୍ୟାର ୬୦ ପ୍ରତିଶତରୁ ଅଧିକ ଲୋକ ଜୀବିକା ନିର୍ବାହ ପାଇଁ କୃଷି ଉପରେ ନିର୍ଭର କରୁଥିବାବେଳେ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ରେ କୃଷି ଏବଂ ସହଯୋଗୀ କ୍ଷେତ୍ରର ଅଂଶ କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି, ଯାହା ୧୯.୯୦ ପ୍ରତିଶତରେ ପହଞ୍ଚିଛି । ୨୦୧୯-୨୦ ଅର୍ଥନୀତିରେ ସେବା କ୍ଷେତ୍ରର ସବୁଠାରୁ ବଡ଼ ଯୋଗଦାନ ରହିଛି । ଯାହାକି ଜିଏସଡିପିରେ ୪୦.୫୧ ପ୍ରତିଶତ ଅଂଶଧନ ସହିତ ପ୍ରଥମ ସ୍ଥାନେର ଥିବାବେଳେ ଶିଳ୍ପ କ୍ଷେତ୍ର ୩୯.୬୦ ପ୍ରତିଶତ ଅଂଶଧନ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ୨୦୧୮-୧୯ରେ ମୁଣ୍ଡପିଛା ଆୟ ୯୫,୧୬୫ରୁ ବୃଦ୍ଧି ପାଇ ୧,୦୧, ୫୮୭ ଟଙ୍କା ହେବ ବୋଲି ଆଶା କରାଯାଉଛି । ୨୦୨୧ସୁଦ୍ଧା କାର୍ଯ୍ୟ ବୟସ ଜନସଂଖ୍ୟା ୩୦.୪ ନିୟୁତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯିବା ସହିତ ସେମାନଙ୍କୁ ନିଯୁକ୍ତି ଯୋଗାଇବା ଆଗାମୀ ଦିନରେ ଏକ ବଡ଼ ଆହ୍ୱାନ ହେବ ।
ଆହ୍ୱାନ ଯେତେ ବଡ଼, ସୁଯୋଗ ମଧ୍ୟ ସେତିକି ବଡ଼ । ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାକୁ ୯ଟି ଏଗ୍ରୋ-କ୍ଲାଇମେଟିକ୍ ଜୋନ୍ରେ ବିଭକ୍ତ କରାଯାଇଛି । ଓଡ଼ିଶା ଏବେ ଏକ ନୂତନ ଜଗତ ଅନୁସନ୍ଧାନ କରିବାକୁ ଅପେକ୍ଷା କରିଛି । ଏଥିପାଇଁ ଆଗାମୀ ବର୍ଷଗୁଡ଼ିକରେ କୃଷି ଏବଂ ସହଯୋଗୀ କାର୍ଯ୍ୟକ୍ରମ ଯେପରି ମତ୍ସ୍ୟଚାଷ, ଫୁଲଚାଷ ତଥା କୃଷିଉଦ୍ୟାନରେ ଉଦ୍ୟୋଗୀମାନଙ୍କ ପାଇଁ ଅନେକ ସୁଯୋଗ ରହିଛି । କୃଷି କ୍ଷେତ୍ରରେ ରୋଜଗାର ଅଳ୍ପ ହେଉଥିବାରୁ ଯୁବପିଢ଼ିଙ୍କର ଚାଷ ପ୍ରତି ଆଗ୍ରହ ନାହିଁ । କିନ୍ତୁ କୃଷି କ୍ଷେତ୍ରରେ ଫସଲର ବିବିଧତା ଏବଂ ସହଯୋଗୀ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଗଲେ ନୂତନ ପିଢ଼ିଙ୍କୁ ବିଭିନ୍ନ ଲାଭ ପ୍ରଦାନକାରୀ ଚାଷ ମଧ୍ୟ ନିଶ୍ଚିତ ଆକର୍ଷିତ କରିବ । ଆଗାମୀ ଦିନରେ ଏହି ବେକାର ଯୁବକମାନଙ୍କୁ ଲାଭଜନକ କାର୍ଯ୍ୟକଳାପରେ ନିୟୋଜିତ କରିବା ଏକ ବଡ଼ ଆହ୍ୱାନ ହେବାକୁ ଯାଉଛି । ଆଗକୁ ଏହି ବିଶାଳ ଆହ୍ୱାନକୁ ପୂରଣ କରିବାପାଇଁ ଏକ ବହୁମୁଖୀ ରଣନୀତି ଆବଶ୍ୟକ ହେବ, ଯେଉଁଥିପାଇଁ ଆମକୁ ସ୍ୱ-ରୋଜଗାର ଓ ଦକ୍ଷତା ବିକାଶ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ।
ଗତକିଛି ବର୍ଷ ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ କାର୍ଯ୍ୟ କରିସାରିଛନ୍ତି । କିନ୍ତୁ ସ୍ୱ-ରୋଜଗାର ସୃଷ୍ଟି କରିବା ଦିଗରେ ସେଭଳି ଆଖିଦୃଷ୍ଟିଆ କାର୍ଯ୍ୟ ହୋଇପାରି ନାହିଁ । ଏହାର ମୂଳ ଲକ୍ଷ୍ୟ ହେଉଛି ଗାଁର ଯୁବକମାନଙ୍କୁ ପ୍ରଶିକ୍ଷିତ କରି କୃଷି ଏବଂ ସହଯୋଗୀ କ୍ଷେତ୍ରରେ ଉଦ୍ୟୋଗମାନ ତିଆରି କରିବା । ଯେଉଁମାନେ ସ୍ଥାନୀୟ ସ୍ତରରେ ଆହୁରି ଅନେକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ । ଊଦ୍ୟୋଗୀକରଣ ତିନି ପର୍ଯ୍ୟାୟରେ କରାଯିବ । ପ୍ରଥମେ ଯୁବକଙ୍କର ଇଚ୍ଛା ଓ କୌଶଳ ଦକ୍ଷତାକୁ କେନ୍ଦ୍ର କରି ସେମାନଙ୍କୁ ଚୟନ କରାଯିବ । ଦ୍ୱିତୀୟରେ ମନୋନୀତ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯିବ ଏବଂ ଶେଷରେ ସେମାନଙ୍କ ପାଇଁ ଉଦ୍ୟୋଗ ସ୍ଥାପନ କରିବା ପାଇଁ ସୁଯୋଗ ଦିଆଯିବ ।
ରାଜ୍ୟର ଏଗ୍ରୋ-କ୍ଲାଇମେଟିକ୍ ଜୋନ୍ରେ ଉଚ୍ଚ ମୂଲ୍ୟର ଫସଲ ଉତ୍ପାଦନ କରି ଓଡ଼ିଶା ଅଗ୍ରଣୀ ହେବାର ଦକ୍ଷତା ରଖିଛି । କିନ୍ତୁ ସ୍ଥାନୀୟ ଉତ୍ସଗୁଡ଼ିକ ବ୍ୟବହାର କରି ଉତ୍ପାଦନକୁ ସର୍ବୋକୃଷ୍ଟ କରିବା ପାଇଁ ଅପାର ସମ୍ଭାବନାଗୁଡ଼ିକ ଅନୁସନ୍ଧାନ କରାଯାଇ ନାହିଁ । ଉଦାହରଣସ୍ୱରୂପ, ନବରଙ୍ଗପୁର ଜିଲ୍ଲା ହେଉଛି ଏସିଆ ମହାଦେଶର ସବୁଠାରୁ ବଡ଼ ମକା ଉତ୍ପାଦନକାରୀ ଜିଲ୍ଲା । କିନ୍ତୁ ଏଠାରେ କୌଣସି ପ୍ରକ୍ରିୟାକରଣ ୟୁନିଟ୍ ନାହିଁ । ସେହିପରି ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲା ବହୁ ପରିମାଣରେ ଆମ୍ୱ ଉତ୍ପାଦନ କରିଥାନ୍ତି । କିନ୍ତୁ ସ୍ଥାନୀୟ ସ୍ତରରେ ପ୍ରକ୍ରିୟାକରଣ ୟୁନିଟ୍ର ଅଭାବ ଯୋଗୁଁ ଆମ୍ୱର ପ୍ରକୃତ ମୂଲ୍ୟ ମିଳିବା ସମ୍ଭବ ହୋଇପାରୁ ନାହିଁ ଏବଂ ତାହା ଫୋପାଡ଼ିବା ଦରରେ ବିକ୍ରି ହେଉଛି । ଗଞ୍ଜାମରେ କିଆ ଫୁଲର ବ୍ୟବସାୟିକ ସମ୍ଭାବନା ଓ କନ୍ଧମାଳରେ ମିଳୁଥିବା ଉଚ୍ଚମାନର ହଳଦୀ, ସେହି ସମାନ କାରଣ ଯୋଗୁଁ ତାର ମୂଲ୍ୟ ପାଇପାରି ନାହିଁ । ରାଜ୍ୟରେ ଅନେକ ଉପକୂଳ ଅଞ୍ଚଳ ରହିଛି । ଏହି ଉପକୂଳ ଅଞ୍ଚଳମାନଙ୍କରେ ସାମୁଦ୍ରିକ ଦ୍ରବ୍ୟର ଗନ୍ତାଘର ରହିଛି । ଯଦି ଏହାକୁ ଉପଯୋଗ କରାଯାଏ, ତେବେ ଓଡ଼ିଶା ଗୋଟିଏ ଅଗ୍ରଣୀ ଉତ୍ପାଦକ ରାଜ୍ୟ ପାଲଟିବ । ଉଦାହରଣଭାବେ ମତ୍ସ୍ୟ ଉତ୍ପାଦଗୁଡ଼ିକୁ ମୂଲ୍ୟଯୁକ୍ତ କରିବା, ପ୍ରକ୍ରିୟାକରଣ ଉଦ୍ୟୋଗ ଏବଂ ମାର୍କେଟ ସୀମିତ ରହିଥିବାର ପରିଲକ୍ଷିତ ହେଉଛି ।