Latest Odisha News

ପାଲା ଜଗତର ଅନିର୍ବାଣ ଦୀପଶିଖା : ଗାୟକ ବାଣୀବିଭୂଷଣ ଅର୍ଜୁନ ଦାଶ

ଚିରାଚରିତ ପାଲାରେ କଳାତ୍ମକ ପ୍ରକାଶଭଙ୍ଗୀର ପ୍ରଚଳନ କରି ସେ ପାଲାରେ ସୃଷ୍ଟି କରିଥିଲେ ନବଦିଗନ୍ତ । ତାଙ୍କର ସୌମ୍ୟକାନ୍ତି ଓ ସୁମଧୁର ସ୍ଵରର ଝଙ୍କାର ଅଗଣିତ ଶ୍ରୋତାମଣ୍ଡଳୀଙ୍କୁ କରୁଥିଲା ସମ୍ମୋହିତ । ଏହି ଯୋଗଜନ୍ମା ଗାୟକ ହେଉଛନ୍ତି ଗାୟକ ବାଣୀବିଭୂଷଣ ଅର୍ଜୁନ ଦାଶ । ଉତ୍କଳ ଭାରତୀ ତପୋବନର ଏକ ସୁଗନ୍ଧିତ ପୁଷ୍ପ, ପାଲା ଜଗତର ଅନିର୍ବାଣ ଦୀପଶିଖା ।

୧୯୨୩ ମସିହା ମାର୍ଚ୍ଚ ୫ ତାରିଖରେ ଜଗତସିଂହପୁର ଜିଲ୍ଲା ସଲମପୁର କଣ୍ଟିଗଡ଼ିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଅର୍ଜୁନ ଦାଶ । ବାପା ପଣ୍ଡିତ ଧନେଶ୍ବର ଦାଶ ଓ ମାଆ ଚଞ୍ଚଳା ଦେବୀ । ଅର୍ଜୁନଙ୍କ ବଡ଼ ଭାଇ ପଣ୍ଡିତ ହରେକୃଷ୍ଣ ଦାଶ ଓ ଭଉଣୀ ଇନ୍ଦୁରେଖା ଦାଶ । ପିଲା ଦିନରୁ ଅର୍ଜୁନଙ୍କର ସଙ୍ଗୀତ ଓ ନାଟକ ପ୍ରତି ରହିଥିଲା ଦୁର୍ବଳତା । ଛୋଟବେଳୁ ସେ ସୁମଧୁର କଣ୍ଠରେ ଗୀତ ଗାଇବା ସହ ନାଚିପାରୁଥିଲେ । ପରବର୍ତ୍ତୀ ସମୟରେ ସେ ରଙ୍ଗମଞ୍ଚରେ ନିଖୁଣ ଅଭିନୟ କରିଥିଲେ । ପ୍ରାଥମିକ ଶିକ୍ଷା ପରେ ସେ ସଂସ୍କୃତରେ ପ୍ରଥମା ପଢିଲେ । ଏହି ସମୟରେ ଶିକ୍ଷକ ତଥା ପଣ୍ଡିତ ରାମଚନ୍ଦ୍ର ଦାଶଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ । ପରବର୍ତ୍ତୀ ସମୟରେ ବଡ଼ଭାଇ ହରେକୃଷ୍ଣ ଏବଂ ଗୁରୁ ପଣ୍ଡିତ ରାମଚନ୍ଦ୍ର ଦାଶଙ୍କ ପ୍ରେରଣାରେ ପାଲା ପ୍ରତି ଆସକ୍ତ ହେଲେ ଅର୍ଜୁନ ଦାଶ ।

୧୯୫୨ ମସିହା ଶ୍ରୀପଞ୍ଚମୀ ଦିନ ଅର୍ଜୁନ ଦାଶଙ୍କୁ ପଣ୍ଡିତ ରାମଚନ୍ଦ୍ର ଦାଶ ପାଲା ଗୁରୁ ଭାବରେ ଚାମର ପ୍ରଦାନ କଲେ । କବି ମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଏବଂ ଢେଙ୍କାନାଳର ପଣ୍ଡିତ ପ୍ରବୋଧ ଚନ୍ଦ୍ର ମିଶ୍ର ହେଲେ ତାଙ୍କର ପଥ ପ୍ରଦର୍ଶକ । କୃଷ୍ଣପ୍ରସାଦ ବସୁ ସଙ୍ଗୀତର ସ୍ଵର, ତାଳ ଓ ଲୟ ଆଦି ଶିକ୍ଷା ଦେଇଥିବା ବେଳେ ପଣ୍ଡିତ ପ୍ରବୋଧ ମିଶ୍ର ସଂସ୍କୃତ ଶିକ୍ଷା ଦେଇଥିଲେ, ଯାହା ଅର୍ଜୁନଙ୍କୁ ଅଧିକ ମାର୍ଜିତ କରିଥିଲା । ଏଥିସହ ବଡ଼ ଭାଇ ହରେକୃଷ୍ଣ ଦାଶଙ୍କ ଦିଗଦର୍ଶନ ଓ ପ୍ରୋତ୍ସାହନ ଅର୍ଜୁନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବାରେ ସହାୟକ ହେଲା ।

ଶୃଙ୍ଗାର ଓ କରୁଣ ରସରେ ବିଭିନ୍ନ ବିଷୟକୁ ଅର୍ଜୁନ ଦାଶ ଏଭଳି ପରିବେଷଣ କରୁଥିଲେ ଯେ, ଦର୍ଶକ ମନ୍ତ୍ରମୁଗ୍ଧ ହୋଇଯାଉଥିଲେ । ନର୍ମଦା, ନରବଳୀ, ପ୍ରଭାସ ଯଜ୍ଞ, ହରିଶ୍ଚନ୍ଦ୍ର, କୁମାର ସମ୍ଭବ, ନୈଷଧ, ଚିତ୍ରସେନ ଶରଣ, ସୁଭଦ୍ରା ପରିଣୟ, ରୁକ୍ମିଣୀ ପରିଣୟ, ନିମାଇଁ ସନ୍ୟାସ ଆଦି ତାଙ୍କର ଲୋକପ୍ରିୟ ବିଷୟ । କଟକ, ପୁରୀ, ଢେଙ୍କାନାଳ, କେଉଁଝର, ବାଲେଶ୍ବର, ଗଞ୍ଜାମ ଆଦି ବିଭିନ୍ନ ଜିଲ୍ଲାର ପ୍ରାୟ ସମସ୍ତ ପ୍ରତିଷ୍ଠିତ ମଞ୍ଚରେ ପାଲା ପରିବେଷଣ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଶ୍ରୀଯୁକ୍ତ ଦାଶ ।

ବିଖ୍ୟାତ ପାଲା ଗାୟକ ହରେକୃଷ୍ଣ ନାଥ, ନିରଞ୍ଜନ କର, ବୈଷ୍ଣବ ପ୍ରଧାନ, ପରମାନନ୍ଦ ଶରଣ, ମାର୍କଣ୍ଡେୟ ବାହିନୀପତି, ବିଶ୍ବନାଥ ପଟ୍ଟଯୋଶୀ, କ୍ଷେତ୍ରବାସୀ ମିଶ୍ର, ଧର୍ମାନନ୍ଦ ଦୀକ୍ଷିତ୍, ଜଗନ୍ନାଥ ବେହେରା, କୁଳମଣି ଶତପଥି, ଅଭୟ ଚରଣ ସ୍ଵାଇଁ, ପ୍ରହଲ୍ଲାଦ ସାହୁ ଆଦିଙ୍କ ସହ ଅର୍ଜୁନ ଦାଶ ବାଦିପାଲା ପରିବେଷଣ କରି ସୁଖ୍ୟାତି ଅର୍ଜନ କରିଥିଲେ ।

ତାଙ୍କର କୋମଳ, ମଧୁର କଣ୍ଠଶ୍ବର ପରି କୋମଳ, ମଧୁର ବ୍ୟବହାର ପ୍ରତିପକ୍ଷ ଗାୟକମାନଙ୍କୁ ମଧ୍ୟ ଆପଣାର କରୁଥିଲା । ପାଲା ଜଗତକୁ ସେ ଅନେକ ସୁଯୋଗ୍ୟ ଛାତ୍ରଛାତ୍ରୀ ଭେଟି ଦେଇଯାଇଛନ୍ତି ।

ପାଲା ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନଠାରୁ ରାଜ୍ୟର ପୁରପଲ୍ଲୀରୁ ଅନେକ ପୁରସ୍କାର, ମାନପତ୍ର, ଉପାଧି ଆଦି ପାଇଥିଲେ ଶ୍ରୀଯୁକ୍ତ ଅର୍ଜୁନ ଦାଶ । ୧୯୭୫ ମସିହାରେ ରେଭେନ୍ସା ମହାବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ମାନ ଜନକ ଗାୟକ ବାଣୀ ବିଭୂଷଣ ଉପାଧି ପ୍ରଦାନ କରାଯାଇଥିଲା । ୨୦୧୨ ମସିହା ଅଗଷ୍ଟ ୨୫ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ଶ୍ରୀଯୁକ୍ତ ଅର୍ଜୁନ ଦାଶ ।

Leave A Reply

Your email address will not be published.