Latest Odisha News

ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ‘କୋର୍ଟ ମନିଟର୍ଡ’ ନୁହେଁ : ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟିବା କ୍ଷଣି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ପର ମୁହୁର୍ତରେ ମାନ୍ୟବର ହାଇକୋର୍ଟ ରେଜିଷ୍ଟ୍ରାରକୁ ଚିଠି ଲେଖି ତଦନ୍ତକୁ ତଦାରଖ କରିବା ପାଇଁ କହି କ୍ରାଇମବ୍ରାଂଚ ଉପରେ ତାଙ୍କ ନିଜର ବିଶ୍ୱାସ ନଥିବାର ପ୍ରମାଣିତ କଲେ ମୁଖ୍ୟମନ୍ତ୍ରୀ । ଅବସରପ୍ରାପ୍ତ ଜଜ୍ ଜେ.ପି.ଦାସଙ୍କ ତତ୍ୱାବଧାନରେ ତଦନ୍ତ କରିବାକୁ ମାନ୍ୟବର ହାଇକୋର୍ଟ କୈାଣସି ଜୁଡିସିଆଲ ନିର୍ଦ୍ଦେଶ ଦେଇନାହାନ୍ତି ବୋଲି ପ୍ରେସମିଟରେ କହିଛନ୍ତି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ।

ସେ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ‘କୋର୍ଟ ମନିଟର୍ଡ’ ନୁହେଁ ଏବଂ ତଦାରଖ କରୁଥିବା ଅବସରପ୍ରାପ୍ତ ଜଜ୍ ଜେ.ପି.ଦାସଙ୍କ ନିଯୁକ୍ତି ସଂପୂର୍ଣ୍ଣ ବେଆଇନ୍ମା । ନ୍ୟବର ହାଇକୋର୍ଟ ଓଡ଼ିଶା ସରକାରଙ୍କ ଆଇନ ଉପଦେଷ୍ଟା ନୁହନ୍ତି । ମାନ୍ୟବର ହାଇକୋର୍ଟଙ୍କୁ କଣ ଲେଖାଗଲା, କିଏ ଲେଖିଲେ ଏବଂ କେଉଁ ଦରଖାସ୍ତ ଉପରେ ମାନ୍ୟବର ହାଇକୋର୍ଟ ଏକ ନ୍ୟାୟିକ ତଦନ୍ତର ନିର୍ଦ୍ଦେଶ ପ୍ରଦାନ କରିଲେ ? କେଉଁ ଆବେଦନ କିମ୍ବା ଆଦେଶ ବଳରେ ଜଣେ ଅବସରପ୍ରାପ୍ତ ଜଜ୍‌ଙ୍କ ଦ୍ୱାରା ତଦନ୍ତର ତଦାରଖ କରାଯାଉଛି, ତାର ସ୍ପଷ୍ଟୀକରଣ ରାଜ୍ୟ ସରକାର ରଖିବାକୁ ଦାବି କରିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବିପିତାମ୍ବର ଆଚାର୍ଯ୍ୟ ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ନବ ଦାସଙ୍କ ପ୍ରକୃତ ଷଡ଼ଯନ୍ତ୍ରକାରୀ ଓ ହତ୍ୟାକାରୀକୁ ଖସାଇ ଦେବାର ବିରାଟ ଷଡ଼ଯନ୍ତ୍ର ରଚାଯାଉଛି । ହାଇକୋର୍ଟ ଭଳି ଏକ ସାମ୍ବିଧାନିକ ବ୍ୟବସ୍ଥାକୁ ବିବାଦ ଭିତରକୁ ଟାଣି ରାଜ୍ୟ ସରକାର ନିଜେ କରିଥିବା ପାପକୁ ଧୋଇବା ପାଇଁ ଚେଷ୍ଟା କରୁଛନ୍ତି । ମାନ୍ୟବର ହାଇକୋର୍ଟଙ୍କୁ ଏଭଳି ଏକ ସମ୍ବେଦନଶୀଳ ଅପରାଧ ପ୍ରସଙ୍ଗରେ ପକ୍ଷଭୁକ୍ତ କରାନଯାଉ । ତଦନ୍ତକାରୀ ସଂସ୍ଥା ଓ ତଦନ୍ତକାରୀ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରଷା ନାହିଁ ଏବଂ ଏହାକୁ ପୁଣି ମିଛ ଭାବରେ ଏବେ ‘କୋର୍ଟ ମନିଟର୍ଡ’ ତଦନ୍ତ କହୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଅନ୍ୟପଟେ ନବ ଦାସଙ୍କୁ ହତ୍ୟା ହେବାର ୧୦ ଦିନ ବିତିଗଲାଣି ଏବଂ ବର୍ତମାନ ସୁଦ୍ଧା କ୍ରାଇମବ୍ରାଂଚ ଜାଣିପାରିଲା ନାହିଁ ଯେ କାହିଁକି ଗୋପାଳ ହତ୍ୟା କରିଲା । କିନ୍ତୁ ତଦନ୍ତ ପ୍ରକ୍ରିୟାକୁ ଓଡିଶାବାସୀଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହ ଘନୀଭୁତ ହେବାରେ ଲାଗିଛି । ସାରା ରାଜ୍ୟ ନବ ଦାସଙ୍କ ହତ୍ୟାରେ ଦୁଃଖୀ ହୋଇଥିବା ବେଳେ ବିଜୁ ଜନତା ଦଳର ବିଧାୟକମାନେ ଉପନିର୍ବାଚନ ଜିତିବା ପାଇଁ ପାଗ ଭିଡିଲେଣି । ଏଥିରୁ ବିଜୁ ଜନତା ଦଳର ଉଦ୍ଦେଶ୍ୟ ସ୍ଫଷ୍ଟ । ମିଛ, ପ୍ରତାରଣା, ପ୍ରହେଳିକା, ଭ୍ରମ ସୃଷ୍ଟି କରି ଓଡିଶାବାସୀଙ୍କୁ ବାରମ୍ବାର ଠକି ଚାଲିଛି ଶାସକ ବିଜେଡି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡୁଥିବାବେଳେ ଏହାର ସମାଧାନ କରି ରାଜ୍ୟବାସୀଙ୍କୁ ଆଶ୍ୱସ୍ଥି ପ୍ରଦାନ କରିବା ପରିବର୍ତେ ଶାସକ ବିଜେଡି ଦ୍ୱାରା ଭୟର ବାତାବରଣ ସୃଷ୍ଟି କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବହୁଚର୍ଚ୍ଚିତ ନବ ଦାସ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୁମିକା ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରୁଛି ବାଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ଅପରାଧିକ ଚେହେରାକୁ ନେଇ ବହୁ ଚର୍ଚ୍ଚା ଓ ଆଲୋଚନା ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ହେଉଛି । ମାତ୍ର ଜଣେ ଭଦ୍ର, ଦକ୍ଷ, ପାରଙ୍ଗମ ଓ ସ୍ୱଚ୍ଛ ଚେହେରା ଭାବେ ଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିବା ସହିତ ସ୍ୱାସ୍ଥ୍ୟ ବିଭାଗ ଭଳି ଏକ ଗୁରୁତ୍‌ଭପୂର୍ଣ୍ଣ ବିଭାଗର ଦାୟିତ୍ୱ ଦେଇଥିଲେ । ଜଣେ ଦକ୍ଷ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗର ଜଣେ ପୋଲିସ ଅଧିକାରୀ ଦିନ ଦ୍ୱିପହରରେ ହତ୍ୟା କରିଲେ ।

ହତ୍ୟାର ଆଭିମୁଖ୍ୟ କଣ, ଏହା ପଛରେ କିଏ କିଏ ଅଛନ୍ତି, ମୁଖ୍ୟ ଷଡଯନ୍ତ୍ରକାରୀ କିଏ ? ଶାସକ ବିଜେଡିର ବଡ ବଡ ନେତାଙ୍କ ସଂପୃକ୍ତିର ଅଭିଯୋଗ ସଂପର୍କରେ ସାଧାରଣରେ ଚର୍ଚ୍ଚା ହେଉଥିବାରୁ ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ ପ୍ରକ୍ରିୟା ନିହାତି ଭାବେ ସଠିକ୍ ଓ ନିରପେକ୍ଷ ହେବା ସହ ସତ୍ୟାସତ୍ୟ ସାମ୍ନାକୁ ଆସିବା ଉଚିତ୍ । ନିଜ ମନ୍ତ୍ରୀମଣ୍ଡଳର ଜଣେ ଦକ୍ଷ ସହଯୋଗିଙ୍କୁ ହରାଇଥିବା ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ହତ୍ୟାର ସତ୍ୟାସତ୍ୟ ଜାଣିବା ଉଚିତ୍ ବୋଲି ଶ୍ରୀ ଆଚାର୍ଯ୍ୟ କହହିଛନ୍ତି ।

ନିଜ ଧନ, ଜୀବନର ସୁରକ୍ଷା ପାଇଁ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ଏହି ହତ୍ୟା ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେଉଛନ୍ତି । ସ୍ୱର୍ଗତଃ ଦାସଙ୍କ ମୃତ୍ୟୁକୁ ନେଇ ବିଜେପି ରାଜନୀତି କରୁନାହିଁ ବରଂ ସାମାଜିକ, ନୈତିକତା ଦାୟିତ୍ୱବୋଧତା ଦେଖାଇ ତଦନ୍ତର ଦାୟିତ୍ୱ ସିବିଆଇ ହାତରେ ହସ୍ତାନ୍ତର କରିବାକୁ ଦାବି କରୁଛି । ନିଜ ଉପରେ ଆସ୍ଥାକୁ ବଜାୟ ରଖିବା ସହିତ ହତ୍ୟାକାଣ୍ଡର ସତ୍ୟାସତ୍ୟକୁ ଉନ୍ମୋଚିତ କରିବା ପାଇଁ ଘଟଣାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବାକୁ ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଓ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.