Latest Odisha News

BREAKING NEWS

ଚାଷୀ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ବିଜେପି ଘେରିବା ପରେ ଏବେ ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଇଛି। ରାଜ୍ୟରେ କ୍ରମାଗତ ଧାନ କିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଓ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ବିଜେପି ସାଂସଦମାନେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ ସାଂସଦ ବସନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ, ସଙ୍ଗୀତା ସିଙ୍ଗଦେଓ, ନିତିଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏ ନେଇ ସାଂସଦ ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି ଯେ, ନକଲି ଚାଷୀ, ଠକ ବେପାରୀମାନେ ମଣ୍ଡି କର୍ମଚାରୀଙ୍କ ସହିତ ଅସାଧୁ ମେଣ୍ଟ କରି ଧାନ ବିକ୍ରି ନିମନ୍ତେ ଟୋକନ ହାତେଇବା ସହିତ ସରକାରୀ ଏମଏସପିକୁ ହରିଲୁଟ କରୁଛନ୍ତି । ସାଟେଲାଇଟ ସର୍ଭେ ମାଧ୍ୟମରେ ଜଣାପଡିଛି, ଚଳିତ ଖରିଫ ଋତୁରେ ୫ ଲକ୍ଷ ୫୪ ହଜାର ୬୭୯ ଏକର ଜମି ଭୂତ ଜମି ବୋଲି ଜଣାପଡିଛି । ମାତ୍ର ଏ ବାବଦରେ ୧୭୧୫ କୋଟି ଟଙ୍କାର ଏମଏସପି ସହାୟତା ପାଇବାକୁ ମସୁଧା ହୋଇଛି । ତେବେ ସାଟେଲାଇଟ ସର୍ଭେରେ ଜଣାପଡିଥିବା ଭୂତ ଜମି ରିପୋର୍ଟ କିଏ କଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ନିରନ୍ତର ସମର୍ଥନ ସହଯୋଗ ଯୋଗାଇ ଆସୁଛନ୍ତି । ସଠିକ୍ ସମୟରେ ଚାଷୀଙ୍କ ଉତ୍ପାଦିତ କୃଷି ସାମଗ୍ରୀର ଉଚିତ୍ ମୂଲ୍ୟ ପ୍ରଦାନକୁ ସୁନିଶ୍ଚିତ କରାଯାଇଛି । ଭାରତ ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ(ଡିଏଫପିଡି) ବିକେନ୍ଦ୍ରୀକରଣ କ୍ରୟ ପ୍ରଣାଳୀ ମାଧ୍ୟମରେ ସଂଗ୍ରହ ପ୍ରକ୍ରୟା ଏବଂ ପିଡିଏସ ଦକ୍ଷତା ବଢାଇ ତୃଣମୂଳ ସ୍ତରରେ ଧାନ କିଣାକୁ ପ୍ରୋତ୍ସାହନ ଦେଉଛି । ଏହା ଦ୍ୱାରା ସ୍ଥାନୀୟ ଚାଷୀମାନେ ଏମଏସପିର ଲାଭ ନେଉଛନ୍ତି ।

ମାତ୍ର ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ ଧାନ ସଂଗ୍ରହ ପ୍ରକ୍ରିୟା ଓଡ଼ିଶାର ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ୧୬ ମାର୍ଚ୍ଚ ୨୦୨୧ ଏବଂ ୨୨ ଡିସେମ୍ବର ୨୦୨୨ରେ ଆରଏମଏସି, ମଣ୍ଡି ସୋସାଇଟି ଚାଲିଥିବା ଦୁର୍ନୀତି ଓ ଅବ୍ୟବସ୍ଥା ସମ୍ପର୍କରେ ଆମ ଦଳ ତରଫରୁ ଭାରତ ସରକାରଙ୍କ ବିଭାଗୀୟ ମନ୍ତ୍ରାଳୟକୁ ବିସ୍ତୁତ ସୂଚନା ଦିଆଯାଇଥିଲା । ଏହି ଦୁର୍ନୀତିକୁ ନେଇ କେନ୍ଦ୍ରୀୟ ଟିମ୍ କରିଥିବା ତଦନ୍ତରେ ମଧ୍ୟ ଉକ୍ତ ବିଷୟରେ ମତ ରଖିଥିଲା । ମାତ୍ର ଦୁର୍ଭାଗ୍ୟଜନକ ଭାବେ ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ଦେଇଥିବା ରିପୋର୍ଟ ଓ ପରାମର୍ଶକୁ ଉପେକ୍ଷା କରିଛନ୍ତି, ଯାହା ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଧାନ କିଣା ପ୍ରକ୍ରିୟାରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି ।

ମଣ୍ଡିର ସେକ୍ରେଟାରୀଙ୍କ ଦ୍ୱାରା ଦଳୀୟ ଭିତ୍ତିରେ ଟୋକନ ଦେବାରେ ପକ୍ଷପାତିତା ହେଉଛି । ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଟୋକନ ଲାପ୍ସ ହେଉଛି । ଧାନକିଣାରେ ମିଲରଙ୍କ ଦ୍ୱାରା ପ୍ରିୟାପ୍ରୀତି ପୋଷଣର ଶୀକାର ଚାଷୀମାନେ ହେଉଛନ୍ତି । ଅନେକ ଖୋଲାଯାଇନଥିବା ମଣ୍ଡିରେ ବେଆଇନ ଭାବେ ଚାଉଳ ଉଠାଣ ହେଉଛି । ମଣ୍ଡିରେ ଚାଷୀମାନେ ରାତିରେ ନିଜର ଉତ୍ପାଦିତ ସାମଗ୍ରୀକୁ ଜଗି ରହିବାକୁ ପଡୁଛି । ଚାଷୀମାନେ କ୍ଷେତରୁ ମଣ୍ଡି ପର୍ଯ୍ୟନ୍ତ ତଥା ମିଲରଙ୍କ ପାଖକୁ ଧାନ ନେବା ପାଇଁ ଆର୍ଥିକ ଖର୍ଚ୍ଚ ନିଜେ ଭରଣା କରୁଛନ୍ତି।

ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲ ଧାନ ସହ ୬ ରୁ ୮ କିଲୋ ଧାନ ଦଲାଲ ଏବଂ ଏଜେଣ୍ଟଙ୍କୁ ଦେବା ପାଇଁ ବାଧ୍ୟ କରାଯାଉଛି । ଯାହା ସ୍ଥାନୀୟ କଟନୀ-ଛଟନୀକୁ ପ୍ରୋତ୍ସାହିତ କରୁଛି । କଟନୀ-ଛଟନୀ କାରଣରୁ ଚାଷୀମାନେ ଧାନ ଏମଏସପିର ଧାର୍ଯ୍ୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି । ଉଷୁନା ଧାନ ଏଫଏକ୍ୟୁ ଦ୍ୱାରା ମାନ ନିର୍ଦ୍ଧାରଣ କରାଯାଉଥିବା ବେଳେ କିଣା ପ୍ରକ୍ରିୟାରେ ସାମିଲ ଥିବା ବ୍ୟକ୍ତିଙ୍କ ଦ୍ୱାରା ମୂଲ୍ୟର ଦୁରୂପଯୋଗ କରାଯାଉଛି ।

Leave A Reply

Your email address will not be published.