Latest Odisha News

BREAKING NEWS

ସାରସ୍ୱତ ସାଧକ, ଗାୟକ ଭୂଷଣ ଗୋବିନ୍ଦ ଚନ୍ଦ୍ର ପାଢୀ

ସେଦିନ ଥିଲା ଦୋଳ ପୂର୍ଣ୍ଣିମା, ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନୂଆଶାସନ ଗାଁ ଦାଣ୍ଡରେ ରାଧାକୃଷ୍ଣଙ୍କର ଯାତ୍ରା ଚାଲିଥାଏ । ଘଣ୍ଟ, ଘଣ୍ଟା, ଶଙ୍ଖ, ମୃଦଙ୍ଗର ତାଳେ ତାଳେ, ଆଲଟ, ଚାମର ଭିତରେ ରାଧାକୃଷ୍ଣଙ୍କ ବିମାନ ଆଗକୁ ବଢୁଥିଲା । ଏହି ସମୟରେ ଗାଁର ଜଗବନ୍ଧୁ ପାଢୀ ଓ ସରସ୍ୱତୀ ଦେବୀଙ୍କ କୋଳ ମଣ୍ଡନ କରିଥିଲା ଏକ ଶିଶୁ ପୁତ୍ର । ଦୋଳ ପୂର୍ଣ୍ଣିମାରେ ଜନ୍ମ ହୋଇଥିବାରୁ ପିଲାଟିର ନାଁ ରଖାଯାଇଥିଲା ଗୋବିନ୍ଦ ।

ପାଢୀ ପରିବାରରେ ଚାରି ପୀଢି ଧରି ଥିଲେ ଗାୟକ । ବାପା ଜଗବନ୍ଧୁ ପାଢୀ ଜଣେ ସ୍ୱନାମଧନ୍ୟ ଗାୟକ ଭାବେ ପ୍ରସିଦ୍ଧ ଥିଲେ । ପରିବାରରେ ଆଧ୍ୟାତ୍ମିକ ଚେତନା ଓ କଳା, ସାହିତ୍ୟ, ସଂସ୍କୃତିର କୌଣସି ଅଭାବ ନଥିଲା, ଅଭାବ ଥିଲା ଅର୍ଥର । ଦାରିଦ୍ର‌୍ୟ ଯୋଗୁଁ ଗୋବିନ୍ଦଙ୍କୁ ମାମୁ ଘରକୁ ପଠାଇଦିଆଯାଇଥିଲା । ସେଠାରେ ମାମୁ ବ୍ରଜମୋହନ ପାଢୀଙ୍କ ଯତ୍ନରେ ବଢିବାକୁ ଲାଗିଲେ ଗୋବିନ୍ଦ । ଚାଟଶାଳୀରେ ପାରମ୍ପରିକ ପାଠ ପଢିଲେ, ହେଲେ ଏଥିରେ ଗୋବିନ୍ଦଙ୍କର ଆଗ୍ରହ ନଥିଲା, ସେ ପ୍ରାଚୀନ କାବ୍ୟ, କବିତା, ବ୍ୟାକରଣ, ବେଦ, ବେଦାନ୍ତ, ଉପନିଷଦ, ଦର୍ଶନ ଆଦି ସହ ଜ୍ୟୋତିଷ ବିଦ୍ୟା ଓ କର୍ମକାଣ୍ଡ ପଢିବାକୁ ଲାଗିଲେ । କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ, ସୁଭଦ୍ରା ପରିଣୟଠାରୁ ସାରଳା ଦାସଙ୍କ ମହାଭାରତ, ଚଣ୍ଡୀ ପୁରାଣ, ଦୀନକୃଷ୍ଣ ଦାସଙ୍କ ରସକଲ୍ଳୋଳ ଆଦି ପଢିବାକୁ ଆଗ୍ରହୀ ହେଲେ ଗୋବିନ୍ଦ ପାଢୀ । ଏହାସହ ମେଘଦୂତ, କୁମାର ସମ୍ଭବ, ରଘୁବଂଶ ଆଦି ସଂସ୍କୃତ ସାହିତ୍ୟ ମଧ୍ୟ ମୁଖସ୍ତ କଲେ ।

ଗୋବିନ୍ଦ ପାଢୀଙ୍କ ପୂର୍ବ ପୁରୁଷ ପାଲା ଗାୟନ କରି ପ୍ରତିଷ୍ଠା ଅର୍ଜନ କରିଥିଲେ, ତେଣୁ ସେ ମଧ୍ୟ ଗାୟକ ହେବାକୁ ମନସ୍ଥ କଲେ । ମାଆ ସରସ୍ୱତୀଙ୍କ ଅପାର କରୁଣାରୁ ଖୁବ୍ କମ୍ ଦିନ ଭିତରେ ସେ ପାଲା ଜଗତରେ ପ୍ରତିଷ୍ଠା ଅର୍ଜନ କଲେ । ରାଜ୍ୟର କୋଣ ଅନୁକୋଣରେ ପାଲା ପରିିବେଷଣ କରି ଶ୍ରୀଯୁକ୍ତ ପାଢୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକଲେ । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନେକ ପୁରସ୍କାର, ମାନପତ୍ର ଓ ଉପାଧି ମିଳିଥିଲା ।

ଜଣେ ଉତ୍ତମ ଗାୟକ ସହ ଶ୍ରୀଯୁକ୍ତ ପାଢୀ ଥିଲେ ଜଣେ କବି । ସେତୁବନ୍ଧ, ଉତ୍କଳଜନନୀ, ଦେବଗିରି ଆଦି କାବ୍ୟ ସହ ସେ ଅନେକ ଭଜନ ଓ ଜଣାଣ ମଧ୍ୟ ରଚନା କରିଥିଲେ, କିନ୍ତୁ ଅର୍ଥାଭାବରୁ ତାହା ପ୍ରକାଶ ହୋଇପାରିଲା ନାହିଁ । ଅନେକ ପାଣ୍ଡୁଲିପି ତାଙ୍କ ଶିଷ୍ୟମାନଙ୍କ ପାଖରେ ରହିଯାଇଛି । ଏହି ସାରସ୍ୱତ ସାଧକ ୨୦୦୪ ମସିହା ଡିସେମ୍ବର ୮ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ।

Leave A Reply

Your email address will not be published.