Latest Odisha News

BREAKING NEWS

ପୁଣି ଥରେ ରାଜ୍ୟରେ ହେବ ପୃଥକ ବାଘ ଓ ହାତୀ ଗଣନା; ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାକୁ ମାସକ ଭିତରେ ଆକ୍ସନପ୍ଲାନ୍

ଭୁବନେଶ୍ୱର: ରାଜ୍ୟ ସରକାର ପୁଣିଥରେ ଅଲଗା ଭାବେ ବାଘ ଓ ହାତୀର ଗଣନା କରିବେ। କାରଣ କେନ୍ଦ୍ର ସରକାର ବାଘ ଓ ହାତୀ ଗଣନା କରୁଥିଲେ ବି ଏହାର ରିପୋର୍ଟ ଠିକ୍ ସମୟରେ ପ୍ରକାଶ ପାଉନି।ଏଣୁ ବନ୍ୟପ୍ରାଣୀଙ୍କ ପ୍ରକୃତ ସଂଖ୍ୟା ବିଷୟରେ ଜାଣିବାରେ ସମସ୍ୟା ହେଉଛି। ତେଣୁ ରାଜ୍ୟ ସରକାର ନିଜତରଫରୁ ରାଜ୍ୟରେ ବାଘଓ ହାତୀର ଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି। ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ଟଙ୍କା ରାଜ୍ୟ ସରକାର ବହନ କରିବେ। ପୂରା କେନ୍ଦ୍ରୀୟ ଢାଞ୍ଚାରେ ହିଁ ହାତୀ ବାଘର ଗଣନା ହେବ ବୋଲି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି।

ସୂଚନା ଅନୁସାରେ, ହାତୀ ଗଣନା ପ୍ରତି ୫ବର୍ଷରେ ଥରେ ହୁଏ। ସେହି ଅନୁସାରେ ୨୦୨୨ରେ ହାତୀ ଗଣନା କାର୍ଯ୍ୟ ହେବା କଥା କିନ୍ତୁ କେନ୍ଦ୍ର ସରକାର ହାତୀ ଗଣନା କରିପାରିଲେ ନାହିଁ। ତେବେ ୨୦୨୨ରେ ହୋଇଥିବା ବାଘ ଗଣନା ରିପୋର୍ଟ ଚଳିତବର୍ଷ ପ୍ରକାଶ ପାଇଛି। କିନ୍ତୁ ଆମ ରାଜ୍ୟ କେତେ ବାଘ ଅଛନ୍ତି ସେ ରିପୋର୍ଟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେଣୁ ରାଜ୍ୟରେ ବ୍ୟନ୍ୟପ୍ରଣୀର ଉପସ୍ଥିତି ଠିକ୍ ଭାବରେ ଜଣାପଡ଼ୁ ନାହିଁ ବୋଲି ରାଜ୍ୟ ସରକାର ପ୍ରତି ବର୍ଷ କିମ୍ବା ଦୁଇ ବର୍ଷରେ ଥରେ ରାଜ୍ୟରେ ହାତୀ ଓ ବାଘ ଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହା ପୂର୍ବରୁ ମଧ୍ୟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ଅଲଗା ଭାବେ ବାଘ ଗଣନା କରୁଥିଲେ। କିନ୍ତୁ ଏହାକୁ ନେଇ ବିବାଦ ଦେଖାଦେବାରୁ ବ୍ୟାଘ୍ର ଗଣନା କାର୍ଯ୍ୟ ବନ୍ଦ କରାଯାଇଥିଲା। ଏବେ ଏହାକୁ ପୁଣିଥରେ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜଙ୍ଗଲ ଓ ପରିବେଶ ବିଭାଗ ଏଥିପାଇଁ ମାସକ ମଧ୍ୟରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ ଓଡ଼ିଶା କେନ୍ଦ୍ରୀୟ ଭାରତ ଲ୍ୟାଣ୍ଡସ୍କେପ୍‌ରେ ଆସିୁଛି। ରାଜ୍ୟରେ ୨୦୧୮ରେ ୧୦୩୩ଟି ବାଘ ଥିଲେ। ଏବେ ଏହା ବଢ଼ି ୧୧୬୧ ହୋଇଛି। ଓଡ଼ିଶାରେ ବାଘ ସଂଖ୍ୟା ବଢ଼ିଥିବା ଜଣାପଡ଼ୁଛି। ଏବେ ଆମେ କେନ୍ଦ୍ର ସରକାରଙ୍କର ନିୟମାବଳି ଅନୁସାରେ, ବାଘ ଓ ହାତୀର ଗଣନା କରିବୁ। ଏଥିସହିତ ନନ୍ଦନକାନନ ଚିଡ଼ିଆଖାନାକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ମାସକ ଭିତରେ ଆକ୍ସନପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
କେବଳ ସେତିକି ନୁହେଁ, ରାଜ୍ୟରେ ପର୍ଯ୍ୟଟନର ଆହୁରି ବିକାଶ କରାଯିବ। ଭିତରକନିକା, ଚିଲିକା, ଶିମିଳିପାଳ, ଚନ୍ଦକା ଓ ଭରତପୁରକୁ ଯେପରି ଅଧିକ ପର୍ଯ୍ୟଟକ ଆସିବେ ସେ ନେଇ ପଦକ୍ଷେପ ନିଆଯିବ। ପରିବେଶ ପର୍ଯ୍ୟଟନକୁ ଅଧିକ ବିକଶିତ କରାଯିବା ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ରାଜ୍ୟରେ ଥିବା ସମସ୍ତ କେନ୍ଦୁପତ୍ର ତୋଳାଳିଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏବେ ୮ଲକ୍ଷ ୧୫ ହଜାର କେନ୍ଦୁପତ୍ର ତୋଳାଳି ଥିବାବେଳେ ୭,୫୨,୦୦୦ ଜଣଙ୍କୁ ବିଏସ୍କେୱାଇ କାର୍ଡ ଅଛି। ବାକି ୬୩ହଜାର ଲୋକଙ୍କୁ ତୁରନ୍ତ ବିଏସ୍କେୱାଇ କାର୍ଡ ଯୋଗାଇ ଦେବାକୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.