Latest Odisha News

ସ୍ୱଳ୍ପ ଗଳ୍ପ : ଯାହା ଏରାସମସ୍ କହିଛନ୍ତି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ :

BjdElectrycity

ବହିପୋକ ବା ଯାହାକୁ ଆମେ ଇଂରେଜୀରେ “ବୁକୱାର୍ମ” ବୋଲି କହିଥାଉ ତାହାର ତାତ୍ପର୍ଯ୍ୟାର୍ଥ ହେଉଛି ଏମିତି ଜଣେ ବହିନିବାସୀ ଚରିତ୍ର ଯିଏ ସର୍ବଦା ବହିର ଜଗତରେ ବସବାସ କରିଥାଏ ଆଉ ସେ ସେହି ବହି ଜଗତର ଅଭ୍ୟନ୍ତରକୁ ଏଇଭଳି ଚରିଯାଉଥାଏ ଯେମିତି କୌଣସି ଗୋଟିଏ ପୋକ ବେଶ୍ ଅବଲୀଳାକ୍ରମେ ବହିକୁ ପୃଷ୍ଠା ପରେ ପୃଷ୍ଠା ଭକ୍ଷଣ କରିବାରେ ଆଗ୍ରହ ରଖିଥାଏ।

ଏଇଠି ଆମେ ମାନସିକ ସ୍ତରରେ ଆହରଣକୁ ଉଦରପୂର୍ତ୍ତି ଭଳି ଏକ ଶାରିରୀକତାର ସମାର୍ଥବାଚକ କରି ବହି ସହିତ ସଂଶ୍ଳିଷ୍ଟ ଉଭୟ ମଣିଷ ଏବଂ ମଣିଷେତର ପୋକ ଉଭୟଙ୍କୁ ଗୋଟିଏ ତରାଜୁରେ ରଖିବା ଭଳି ପ୍ରୟାସ କରିଥାଉ। ଏହିଭଳି କରିବା ପଛରେ ଉଦ୍ଦେଶ୍ୟ ଗୋଟିଏ। ପାଠକ ଆଉ ପୋକ ଉଭୟଙ୍କର ବହି ପ୍ରତି ରହିଥିବା ପ୍ରଖର ଏବଂ ଦୁର୍ନିବାର ଆକର୍ଷଣ ।

ଅନ୍ୟଭାବରେ କହିଲେ ମାନସପୂର୍ତ୍ତି ହେଉ କି ଉଦରପୂର୍ତ୍ତି ହେଉ ବହିର ଚୁମ୍ବକୀୟ କ୍ଷେତ୍ରଟି ହେଉଛି ତାହାର ଆକର୍ଷଣର ପରିସୀମାରେ।

ଏଇଠି ଦୁଇଟି କଥା ଏହି ବହିପୋକ ପ୍ରସଙ୍ଗରେ ଆମର ସ୍ମରଣରେ ରହିବା ଦରକାର, ଆମେ ଯେତେବେଳେ ଗୋଟିଏ ଯବକାଚ ଧରି ତାହାର ମାଧ୍ୟମରେ ବହିପୋକକୁ ଦେଖିବାକୁ ଯାଉ।

ଯବକାଚରେ ଦେଖିଥିବା ପ୍ରଥମ କଥାଟି ହେଉଛି କୌଣସି ପୋକ ସିଧାସଳଖ ଭାବରେ କୌଣସି ବହିର ପୃଷ୍ଠାକୁ ଭକ୍ଷଣ କରେ ନାହିଁ । ସେ ଖାଦ୍ୟ ଆକାରରେ ଯାହା ଯାହା ବହିରୁ ଭକ୍ଷଣ କରିଥାଏ ତାହାର କହିବାକୁଗଲେ ଆନୁସଙ୍ଗିକ କ୍ଷୟକ୍ଷତି ବା ଯାହାକୁ ଆମେ ଇଂରେଜୀରେ କହିବା “କୋଲାଟେରାଲ୍ ଡାମେଜ୍ ” ସେଇ ହିସାବରେ ବହିର ପୃଷ୍ଠା ଗୁଡିକ ନଷ୍ଟ ହୋଇଯାଇଥାଏ ।

ଦ୍ୱିତୀୟ କଥାଟି ପାଠକ-ପୋକକୁ ନେଇ,ଯାହା ଯବକାଚରେ ଦିଶିଥାଏ । ସିମୋସାତା ର ଲୁସିଏନ୍ ବୋଲି ଜଣେ ଗ୍ରୀକ୍ ବ୍ୟଙ୍ଗକାର ୧୬୦ଖ୍ରୀଷ୍ଟାବ୍ଦରେ ଗୋଟିଏ ପାଠକ ପ୍ରଜାତିକୁ ଦୃଢ ଭାଷାରେ ସମାଲୋଚନା କରିଥିଲେ। ସେହି ପ୍ରଜାତିଟି ହେଉଛି ” ବହିର ଅଜ୍ଞାନୀ ସଂଗ୍ରାହକ”। ଏହି ବିଶେଷ ପ୍ରଜାତିର ପାଠକମାନେ ବହିର ପାଠକ ହେବା ପରିବର୍ତ୍ତେ ସେମାନଙ୍କର ବହିର ସଂଗ୍ରହକୁ ନିଜର ଧନଦୌଲତର ଅଶ୍ଳୀଳ ସଂଗ୍ରହ ପରି ସର୍ବସାଧାରଣରେ ପ୍ରଦର୍ଶନ କରିବାକୁ ଚିରତର ସୁଖ ମଣୁଥାନ୍ତି । ଲୁସିଏନ୍ ଙ୍କ କହିବା ଅନୁସାରେ ଏଇ ପୁସ୍ତକ ସଂଗ୍ରାହକମାନେ ଆଉ କିଛି ନକରନ୍ତୁ ପଛେ ବହି କିଣିବା ସହିତ “ମୂଷାକୁ ମାରିବା ଆଉ ଜୀବାଣୁ ମାନଙ୍କର ବସତି କୁ ହିଁ କିଣିଥାନ୍ତି ।” ଏହି କଥାକୁ ଆଉ ଟିକିଏ ସ୍ପଷ୍ଟ କରି କହିଛନ୍ତି ପଞ୍ଚଦଶ-ଷୋଡଶ ଶତାବ୍ଦୀର ମାନବତାବାଦୀ ଡଚ୍ ଚିନ୍ତକ ଡେସିଡେରିଅସ୍ ଏରାସମୁସ୍। ଏରାସମୁସ୍ କହିଛନ୍ତି, “ବହିକୁ,ପୋକମାନଙ୍କ କବଳରୁ ରକ୍ଷାକରିବାକୁ ହେଲେ,ତାହା ବ୍ୟବହୃତ ହେବା ବିଧେୟ ।”

ତେଣୁ ଯବକାଚରେ ଯେଉଁ ଦ୍ୱିତୀୟ କଥାଟି ଆସିଲା ତାହା ହେଉଛି ପୋକକବଳରୁ ବହିକୁ ରକ୍ଷା କରିବା ପାଇଁ ଆମକୁ ପାଠକ-ପୋକ ପାଲଟିଯିବା ଦରକାର । ଜେନ୍-ବୌଦ୍ଧଧର୍ମରେ ଜେନ୍ ଗୁରୁମାନେ ତାଙ୍କର ଅନୁଗାମୀ ଶିଷ୍ୟମାନଙ୍କୁ ଗୋଟିଏ ଗୋଟିଏ ପହେଳି ଅର୍ଥାତ୍ କୋଆଁ କୁ ସମାଧାନ କରିବାକୁ ସାଧନାର ମାର୍ଗ ହିସାବରେ ପ୍ରଦାନ କରିଥାନ୍ତି। ଶିଷ୍ୟ ମାନେ ସେଇ ଭଳି ଗୋଟିଏ “କୋଆଁ” କୁ ନେଇ ନିଜର ସମଗ୍ର ଜୀବନ ବିତାଇଦେଇଥାନ୍ତି। ସେଇ ଭଳି ଗୋଟିଏ “କୋଆଁ” ର ଉଲ୍ଲେଖ ରଖୁଛି। “ତମେ ଯଦି ରାସ୍ତାରେ କୌଣସି ସନ୍ନ୍ୟାସୀକୁ ଦେଖୁଚ ତାହାକୁ ହତ୍ୟାକର । ଯଦି ବୁଦ୍ଧଙ୍କୁ ଦେଖିଲ ,ଘଡିଏମାତ୍ର ବିଳମ୍ବ କରନାହିଁ ତାଙ୍କୁ ଯଥାଶିଘ୍ର ହତ୍ୟାକର ।” ଏଇଠି କୁହାଯାଇଥିବା “ସନ୍ନ୍ୟାସୀକୁ ହତ୍ୟା” ବା “ବୁଦ୍ଧଙ୍କୁ ହତ୍ୟା” ଆକ୍ଷରିକ ଅର୍ଥରେ “ହତ୍ୟା” ନୁହଁ ବୋଲି ଆପଣମାନେ ବିବେଚନା କରି ସାରିବେଣି। ଏଇଠି ହତ୍ୟା ହେଉଛି ଅନ୍ୟର ସମସ୍ତ ଗୁଣାବଳୀକୁ ନିଜେ ଏହିପରି ଆହରଣ କରାଯିବ ଯେ ଅନ୍ୟର ଆଉ କୌଣସି ଅସଲ ଅସ୍ତିତ୍ୱ ରହିବ ନାହିଁ । ଅପରର ଅସ୍ତିତ୍ୱକୁ ଆହାରଣ ମାଧ୍ୟମରେ ହତ୍ୟା କରିବା ଭଳି ଜେନର ଏଇ ପହେଳିକୁ ଆମେ ବହି ଉପରେ ଆରୋପିତ କରିପାରିବା। ବହିକୁ ଆମେ ଏଇପରି ଆତ୍ମସ୍ଥ କହିବା ଯେ ବହି ଆମପାଇଁ ବାହ୍ୟରୂପରେ ଗୋଟିଏ ଅନସ୍ତିତ୍ୱ ଏକାଙ୍ଗରେ ପରିଣତ ହୋଇଯିବ।

ପାଠକ-ପୋକର ଦର୍ଶନ ଏଇ ଭଳି। ବହିକୁ ଆଧାର କରି।

ଯଦି ଆମେ ଗୋଟିଏ ପୋକ ର ଦୃଷ୍ଟିରେ ବହିକୁ ଦେଖିବା ତାହାହେଲେ ଆମକୁ ଲାଗିବ ଗୋଟିଏ ବହି ଯେମିତି ଗୋଟିଏ ବିଶାଳ ଥାଳିରେ ପରଷା ଯାଇଥିବା ଭିନ୍ନ ଭିନ୍ନ ପ୍ରକାର ରୁଚିକର ଖାଦ୍ୟ। ତିଆରି ଆଉ ବନ୍ଧେଇ ହୋଇ ଯେଉଁ ଗୋଟିଏ ବହି ଆମ ପାଖକୁ ଆସିଥାଏ ସେଥିରେ ସ୍ୱାଭାବିକ ଉପକରଣ ;କାଗଜ ଆକାରରେ ଥାଏ ଚାଉଳ,କପା,ଛଣପଟ, କାଠର ମଣ୍ଡ,ବହିର ପ୍ରଚ୍ଛଦ ଆକାରରେ ଥାଏ ବିଭିନ୍ନ ପଶୁଜନ୍ତୁଙ୍କ ଚମଡା,କାଠ ଆଉ ରେଶମ କପଡା,ବନ୍ଧେଇ ଆକାରରେ ଥାଏ ଅଠା ଆଉ ସୂତା। କହିବାକୁ ଗଲେ ଏଇ ସମସ୍ତ ଉପକରଣ ଗୋଟିଏ ପୋକ ର ଅତି ପ୍ରିୟ ଆକର୍ଷଣୀୟ ଖାଦ୍ୟ। ବିଶେଷ ଭାବରେ ସେହି ପୋକ ମାନଙ୍କର ଅତି ପସନ୍ଦର ଖାଦ୍ୟ ଯେଉଁମାନେ ବସ୍ତୁତଃ ଶବଭକ୍ଷୀ । ବହିକୁ ଯେଉଁ ପୋକମାନେ ଚରିଯାଆନ୍ତି ବୋଲି କୁହାଯାଏ ସେମାନେ ହେଉଛନ୍ତି ଏଇ ପ୍ରଜାତିର ପୋକ,ସେମାନେ ସବୁବେଳେ ମୃତକକୁ ଆହାର କରି ବଞ୍ଚିଥାନ୍ତି। ଇଂରେଜୀରେ ଏମାନଙ୍କୁ ” ନେକ୍ରୋଫାଗସ୍ ” ବୋଲି କୁହାଯାଏ ।

ତେଣୁ ପୋକମାନଙ୍କ ଦୃଷ୍ଟିରେ ବହି ହେଉଛି ଗୋଟିଏ ମୃତ ପଦାର୍ଥ ଆଉ ତାହାକୁ ଆନନ୍ଦରେ ଆହାର କରିଥାନ୍ତି ଏକ ବିଶେଷ ପୋକ ଦଳ। ଏହି ବହିପୋକଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ଏକ ପ୍ରକାର ଉକୁଣୀ ବା ଲାଇସ୍ ପ୍ରଜାତିର ପୋକ,ଟ୍ରୋଗିଅମପଲସାଟୋରିଅମ୍। ସେମାନେ କିନ୍ତୁ ଶବଭକ୍ଷୀ ବା ନେକ୍ରୋଫାଗସ୍ ନୁହଁନ୍ତି । ସେମାନଙ୍କର ଉଷୁମ-ରକ୍ତ ରେ ବିଶେଷ ଋଚି । ଦୁର୍ଭାଗ୍ୟବଶତଃ ସେମାନେ ସାହିତ୍ୟ-ଭକ୍ଷଣ କରି ବଂଚିଥାନ୍ତି ବୋଲି ଏକ ଦୂରାପବାଦ ରହିଅଛି । ସେମାନେ କାଗଜ କି ବନ୍ଧେଇର ଚମଡା କୁ ଆହାର ଆକାରରେ ବାଛନ୍ତି ନାହିଁ । ବହିକୁ ଅଯତ୍ନରେ ରଖିବା କାରଣରୁ ପୁସ୍ତକାଗାରରେ ବହି ଉପରେ ଯେଉଁ ଓଦାଳିଆ ସନ୍ତସନ୍ତିଆ ଫଙ୍ଗସ୍ ମାନ ଆପେଆପେ ବଢି ଉଠିଥାଏ ଏହି ଉକୁଣୀ ଅର୍ଥାତ୍ ଟ୍ରୋଗିଅମ ପଲସାଟୋରିଅମ୍ ମାନେ ତାହାକୁ ଭକ୍ଷଣ କରିଥାନ୍ତି । ଏହି ଭଳି ଭକ୍ଷଣ କରାଯିବ କାରଣରୁ ବହିର କାଗଜରେ ଅଥବା ବନ୍ଧେଇରେ ଯାହା ଆଗରୁ ଉଲ୍ଲେଖ କରାଯାଇଛି କିଛି ଆନୁସଙ୍ଗିକ କ୍ଷୟକ୍ଷତି ବା କୋଲାଟେରାଲ୍ ଡାମେଜ୍ ହୋଇଥାଏ ।ତେଣୁ ଏଇଠି ପାଠକ-ପୋକଙ୍କ ପାଇଁ ବିଶେଷ ସତର୍କ ବାଣୀ ରହିଲା ଯେ ସେମାନେ ବହିକୁ କଦାପି ନିରାଲୋକରେ ସନ୍ତସନ୍ତିଆ ଆର୍ଦତା ଭୋଗିବା ପାଇଁ ଛାଡିଦେବା ଭଳି କାର୍ଯ୍ୟରୁ ବିରତ ରହିବା ଆବଶ୍ୟକ।

ଅସଲରେ ବହିପୋକ ବା ବୁକୱାର୍ମ ଶବ୍ଦଟି ଯେଉଁ ପୋକମାନଙ୍କୁ ଦେଖି କୁହାଯାଇଛି ସେମାନେ ଅସଲରେ ଗୋଟିଏ ପ୍ରକାରର ଗୋବରପୋକ ବା ବିଟଲ,ଏହାର ଜୀବବିଜ୍ଞାନୀନାମ ହେଉଛି ” ଡର୍ମେଷ୍ଟେସ୍ ଲାର୍ଦାରିଅସ୍ “। ଡର୍ମେଷ୍ଟେସ୍ ନାଆଁରୁ ବୁଝାଯିବ ଯେ ସେମାନେ ବାହ୍ୟ ଚର୍ମ ବା ଡର୍ମାସ୍ କୁ ଆହାର କରିଥାନ୍ତି । ମୃତ ପଶୁପକ୍ଷୀର ଚମଡାକୁ ଆହାର କରି ଏମାନେ ବଞ୍ଚିଥାନ୍ତି। ସେମାନଙ୍କ ସଂପର୍କରେ ଗୋଟିଏ ସୁନ୍ଦର କଥା କୁହାଯାଏ ,ତମେ ସେମାନଙ୍କୁ ସୁନ୍ଦର ଥାଳିଏ ଖାଦ୍ୟ ଦିଅ,ସେମାନେ ତମକୁ ଗୋଟିଏ ସୁନ୍ଦର କଙ୍କାଳ ପ୍ରତିଦାନରେ ଦେବେ। ଏହି ଡର୍ମେଷ୍ଟେସ୍ ଲାର୍ଦାରିଅସ୍ ମାନେ ବହିର ବନ୍ଧେଇରେ ଥିବା ଚମଡାକୁ କଣା କରି ଆର୍ଥାତ୍ ଆମେ ଯାହାକୁ ବହିର ମେରୁଦଣ୍ଡ ବା ସ୍ପାଇନ୍ ବୋଲି କହିଥାଉ ସେଇଠି କଣା କରି ଅଣ୍ଡା ଦେଇଥାନ୍ତି । ବହିର ସେଇ ସୁଡଙ୍ଗରେ ସେମାନେ ଦେଇଥିବା ଅଣ୍ଡା ମାତ୍ର ଛଅ ଦିନ ଭିତରେ ଫୁଟି ଲାର୍ଭା ହୋଇଯାଏ । ସେମାନଙ୍କର ପରବର୍ତ୍ତୀ ପ୍ୟୁପା ପର୍ଯ୍ୟାୟ ତଥା ଆଉ ସମସ୍ତ ସୁରକ୍ଷା ବହି ଭତତର ସେଇ ସୁଡଙ୍ଗ ସମ୍ପାଦନ କରିଥାଏ ।

ଆଉ ଗୋଟିଏ ବିଶେଷ ବହିପୋକ ଅଛନ୍ତି ।ସେମାନଙ୍କୁ ସିଲଭର ଫିଶ୍ କୁହାଯାଏ। ଦେଖିବାକୁ ଛୋଟ ଛୋଟ ମାଛ ଭଳି ଡେଣା ନଥିବା ପୋକ ସେମାନେ, ଜୀବବିଜ୍ଞାନୀନାମ ଲେପିଜମା ସାକାରିନା। ବହି ସହିତ ଖାଦ୍ୟ ଆଉ ଖାଦକ ସଂପର୍କ ପ୍ରତିଷ୍ଠା କରିଥିବା କାରଣରୁ ଏମାନଙ୍କୁ “ସମୟର ଦାନ୍ତ ” ବୋଲି କୁହାଯାଏ । ଏମାନଙ୍କର କେବଳ ଲୋଭ ବହିରେ ଯେତେକ ଶ୍ୱେତସାର ସାର ଜାତୀୟ ପଦାର୍ଥ ରହିଛି ଖାସ୍ ତାହାରି ଉପରେ। ଏମିତିରେ କହିବାକୁ ଗଲେ ଯେତେ ଯାହା ଦର୍ଶନ ସାହିତ୍ୟ ଆଦି ଥାଉ ପଛକେ ବହିରେ ଶ୍ୱେତସାରର ପରିମାଣ ଯଥେଷ୍ଟ। ବିଶେଷ ଭାବରେ ବହିରେ ବ୍ୟବହୃତ ଅଠା,କାଗଜ ଏବଂ କପଡା ,ଏଇ ସବୁଥିରେ।

ଶେଷରେ ଉପସଂହାରରେ ଆଗରୁ ଯାହା କୁହାଯାଇଛି ସେଇ କଥା ଆଉଥରେ।

ବହି ହେଉଛି ଏକ ଆହାର୍ଯ୍ୟ।

ବହିପୋକମାନେ ନିଜବାଟରେ ଆଉ ପାଠକ-ପୋକ ମାନେ ନିଜ ବାଟରେ ,ଏମିତି ଦୁଇଟି ବାଟରେ ଏକା ସମୟରେ ବହିକୁ ନେଇ ଆହାର ବିହାର ଚାଲିଥାଏ । ପୋକର ମୁହଁକୁ ଛାଡିଦେବା ଭଳି ଅବଧାରିତ ଭାଗ୍ୟବାହୀ ବହିକୁ ତାହାର ପୂର୍ବରୁ ନିଜର ଭ୍ରମଣସଂଗୀ ଆଉ ଭକ୍ଷଣସଙ୍ଗୀ କରି ନେବା ପ୍ରତ୍ୟେକ ପାଠକ-ପୋକ ଉଚିତ କର୍ତ୍ତବ୍ୟ। ଯାହା ଏରାସମସ୍ କହିଛନ୍ତି ।

Leave A Reply

Your email address will not be published.