ବ୍ରହ୍ମପୁର: ରାଜ୍ୟର ଏକ ପ୍ରମୁଖ ରେଳ ଷ୍ଟେସନ ହେଉଛି ବ୍ରହ୍ମପୁର। ଦକ୍ଷିଣ ଓଡ଼ିଶାର ପ୍ରବେଶ ପଥ। ତେବେ ଏହି ରେଳ ଷ୍ଟେସନ ଦେଇ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପକ ଭାବେ ମାନବ ଚାଲାଣ। ଏହାକୁ ନେଇ ତୀବ୍ର ଉଦ୍ବେଗ ପ୍ରକାଶ କରିଛନ୍ତି ଜାତୀୟ ମାନବ ଅଧିକାର ଆୟୋଗ(ଏନଏଚଆରସି)। ଏନେଇ ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି। କେନ୍ଦ୍ର ସରକାର, ରେଳୱେ ବୋର୍ଡ ସହିତ ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ ସରକାରଙ୍କୁ ୬ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦେଶ ଦିଆଯାଇଛି। ଶୁକ୍ରବାର ଏହି ନୋଟିସ୍ ଜାରି ହୋଇଛି।
ଏନଏଚଆରସି ତରଫରୁ ଶୁକ୍ରବାର ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ବିହାର ଏବଂ ଆନ୍ଧ୍ରପ୍ରଦେଶରୁ ବ୍ରହ୍ମପୁର ଦେଇ ବ୍ୟାପକ ମାନବ ଚାଲାଣ ହେଉଛି। ଏସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପାଇଛି। ୨୦୨୨ ମସିହାରେ ୩୪୩ଜଣ ଶିଶୁଙ୍କୁ ବ୍ରହ୍ମପୁର ଷ୍ଟେସନରୁ ଚାଲାଣ ବେଳେ ଉଦ୍ଧାର କରାଯାଇଥିବା ଗଣମାଧ୍ୟମରୁ ଜଣାପଡ଼ିଛି। ଶିଶୁମାନେ ଉଦ୍ଧାର ହେଉଥିଲେ ମଧ୍ୟ ଶିଶୁ କିମ୍ବା ସେମାନଙ୍କ ପରିବାରକୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ମିଳୁନାହିଁ। ସରକାରୀ ରେଳବାଇ ପୁଲିସ (ଜିଆର୍ପି) ଏବଂ ରେଳ ସୁରକ୍ଷା ବଳ (ଆରପିଏଫ) ଶିଶୁଙ୍କୁ ଉଦ୍ଧାର କରୁଥିଲେ ମଧ୍ୟ ଚାଲାଣରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ନାହିଁ। ଯାହା ଫଳରେ ପୀଡ଼ିତ ଶିଶୁଙ୍କ ମାନବ ଅଧିକାର ଉଲଂଘନ ହେଉଛି। ଏଣୁ ୬ ସପ୍ତାହ ଭିତରେ ରିପୋର୍ଟ ପ୍ରଦାନ କରିବାକୁ ଉପରୋକ୍ତ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଏବଂ ବିହାର ସରକାରଙ୍କ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦେଶକ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ, ଏବଂ ରେଳବାଇର ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ଏନଏଚଆରସି।
ଏଥି ସହିତ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ, ଶିଶୁ ଶ୍ରମିକ(ନିରୋଧ) ଅଧିନିୟମ-୧୯୮୬ ପ୍ରାୟ ତିନି ଦଶନ୍ଧୀ ପୂର୍ବରୁ କାର୍ଯ୍ୟକାରୀ ହୋଇଛି। ୧୯୮୮ ମସିହାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଯୌନ ଶୋଷଣ ପାଇଁ ମହିଳା ଏବଂ ଶିଶୁ ଚାଲାଣ ଜନିତ ଘଟଣାକୁ ରୋକିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ୨୦୧୭ ମସିହାରେ ମାନବ ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଏନଏଚଆର୍ସି ତରଫରୁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜର(ଏସ୍ଓପି) ସରକାରୀ ବିଭାଗଗୁଡ଼ିକୁ ଦିଆଯାଇଥିଲା। କିନ୍ତୁ ଏସବୁ କାର୍ଯ୍ୟକାରୀ ସଠିକ ଭାବେ ହେଉନାହିଁ। ଯୌନ ଶୋଷଣ, ଭିକ୍ଷାବୃତ୍ତି, ଅପରାଧିକ କାର୍ଯ୍ୟକାଳପରେ ସଂପୃକ୍ତି ପାଇଁ ମାନବ ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। କାରଣ ଏସବୁ ଅପରାଧ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏଣୁ ନୋଟିସ୍ର ଜବାବ ଦାଖଲ ସମୟରେ ନିଜ ନିଜ ରାଜ୍ୟରେ ମାନବ ଚାଲାଣ ରୋକିବା ଦିଗରେ ସରକାର କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି, ସେନେଇ ଉଲ୍ଲେଖ କରିବାକୁ କୁହାଯାଇଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସଂପର୍କରେ ମଧ୍ୟ ଅବଗତ କରିବାକୁ ନୋଟିସ୍ରେ ନିର୍ଦେଶ ଦିଆଯାଇଛି। ଏତଦ୍ ବ୍ୟତିତ ଏନଏଚଆରସିର ଏସ୍ଓପିର କାର୍ଯ୍ୟକାରିତା ସ୍ଥିତି, ଗତ ୩ ବର୍ଷ ଭିତରେ ଶିଶୁ ଚାଲାଣ ଜନିତ କେତେଟି ମାମଲା ରୁଜୁ ହୋଇଛି, ମାମଲାଗୁଡ଼ିକର ସ୍ଥିତି, ତଦନ୍ତ ସ୍ଥିତି ଏବଂ ଅଭିଯୁକ୍ତଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଉଲ୍ଲେଖ କରିବାକୁ ପୁଲିସ ମହାନିର୍ଦେଶକକୁ ନିର୍ଦେଶ ଦିଆଯାଇଛି। ଅନ୍ୟପଟେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ବିଭିନ୍ନ ଆଇନର କାର୍ଯ୍ୟକାରିତା ସଂପର୍କରେ ଜବାବ ଦାଖଲରେ ଉଲ୍ଲେଖ କରିବେ। ଶିଶୁଙ୍କ ଚାଲାଣ ରୋକିବା ପାଇଁ କେନ୍ଦ୍ରୀୟ ଉପଦେଷ୍ଟା କମିଟି ସୁପାରିଶକୁ କାର୍ଯ୍ୟକାରୀ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଲିଖିତ ଉତ୍ତର ରଖିବାକୁ ନିର୍ଦେଶ ଦିଆଯାଇଛି। ସେହିଭଳି ଶିଶୁ ଚାଲାଣ ରୋକିବା ଦିଗରେ ରାଜ୍ୟଗୁଡ଼ିକ ସହ କିଭଳି ସମନ୍ବୟ ରକ୍ଷା କରାଯାଉଛି ଏବଂ କଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ସେନେଇ ଉତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି ଜାତୀୟ ମାନବ ଅଧିକାର ଆୟୋଗ।
BREAKING NEWS
- ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ୧୫ରେ ଛାତ୍ର ସଂସଦ ନିର୍ବାଚନ
- ପିଏନବି ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ, ଜଳିଗଲା ବ୍ୟାପକ କାଗଜପତ୍ର…
- କୋରାପୁଟ ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ କରିବେ ପରିଦର୍ଶନ
- ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତ ଗିରଫ ହେବା ନେଇ ପ୍ରତିଶ୍ରୁତି ଦେଲେ ଯାଜପୁର ଏସପି
- ମଣିଷ-କୁମ୍ଭୀର ଲଢ଼େଇ; ମରଣ ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ଦୁଇ ଭାଇ
- ଭିଜିଲାନ୍ସ ପଞ୍ଝାରେ ମୟୁରଭଞ୍ଜ ପୂର୍ତ୍ତ ବିଭାଗ AEE
- ଫ୍ଲାଇଦୁବାଇ ହାଇଜାକର ଅଲ୍ ହମାମୀର ବିସ୍ଫୋରକ ସ୍ଵୀକାରୋକ୍ତି; ମୁଁ ମରିବାକୁ ଡରେ ନାହିଁ…
- ଗହୀରମଥାରେ ବେଆଇନ ମାଛଧରା; ୭ ମତ୍ସ୍ୟଜୀବୀ ଗିରଫ
- ‘ଇସ୍ତଫା ଦେବାର କୌଣସି ଅର୍ଥ ନାହିଁ’ : ଟି-୨୦ ଅଧିନାୟକ ପଦରୁ ଓହରିବେ ନାହିଁ ଲିଟନ ଦାସ
- ଭାରତୀୟ କମ୍ପାନୀ ଉପରେ ଋଷର ଡ୍ରୋନ ଆକ୍ରମଣ, ଜଣେ ମୃତ

Comments are closed.